• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଆଉ ଅଲୋଡା ହେବେନି ବାପା-ମା’ । ବୟସର ବାହାନା ଦେଖାଇ ଆଉ ଅବହେଳା କରି ପାରିବେନି ସନ୍ତାନ । ଯଦି ସେପରି କରନ୍ତି ତେବେ ସମ୍ପତ୍ତିର ଉତ୍ତରାଧିକାରୀ ହେବାରୁ ବଞ୍ଚିତ ହେବେ । ଏପରିକି ବାପା-ମା’ଙ୍କ ଠାରୁ କଳବଳକୌଶଳ ଲଗାଇ ଯଦିବି ସମ୍ପତ୍ତି ନିଜ ନାମକୁ ନେଇ ଯାଇଥିବେ ଏବଂ ପରବର୍ତ୍ତୀ ସମୟରେ ବାପା-ମା’ଙ୍କ ଯତ୍ନ ନେଉ ନ ଥିବେ ତେବେ ସେ ସମ୍ପତ୍ତିକୁ ଫେରାଇବାକୁ ପଡିପାରେ ।

ନିକଟରେ ମାଡ୍ରାସ ହାଇକୋର୍ଟ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ବରିଷ୍ଠ ନାଗରିକଙ୍କ ଭବିଷ୍ୟତର ସୁରକ୍ଷାକୁ ନିଶ୍ଚିତ କରିଛନ୍ତି । ଏହି ରାୟରେ କେବଳ ଜମିଜମା ନୁହେଁ ବରଂ ଫିକ୍ସଡ୍ ଡିପୋଜିଟ୍ (ଏଫଡି) ଓ ଅଳଙ୍କାର ଭଳି ଜିନିଷ ମଧ୍ୟ ସମ୍ପତ୍ତି ଅଧୀନରେ ଗଣାଯିବ ବୋଲି କୋର୍ଟ କହିଛନ୍ତି। ଜଣେ ବିଧବା ବୃଦ୍ଧାଙ୍କ ଆବେଦନର ବିଚାର କରି ହାଇକୋର୍ଟ ବିଚାରପତି ଜିକେ ଇଲାନ୍ଥିରାୟନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ  ଶୁଣାଇଛନ୍ତି ।

ବୟସ୍କ ବାପା-ମା’ ତଥା ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଆଇନ, ୨୦୦୭ (MWPSCA) ଅଧୀନରେ ଏହି ବିଧବା ମହିଳାଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ତାଙ୍କ ବିବାହିତ ଝିଅଙ୍କୁ ପିତାଙ୍କ ମୃତ୍ୟୁ ପରେ ନେଇଥିବା ମା’ଙ୍କ ଅଳଙ୍କାର ସହିତ ୧.୫ କୋଟି ଟଙ୍କାର FD  ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଏହାର ବିପକ୍ଷରେ ତାଙ୍କର ଝିଅ ପଦ୍ମାବତୀ ଯୁକ୍ତି ରଖିଥିଲେ ଯେ ମା’ ଏଲ.ଭି ସରୋଜିନୀ ଫ୍ୟାମିଲି ପେନସନ ପାଉଛନ୍ତି । ତାଙ୍କ ପାଖରେ ଏବେ ବି ୨୦ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ ଅଛି ଏବଂ ସେ ତାଙ୍କ ଭାଇଙ୍କ ପାଖରେ ରହୁଛନ୍ତି । ତେଣୁ ସେ ମା’ଙ୍କ ଦାୟିତ୍ୱ ନେବାର ଆବଶ୍ୟକତା ନାହିଁ । ହେଲେ କୋର୍ଟ ଝିଅଙ୍କର ଏପରି ଯୁକ୍ତିକୁ ଅଗ୍ରାହ୍ୟ କରି ଦେଇଥିଲେ ।

Also Read

ସରୋଜିନୀ ଏ ନେଇ ପ୍ରଥମେ ସବ୍-କଲେକ୍ଟରଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ୨୦୨୨ ଜୁଲାଇରେ ତାଙ୍କ ଅଭିଯୋଗ ଖାରଜ ହୋଇଥିଲା। ଏହାର ବିରୋଧରେ ସେ ତୁତୁକୁଡି ଜିଲ୍ଲା କଲେକ୍ଟରଙ୍କୁ ଅପିଲ୍ କରିଥିଲେ ।  ଅକ୍ଟୋବର ୨୦୨୨ରେ ତାହା ମଧ୍ୟ ଖାରଜ ହୋଇଗଲା। ଶେଷରେ ୨୦୨୩ରେ ସେ ହାଇକୋର୍ଟରେ ରିଟ୍ ପିଟିସନ ଦାୟର କରିଥିଲେ।

ମାମଲାର ବିଚାର କରି ଜଷ୍ଟିସ୍ ଜିକେ ଇଲାନ୍ଥିରାଇୟାନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ, ପୁଅ କିମ୍ବା ଝିଅ ଉପହାର ଆକାରରେ କିମ୍ବା ଭାଗବଣ୍ଟା ଆଧାରରେ ପାଇଥିବା ସମ୍ପତ୍ତି ନିଜ ଦଖଲକୁ  ନେବା ପରେ ଯଦି ପିତାମାତାଙ୍କ ଯତ୍ନ ନ ନିଅନ୍ତି, ତେବେ ସେମାନେ ସେହି ସମ୍ପତ୍ତି ହରାଇବାର ଆଶଙ୍କା ରହିଛି।

ବାପା-ମା’ ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଏବଂ କଲ୍ୟାଣ ଅଧିନିୟମ ୨୦୦୭ ପରି କୋର୍ଟଙ୍କ ଏହି ରାୟର ଉଦ୍ଦେଶ୍ୟ ହେଉଛି, ବରିଷ୍ଠ ବ୍ୟକ୍ତିଙ୍କୁ ଅବହେଳାରୁ ଉଦ୍ଧାର କରିବା ଏବଂ ତାଙ୍କର ସୁରକ୍ଷାକୁ ନିଶ୍ଚିତ କରିବା । ହାଇକୋର୍ଟଙ୍କ କହିବା ଅନୁସାରେ, ପିଲାମାନଙ୍କୁ ହସ୍ତାନ୍ତର କରାଯାଇଥିବା ସମ୍ପତ୍ତି ଫେରାଇ ନିଆ ଯାଇ ପାରିବ ଯଦି ସେ ବାପା-ମା’ଙ୍କ ଯତ୍ନ ନେବା ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରନ୍ତି । କାରଣ ଏପରି କ୍ଷେତ୍ରରେ ସମ୍ପତ୍ତି ହସ୍ତାନ୍ତରକୁ ଧୋକାବାଜି, ଜବରଦସ୍ତ ସମ୍ପତ୍ତି ଉପରେ କବ୍ଜା କରିବା ଏବଂ ଅନୁଚିତ ଭାବେ ନେଇଛନ୍ତି ବୋଲି ବିଚାର କରାଯିବ । ଯାହା ବି ହେଉ, ମାଡ୍ରାସ ହାଇକୋର୍ଟଙ୍କ ଏହି ରାୟ ପିଲାମାନଙ୍କୁ ବାପା-ମା’ଙ୍କ ପ୍ରତି ଥିବା ସେମାନଙ୍କର ନୈତିକ ଏବଂ ବୈଧାନିକ ଦାୟିତ୍ୱ ପ୍ରତି ସଚେତନ କରିବ । ବିଶେଷ କରି ଯେଉଁମାନେ ବାପା-ମା’ଙ୍କ ସମ୍ପତ୍ତି ଉପଭୋଗ କରିବା ପରେ ବି ସେମାନଙ୍କୁ ଅବହେଳା କରୁଛନ୍ତି ସେହି ପିଲାମାନଙ୍କ ପ୍ରତି ଏହା ଏକ ଚେତାବନୀ ବୋଲି କହିହେବ ।

