ଏଇ ଗତ କିଛି ବର୍ଷ ମଧ୍ୟରେ ଆପଣ ନିହାତି ଆପଣଙ୍କ ଡାକ୍ତର ଏବଂ ନ୍ୟୁଟ୍ରିସନିଷ୍ଟ ଉଭୟ ଏବଂ କିଛି ଟିଭି ବିଜ୍ଞାପନ ପ୍ରି-/ ପ୍ରୋ- ବାୟୋଟାକ୍ସ ବିଷୟରେ କହିବାର ନିହାତି ଶୁଣିଥିବେ। ଅନେକ ସମୟରେ ଅଧିକ ଦିନ ଆଣ୍ଟିବାୟୋଟିକ ଖାଇବା ପରେ ପତଳା ଝାଡା ହେଲେ, ଡାକ୍ତର ଏମିତି ଛୋଟିଆ ବଟିକା କିମ୍ବା ପାଉଡର ପାଣିରେ ଗୋଳାଇ ପିଇବା ପାଇଁ ଲେଖିଥିବେ ଏବଂ ଏହି ପ୍ରି- /ପ୍ରୋ- ବାୟୋଟାକ୍ସ ଶବ୍ଦ ଉଚ୍ଚାରଣ କରିଥିବେ। ତେବେ ଅନେକଙ୍କ ମନରେ ଥାଏ ଯେ ଏହା ବି କୌଣସି ଔଷଧ ବା ମେଡିସିନ୍, କିନ୍ତୁ ପ୍ରକୃତରେ ଏହି ପ୍ରି- /ପ୍ରୋ- ବାୟୋଟାକ୍ସ ସମ୍ପୂର୍ଣ୍ଣ ପ୍ରାକୃତିକ।
ପ୍ରୋବାୟୋଟିକ୍ କ'ଣ:
ଆମ ଶରୀରର ବାହ୍ୟ ଆବରଣ ପରି ପ୍ରାକୃତିକ ଉପାୟରେ ଆମ କ୍ଷୁଦ୍ରାନ୍ତ ତଥା ବୃହଦାନ୍ତ ନଳୀରେ ୧୦୦୦ରୁ ବି ଅଧିକ ପ୍ରକାରର ଉପକାରୀ ଜୀବାଣୁ ରହିଥାନ୍ତି, ଏମାନଙ୍କୁ ଗଟ୍-ମାଇକ୍ରୋବାୟୋଟା (gut microbiota) କୁହାଯାଏ ଏବଂ ଏମାନେ ସମସ୍ତେ ମିଶି ଗୋଟିଏ ଇକୋ-ସିଷ୍ଟମ୍ ବନାଇଥାନ୍ତି ଯାହାକୁ ମାଇକ୍ରୋବାୟୋମ୍ କୁହାଯାଏ। ଏମାନଙ୍କ ଉପସ୍ଥିତ ଆମକୁ ଜଣା ନ ପଡିଲେ ମଧ୍ୟ, ଏମାନେ ଆମ ପାଚନ ନଳୀରେ ରହି ଶରୀରକୁ ଅନ୍ୟ ହାନିକାରକ ଜୀବାଣୁ ଏବଂ ଫଙ୍ଗସ୍ ସ°କ୍ରମଣରୁ ରକ୍ଷା କରନ୍ତି।
Also Read
ଏମାନଙ୍କ ଭିତରୁ ଅନେକ ଜୀବାଣୁ ଖାଦ୍ୟ ହଜମରେ ସାହାଯ୍ୟ କରନ୍ତି, ରୋଗପ୍ରତିରୋଧକ ଶକ୍ତି ବଢାନ୍ତି, ମାନସିକ ଅବସାଦ ଦୂର କରନ୍ତି ତଥା ମେଦବହୁଳତାକୁ ନିୟନ୍ତ୍ରଣରେ ରଖନ୍ତି। ଅନ୍ୟ କିଛି ଭିଟାମିନ୍ କେ ଏବଂ ସର୍ଟ ଚେନ୍ ଫ୍ୟାଟି ଏସିଡ୍ ବନାଇବାରେ ସାହାଯ୍ୟ କରନ୍ତି।
ସର୍ଟ ଚେନ୍ ଫ୍ୟାଟି ଏସିଡ୍ ହିଁ ବୃହଦାନ୍ତ ନଳୀର ଆବରଣକାରୀ କୋଷର ମୂଖ୍ୟ ଖାଦ୍ୟ। ଏମାନେ ବୃହଦାନ୍ତ ନଳୀର ଆବରଣକୁ ସଶକ୍ତ କରି ଅନିଷ୍ଟକାରୀ ଜୀବାଣୁ, ଭୂତାଣୁ ଏବଂ ବାହ୍ୟ ପଦାର୍ଥରୁ ରକ୍ଷା କରିବା ସହ, ଅନ୍ତନଳୀର ଫୁଲା ବା କ୍ଷତ ବା ଇନଫ୍ଲାମେସନକୁ କମ କରିବା ସହ କ୍ୟାନସରର ଭୟକୁ ମଧ୍ୟ ହ୍ରାସ କରିଥାଏ।
ପ୍ରିବାୟୋଟିକ୍ କ'ଣ:
