• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

୧୯୯୩ ମସିହାର କଥା। ତ୍ରିବେଣୀ ଆଚାର୍ଯ୍ୟ ସେତେବେଳେ ମୁମ୍ବାଇରେ ଜଣେ କ୍ରାଇମ୍-ବିଟ୍(crime-beat) ଜର୍ଣ୍ଣାଲିଷ୍ଟ୍ ଭାବେ କାମ କରୁଥା'ନ୍ତି। ଏକ ରିପୋର୍ଟ ପ୍ରସ୍ତୁତି କାମରେ ସେ ଦିନେ ଯାଇଥା'ନ୍ତି ସହରର କୁଖ୍ୟାତ କାମାଥିପୁରା ଗଳିକୁ। ସେଇଠାରେ ସେ ଦେଖିବାକୁ ପାଇଲେ ଦେହ ବ୍ୟବସାୟରେ ଲଗାଯାଇଥିବା ଅନେକ ଝିଅଙ୍କ ଦୁର୍ଦ୍ଦଶା। ସେବେଠାରୁ ସେ ମନେମନେ ପଣକଲେ, ସେଭଳି ଝିଅମାନଙ୍କୁ ସେଇ ରେଡ୍ ଲାଇଟ୍ ନାମକ ନର୍କରୁ ଉଦ୍ଧାର କରିବେ, ଯେଉଁମାନଙ୍କୁ ଜୋର୍ ଜବରଦସ୍ତି ଏଇ ବ୍ୟବସାୟରେ ଲଗାଯାଇଛି।

ତ୍ରିବେଣୀଙ୍କ ଏଇ କାମରେ ପୂର୍ଣ୍ଣ ସହଯୋଗ ଦେଲେ ତାଙ୍କ ସ୍ୱାମୀ ବାଲକ୍ରିଷ୍ଣ ଆଚାର୍ଯ୍ୟ। ତେବେ ଏ ଦୁଇ ଜଣଙ୍କ ପାଇଁ ଆଦୌ ସହଜ ନଥିଲା ଏସବୁ କରିବା। ଖାଲି ରେଡ୍ ଲାଇଟ୍ ଏରିଆରୁ ଝିଅମାନଙ୍କୁ ଉଦ୍ଧାର କରିଦେଲେ ତ ହେବନି। ସେମାନଙ୍କ ଥଇଥାନ କରିବା ବି ଆବଶ୍ୟକ ଥିଲା। କାରଣ ଉଦ୍ଧାର ପାଇବା ପରେ ବି ବହୁ ଝିଅଙ୍କୁ ସେମାନଙ୍କ ପରିବାର ଲୋକେ ଆଉ ଗ୍ରହଣ କରିବାକୁ ରାଜି ନଥିଲେ। ଆଉ ଏହିଠାରୁ ହିଁ ମୂଳଦୁଆ ପଡ଼ିଲା 'ରେସ୍କ୍ୟୁ ଫାଉଣ୍ଡେସନ୍' ସଂସ୍ଥାର (୨୦୦୦ ମସିହାରେ)।

ଅଧିକ ପଢ଼ନ୍ତୁ: ବର୍ଷାଙ୍କ କାର୍ଯ୍ୟକ୍ରମ କିଚେନ୍ ଗାର୍ଡେନ୍ ପାଇଁ ଦେଉଛି ପ୍ରେରଣା

ସେତେବେଳେ ସେ ଦିନରେ ଜଣେ ସାମ୍ବାଦିକା ଭାବେ କାମ କରୁଥିଲେ ଓ ରାତିରେ ପୋଲିସକୁ ବିଭିନ୍ନ ରେଡ୍ ଲାଇଟ୍ ଏରିଆରେ ରେଡ୍ କରିବା କାର୍ଯ୍ୟରେ ସହାୟତା କରୁଥିଲେ। ଆଉ ତାଙ୍କ ସ୍ୱାମୀ ମୁଖ୍ୟତଃ ଜଣେ ଗ୍ରାହକ ବେଶରେ ଯାଇ ସେଭଳି ନାବାଳିକା ଓ ଝିଅମାନଙ୍କୁ ଠାବ କରିବାରେ ପୋଲିସକୁ ସହଯୋଗ କରୁଥିଲେ, ଯେଉଁମାନଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଦେହ ବ୍ୟବସାୟରେ ଲଗାଯାଇଥିଲା।

