/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655900160.jpg)
Family In Trouble
‘ତମକୁ ଘର ମିଳିଛି, ପୁରୁଣା ଘର ଭାଙ୍ଗ ଆଉ ନୂଆ ଘର ତୋଳ ।’ ଏମିତି ସ୍ୱପ୍ନ ଦେଖାଇଲେ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ । ଆଉ ଏକଥାକୁ ମାନି ହିତାଧିକାରୀ ଘର ଭାଙ୍ଗିଲେ, ହେଲେ ଆଉ ଘର ମିଳିଲାନି । ଆଉ ତା’ ପରଠୁ ଗୋଟେ ପାଇଖାନାରେ ପୂରା ପରିବାର ମୁଣ୍ଡ ଗୁଞ୍ଜିଛନ୍ତି ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଲୀ ଗାଁରେ । ଏହି ଗାଁର ଟିକେଲାଲ ବନଛୋର । ତାଙ୍କର ପାଞ୍ଚ ଜଣିଆ ପରିବାର । ପୂର୍ବରୁ ଏମାନେ ଗୋଟେ ମାଟି ଘରେ ରହୁଥିଲେ । କିନ୍ତୁ ନୂଆ ଘର ମିଳିବ ବୋଲି ଶୁଣବା ପରେ ପୁରୁଣା ଘରକୁ ଭାଙ୍ଗିଦେଲେ। ନୂଆ ଘର ପାଇଁ ଫାଉଣ୍ଡେସନ ବି ପକାଇଲେ । ହେଲେ ଘର ତିଆରି ହୋଇପାରିଲାନି । ଯୋଉ ଅଧିକାରୀ କହିଥିଲେ ତୁମକୁ ଘର ମିଳିଛି, ସେଇ ଅଧିକାରୀ କହିଲେ ତୁମ ନାଁରେ କିଛି ଘର ଆସିନି। ଶେଷରେ ଘରଟିଏ ପାଇଁ ପଞ୍ଚାୟତ ଅଫିସ ଦୌଡ଼ି ଦୌଡ଼ି ହତାଶ ହେଲେ ଟିକେଲାଲ । ଘର ଖଣ୍ଡେ ମିଳିଲାନି ।
ଶେଷରେ ଗୋଟେ ପାଇଖାନା ଭିତରେ ଆଶ୍ରୟ ନେଇଛନ୍ତି ପୂରା ପରିବାର। ପାଇଖାନାରେ ଆସବାବ ପତ୍ର ରଖୁଥିବା ବେଳେ ପାଇଖାନାକୁ ଲଗେଇ ଏକ ଝାଟିମାଟି ଚାଳ କୁଟୀର ତିଆରି କରି ପୂରା ପରିବାର ରହୁଛନ୍ତି । ଆଜିକୁ ବର୍ଷେ ହେଲା ଖରା, ବର୍ଷା, ଶୀତରେ ସେହି ଘରେ କଟୁଛି । କେବେ ମିଳିବ ଆବାସ ଏବଂ କେବେ ରହିବେ ପକ୍କା ଘରେ ସେନେଇ ଚିନ୍ତାରେ ଟିକେଲାଲଙ୍କ ପରିବାର ।
ରାଜ୍ୟ ସାରା ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି, ପାଇଖାନା ଭିତରେ କେମିତି ରହିବେ, ସେନେଇ ଚିନ୍ତାରେ ପୁରା ପରିବାର । ଘର ପାଇଁ ପଞ୍ଚାୟତ ଅଫିସକୁ ଗଲେ, ତୁମ ନାଁରେ ଯେବେ ଘର ଆସିବ ସେବେ ଦିଆଯିବ ବୋଲି କହୁଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ । ମୂଲ ମଜୁରୀ ଲାଗିଲେ ପରିବାର ଚଳିବ, କିନ୍ତୁ ଗାଁରେ କାମଧନ୍ଦାର ଅଭାବ । ଏମିତି ଘରେ ପରିବାରକୁ ଛାଡି ଦାଦନ ଯିବା ମଧ୍ୟ ସମ୍ଭବ ନୁହେଁ । ବର୍ଷା ଦିନରେ ସାପ ଓ କୀଟ ପତଙ୍ଗର ଭୟ । ଏନେଇ ସ୍ଥାନୀୟ ସରପଞ୍ଚ କୌଶଲ୍ୟା ମେହେରଙ୍କୁ ପଚାରିବାରୁ ତାଙ୍କୁ ଘର ମିଳିବା ପର୍ଯ୍ୟନ୍ତ ଏକ ଭଡା ଘରେ ରହିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।
ରିପୋର୍ଟ- କୁନାଲଚରଣବେହେରା, ଖଡ଼ିଆଳ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)