ମାମଲାର ପୃଷ୍ଠଭୂମି

ସରୋଜିନୀଙ୍କ ସ୍ୱାମୀ ଲିଙ୍ଗାସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇଟି ଏଫଡି ତାଙ୍କ ନାମକୁ ହସ୍ତାନ୍ତର କରାଯାଇଥିଲା । ଗୋଟିଏ ଥିଲା କୋଭିଲପଟ୍ଟି ଧନଲକ୍ଷ୍ମୀ ଶ୍ରୀନିବାସନ କମ୍ପାନୀରେ ୮୦ ଲକ୍ଷ ଓ ଅନ୍ୟଟି ଥିଲା ସାଟୁର ପୋର୍ଟ ସିଟି ବେନିଫିଟ୍ ଫଣ୍ଡରେ ୯୦ ଲକ୍ଷ । ତାଙ୍କ ପୁଅ ଏଲଭି ମୁରଲୀଧରନ ଓ ଝିଅ ପଦ୍ମାବତୀ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷର କରି ସମ୍ପତ୍ତି ନିଜ ମଧ୍ୟରେ ସମାନ ଭାବେ ଭାଗ କରି ନେଇଥିଲେ। ଏହି ବୁଝାମଣାରେ ସେମାନେ ପ୍ରତିଶ୍ରୁତି ଦେଇଥିଲେ ଯେ ଏଫଡିରୁ ମିଳୁଥିବା ସୁଧ ତାଙ୍କ ମା’ଙ୍କୁ ଦିଆଯିବ।

ଏହାର କିଛି ଦିନ ପରେ ସରୋଜିନୀ ଅଭିଯୋଗ କରିଥିଲେ ଯେ ପଦ୍ମାବତୀ ଏହି ସୁଧ ଦେବା ବନ୍ଦ କରି ଦେଇଥିଲେ। ତେଣୁ  ସରୋଜିନୀ ସବ କଲେକ୍ଟରଙ୍କ ପାଖରେ MWPSC ଧାରା ଅଧୀନରେ ଏକ ଅଭିଯୋଗ ଦାୟର କରିଥିଲେ । ହେଲେ ସେ ଏହାକୁ ଖାରଜ କରି ଦେଇଥିଲେ । ଏହାପରେ ସେ ଡିଷ୍ଟ୍ରିକ୍ଟ କୋର୍ଟକୁ ଯାଇଥିଲେ । ସେଠାରେ ମଧ୍ୟ ତାଙ୍କ ମାମଲା ଖାରଜ ହୋଇ ଯାଇଥିଲା ।

ସବ-କଲେକ୍ଟରଙ୍କ ଯେଉଁ ରାୟକୁ କଲେକ୍ଟର ବଜାୟ ରଖିଥିଲେ, ସେଥିରେ କୁହାଯାଇଥିଲା, ସରୋଜିନୀ ଫ୍ୟାମିଲି ପେନସନ ପାଉଛନ୍ତି ଏବଂ ସେ ତାଙ୍କ ପୁଅଙ୍କ ଦାୟିତ୍ୱରେ ଅଛନ୍ତି । ତେଣୁ ଝିଅଠାରୁ କୌଣସି ଭରଣପୋଷଣ ନେବାର ଆବଶ୍ୟକତା ନାହିଁ । ଏଥିରେ ଆହୁରି କୁହାଯାଇଥିଲା, ସରୋଜିନୀ ତାଙ୍କ ଝିଅକୁ ଗହଣାପତ୍ର, ଏଫଡି ଏବଂ ଅନ୍ୟ ସମ୍ପତ୍ତି ଦେଇଥିବା ନେଇ କୌଣସି ପ୍ରମାଣ କୋର୍ଟରେ ଦର୍ଶାଇ ନାହାନ୍ତି । ପଦ୍ମାବତୀଙ୍କ ଓକିଲ ଆହୁରି କହିଥିଲେ, ୨୦୨୨ ଡିସେମ୍ବରରେ ସୁପ୍ରିମକୋର୍ଟ ତାଙ୍କର ଏକ ରାୟରେ କହିଥିଲେ, ପିତାମାତା ସନ୍ତାନମାନଙ୍କୁ  ଉତ୍ତରାଧିକାରୀ ସୂତ୍ରରେ  ଦେଇଥିବା ଉପହାର ପତ୍ରକୁ ସେତେବେଳେ ବାତିଲ କରାଯାଇପାରିବ ଯଦି ଏଥିରେ ବାତିଲ କରିବା ପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ରଖାଯାଇଥିବ। 

