• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର । ଥରେ ଭାବନ୍ତୁ ପ୍ରାୟ ୬୦ ବର୍ଷ ତଳେ କିଭଳି ଥିବ ସେହି ଅଞ୍ଚଳର ଏକ ନିପଟ ମଫସଲ ଗାଁ ବାଇଡ଼ାପୋସି । ସେହି ଗାଁରେ ୧୯୫୮ ଜୁନ୍ ୨୦ରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଏହାପରେ ନିକଟସ୍ଥ ଉପରବେଢ଼ା ସ୍କୁଲରେ ସପ୍ତମ ଯାଏଁ ପଢ଼ି, ସାନ୍ତାଳ ସଂପ୍ରଦାୟର ଛୋଟିଆ ଝିଅଟି ନିଜ କାକାଙ୍କ ସହ ଚାଲିଆସିଥିଲା ଭୁବନେଶ୍ୱର ।

ସେଠାରେ ନାଁ ଲେଖାଇଥିଲା ଗାର୍ଲସ ହାଇସ୍କୁଲରେ । ସହର ନୂଆ, ସ୍କୁଲ ନୂଆ, ସାଙ୍ଗସାଥି ବି ନୂଆ । ସେଇଠି ହଷ୍ଟେଲରେ ରହି ଅଷ୍ଟମରୁ ଏକାଦଶ ଯାଏଁ ପଢ଼ିଥିଲେ ଓ ୧୯୭୪ରେ ମାଟ୍ରିକ୍ ପାସ୍ କରିଥିଲେ ଦ୍ରୌପଦୀ ।

ଏବେବି ୫ ଦଶନ୍ଧି ତଳର ସ୍କୁଲ ରେଜିଷ୍ଟରରେ ଲିପିବଦ୍ଧ ତାଙ୍କରି ମୂଳ ନାଁ ଦ୍ରୌପଦୀ ଟୁଡୁ । ଛାତ୍ରୀ ଜୀବନରେ ବି ଦ୍ରୌପଦୀ କେତେ ମେଳାପୀ ଥିଲେ, ସେ ସଂପର୍କରେ ଓଟିଭି କ୍ୟାମେରା ଆଗରେ ବଖାଣିଥିଲେ ତତ୍କାଳୀନ ସ୍କୁଲ ସିକ୍ୟୁରିଟି ଗାର୍ଡଙ୍କ ପତ୍ନୀ । ସେ କହିଥିଲେ ଦ୍ରୌପଦୀ ହିଁ ତାଙ୍କ ସ୍ୱାମୀଙ୍କୁ ଅକ୍ଷର ଚିହ୍ନାଇଥିଲେ, ପାଠ ପଢ଼ାଇଥିଲେ ।

ସ୍କୁଲ ଜୀବନ ପରେ ୧୯୭୫ରୁ ୧୯୭୯ ଭିତରେ ଦ୍ରୌପଦୀ ଆଇଏ-ବିଏ ଶେଷ କରନ୍ତି ରମାଦେବୀ ମହିଳା ମହାବିଦ୍ୟାଳୟରେ । ଆଉ ଏବେ ଦ୍ରୌପଦୀ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କ ସ୍କୁଲଠୁ ନେଇ ହାଇସ୍କୁଲ ଓ କଲେଜ ଯାଏଁ, ସବୁଠି ଉତ୍ସାହ ଓ ଉତ୍ସବର ପରିବେଶ ।

ପାଠପଢ଼ା ପରେ ଅଳ୍ପ କିଛି ଦିନ ଜଳସେଚନ ବିଭାଗରେ କିରାଣୀ ଚାକିରି କରିଥିଲେ ବି ଦ୍ରୌପଦୀଙ୍କ ମନ ଲାଗିନଥିଲା ରାଜଧାନୀରେ । ସେ ପୁଣି ନିଜ ଜନ୍ମମାଟି ରାଇରଙ୍ଗପୁରକୁ ବାହୁଡ଼ି ସେଠାରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୧୯୯୪ରୁ ୯୭ ଯାଏଁ ଶିକ୍ଷକତା କରିଥିଲେ । ଶିକ୍ଷକତାରୁ ପରେ ରାଜନୀତିକୁ ଆସିଥିଲେ ବି, ଦ୍ରୌପଦୀଙ୍କୁ ଜୀବନର ସବୁଠୁ ଦାରୁଣ ଦୁଃଖର ସାମ୍ନା କରିବାକୁ ପଡ଼ିଥିଲା ସେତିକିବେଳେ ଯେତେବେଳେ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ସହ ଅବେଳରେ ୨ ପୁଅ ଲକ୍ଷ୍ମଣ ଓ ସିପୁନଙ୍କୁ ହରେଇଲେ । ଏହାପରେ ନିଃସଙ୍ଗ ଜୀବନରୁ ମୁକ୍ତି ପାଇଁ ନିଜ ଶ୍ୱଶୁର ଘର ଗାଁ ପାହାଡ଼ପୁରରେ ଦ୍ରୌପଦୀ ପ୍ରତିଷ୍ଠା କରିଥିଲେ SLS ଆବାସିକ ବିଦ୍ୟାଳୟ । ଏବେ ତାଙ୍କର ପରପିଢ଼ି କହିଲେ ଏକମାତ୍ର ଝିଅ ଇତିଶ୍ରୀ ।

 

ଇଏ ତ ଗଲା ଦ୍ରୌପଦୀଙ୍କ ବ୍ୟକ୍ତିଗତ ଜୀବନର କଥା ଓ ବ୍ୟଥା । ରାଜନୈତିକ ଜୀବନ କଥା ଦେଖିଲେ, ୧୯୯୭ରେ ବିଜେପିରେ ଯୋଗଦେବା ସହ ରାଇରଙ୍ଗପୁର ଏନ୍ଏସିରେ କାଉନ୍‌ସିଲର ଭାବେ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ । ଏହାପରେ ନିଜ ହୋମ୍ ଗ୍ରାଉଣ୍ଡରୁ ୨ଥର ନିର୍ବାଚିତ ହୋଇ ୨୦୦୦ରୁ ୨୦୦୯ ଯାଏଁ ବିଧାୟକ ଥିଲେ ।

ବିଜେପି-ବିଜେଡି ମେଣ୍ଟ ସରକାରରେ ୨୦୦୦ରୁ ୨୦୦୨- ବାଣିଜ୍ୟ ଓ ପରିବହନ ଏବଂ ୨୦୦୨ରୁ ୦୪- ମତ୍ସ୍ୟ ଓ ପ୍ରାଣୀ ସଂପଦ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ଦ୍ରୌପଦୀ । ଏହାପରେ ୨୦୧୫ରୁ ୨୦୨୧ ଯାଏଁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ସୁଯୋଗ ପାଇଥିଲେ । ଝାଡ଼ଖଣ୍ଡରେ ୬ ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବାରେ ମଧ୍ୟ ସେ ପ୍ରଥମ ରାଜ୍ୟପାଳ । ଦ୍ରୌପଦୀ ମୁର୍ମୁ ଯଦି ରାଇସିନା ହିଲ୍‌କୁ ନିର୍ବାଚିତ ହୁଅନ୍ତି, ତେବେ ସେ ଦେଶର ପ୍ରଥମ ଆଦିବାସୀ ଏବଂ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ ।