• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

ଅଧିକାଂଶ ମହିଳା ସେମାନଙ୍କ ମୋଟ ଜୀବନକାଳର ପ୍ରାୟ ୩୫ରୁ ୪୦ ବର୍ଷ ସମୟ ଋତୁସ୍ରାବ ଦେଇ ଗତି କରିଥାନ୍ତି। ଆଉ ପ୍ରତି ବର୍ଷ ମହିଳାମାନଙ୍କ ଦ୍ୱାରା ପ୍ରାୟ ୧୨ହଜାର ବିଲିଅନରୁ ଅଧିକ ସଂଖ୍ୟକ ପ୍ୟାଡ୍ ବ୍ୟବହୃତ ହୋଇଥାଏ। ଏହା ଦ୍ୱାରା ଅନ୍ତତଃ ୧୦କୋଟି କିଲୋଗ୍ରାମର ପ୍ଲାଷ୍ଟିକ୍ ଆବର୍ଜନା ବିଭିନ୍ନ ଲ୍ୟାଣ୍ଡଫିଲକୁ ଯାଇଥାଏ।

ଏସବୁ ପ୍ଲାଷ୍ଟିକ୍ ଆବର୍ଜନା ବର୍ଷ ବର୍ଷ ଧରି ବିଘଟିତ ନ ହୋଇ ଆମ ପରିବେଶକୁ ଦୂଷିତ କରିଚାଲେ। ଏଇ ସମସ୍ୟାକୁ ଆଖିରେ ରଖି ଏବେ ବହୁସଂଖ୍ୟକ ଉଦ୍ୟୋଗପତି(ଖାସ୍ କରି ମହିଳା ଉଦ୍ୟୋଗପତିମାନେ) ପ୍ଲାଷ୍ଟିକ୍ ପ୍ୟାଡର ବିକଳ୍ପ କଥା ଚିନ୍ତାକରୁଛନ୍ତି। ସେମିତି ଜଣେ ମହିଳା ହେଲେ ତାମିଲନାଡୁର ପ୍ରୀତି ରାମଦୋସ।

ଅଧିକ ପଢ଼ନ୍ତୁ: ଅଦରକାରୀ ପଦାର୍ଥରୁ ପରିବେଶ ସୁରକ୍ଷା

ପ୍ରୀତି କୁହନ୍ତି, ପ୍ଲାଷ୍ଟିକ୍ ପ୍ୟାଡ୍ ବ୍ୟବହାର କରୁଥିବା ଜଣେ ମହିଳା ତାଙ୍କ ଋତୁସ୍ରାବ କାଳୀନ ବୟସରେ, ନିଜ ଅଜାଣତରେ ଅନ୍ତତଃ ଦୁଇଟି ଗଛର ବିଲୁପ୍ତିର କାରଣ ହୋଇଥାନ୍ତି। କାରଣ ବଜାରରେ ଉପଲବ୍ଧ ବହୁ ସାନିଟାରୀ ପ୍ୟାଡ୍ ଭିତରେ କାଠ ଗୁଣ୍ଡ କିମ୍ବା କାଠଚୋପି(wood pulp)ର ପ୍ରୟୋଗ ହୋଇଥାଏ। ପ୍ରଥମେ ତ ପରିବେଶର କ୍ଷତି ତା' ସାଙ୍ଗକୁ ସ୍କିନ୍ ରାସେସ୍ ଓ ଇନଫେକ୍ସନ ଭଳି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା।

ତେଣୁ ପ୍ରୀତି ଚେନ୍ନାଇର ଅନ୍ନା ବିଶ୍ୱବିଦ୍ୟାଳୟରେ ତାଙ୍କ ପାଠପଢ଼ା ସମୟରେ (ଏ ମଧ୍ୟରେ ପ୍ରୀତି ପିଏଚଡି ହାସଲ କରିସାରିଛନ୍ତି) ହିଁ ଚିନ୍ତା କଲେ କିଭଳି ସିନ୍ଥେଟିକ୍ ପ୍ୟାଡର ବିକଳ୍ପ ବାହାର କରିବେ। ୨୦୧୫ରେ ଗାଇଡ୍ ଆରିଭୁଲି ଦକ୍ଷନାମୂର୍ତ୍ତିଙ୍କ ଅଧୀନରେ ପ୍ରୀତି ଏଇ ସନ୍ଦର୍ଭରେ ଆରମ୍ଭ କରିଥିଲେ ନିଜ ପିଏଚଡି ପ୍ରୋଜେକ୍ଟ।

