Advertisment

Tragic Story of Rishis and Sons: ବିଦ୍ୟା ଶିକ୍ଷାର ଦୁଇ ରାସ୍ତା ଓ ଋଷି ପୁତ୍ରମାନଙ୍କର ନିର୍ବୋଧତାର କାହାଣୀ | A Tale of Sorrow Involving Rishis Bharadwaj and Raibhya's Families

ବିନା ଅଧ୍ୟବସାୟ ଓ ବିନା ଗୁରୁରେ ବିଦ୍ୟା ଶିକ୍ଷା ଅସମ୍ଭବ । ଦେବତାଙ୍କ ଠାରୁ ବର ପାଇ ଅସମ୍ଭବକୁ ସମ୍ଭବ କରିଥିବା ଜଣେ ଋଷିପୁତ୍ର ନିଜର ବିନାଶ ଡାକି ଆଣିଲେ।ଆଉ ଜଣେ ବିଜ୍ଞ ଋଷି ପୁତ୍ର କାମନାରେ ପୀଡିତ ହୋଇ ଅବିବେକୀ କାମ କଲେ । ବ୍ରହ୍ମ ହତ୍ୟା ଓ ପିତୃ ହତ୍ୟା ପାପରେ ଦୋଷୀ ହେଲେ । କ'ଣ ହେଲା ସେ ଋଷି ପୁତ୍ରମାନଙ୍କର? ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

author-image
Ramakanta Samantaray
ଅଦ୍ୟତନ ହୋଇଛି
Mahabharat

Mahabharat

ରୈଭ ଋଷିଙ୍କ ଆଶ୍ରମ । ବୈଶାଖ ମାସର ସମୟ । ଗ୍ରୀଷ୍ମଋତୁରେ ଫୁଟୁଥିବା ଫୁଲମାନଙ୍କ ସମ୍ଭାରରେ ସୁସଜ୍ଜିତ ଦିଶୁଛି ଚଉଦିଗ । ରୈଭ ଋଷିଙ୍କ ବୋହୂ ତଥା ପରାବସୁଙ୍କ ପତ୍ନୀ ଆଶ୍ରମ ଉଦ୍ୟାନରେ ମନ ଖୁସିରେ ଏକୁଟିଆ ବୁଲୁଥାନ୍ତି । ପରାବସୁଙ୍କ ପତ୍ନୀ ଅପସରୀଙ୍କ ପରି ଅତ୍ୟନ୍ତ ସୁନ୍ଦରୀ । ସେତିକିବେଳେ ସେଇ ଉଦ୍ୟାନରେ ଭରଦ୍ୱାଜ ଋଷିଙ୍କ ପୁଅ ଯବକ୍ରୀତ ଯାଇ ପହଞ୍ଚିଲେ । ପରାବସୁଙ୍କ ସୁନ୍ଦରୀ ପତ୍ନୀଙ୍କୁ ଏକୁଟିଆ ଦେଖି ଯୁବକ ଯବକ୍ରୀତଙ୍କ ମନରେ କାମ ଭାବ ଉଦ୍ରେକ ହେଲା । ନିଜକୁ ସଂଯମ କରିବାକୁ ଚେଷ୍ଟା କରି ଅସଫଳ ହେଲାପରେ ଯବକ୍ରୀତ ନିଜର ସମସ୍ତ ସଂଯମତା ଓ ବିବେକ ହରାଇ ପରାବସୁଙ୍କ ପତ୍ନୀଙ୍କୁ ଆଶ୍ରମର ଏକ ନିରୋଳା ସ୍ଥାନକୁ ନେଇ ଜୋର ଜବରଦସ୍ତି ଦୁଷ୍କର୍ମ କଲେ ।