ସେମାନଙ୍କ ଏଇ ପୁଣ୍ୟ କାର୍ଯ୍ୟ ବିଷୟରେ ଲୋକେ ଧୀରେଧୀରେ ଅବଗତ ହେବାରେ ଲାଗିଲେ। ଏଥିପାଇଁ ଅନେକ ପ୍ରଶଂସା ଓ ଆର୍ଥିକ ଅବଦାନ ତ ମିଳିବାରେ ଲାଗିଲା ତେବେ ତା' ସହ ସେମାନଙ୍କୁ ଜୀବନରୁ ମାରିଦେବାର ଧମକ ବି ମିଳିଲା। ହେଲେ ଆଉ ପଛକୁ ଫେରି ଚାହିଁ ନଥିଲେ ତ୍ରିବେଣୀ ଓ ତାଙ୍କ ସ୍ୱାମୀ।

ଏ ଭିତରେ ୨୦୦୫ରେ ବାଲକ୍ରିଷ୍ଣଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିସାରିଛି(ଯଦିଓ ତ୍ରିବେଣୀ ତାଙ୍କୁ ଷଡ଼ଯନ୍ତ୍ର କରି ମାରି ଦିଆଯାଇଥିବା ସନ୍ଦେହ କରନ୍ତି)। କିନ୍ତୁ ତଥାପି ଲକ୍ଷ୍ୟପଥରୁ ହଟି ନାହାନ୍ତି ତ୍ରିବେଣୀ।

Triveni Acharya: A boon to society(ରେଡ୍ ଲାଇଟ୍ ନର୍କରୁ ଉଦ୍ଧାର ହୋଇଥିବା ଝିଅମାନଙ୍କ ସହ ତ୍ରିବେଣୀ ଆଚାର୍ଯ୍ୟ)

ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ସ°ସ୍ଥା ବେଆଇନ ମାନବ ଚାଲାଣ କାରବାର ବିରୋଧରେ କାମ କରିଆସୁଛି। ସେ ନିଜର ଏଇ କାର୍ଯ୍ୟ ସମୟରେ ଲକ୍ଷ୍ୟ କରିଛନ୍ତି ଯେ, କେବେ କେବେ ଛୋଟ ଛୋଟ ଝିଅମାନଙ୍କୁ ସେମାନଙ୍କ ପରିବାର ତରଫରୁ ବିକ୍ରି କରି ଦିଆଯାଇଥିବା ବେଳେ ଅନେକ ସମୟରେ ପ୍ରେମ, ବିବାହ ଓ ଚାକିରି ମୋହରେ ଝିଅମାନେ ବାଟ ହୁଡ଼ିଥା'ନ୍ତି ଓ ଦଲାଲଙ୍କ ଶିକାର ହୋଇଥାନ୍ତି।

ଏଭଳି ଝିଅମାନଙ୍କୁ ଜୋର୍ କରି ଦେହ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ। ଏପରିକି ଆବଶ୍ୟକ ସ୍ଥଳେ ମଦ ଓ ବିଭିନ୍ନ ଡ୍ରଗ୍ସର ସହାୟତାରେ କେତେକ ଝିଅଙ୍କୁ ବେହୋସ୍ କରିଦିଆଯାଇଥାଏ, ଯେମିତିକି ସେମାନେ ପ୍ରତିରୋଧ କରିପାରିବେନି ଓ ଗ୍ରାହକମାନେ ସେମାନଙ୍କ କାମନା ଚରିତାର୍ଥ କରି ଆରାମରେ ଫେରି ଯାଇପାରିବେ।