୨୦୧୮ରେ ପ୍ରୀତିଙ୍କ ରିସର୍ଚ୍ଚ ପ୍ରୋଜେକ୍ଟ ଏକ ଉତ୍ପାଦର ରୂପ ନେବା ପରେ ୨୦୨୦ରେ ଏହା ନିଜର ପ୍ୟାଟେଣ୍ଟ୍ ହାସଲ କରିଥିଲା। ପ୍ରଥମରୁ ହିଁ ପ୍ରୀତି ଦୃଢ଼ ନିଶ୍ଚୟ କରିଥିଲେ ଯେ, ସେ ତାଙ୍କ ଦ୍ୱାରା ପ୍ରସ୍ତୁତ ନ୍ୟାପକିନର ପ୍ରତିଟି ଲେୟରରେ ପ୍ଲାଷ୍ଟିକର ଆଦୌ ବ୍ୟବହାର ନ କରି କେବଳ ବୃକ୍ଷଜାତ ପଦାର୍ଥ ହିଁ ବ୍ୟବହାର କରିବେ। ଆଉ ଏଥିରେ ସେ ସମ୍ପୂର୍ଣ୍ଣ ସଫଳ ମଧ୍ୟ ହୋଇଛନ୍ତି।

ତାଙ୍କ କହିବା ମୁତାବକ, ପ୍ୟାଡ୍ ବ୍ୟବହାର କରୁଥିବା ଝିଅ ବା ମହିଳାଙ୍କୁ ତାହା ଓଦା ଓଦା ଲାଗିବା କିମ୍ବା ଲିକ୍ ହେବା ଭଳି ସ°କୋଚ ଭାବରୁ ମୁକ୍ତି ଦେଇ ତାକୁ ଶୁଖିଲା ରଖିବା ପାଇଁ ପ୍ୟାଡର ଉପର ଓ ତଳ ସ୍ତରର ଜଳ ପ୍ରତିରୋଧକ(ହାଇଡ୍ରୋ ଫୋବିକ୍) କ୍ଷମତା ରହିବା ଆବଶ୍ୟକ। ଏହାର ବିପରୀତ ପ୍ୟାଡର ମଝି ସ୍ତରର କିନ୍ତୁ ତରଳ ପଦାର୍ଥ ଶୋଷଣ କରିପାରିବା କ୍ଷମତା ରହିବା ଦରକାର।

ଏ ଦୃଷ୍ଟିରୁ ପ୍ରୀତିଙ୍କ ପ୍ରସ୍ତୁତ ପ୍ୟାଡ୍ ଗୁଡ଼ିକ ବେଶ୍ ସକ୍ଷମ। ଏସବୁର ପ୍ରତିଟି ସ୍ତର ବା ଲେୟର ପାଇଁ ଆବଶ୍ୟକ କଞ୍ଚାମାଲ ବୃକ୍ଷଜାତ ସେଲୁଲୋଜରୁ ଆସିଥାଏ। ନିଜ ପ୍ରୋଜେକ୍ଟ ଆରମ୍ଭ କରିବା ସମୟରେ ସେ ଚାହୁଁଥିଲେ ଯେ, ସେ ତାଙ୍କ ଉତ୍ପାଦନରେ ଏମିତି କିଛି ହର୍ବାଲ୍ ଏକ୍ସଟ୍ରାକ୍ଟର ବ୍ୟବହାର କରିବେ ଯାହା ଉଚ୍ଚ ଆଣ୍ଟି ବ୍ୟାକ୍ଟେରିୟାଲ୍ ଗୁଣ ସମ୍ପନ୍ନ ହୋଇଥିବ।

ସେତିକି ବେଳେ ସେ ଏଥିରେ ଲିମ୍ବ, ହଳଦୀ ଓ ଖସଖସ୍(vetiver) ବ୍ୟବହାର କରିବାକୁ ଭାବିଲେ। ପ୍ରୀତିଙ୍କ ଦ୍ୱାରା ପ୍ରସ୍ତୁତ ପ୍ୟାଡ୍ ଗୁଡ଼ିକର ମଝି ଲେୟରର ଉଚ୍ଚ ଶୋଷଣ କ୍ଷମତା(ନିଜ ଓଜନର ୧୭୦୦ଗୁଣ) ଥାଏ, ଯାହା ହାଇଡ୍ରୋଫିଲିକ୍ ସେଲୁଲୋଜ୍ ପଲିମରକୁ ନ୍ୟାଚୁରାଲ୍ ଫାଇବରରେ ମିଶ୍ରଣ କରି ପ୍ରସ୍ତୁତ କରାଯାଏ।