Advertisment

କିଛି ସମୟ ପରେ ରୈଭ୍ୟ ମୁନି ତାଙ୍କ ଆଶ୍ରମକୁ ଫେରି ଆସିଲେ। ଆସି ଦେଖିଲେ ବୋହୂ ତାଙ୍କର ଅଧୈର୍ଯ୍ୟ ହୋଇ କାନ୍ଦୁଛନ୍ତି । ବୋହୂକୁ ବୁଝାଇ ସୁଝାଇ ରୈଭ୍ୟ କାନ୍ଦିବାର କାରଣ ପଚାରିଲେ । କାନ୍ଦି କାନ୍ଦି ବୋହୂ ତାଙ୍କର ଯବକ୍ରୀତଙ୍କ ଅପକର୍ମ ଓ ତାଙ୍କ ସତୀତ୍ୱ ହରଣ କଥା କହିଲେ । ଏ କଥା ଶୁଣି ରୈଭ୍ୟ ମୁନି ଅତ୍ୟନ୍ତ କ୍ରୋଧରେ ତାଙ୍କ ମୁଣ୍ଡର ବାଳ ଗୋଟେ ଛିଡାଇଲେ ଓ ଜଳୁଥିବା ହୋମ କୁଣ୍ଡରେ ପକାଇଲେ । ତତକ୍ଷଣାତ୍ ସେ ହୋମ କୁଣ୍ଡରୁ ଦିବ୍ୟ ସୁନ୍ଦରୀ ନାରୀଟିଏ ଜନ୍ମ ନେଲା । ରୈଭ୍ୟ ଆଉ ଏକ ବାଳ ମୁଣ୍ଡରୁ ଛିଡାଇ ହୋମ କୁଣ୍ଡରେ ନିକ୍ଷେପ କରିବାରୁ କୁଣ୍ଡରୁ ଏକ ଭୟଙ୍କର ରାକ୍ଷସ ବି ଜନ୍ମ ନେଲା । ଋଷି ସେ ଦୁହିଁଙ୍କୁ ଆଦେଶ ଦେଲେ ଯେ ଯାଅ ସେ ମହାପାପୀ ଯବକ୍ରୀତକୁ ବିନାଶ କର ।

Mahabharatମହାଭାରତ

ଯବକ୍ରୀତ ଉପାସନା କରୁଥାନ୍ତି । ପ୍ରଥମେ ତାଙ୍କ ପାଖରେ ରୈଭ୍ୟଙ୍କ ଯଜ୍ଞ କୁଣ୍ଡରୁ ଉତ୍ପନ୍ନ ସୁନ୍ଦରୀ ଯୁବତୀ ଜଣକ ଆସି ପହଞ୍ଚିଲା । ଯବକ୍ରୀତଙ୍କୁ ମୋହିତ କରିବା କିଛି ବଡ କଥା ନଥିଲା। ସେଇ ସୁଯୋଗରେ ସୁନ୍ଦରୀ ଯୁବତୀ ଜଣକ ଯବକ୍ରୀତଙ୍କ ମନ୍ତ୍ର ଜଳ ଥିବା କମଣ୍ଡଳକୁ ହରଣ କରିନେଲା । ତାପରେ ଅଳ୍ପ ଦୂରରେ ଗଛ ପଛରେ ଲୁଚିଥିବା ସେ ବିକଟ ରାକ୍ଷସ ପ୍ରକଟ ହେଲା ଓ ଯବକ୍ରୀତଙ୍କୁ ହତ୍ୟା କରିବାକୁ ତା' ତ୍ରୀଶୂଳ ଧରି ଗୋଡେଇଲା । ଯବକ୍ରୀତ ଜାଣିଥିଲେ ମନ୍ତ୍ର ଜଳରେ ସ୍ନାନ କଲେ ଯାଇଁ ସେ ଏ ଭୟଙ୍କର ରାକ୍ଷସ କବଳରୁ ରକ୍ଷା ପାଇବେ । ମାତ୍ର ମନ୍ତ୍ର ଜଳ ଥିବା କମଣ୍ଡଳୁକୁ ଖୋଜିବାରୁ ପାଖରେ କମଣ୍ଡଳୁ ଆଉ ନାହିଁ । ଯବକ୍ରୀତ ସ୍ନାନ ପାଇଁ ପାଖରେ ଥିବା ପୁଷ୍କରିଣୀ ପାଖକୁ ଧାଇଁଲେ ।