ଏହା ପରେ ସେ ୨୦୨୩ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ରିଟ ପିଟିସନ ଦାଏର କରିଥିଲେ । ସେ କହିଥିଲେ ଯେ ସେ ଶଯ୍ୟାଶାୟୀ ଅଛନ୍ତି ଏବଂ ପୁଅଙ୍କ ପାଖରେ ରହୁଥିଲେ ମଧ୍ୟ ଚିକିତ୍ସା ଖର୍ଚ୍ଚ ପାଇଁ ଅସୁବିଧାରେ ପଡୁଛନ୍ତି।

କ’ଣ ଥିଲା କୋର୍ଟଙ୍କ ନିଷ୍ପତ୍ତି

ହାଇକୋର୍ଟ ବିଚାରପତି କହିଥିଲେ ଯେ ଜଣେ ବରିଷ୍ଠ ନାଗରିକ ସମ୍ପତ୍ତି ହସ୍ତାନ୍ତର କରିବା ସମୟରେ ଏହା ଆଶା ରଖିଥାନ୍ତି ଯେ,  ତାଙ୍କୁ ପୂର୍ବ ଭଳି ସେବା, ଯତ୍ନ ଓ ସ୍ନେହ ମିଳିବ। MWPSCA ଧାରାର ସେକ୍ସନ ୨୩ ଅନୁଯାୟୀ, ଯଦି ସମ୍ପତ୍ତି ଗ୍ରହଣ କରିଥିବା ବ୍ୟକ୍ତି ସେହି ବରିଷ୍ଠ ନାଗରିକଙ୍କ ମୌଳିକ ସୁବିଧା ଓ ଆବଶ୍ୟକତା ପୂରଣ ନ କରନ୍ତି, ତେବେ ସମ୍ପତ୍ତି ହସ୍ତାନ୍ତର ରଦ୍ଦ ହୋଇପାରେ। ଏଥିସହିତ ଉକ୍ତ ସମ୍ପତ୍ତି ହସ୍ତାନ୍ତରକୁ  ଠକେଇ କିମ୍ବା ବଳପ୍ରୟୋଗ କିମ୍ବା ଅନୁଚିତ ପ୍ରଭାବରେ କରାଯାଇଛି ବୋଲି ବିବେଚନା କରାଯିବ ବୋଲି ଏହି  ଧାରାରେ ଉଲ୍ଲେଖ କରାଯାଇଛି।

