• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଶେଷ ହେଲା ସବୁ କଳ୍ପନା ଜଳ୍ପନାର ଅନ୍ତ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଶପଥ ପାଠ କରାଇଛନ୍ତି । ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି । ସେହିପରି ୧୩ ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉପସ୍ଥିତରେ ଶପଥ ନେଲେ ମୋହନ ମାଝୀ । ସେହିପରି ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗୀ ଆଦିତ୍ୟନାଥଙ୍କ ସହ ପ୍ରାୟ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ୮ ଜଣ କ୍ୟାବିନେଟ୍‌ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ, ରବି ନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୁତି ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର ଶପଥ ନେଇଛନ୍ତି । ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ୫ ଜଣ ଶପଥ ନେଇଛନ୍ତି । ଗଣେଶ ରାମସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ, ସଂପଦ ସ୍ବାଇଁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଅଧିକ ପଢ଼ନ୍ତୁ: ଓଡ଼ିଶାର ମଙ୍ଗ ଧରିଲେ ମୋହନ ମାଝୀ; ଆସନ୍ତୁ ଜାଣିବା ତାଙ୍କର ପୂରା ରାଜନୈତିକ କ୍ୟାରିୟର୍

ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ବହୁ ମାନ୍ୟଗଣ୍ୟ ଅତିଥି ସାମିଲ ହୋଇଥିଲେ । ୨୦୨୪ ନିର୍ବାଚନରେ ପ୍ରଚଣ୍ଡ ଜନମତ ସହ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏକାକୀ ସରକାର ଗଢୁଥିବା ବିଜେପିର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ଏନଡିଏ ଓ ବିଜେପି ଶାସିତ ରାଜ୍ୟର କିଛି ମୁଖ୍ୟମନ୍ତ୍ରୀ, ରାଜ୍ୟ ଓ ରାଜ୍ୟ ବାହାରର ବହୁ ସାଧୁସନ୍ଥ ଏବଂ ରାଜନୀତି, କ୍ରୀଡ଼ା, ବ୍ୟବସାୟ ଓ ମନୋରଞ୍ଜନ ଆଦି କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର କିଛି ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ତେବେ ପ୍ରାୟ ୩୦ ହଜାରରୁ ଅଧିକ ଲୋକ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ।

ନିମନ୍ତ୍ରଣ ପତ୍ରରୁ ଶପଥ ସମାରୋହ ସ୍ଥଳ, ସବୁଠି ଓଡ଼ିଆ ଅସ୍ମିତାର ଛାପ। ତୋରଣରେ ଶୁଦ୍ଧ ଓଡ଼ିଆ ଲେଖା ସହ ମୁଖ୍ୟ ଫାଟକରେ ଶୋଭା ପାଇଥିଲା କୋଣାର୍କ ଘୋଡା ଓ ଧଉଳି ହାତୀ । ଭିଆଇପି ଗେଟରେ ପୁରୀ ସାହିଯାତର ଝଲକ, ସଭାସ୍ଥଳକୁ ଯିବାର ଦୁଇ ପାର୍ଶ୍ବରେ ରହିଥିଲା ଓଡ଼ିଶାରବରପୁତ୍ର ମାନଙ୍କ ଫଟୋଚିତ୍ର ଓ ପ୍ରତିମୂର୍ତ୍ତି। ଭିତରେ ମଂଚ ତଳେ ଐତିହ୍ୟ କୋଣାର୍କ ଆକୃତିର ସାଜସଜ୍ଜା, ଓଡ଼ିଆ ଅସ୍ମିତାର ପ୍ରତୀକ ଭାଗବତ ଟୁଙ୍ଗି ଓ ମାଣବସା ଗୁରୁବାରର ମହକ ସହ ପ୍ରତିଫଳିତ ହେଉଥଲା ଓଡ଼ିଆ ସଂସ୍କୃତି ଓ ପରମ୍ପରା। ନୂଆ ସରକାରକୁ ସ୍ବାଗତ ଜଣାଇ କେଉଁଠି ଘୋଡା ନାଚ ହେଉଥିଲା ତ ଆଉ କେଉଁଠି ସମ୍ବଲପୁରୀ, ଢେମସା ଓ ଛଉ
ନୃତ୍ୟ ଦୁଲୁକୁଥିଲା ସାରା ଭୁବନେଶ୍ବର।

ସେପଟେ ଶପଥ ଗ୍ରହଣ ସମାରୋହ ଲାଗି କଡ଼ା ସୁରକ୍ଷା ବଳୟ ଭିତରେ ରହିଥିଲା ରାଜଧାନୀ ଭୁବନେଶ୍ୱର । ଉତ୍ସବ ଲାଗି ୬୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ । ତମାମ କାର୍ଯ୍ୟକ୍ରମ ପରିଚାଳନା ଲାଗି ଜଣେ ଆଇଜି ଓ ୨ ଡିଆଇଜିଙ୍କୁ ଦାୟିତ୍ୱ ମିଳିଥିଲା । କେବଳ ଜନତା ମଇଦାନ ସୁରକ୍ଷାର ତଦାରଖ କରିଥିଲେ ଆଇଜି ପ୍ରବୀଣ କୁମାର । ସେହିଭଳି ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏୟାରପୋର୍ଟ ଏବଂ ଉମାଶଙ୍କର ଦାସ ଟ୍ରାଫିକ ପରିଚାଳନା କଥା ବୁଝିଥିଲେ । ମୋଟ ୧୩ ଡିସିପି, ୧୮ ଏଡିସିପି ରାଙ୍କ ଅଧିକାରୀ ଅନ୍ୟାନ୍ୟ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ରହିଥିଲେ ।

ଅଧିକ ପଢ଼ନ୍ତୁ: ୪ ଥର ବିଧାୟକ ପରେ ବି ମୋହନଙ୍କ ଚାଳ ଛପର ଘର !

OTV is now on Whatsapp

Join and get latest news update delivered to you via whatsapp

Join Now