Advertisment

ଅଧିକ ପଢ଼ନ୍ତୁ: ତର୍କ କରି ବାପାକୁ ଉଦ୍ଧାର କରିଥିବା ପୁଅର କାହାଣୀ

ଯବକ୍ରୀତ ପୁଷ୍କରିଣୀରେ ସ୍ନାନ କ'ଣ କରିବେ ସେ ପହଞ୍ଚିଲା ବେଳକୁ ପୁଷ୍କରିଣୀ ତାଙ୍କ ଆସିବା ଦେଖି ସମ୍ପୂର୍ଣ୍ଣ ଶୁଖିଲା ହୋଇଗଲା। ଯବକ୍ରୀତ କିଛି ବୁଝିନପାରି ନଦୀ ଦିଗରେ ଧାଇଁଲେ। ସେଠିବି ସେଇ ଏକା ଘଟଣା ଘଟିଲା । ଯବକ୍ରୀତ ନଦୀ ଶଯ୍ୟାରେ ପାଦ ଦେଉ ଦେଉ ନଦୀ ବି ଶୁଖି ଗଲା । ଯବକ୍ରୀତ ଭୟ ପାଇଗଲେ । ସେ ପୁଣି ଧାଇଁଲେ । ଭାବିଲେ ତାଙ୍କ ପିତାଙ୍କ ଯଜ୍ଞଶାଳରେ ଆଶ୍ରୟ ନେବେ । ଯବକ୍ରୀତ ପ୍ରାଣ ଭୟରେ ଆଗେ ଆଗେ ଧାଉଁଥାନ୍ତି ଓ ପଛେ ପଛେ ସେ ଭୟଙ୍କର ଦାନବ ତ୍ରୀଶୂଳ ଉଠେଇ ଧାଉଁଥାଏ ।

ଯବକ୍ରୀତ ତାଙ୍କ ପିତାଙ୍କ ଯଜ୍ଞଶାଳରେ ପହଞ୍ଚିଲା ବେଳକୁ ସେଠାରେ ଜଣେ ଅନ୍ଧ ଦ୍ୱାରପାଳ ଥାଏ । ସେ ଅଶୌଚ ଥିବା ଯବକ୍ରୀତକୁ ଯଜ୍ଞଶାଳରେ ପ୍ରବେଶ କରେଇ ଦେଲାନି । ଅସହାୟ ହୋଇ ଯବକ୍ରୀତ ସେଇ ଯଜ୍ଞଶାଳ ଦ୍ୱାର ଦେଶରେ ଛିଡା ହୋଇ ରହିଲେ ଓ ରୈଭ୍ୟଙ୍କ ଯଜ୍ଞ କୁଣ୍ଡରୁ ଉତ୍ପନ୍ନ ରାକ୍ଷସ ତ୍ରିଶୂଳରେ ତାଙ୍କ ବକ୍ଷ ବିଦ୍ଧ କରି ତାଙ୍କୁ ହତ୍ୟା କଲା ।

ଭରଦ୍ୱାଜ ଋଷି ତାଙ୍କ ନିତ୍ୟକର୍ମ ସାରି ସମିଧ ସଂଗ୍ରହ କରି ଆଶ୍ରମ ଫେରି ଯଜ୍ଞରେ ବସିଲେ । କିନ୍ତୁ ତାଙ୍କୁ ଆଶ୍ଚର୍ଯ୍ୟ କରି ସେଦିନ ଯଜ୍ଞ କୁଣ୍ଡରେ ଅଗ୍ନି ନିଜର ଶିଖା ଉଠେଇ ପ୍ରଜ୍ୱଳିତ ହେଲେନି । ଋଷି ଜାଣିନଥିଲେ ପୁତ୍ର ମରଣ ପାଇଁ ସେ ଅଶୌଚ ହୋଇଯାଇଛନ୍ତି । ଋଷି ତାଙ୍କ ଅନ୍ଧ ଦ୍ୱାରପାଳକୁ ତା'ର କାରଣ ପଚାରିଲେ । ପଚାରିଲେ କ'ଣ ହେଇଛି? ଆଶ୍ରମରେ ସବୁ ମଙ୍ଗଳ ତ? ପୁଅ ମୋର କୁଆଡେ ଯାଇଛି? ରୈଭଙ୍କ ଆଶ୍ରମ ଦିଗରେ ସେ ଯାଇନାହିଁ ତ? କାହିଁକି ଆଜି ଅଗ୍ନି ଏତେ ତେଜ ହୀନ?