ହାଇକୋର୍ଟ ବିଚାରପତି ତାଙ୍କ ରାୟରେ କହିଥିଲେ ଯେ ବରିଷ୍ଠ ନାଗରିକମାନେ ସମ୍ପର୍କୀୟଙ୍କ ଉପରେ ଭାବପ୍ରବଣ ଭାବରେ ନିର୍ଭରଶୀଳ ହୋଇପଡନ୍ତି । ହେଲେ ସମ୍ପର୍କୀୟମାନେ ପ୍ରାୟତଃ ଭାବଗତ ସମର୍ଥନ ଦେବା ବାହାନାରେ ସମ୍ପତ୍ତି ହଡ଼ପ କରିନିଅନ୍ତି। ତେବେ ସରୋଜିନୀଙ୍କ ମାମଲାରେ କୋର୍ଟ ଜାଣିଥିଲେ ଯେ ପଦ୍ମାବତୀ ତାଙ୍କ ଭାଇଙ୍କ ସହ କରିଥିବା ବୁଝାମଣା ପତ୍ରରେ ଏଫଡିର ସୁଧ ମା’ଙ୍କୁ ଦେବାପାଇଁ ରାଜି ହୋଇଥିଲେ । ହେଲେ ସେ ତାଙ୍କ ପ୍ରତିଶ୍ରୁତି ରଖିବାରେ  ବିଫଳ ହୋଇଛନ୍ତି।  ଏହାର ଅର୍ଥ ସେ ଏମଓୟୁର ସର୍ତ୍ତ ଉଲ୍ଲଘଂନ କରିଛନ୍ତି  

ଏହି ରାୟ ସମସ୍ତଙ୍କ କ୍ଷେତ୍ରରେ ଲାଗୁ ହୋଇ ପାରିବ କି ?

ସରୋଜିନୀଙ୍କ ମାମଲାରେ ଏକ ସ୍ପଷ୍ଟ ସର୍ତ୍ତ ଥିଲା ଯେ, ଏଫଡିର ସୁଧ ମା’ଙ୍କୁ ଦିଆଯିବ । ହେଲେ ଝିଅ ଏହା ପାଳନ କରିନଥିଲେ। କିନ୍ତୁ ଯଦି ମାତାପିତା ସମ୍ପତ୍ତି ହସ୍ତାନ୍ତର ସମୟରେ କୌଣସି ସର୍ତ୍ତ ନ ରଖନ୍ତି, ତେବେ କ’ଣ ହେବ? କାରଣ ୨୦୨୨ ଡିସେମ୍ବରରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସମ୍ପତ୍ତି ହସ୍ତାନ୍ତର ଦଲିଲରେ ରଦ୍ଦ ସମ୍ପର୍କିତ ସର୍ତ୍ତ ନ ଥିଲେ ତାହାକୁ ରଦ୍ଦ କରାଯାଇ ପାରିବ ନାହିଁ। ହେଲେ ଏ କ୍ଷେତ୍ରରେ ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ MWPSCA ଏକ କଲ୍ୟାଣକାରୀ ଆଇନ ।  ଏହାକୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଉଦାରଭାବେ ବ୍ୟାଖ୍ୟା କରାଯିବା ଉଚିତ। ଏହାର ଅର୍ଥ ହେଉଛି ସର୍ତ୍ତ ନ ଥିଲେ ମଧ୍ୟ ସମ୍ପତ୍ତି ଫେରାଇ ଆଣିବାର ସମ୍ଭାବନା ରହିଛି।

ତେଣୁ ଏପରି ଦୃଷ୍ଟାନ୍ତକୁ ଦେଖିବା ପରେ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ଯେ ମାତାପିତା ସମ୍ପତ୍ତି ହସ୍ତାନ୍ତର କରିବା ସମୟରେ ଏକ ସ୍ପଷ୍ଟ ସର୍ତ୍ତ ରଖିବା ଉଚିତ । ଯଦି ପିଲାମାନେ ଦେଖାଶୁଣା ନ କରନ୍ତି, ତେବେ ସମ୍ପତ୍ତି ଫେରାଇ ନିଆଯିବ ବୋଲି ଏହି ସର୍ତ୍ତ ରଖିଲେ ହୁଏତ ବାପା-ମାଙ୍କୁ ପିଲାମାନଙ୍କ ଅବହେଳାର ଶିକାର ହେବାକୁ ପଡି ନ ପାରେ ।

ଯାହା ବି ହେଉ, ଏହି ରାୟ ଭାରତରେ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସହାୟକ ହେବ ।