ଏଥିରେ ଦିଆଯାଇଥିବା ନ୍ୟାଚୁରାଲ୍ ଫାଇବର ପ୍ୟାଡକୁ ଶୁଖିଲା ରଖିବା ସହ ଏଥିରେ ଦିଆଯାଇଥିବା ଲେମନ୍ ଏକ୍ସଟ୍ରାକ୍ଟ ଏହାକୁ ବାସ୍ନାଯୁକ୍ତ କରିବା ସହ ଦୁର୍ଗନ୍ଧମୁକ୍ତ ରଖିଥାଏ। ତା'ଛଡା ଏଇ ପ୍ୟାଡରେ ବ୍ୟାକ୍ଟେରିଆଲ୍ ଗ୍ରୋଥ୍ ଓ ଇନଫେକ୍ସନ୍ (ଜୀବାଣୁ ବୃଦ୍ଧି ତଥା ସଂକ୍ରମଣ) ନିୟନ୍ତ୍ରଣ କ୍ଷମତା ମଧ୍ୟ ଥାଏ। ଯେକୌଣସି ଗୋଟିଏ ରେଗୁଲାର ଫ୍ଲୋ ଡେ'ରେ ଜଣେ ମହିଳାଙ୍କ ପାଇଁ ଏଭଳି ୩ଟି ପ୍ୟାଡ୍ ଯଥେଷ୍ଟ ବୋଲି ପ୍ରୀତି କହନ୍ତି।

ମାର୍କେଟରେ ଅନେକ ଗୁଡ଼ିଏ ମହିଳା ହାଇଜିନ୍ ସମ୍ପର୍କିତ ଉତ୍ପାଦକୁ ବାୟୋ ଡିଗ୍ରେଡେବଲ୍ କହି ବିକ୍ରି କରାଯାଇଥାଏ। ପ୍ରୀତି କହନ୍ତି, ଏଗୁଡ଼ିକରୁ ଅନେକରେ କିନ୍ତୁ ବାସ୍ତବରେ ପ୍ଲାଷ୍ଟିକ୍ ବଦଳରେ ପଲିଲାକ୍ଟିକ୍ ଏସିଡ୍ (PLA) ବ୍ୟବହୃତ ହୋଇଥାଏ, ଯାହାକି ସମ୍ପୂର୍ଣ୍ଣ ରୂପେ ବିଘଟିତ ହୋଇପାରେ ନାହିଁ। ଅନ୍ୟ ପକ୍ଷରେ ପ୍ରୀତିଙ୍କ ଦ୍ୱାରା ପ୍ରସ୍ତୁତ ସାନିଟାରୀ ନ୍ୟାପକିନ୍ ମାତ୍ର ୧୫ ଦିନରୁ ୧ ମାସ ଭିତରେ ହିଁ ମାଟିରେ ମିଶିଯିବାର କ୍ଷମତା ରଖେ।

ତା' ଛଡ଼ା ଏହି ନ୍ୟାପକିନ ମାଟିରେ ମିଶି ତା'ର ଉର୍ବରକ କ୍ଷମତା ମଧ୍ୟ ବଢାଇଥାଏ। ନିଜର ଗୁଣ ପାଇଁ ତାଙ୍କର ଏହି ଇକୋ ଫ୍ରେଣ୍ଡଲି ଓ ବାୟୋ ଡିଗ୍ରେଡେବଲ୍ ନ୍ୟାପକିନ୍ ଖାଲି ଭାରତ (ଦେଶର ପ୍ରଥମ ମଧ୍ୟ) କ'ଣ ସାରା ବିଶ୍ୱରେ ମଧ୍ୟ ସବୁଠାରୁ ଶୀଘ୍ର ବିଘଟିତ ହୋଇପାରୁଥିବା ନ୍ୟାପକିନ ବୋଲି ପ୍ରୀତି କହନ୍ତି।

ପ୍ରୀତି ଏବେ ନିଜ ପ୍ରସ୍ତୁତ ଏଇ ପ୍ୟାଡର ବ୍ୟବସାୟୀକରଣ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ଓ ଏଥିପାଇଁ ଅଧିକରୁ ଅଧିକ ଫଣ୍ଡି° ଯୋଗାଡ଼ରେ ଲାଗିଛନ୍ତି। ଆଗକୁ ଏହି ପ୍ୟାଡ୍ ଆହୁରି କମ୍ ଦାମରେ ଉପଲବ୍ଧ ହୋଇପାରିବ ବୋଲି ସେ କହିଛନ୍ତି। ଅନ୍ନା ୟୁନିଭର୍ସିଟିର 'ଦ କ୍ରିଷ୍ଟାଲ୍ ଗ୍ରୋଥ୍ ସେଣ୍ଟର' ପ୍ରୀତିଙ୍କ ଏଇ ଉତ୍ପାଦର ଗୁଣବତ୍ତା ପରୀକ୍ଷା କରି ଏହାକୁ ପରିବେଶ ଉପଯୋଗୀ ବୋଲି ମତ ଦେଇଛି।

ପ୍ରୀତିଙ୍କ ଏଭଳି ଉଦ୍ୟମ ଆଜି ତାଙ୍କୁ ସାରା ଦେଶରେ 'ପ୍ୟାଡ୍ ଓମେନ୍' ଭାବେ ପରିଚିତି ଆଣିଦେଇଛି।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

ଭୁବନେଶ୍ୱର, ଇମେଲ୍: preetiprajnapradhan@gmail.com