ଅନ୍ଧ ଦ୍ୱାରପାଳ କହିଲା, ହଁ କେହିଜଣେ ଅଶୌଚ ବ୍ୟକ୍ତି ଯଜ୍ଞସ୍ଥଳକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା ମୁଁ କିନ୍ତୁ ତାଙ୍କୁ ଅଟକାଇ ଦେଇଛି । ଭରଦ୍ୱାଜ ଋଷି ବାହାରକୁ ଆସି ଦେଖିଲେ ପ୍ରିୟ ପୁତ୍ର ତାଙ୍କର ରକ୍ତ ଜୁଡୁ ବୁଡୁ ହୋଇ ଆଶ୍ରମ ଦ୍ୱାରରେ ମରି ପଡିଛି । ଭରଦ୍ୱାଜ ଯବକ୍ରୀତଙ୍କ ମୃତ୍ୟୁର କାରଣ ଖୁବଶୀଘ୍ର ଜାଣିଲେ ଓ ମଲା ପୁଅର ଶବ ପାଖରେ ବସି ବିଳାପ କରିବାକୁ ଲାଗିଲେ । ଋଷି କାନ୍ଦି କାନ୍ଦି କହୁଥାନ୍ତି ତପସ୍ୟାରେ ଦେବତାଙ୍କୁ ସନ୍ତୁଷ୍ଟ କରି ବିନା ଅଧ୍ୟୟନରେ ବେଦରେ ପାଣ୍ଡତ୍ୟ ଲାଭ କଲୁ । ତୋତେ କେତେ କରି କହିଥିଲି ଏ ରାସ୍ତା ଠିକ ନୁହେଁ । ଦେବତାଙ୍କ ବରଦାନରେ ସହଜରେ ମିଳିଥିବା ଜ୍ଞାନ ପାଇଁ ମନରେ ଗର୍ବ ଅଭିମାନ କରନି କହିଥିଲି । ପୁଣି କେତେ କରି ବୁଝାଇଥିଲି ରୈଭ ମୁନିଙ୍କ ଆଶ୍ରମକୁ ଯିବୁନାହିଁ। ତୁ ମୋର କୌଣସି କଥାକୁ କାନ ଦେଲୁନି। ତୁ ତ ମୋର ଗୋଟେ ମାତ୍ର ପୁଅ ଥିଲୁ। ଏବେ ଏ ବୁଢା ବୟସରେ ମୋତେ ପୁତ୍ର ଶୋକରେ ଜୀବନ ବଂଚିବାକୁ ପଡିବ । ରୈଭ ମୋର ବନ୍ଧୁ ହୋଇ ଏତିକି କଥା ବୁଝିପାରିଲେନି । କ୍ରୋଧରେ ତୋତେ ହତ୍ୟା କଲେ । ମୋର ଆଉ ବଞ୍ଚିକରି ଲାଭ ନାହିଁ । ମରିବା ଆଗରୁ ମୁଁ ଅଭିଶାପ ଦେଉଛି ତୋତେ ହତ୍ୟା କରିଥିବା ସେ ରୈଭଙ୍କର ବିନା କାରଣରେ ତାଙ୍କ ନିଜ ପୁଅ ହାତରେ ନିଶ୍ଚୟ ନିଧନ ହେବ ।

ତାପରେ ପ୍ରକୃତିସ୍ଥ ହୋଇ ବନ୍ଧୁ ରୈଭଙ୍କୁ ଅଭିଶାପ ଦେଇଥିବାରୁ ଭରଦ୍ୱାଜ ମୁନି ଆହୁରି ଦୁଃଖି ହୋଇଗଲେ । ଜୀବନ ଅର୍ଥହୀନ ଲାଗିଲା । ଭରଦ୍ୱାଜ ମୁନି ତାପରେ ତାଙ୍କ ପୁଅର କୃତକର୍ମ ସମ୍ପନ୍ନ କରି ନିଜେ ଅଗ୍ନିରେ ପ୍ରବେଶ କରି ପ୍ରାଣ ତ୍ୟାଗ କଲେ ।

କିଛିଦିନ ପରେ ରୈଭ ଋଷିଙ୍କର ବୃହଦଦ୍ୟୁମ୍ନ ନାମରେ ଜଣେ ଯଜମାନ ଗୋଟେ ବିଶାଳ ଯଜ୍ଞର ଆୟୋଜନ କରୁଥିଲେ । ବୃହଦଦ୍ୟୁମ୍ନ ରାଜା ରୈଭଙ୍କର ଦୁଇ ପୁଅ ଅର୍ବାବସୁ ଓ ପରାବସୁଙ୍କୁ ସେଇ ଯଜ୍ଞ ଅନୁଷ୍ଠାନ ନିର୍ବାହ କରିବାକୁ ବରଣ କରିଥାନ୍ତି । ଦୁଇ ଭାଇ ଯାଇ ଯଜ୍ଞ ଆରମ୍ଭ କଲେ । ଦିନେ ରାତିରେ ପରାବସୁ ଆପଣା ପତ୍ନୀ କଥା ମନେ ପକାଇ କାମନାରେ ପୀଡିତ ହେଲେ । ପତ୍ନୀଙ୍କ ସହ ମିଳିତ ହେବାର ଉଦ୍ଦେଶ୍ୟରେ ରାତିର ଅନ୍ଧାରରେ ଆଶ୍ରମକୁ ଫେରି ଆସିଲେ । ଆଶ୍ରମ ବାହରେ ତାଙ୍କ ପିତା ରୈଭ ମୁନି ମୃଗ ଚମଡା ପିନ୍ଧି ଶୋଇଥାନ୍ତି । ପରାବସୁଙ୍କୁ ଅନ୍ଧାରରେ ଲାଗିଲା କୌଣସି ହିଂସ୍ର ପଶୁ ଗୋଟେ ଶୋଇଛି । ସେ ବର୍ଚ୍ଛା ମାରି ପଶୁକୁ ହତ୍ୟା କଲେ । ତାପରେ ସେ କେତେବଡ ପାପ କଲେ ବୁଝିଲା ବେଳକୁ ରୈଭ ମୁନି ମରିସାରିଥିଲେ । ଭରଦ୍ୱାଜଙ୍କ ଅଭିଶାପ ଫଳିସାରିଥିଲା ।

