• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

‘ୱାନ୍ ନେସନ ୱାନ୍ ଇଲେକ୍ସନ୍’ କୁ ନେଇ ସବୁଠି ଚର୍ଚ୍ଚା । ମୋଦି ସରକାରର ତୃତୀୟ ସ୍ୱତନ୍ତ୍ର ଅଧିବେସନକୁ ନେଇ ସସ୍‌ପେନ୍ସ ବଢୁଛି । କାରଣ ଏଯାଏଁ ଏଜେଣ୍ଡା ଘୋଷଣା ହୋଇନି । ଦେଶରେ ଏକକ ନିର୍ବାଚନ ଲାଗି କେନ୍ଦ୍ର କସରତ କରୁଥିବା ବେଳେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ନେଇ ଆଲୋଚନା କରାଯାଇପାରେ ବୋଲି ସମ୍ୱିଧାନ ବିଶାରଦଙ୍କ ମତ । ଅନ୍ୟପଟେ ଆଗୁଆ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ବି ଝଡ଼ ଦେଖାଦେଲାଣି ।

ସେପ୍ଟେମ୍ୱର ୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେସନ। ୱାନ ନେସନ ୱାନ୍ ଇଲେକସନ୍ ବା ଏକକ ନିର୍ବାଚନକୁ ନେଇ ବଢିଲା ଚର୍ଚ୍ଚା। ଖୋରାକ ଯୋଗାଇଲା କେନ୍ଦ୍ର ପକ୍ଷରୁ ଗଠିତ ଏ ସଂକ୍ରାନ୍ତୀୟ ସ୍ୱତନ୍ତ୍ର କମିଟି । ସାରାଦେଶର ରାଜନୈତିକ ଦଳ ଗୁଡିକ ମଧ୍ୟରେ ସ୍ୱତନ୍ତ୍ର ଅଧିବେସନକୁ ନେଇ ଚହଳ ଭିତରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କମିଟିର ଅଧ୍ୟକ୍ଷ ନିଯୁକ୍ତ କରି ଏଦିଗରେ ପାଦେ  ଆଗକୁ ବଢିଛି କେନ୍ଦ୍ର ।

କମିଟି ଏକକ ନିର୍ବାଚନ ବିଲକୁ ତୁରନ୍ତ ଆଗତ ପାଇଁ ପଦକ୍ଷେପ ନେବ । ଏଥିସହ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରି କିଭଳି ବିଲକୁ ସୁରୁଖୁରୁରେ ପାରିତ କରାଯିବ ସେନେଇ ଗୁରୁତ୍ୱ ଦେବ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ନୂଆଦିଲ୍ଲୀରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ନିଜ ରାଷ୍ଟ୍ରପତିତ୍ୱ ସମୟରେ ରାମନାଥ ମଧ୍ୟ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ଉପରେ ଗୁରୁତ୍ୱାରୋପ କରିଥିଲେ ।

ସେପଟେ କାହିଁକି ଏବଂ କେଉଁ ପରିସ୍ଥିତିରେ ୫ଦିନିଆ ସ୍ୱତନ୍ତ୍ର ଅଧିବେସନ ଡକାଗଲା ତାହା ଏଯାଏ ସ୍ପଷ୍ଟ ହୋଇପାରୁନି । ଯେଉଁଥିପାଇଁ ରାଜନୈତିକ ମହଲରେ ଅନେକ ଆକଳନ, ଚର୍ଚ୍ଚା । ମୋଦି ପ୍ରଧାନମନ୍ତ୍ରୀ ହେବା ଠାରୁ ବିଭିନ୍ନ ସମୟରେ ୱାନ ନେସନ୍, ୱାନ ଇଲେକସନ୍ ସପକ୍ଷରେ ଦୃଢ ମତ ରଖିଆସୁଛନ୍ତି । ବାରମ୍ବାର ନିର୍ବାଚନ ଯୋଗୁଁ ଆଦର୍ଶ ଆଚରଣବିଧି ଲାଗୁ ହେଉଛି, ଯେଉଁଥିପାଇଁ ବିକାଶ ପ୍ରକ୍ରିୟା ପ୍ରଭାବିତ ହେଉଛି ।