ତ୍ରିବେଣୀ ଓ ତାଙ୍କ ସଂସ୍ଥା ଏଇଭଳି ଝିଅମାନଙ୍କୁ ରକ୍ଷା କରିଥାନ୍ତି। ସେ ନିଜର ବିଭିନ୍ନ ଅନୁଭୂତି ଭିତରୁ ତାଙ୍କୁ ସବୁଠାରୁ ଅଧିକ କଷ୍ଟ ଦେଇଥିବା ଘଟଣା ବିଷୟରେ ବର୍ଣ୍ଣନା କରିବାକୁ ଯାଇ କୁହନ୍ତି- ଥରେ ମାତ୍ର ୪ ବର୍ଷ ବୟସର ଗୋଟେ କୁନି ଝିଅକୁ ଉଦ୍ଧାର କରାଯିବା ବେଳେ ତା' ଅବସ୍ଥା ଅତି ସଙ୍କଟାପନ୍ନ ଥିଲା। ଏପରିକି ଛୋଟ ଝିଅଟିର ଗୁପ୍ତାଙ୍ଗରେ ଶେଷରେ ଷ୍ଟିଚ୍ ପକାଇବା ଆବଶ୍ୟକ ପଡ଼ିଥିଲା। ତ୍ରିବେଣୀ କହନ୍ତି, ସମ୍ପୃକ୍ତ ଝିଅମାନଙ୍କ ଦୁଃଖ-ଦୁର୍ଦ୍ଦଶା ଆଖିରେ ଦେଖିହୁଏନି। ତେଣୁ ନିଜ ଜୀବନ ଥିବାଯାଏ ସେ ଏଇ କାମରେ ନିୟୋଜିତ ରହିବେ ବୋଲି କୁହନ୍ତି।

ମୁମ୍ବାଇ, ପୁନେ, ବୋଇସର ଓ ଦିଲ୍ଲୀଠାରେ ଥିବା ତାଙ୍କ ଆଶ୍ରୟ ଗୃହ ତରଫରୁ ପ୍ରତିବର୍ଷ ପ୍ରାୟ ୪୦୦ ଜଣ ବାଳିକା, ଯୁବତୀ ଓ ମହିଳାଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଥଇଥାନର ବ୍ୟବସ୍ଥା କରାଯାଇଥାଏ। ସେମାନଙ୍କୁ ଏସବୁ ଆଶ୍ରୟ ଗୃହରେ ରହିବା ଓ ଚିକିତ୍ସା ସୁବିଧା ସହ ସିଲେଇ, ଶିକ୍ଷକତା ଓ ଅନ୍ୟାନ୍ୟ ଧନ୍ଦାମୂଳକ ଶିକ୍ଷା ଦିଆଯାଇଥାଏ। ତା'ଛଡା ପଢିବାକୁ ଚାହୁଁଥିବା ଝିଅମାନଙ୍କୁ ପାଠପଢ଼ାର ସୁବିଧା ମଧ୍ୟ ଦିଆଯାଏ, ଯେମିତିକି ଆଗକୁ ଯାଇ ସେମାନେ ସହଜରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ତଥା ଏକ ସମ୍ମାନଜନକ ଜୀବନ ବଞ୍ଚିପାରିବେ।

ଏ ପର୍ଯ୍ୟନ୍ତ ପ୍ରାୟ ୬,୫୦୦ରୁ ଅଧିକ ଝିଅ ଓ ମହିଳାଙ୍କୁ ଫୋର୍ସଡ୍ ପ୍ରୋଷ୍ଟିଚ୍ୟୁସନ୍ କବଳରୁ ରକ୍ଷା କରି ସାରିଲାଣି ତ୍ରିବେଣୀଙ୍କ 'ରେସ୍କ୍ୟୁ ଫାଉଣ୍ଡେସନ୍'। ତାଙ୍କ ଆଶ୍ରୟସ୍ଥଳୀରେ ରହୁଥିବା ଝିଅମାନେ ତାଙ୍କୁ ବଡ଼ି ମା' ବୋଲି ସମ୍ବୋଧନ କରିଥାନ୍ତି। ଆଉ ତାଙ୍କର ଏଇ ଝିଅମାନଙ୍କ ମୁହଁରେ ହସ ଦେଖିଲେ ତ୍ରିବେଣୀଙ୍କ ଅନ୍ତର ବି ଭରିଯାଏ ଖୁସିରେ, ସନ୍ତୁଷ୍ଟିରେ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

ଭୁବନେଶ୍ୱର, ଇମେଲ୍: preetiprajnapradhan@gmail.com

OTV is now on Whatsapp

Join and get latest news update delivered to you via whatsapp

Join Now