Advertisment

ରଥଯାତ୍ରାରେ ଖୋଲିବ ତ ରତ୍ନଭଣ୍ଡାର ? ପ୍ରଶ୍ନ.. ରତ୍ନ ଠିକ୍‌ରେ ଅଛି ତ ?

ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି-ମଣତି କସରତ। ବସିଲା ରାଜ୍ୟ ସରକାରଙ୍କ ଗଠିତ ୧୨ ଜଣିଆ ଉଚ୍ଚସ୍ତରୀୟ ତଦାରଖ କମିଟିର ପ୍ରଥମ ବୈଠକ।

author-image
Manoranjan Behera
undefined

Ratna Bhandar

ଆସନ୍ତା ରଥଯାତ୍ରା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ଆହୁରି ଦୃଢ଼ ହେଲା ଆଶା। ଆଜି ଅନୁଷ୍ଠିତ ହୋଇଛି ଅଳଙ୍କାର ଗଣତି-ମଣତି ତଦାରଖ ପାଇଁ ସରକାରଙ୍କ ଦ୍ୱାରା ଗଠିତ ୧୨ ଜଣିଆ କମିଟିର ପ୍ରଥମ ବୈଠକ। ଏଥିରେ ରତ୍ନଭଣ୍ଡାର ଅଳଙ୍କାର ସ୍ଥିତି ଏବଂ ରତ୍ନଭଣ୍ଡାର ଭିତରକୁ ଯିବାର ପ୍ରକୃଷ୍ଟ ସମୟ ବାବଦରେ ଆଲୋଚନା ସହିତ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ଏଣ୍ଡୋସ୍କୋପି କ୍ୟାମେରା ବ୍ୟବହାର ନେଇ ମତ ପ୍ରକାଶ ପାଇଛି। ତେବେ ଏଯାଏଁ ୧୯୭୮ର ଅଳଙ୍କାର ତାଲିକା ପାଇନଥିବା ସ୍ପଷ୍ଟ କରିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ୍ ପଶାୟତ। ସେପଟେ ରଥଯାତ୍ରା ବେଳେ ଏତେ କମ୍ ଦିନରେ କିପରି ଏହି କାର୍ଯ୍ୟ ସରିବ, ତାକୁ ନେଇ ଆଶଙ୍କା ଉପୁଜିଛି।

Advertisment

ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି-ମଣତି କସରତ। ବସିଲା ରାଜ୍ୟ ସରକାରଙ୍କ ଗଠିତ ୧୨ ଜଣିଆ ଉଚ୍ଚସ୍ତରୀୟ ତଦାରଖ କମିଟିର ପ୍ରଥମ ବୈଠକ। ପ୍ରଥମେ ଶ୍ରୀମନ୍ଦିର ଗର୍ଭଗୃହରେ ଶ୍ରୀଜୀଉଙ୍କୁ ଦର୍ଶନ କରି, ବୈଠକ ଆରମ୍ଭ କରିଥିଲେ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ। ଘଣ୍ଟାଧିକ କାଳ ଚାଲିଲା ବିସ୍ତୃତ ମାନସ ମନ୍ଥନ।

ପ୍ରାରମ୍ଭିକ ବୈଠକର ନିର୍ଯାସ ସଂପର୍କରେ ସୂଚନା ଦେଇ ଜଷ୍ଟିସ୍ ପଶାୟତ କହିଛନ୍ତି ଯେ, ୧୯୭୮ ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାର ଅଳଙ୍କାରର ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା, ତାକୁ ଆଧାର କରି ପ୍ରକ୍ରିୟା ଆରମ୍ଭ ହେବ। ପୁରୁଣା ତାଲିକା ସହ ବର୍ତ୍ତମାନର ଅଳଙ୍କାର ଗଣତି ଓ ମଣତିକୁ ମେଳ କରାଯିବ। ଯେଉଁସବୁ ନୂଆ ଅଳଙ୍କାର ସାମିଲ ହୋଇଛି, ସେଗୁଡ଼ିକୁ ତାଲିକାଭୁକ୍ତ କରାଯିବ। ଯେଉଁସବୁ ଅଳଙ୍କାର ମିଳିବ ନାହିଁ, ତାହା କୁଆଡ଼େ ଗଲା ଓ କାହିଁକି ମିଳୁନି ତର୍ଜମା ହେବ।

Advertisment

ତେବେ ଏପର୍ଯ୍ୟନ୍ତ ୧୯୭୮ର ତାଲିକା ପାଇନାହାନ୍ତି କି ଦେଖିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ଜଷ୍ଟିସ ପଶାୟତ। ଏଥିସହ ସେ କହିଛନ୍ତି ଯେ, ଏସବୁ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ରତ୍ନଭଣ୍ଡାର ଭିତରକୁ ଏଣ୍ଡୋସ୍କୋପି କ୍ୟାମେରା ଭର୍ତ୍ତି କରି ସ୍ଥିତି ଅନୁଧ୍ୟାନ କରିବାକୁ ବୈଠକରେ ମତ ଆସିଛି। କମିଟିର ଉପାଧ୍ୟକ୍ଷ ତଥା ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ଏହି ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହାର କାର୍ଯ୍ୟକାରିତାକୁ ନେଇ ଅନିଶ୍ଚିତତା ପ୍ରକାଶ କରିଛନ୍ତି ASIର ସୁପରିଣ୍ଟେଣ୍ଡିଂ ଆର୍କିଓଲଜିଷ୍ଟ ଡି. ବି. ଗଡ଼ନାୟକ।

ସୂଚନା ଅନୁସାରେ, ୧୯୨୬ ଓ ୧୯୫୦ ମସିହା ପରେ, ଶେଷଥର ପାଇଁ ୧୯୭୮ ମସିହାରେ ଖୋଲାଯାଇଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର। କୁହାଯାଉଛି, ଭିତର ଭଣ୍ଡାରରେ ୫୯୮ ଓ ବାହାର ଭଣ୍ଡାରରେ ୩୧ ପ୍ରକାର ଦୁର୍ଲଭ ଅଳଙ୍କାର ଥିବା ଜଣାପଡ଼ିଥିଲା। ୪୬ ବର୍ଷ ତଳର ଏହି ଗଣତି ଓ ମଣତି ପାଇଁ ୪ ମାସ ସମୟ ଲାଗିଥିଲା। ତେବେ ଏଥର ଆଗାମୀ ରଥଯାତ୍ରା ସମୟରେ ଏହି କାର୍ଯ୍ୟ କରାଯିବ ବୋଲି ଚିନ୍ତା କରାଯାଉଛି। ଯାହାଫଳରେ ଦର୍ଶନ କି ନୀତିକାନ୍ତିରେ ସମସ୍ୟା ଉପୁଜିବନି। ହେଲେ ପ୍ରଶ୍ନ ଉଠୁଛି, ଏତେ କମ୍ ଦିନ ଭିତରେ ସମ୍ଭବ ହେବ ତ ରତ୍ନଭଣ୍ଡାର ଅଳଙ୍କାର ଗଣତି-ମଣତି ? ଯଦି ହେବ, ତେବେ କେମିତି ? ଏ ସଂପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ପଶାୟତ। ସେପଟେ ବରିଷ୍ଠ ସେବକ ଦାବି ଉଠାଇଛନ୍ତି ଯେ, ତଢ଼ଉ କରଣ ଏବଂ ଦେଉଳ କରଣଙ୍କ ପାଖରେ ଥିବା ୧୯୫୦ ମସିହାର ହିସାବକୁ ମଧ୍ୟ ୧୯୭୮ ତାଲିକା ସହ ମେଳ କରାଯାଉ।

୨୦୧୮ରେ ହଇଚଇ ସୃଷ୍ଟି କରିଥିଲା ରତ୍ନଭଣ୍ଡାର ଚାବି ହଜିବା ଘଟଣା। ଚାବି ନମିଳିବାରୁ ଏପ୍ରିଲ ୪ରେ କେବଳ ବାହାର ଭଣ୍ଡାର ସ୍ଥିତି ଯାଞ୍ଚ କରି ଫେରିଥିଲା ଏକ ୧୫ ଜଣିଆ ଟିମ୍। ପରେ ପୁରୀ ଜିଲ୍ଲା ଟ୍ରେଜେରି ଅଫିସରୁ ଅତି ନାଟକୀୟ ଭାବେ ଡୁପ୍ଲିକେଟ୍ ଚାବି ମିଳିଥିଲା। ତେବେ ହାଇକୋର୍ଟଙ୍କ ତାଗିଦ ପରେ, କିଛି ଦିନ ତଳେ ରାଜ୍ୟ ସରକାର ଗଠନ କରିଥିବା ୧୨ ଜଣିଆ ତଦାରଖ କମିଟି ଏହି ପ୍ରକ୍ରିୟାକୁ କିପରି ତ୍ୱରାନ୍ୱିତ କରୁଛି, ତା ଉପରେ ନଜର। କମିଟିର ଦ୍ୱିତୀୟ ବୈଠକ ମେ ୧ରେ ବସିବ।

ASI Jagannath Temple Ratna Bhandar
Advertisment
Advertisment