• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲାଙ୍ଗିର ବାଲିପଟା ଗାଁର ଜଣେ ମାଆଙ୍କ କାହାଣୀ । ଜଣେ ମଣିଷଙ୍କ କାହାଣୀ । ଯିଏ ତାଙ୍କୁ ଦେଖୁଛି ଆହା କହୁଛି ଏବଂ ସମବେଦନା ଜଣାଉଛି । ଯାହାଙ୍କ ଘର କହିଲେ ଝାଟିମାଟିର ଗୁମ୍ଫା ଭଳି ଝୁମ୍ପୁଡ଼ିଟିଏ । ଯେଉଁଠି ଆଜିକୁ ୮ ବର୍ଷ ବିତିଗଲା । ଜଙ୍ଗଲୀ ଜୀବନ ଜୀଉଁଛନ୍ତି ଏକୁଟିଆ । କିଏ ଓଳିଏ ଖାଇବାକୁ ଦେଉଛି ତ ଆଉ କିଏ ଲୁଗା ଖଣ୍ଡେ ଦେଉଛି । ଅଥଚ ଜୀବନଠୁ ମୃତ୍ୟୁ ଯାଏଁ ଯୋଜନା କରୁଥିବା ସରକାର ବାହାଦୂରଙ୍କ ନଜର ପଡୁନି ।

ତାଙ୍କ ଘରକୁ ଦେଖିଲେ ଲାଗୁଛି କୌଣସି ଏକ ହୁଙ୍କାଟିଏ । ନଚେତ୍ କୌଣସି ଗୃହପାଳିତ ପଶୁପକ୍ଷୀଙ୍କ ଘରଟିଏ । ହେଲେ ନା । ସେହିଭଳି ସ୍ଥାନରେ ରହୁଛନ୍ତି ଜଣେ ମଣିଷ । ସେ ହେଉଛନ୍ତି ସେହି ମଣିଷ ଯାହାଙ୍କ ବୟସ ଟପିଲାଣି ୭୦ । ଆଖିକୁ ବି ଆଉ ଭଲ ଦେଖାଯାଉନି, ଶରୀରରେ ବଳ ବି ନାହିଁ । ଦେଖିଲେ ଲାଗୁଛି କେବଳ ଯାହା ଜୀବନ ଅଛି । ହେଲେ ୟେ କି ଜୀବନ ? ୟେ କଣ ମଣିଷ ନୁହଁନ୍ତି ? ସରକାରୀ ଭାଷାରେ ୟେ କଣ ଯାଉନାହାଁନ୍ତି ସାଢ଼େ ୪ କୋଟି ଓଡ଼ିଆଙ୍କ ଭିତରେ ? ୟାଙ୍କ ପାଇଁ କଣ ସରକାରୀ ବ୍ୟବସ୍ଥା ନାହିଁ ? ହଁ, ୟାଙ୍କ ପାଇଁ କୌଣସି ସରକାରୀ ବ୍ୟବସ୍ଥା ନାହିଁ । ଯାହାଙ୍କ ନାଁ ହେଲା ଦୁଃଖଦେଇ ବିଶି । ବଲାଙ୍ଗିର ପାଟଣାଗଡ଼ ବ୍ଲକ ବାଲିପଟା ଗାଁର ଦୁଃଖଦେଇ । ୪/୫ ମାସ ବ୍ୟବଧାନରେ ଯାହା କିଛି ସରକାରୀ ଚାଉଳ ଗଣ୍ଡେ ମିଳୁଛି, ବାର୍ଦ୍ଧକ୍ୟ ଭତ୍ତା ଯାହା ପାଉଛନ୍ତି । କିନ୍ତୁ ବର୍ଷକୁ ବାର ମାସ ସେହି ଝୁମ୍ପୁଡ଼ିରେ ଏକାକୀ ଦୁଃଖରେ କାଳ କାଟୁଛନ୍ତି ଦୁଃଖଦେଇ ।

ବହୁତ ବର୍ଷ ତଳେ ସ୍ୱାମୀଙ୍କୁ ହରାଇଛନ୍ତି ଦୁଃଖଦେଇ । ପୁଅ ନାହାଁନ୍ତି ତାଙ୍କର । କେବଳ ଯେଉଁ ଝିଅମାନେ ଥିଲେ ସେମାନେ ବାହାସାହା ହୋଇ ଯିଏ ଯାହା ରାସ୍ତାରେ । ଆଜିକୁ ୮ ବର୍ଷ ହେଲା ରାସ୍ତା କଡ଼ରେ ୪/୫ ଫୁଟର ହୁଙ୍କା ଭଳି ଘର ଭିତରେ କାଳ କାଟୁଛନ୍ତି ଦୁଖଦେଇ । ସେଇଠି ରୋଷେଇ କରୁଛନ୍ତି, ଖାଉଛନ୍ତି, ଶୋଉଛନ୍ତି । ରାତି ପାହିଲେ ପୁଣି ଭିକ ମାଗି ଚଳୁଛନ୍ତି । ଦୁଃଖଦେଇଙ୍କ ଦୁର୍ଦ୍ଦଶା ସମ୍ପର୍କରେ ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନକୁ ଜଣାଇଲେଣି, ଘର ଖଣ୍ଡେ ପାଇଁ ନିବେଦନ କଲେଣି । ଅଥଚ ଜିଲ୍ଲା ପ୍ରଶାସନ ନଜର ଅନ୍ଦାଜ କରୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ତେବେ ପ୍ରଶାସନ ସିନା ଶୁଣିଲାନି । ଓଟିଭି କିନ୍ତୁ ପହଞ୍ଚିଥିଲା ଦୁଃଖଦେଇଙ୍କ ପାଖରେ । ଆଉ ଦୁର୍ଦ୍ଦଶାର ଖବର ପ୍ରସାରଣ ପରେ ନିଦ ଭାଙ୍ଗିଛି ଜିଲ୍ଲା ପ୍ରଶାସନର । ପାଟଣାଗଡ଼ ବିଡ଼ିଓ ଘଟଣାସ୍ଥଳକୁ ଯାଇଥିଲେ । ଦୁଃଖଦେଇଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଆଲୋଚନା କରି ଜରାଶ୍ରମରେ ରହିବାକୁ କହିଥିଲେ । କିନ୍ତୁ ଭିଟାମାଟି ଛାଡ଼ି ଅନ୍ୟତ୍ର ରହିବାକୁ ନଚାହିଁବାରୁ ଦୁଃଖଦେଇଙ୍କୁ ନେଇ ତାଙ୍କ ଝିଅ ଜ୍ୱାଇଁଙ୍କ ଘରେ ଛାଡ଼ିଛି ଜିଲ୍ଲା ପ୍ରଶାସନ ।

ଦୁଃଖଦେଇଙ୍କ ଏହି ଦୁର୍ଦ୍ଦଶାର କାହାଣୀ ଦେଖିଲା ପରେ, ଜନ୍ମରୁ ମୃତ୍ୟୁ ଯାଏଁ ଯୋଜନା ତିଆରି କରୁଥିବା ରାଜ୍ୟ ସରକାରଙ୍କ ଦାୟିତ୍ୱପଣିଆ ଉପରକୁ ଅଙ୍ଗୁଳି ଉଠୁଛି । ଗରୀବଙ୍କ ପାଇଁ ସରକାରୀ ବ୍ୟବସ୍ଥାର ସତେ ଯେମିତି ଅପମୃତ୍ୟୁ ହୋଇଛି ।