Mahabharatମହାଭାରତ

ପରାବସୁ ତୁରନ୍ତ ରାଜାଙ୍କ ଯଜ୍ଞ ସ୍ଥଳକୁ ଫେରି ଆସିଲେ ଓ ସାନଭାଇ ଅର୍ବାବସୁକୁ କହିଲେ ମୁଁ ଏକା ସାଙ୍ଗରେ ବ୍ରହ୍ମ ହତ୍ୟା ଓ ପିତୃ ହତ୍ୟା କରିଛି । ସେଥିପାଇଁ ପ୍ରାୟଶ୍ଚିତ କରିବାକୁ ପଡିବ । ତୁମେ ଏକା ଏତେ ବଡ ଯଜ୍ଞ ସଂପନ୍ନ କରିପାରିବନି । ତୁମେ ମୋ ବଦଳରେ ଯାଇ ପ୍ରାୟଶ୍ଚିତ କର । ରାଜାଙ୍କ ଯଜ୍ଞରେ କୌଣସି ବାଧା ଯେପରି ନଆସେ । ମୁଁ ସେକଥା ବୁଝୁଛି । ବଡ ଭାଇଙ୍କ କଥା ମାନି ଅର୍ବାବସୁ ବଡଭାଇ କରିଥିବା ପାପର ପ୍ରାୟଶ୍ଚିତ କରିବାକୁ ସେଠୁ ବାହାରିଗଲେ ।

ଅନେକ ତୀର୍ଥ ଭ୍ରମଣ କରି ପବିତ୍ର ସ୍ନାନ କରି ଅର୍ବାବସୁ ବ୍ରହ୍ମଚର୍ଯ୍ୟ ଓ ସଂଯମତା ଆଚରଣ କରି ପ୍ରାୟଶ୍ଚିତ କର୍ମ ସବୁ ସଂପନ୍ନ କଲେ। ତାପରେ ସେ ଯଜ୍ଞ ସ୍ଥଳକୁ ଫେରି ଆସିଲେ । ଅର୍ବାବସୁଙ୍କୁ ଫେରି ଆସୁଥିବାର ଦେଖି ପରାବସୁ ଖୁସିହେବେ କଣ ଓଲଟି ରାଜାଙ୍କୁ ମିଛରେ କହିଲେ “ହେ ରାଜା ଏ ଯେଉଁ ମୋ ସାନଭାଇ ଅର୍ବାବସୁ ଏଇ ଦିଗରେ ଆସୁଛି ତାକୁ ଅଟକାନ୍ତୁ । ସେ ଉଭୟ ବ୍ରହ୍ମ ହତ୍ୟା ଓ ପିତୃ ହତ୍ୟା ଦୋଷରେ ଦୋଷୀ । ଯଜ୍ଞ ସ୍ଥଳରେ ତା'ର ଛାଇ ପଡିଲେ ଯଜ୍ଞ ମାରା ହେବ ।”

ଅର୍ବାବସୁ ବୁଝୁଥିଲେ ଭାଇ ତାଙ୍କର ଈର୍ଷା ପରାୟଣ ହୋଇ ଏପରି ନିର୍ବୋଧ ବ୍ୟବହାର କରୁଛନ୍ତି । ସେ ରାଜାଙ୍କୁ ସତ କଥା କହିବାକୁ ଚେଷ୍ଟା କଲେ । କିନ୍ତୁ ତାଙ୍କ କଥା କେହି ଶୁଣିଲେନି । ଦ୍ୱାରପାଳ ଓ ପ୍ରହରୀମାନେ ତାଙ୍କୁ ଯଜ୍ଞ ସ୍ଥଳରୁ ତଡିଦେଲେ ।