ସେହିପରି ନିର୍ବାଚନ ପରିଚାଳନାରେ ଅଧିକ ରାଜସ୍ୱ ହାନି ହେଉଛି । ସମ୍ୱିଧାନ ବିଶାରଦଙ୍କ ମତ ହେଲା ସମ୍ୱିଧାନର ଧାରା ୮୫ ଅନୁଯାୟୀ ସଂସଦର ସ୍ୱତନ୍ତ୍ର ବା ବିଶେଷ ଅଧିବେସନ ଡକାଯାଇପାରିବ । ପୂର୍ବରୁ ୧୯୬୨, ୧୯୭୨, ୧୯୯୨, ୧୯୯୭, ୨୦୦୨, ୨୦୧୫ ଓ ୨୦୧୭ରେ ସ୍ୱତନ୍ତ୍ର ଅଧିବେସନ ବସିସାରିଛି । ତେବେ ଏଥର ସ୍ୱତନ୍ତ୍ର ଅଧିବେସନ ପୂର୍ବରୁ କେନ୍ଦ୍ର ସରକାର ଏଜେଣ୍ଡା ପ୍ରସ୍ତୁତ କରିନଥିବାରୁ ଏକକ ନିର୍ବାଚନ ନେଇ ଚର୍ଚ୍ଚା ବଢିଛି । କିନ୍ତୁ ଏହାବାଦ ସମାନ ନାଗରିକ ସଂହିତା, ମହିଳା ବିଲ୍ ଏବଂ ପି ଟ୍ୱେଣ୍ଟି ବା ୨୦ ଟି ରାଷ୍ଟ୍ରର ବାଚସ୍ପତି ସମ୍ମିଳନୀ ପାଇଁ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।

ଏକକ ନିର୍ବାଚନ ଆଇନ୍ ଆସିଲେ ଆଗୁଆ ନିର୍ବାଚନ ହେବାରେ କୌଣସି ବାଧା ନାହିଁ । ଆଉ ରାଜ୍ୟରେ ଆଗୁଆ ନିର୍ବାଚନୀ ହାୱା ବୋହୁଥିବାରୁ ତାକୁ ନେଇ ବୟାନବାଜି ବି ଆରମ୍ଭ ହୋଇଗଲାଣି । ଏହାରି ଭିତରେ ବିଜେଡ଼ି ବିଧାୟକ ବଦ୍ରି ପାତ୍ର ଆଗୁଆ ନିର୍ବାଚନ ନେଇ ସଙ୍କେତ ଦେଇଛନ୍ତି । ସେପ୍ଟେମ୍ୱର ୨୨ ରୁ ଆରମ୍ଭ ହେଉଥିବା ବିଧାନସଭାର ଏହା ଶେଷ ଅଧିବେସନ ହୋଇପାରେ ବୋଲି ମତ ରଖିଛନ୍ତି । ଆଗୁଆ ନିର୍ବାଚନ ହେଲେ ସବୁ ଦଳ ଠାରୁ ବିଜେଡି ଅଧିକ ପ୍ରସ୍ତୁତ ବୋଲି ଦମ୍ଭୋକ୍ତି ରଖିଛନ୍ତି । କଂଗ୍ରେସ କହିଛି ନବୀନଙ୍କ ଲୋକ ପ୍ରିୟତା କମୁଥିବାରୁ ବିଜେଡି ଆଗୁଆ ନିର୍ବାଚନ ଚାହୁଁଛି । ବିଜେପି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛି ।

୧୯୬୭ ମସିହା ପର୍ଯ୍ୟନ୍ତ ଗୋଟିଏ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିଲା । କିନ୍ତୁ କିଛି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁହେବା ପରେ ଏହି ପ୍ରକ୍ରିୟା ଭଙ୍ଗ ହୋଇଥିଲା । ଏବେ ଅପେକ୍ଷା ସ୍ୱତନ୍ତ୍ର ଅଧିବେସନର କାର୍ଯ୍ୟସୂଚୀକୁ ।

  • Reported by:
  • JAGDISH DAS , SOUMYA RANJAN SAHOO