ଦୁଃଖ ଓ କ୍ଷୋଭର ସହ ଅର୍ବାବସୁ ଜଙ୍ଗଲକୁ ଚାଲିଆସି ତପସ୍ୟା କରିବାକୁ ଲାଗିଲେ । ତାଙ୍କ କଠୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବତାମାନେ ଆସି ତାଙ୍କ ପାଖରେ ପହଞ୍ଚି ବର ଯାଚିଲେ । ଅନେକ ଦିନ ଧରି ତପ ଆଚରଣ ପରେ ଅର୍ବାବସୁଙ୍କ ମନରେ ତାଙ୍କ ବଡ ଭାଇଙ୍କ ପ୍ରତି ଆଉ କିଛି କ୍ଷୋଭ ନଥିଲା । ନିଜ ପାଇଁ କିଛିବି ନମାଗି ସେ ଦେବତାମାନଙ୍କୁ ପ୍ରାର୍ଥନା କଲେକି ମୃତ୍ୟୁବରଣ କରିଥିବା ଯବକ୍ରୀତ, ଋଷି ଭରଦ୍ୱାଜ ଓ ରୈଭ ମୁନି ଜୀବନ୍ୟାସ ପାଆନ୍ତୁ । ତାଙ୍କ ବଡ ଭାଇ ବ୍ରହ୍ମ ହତ୍ୟା ଓ ପିତୃ ହତ୍ୟା ଦୋଷରେ ଦୋଷୀ ହୋଇ ଯେଉଁ ପାପ କରିଛନ୍ତି ସେଥିରୁ ତାଙ୍କୁ ମୁକ୍ତି ମିଳୁ । ଦେବତାମାନେ ଅର୍ବାବସୁଙ୍କ ଅନୁରୋଧ ରକ୍ଷା କରି ବର ପ୍ରଦାନ କଲେ ।

ଯବକ୍ରୀତ ଜୀବନ୍ୟାସ ପାଇଲାପରେ ଦେବତାମାନଙ୍କୁ ପ୍ରଶ୍ନ କଲେ ମୁଁ ଜଣେ ବେଦଜ୍ଞ ହୋଇଥିଲେବି ରୈଭ ମୁନିଙ୍କ ଅଭିଶାପରେ କେମିତି ମୃତ୍ୟୁ ଲଭିଲି? ଦେବତାମାନେ କହିଲେ ତୁମେ ଅତି ସହଜ ରାସ୍ତାରେ ବିନା ଗୁରୁରେ ବେଦଜ୍ଞାନ ପ୍ରାପ୍ତ ହୋଇଛ । କିନ୍ତୁ ରୈଭ ଅନେକ କଷ୍ଟ ସହି, ଅନେକ ବର୍ଷ ବ୍ୟୟ କରି, ବିଭିନ୍ନ କ୍ଲେଶ ସହ୍ୟ କରି ଗୁରୁଙ୍କ ପରିଚର୍ଯ୍ୟାରେ ବେଦ ଅଧ୍ୟୟନ କରିଛନ୍ତି। ତେଣୁ ତୁମ ଦୁହିଁଙ୍କ ଭିତରେ ବହୁତ ଫରକ ରହିଛି ।

ଏ କାହାଣୀ କହିସାରିଲା ପରେ ଲୋମଶ ମହର୍ଷି ଓ ପାଣ୍ଡବ ପରିବାର କନଖଳ ପର୍ବତ ଆରୋହଣ କଲେ ଓ ପବିତ୍ର ଗଙ୍ଗା ନଦୀରେ ସ୍ନାନ କରି ଅନ୍ୟ ଏକ ତୀର୍ଥ ଉଦ୍ଦେଶ୍ୟରେ ବାହାରିଲେ।

ଅଧିକ ପଢ଼ନ୍ତୁ: ନିଜ ଦେହର ମାଂସ କାଟି ଅନ୍ୟକୁ ଦାନ ଦେଉଥିବା ରାଜା ଓ ଅଷ୍ଟାବକ୍ର ଋଷି ପୁତ୍ରଙ୍କ କାହାଣୀ 

Mahabharat Mahabharat Story
Advertisment
Advertisment