ପ୍ରିବାୟୋଟିକ୍ ହେଉଛି ଏକ ନିର୍ଦ୍ଦିଷ୍ଟ ଧରଣର ବୃକ୍ଷଜାତ ଫାଇବର, ଯାହା ମଣିଷର ପାଚନତନ୍ତ୍ର ଦ୍ୱାରା ହଜମ ହୋଇପାରେନି କିନ୍ତୁ ଅନ୍ତନଳୀର ଉପକାରୀ ଜୀବାଣୁମାନଙ୍କର ଏହା ଖାଦ୍ୟ। ଏହା ସାର ପରି ଗଟ୍-ମାଇକ୍ରୋବାୟୋଟା ବଢାଇବାରେ ସାହାଯ୍ୟ କରେ।
ପ୍ରିବାୟୋଟିକ୍ ଜଟିଳ ବା କମ୍ପ୍ଲେକ୍ସ ଶ୍ୱେତସାର ଯୁକ୍ତ ଖାଦ୍ୟ, ଯଥା ଫାଇବର ଏବଂ ରେଜିଷ୍ଟାନ୍ସ ଷ୍ଟାର୍ଚ ଥିବା ଅନେକ ଫଳ, ପନିପରିବା ଏବଂ ଡାଲି ଆଦିରୁ ମିଳିଥାଏ। ଏହି ଶ୍ୱେତସାର ଆମ ପାକସ୍ଥଳୀରେ ହଜମ ନ ହୋଇ ପାରି ଅନ୍ତନଳୀରେ ପହଞ୍ଚିଯାଏ ଏବଂ ତା'ପରେ ଜୀବାଣୁମାନଙ୍କର ଖାଦ୍ୟ ପାଲଟି ଯାଏ।
ଅନ୍ତନଳୀର ଜୀବାଣୁଗୁଡିକ ପ୍ରିବାୟୋଟିକ୍ ଫାଇବରକୁ ବ୍ୟୁଟାରେଟ୍ ନାମକ ଫ୍ୟାଟି ଏସିଡରେ ପରିଣତ କରେ, ଯାହା ଅନ୍ତନଳୀର ଆବରଣ ପାଇଁ ଜରୁରୀ। ଡାଲି ଏବଂ ବିନ୍ସ ଜାତୀୟ ଦ୍ରବ୍ୟ, ମଟର, ପାଚିଲା କଦଳୀ, ଓଟ୍ସ, ଡ୍ରାଏ କୋଳି, ରସୁଣ, ପିଆଜ, ଇସବଗୁଲ୍ ଭୁସି, ଚିଆ ସିଡ୍ସ ପ୍ରିବାୟୋଟିକ୍ ଫାଇବରର ପ୍ରକୃଷ୍ଟ ଉଦାହରଣ।
ଆମ ଖାଦ୍ୟ ଗ୍ରହଣ ଏବଂ ପ୍ରୋବାୟୋଟିକ୍ସ ଉପରେ ପ୍ରଭାବ:
ଯେମିତି ଆମ ଖାଦ୍ୟରେ ପ୍ରିବାୟୋଟିକ୍ସ, ଗଟ୍-ମାଇକ୍ରୋବାୟୋଟା ପାଇଁ ଖାଦ୍ୟସାରର କାମକରେ, ସେମିତି କିଛି ଖାଦ୍ୟ ଏହି ଜୀବାଣୁମାନଙ୍କ ପାଇଁ ହାନିକାରକ ମଧ୍ୟ ହୋଇପାରେ। ଅଧିକ ଶର୍କରା, ମିଠା ଏବଂ ସ୍ନେହସାର ଯୁକ୍ତ ଖାଦ୍ୟ ପ୍ରୋବାୟୋଟିକ୍ସ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।
କ୍ଷେତରେ କୀଟନାଶକ ବ୍ୟବହାର କରାଯାଇଥିବା ପନିପରିବା ଖାଇବା ଦ୍ୱାରା ମଧ୍ୟ ପ୍ରୋବାୟୋଟାକ୍ସ ନଷ୍ଟ ହୋଇଯିବାର ଆଶଙ୍କା ଥାଏ। ଆଣ୍ଟିବାୟୋଟିକ୍ସ ଖାଇବା ଦ୍ୱାରା ମଧ୍ୟ ପ୍ରୋବାୟୋଟିକ୍ସ ନଷ୍ଟ ହୋଇଯାଆନ୍ତି।
ପ୍ରୋବାୟୋଟିକ୍ସର ଉତ୍ସ:
ଅନେକ ଖାଦ୍ୟପଦାର୍ଥରେ ପ୍ରାକୃତିକ ଉପାୟରେ ଏହି ଭଲ ଗଟ୍-ବ୍ୟାକ୍ଟେରିଆ ରହିଥାନ୍ତି, ଯେମିତିକି ଘୋଳଦହି, ବସାଦହି, ବାସି ତୋରାଣି, ପଖାଳ ଭାତ। କୋରିଆନ୍ ଖାଦ୍ୟ କିମଚି ଏବଂ ଅନେକ ଭାରତୀୟ ଆଚାରରେ ପ୍ରୋବାୟୋଟିକ୍ସ ଥାନ୍ତି। ସେହିପରି ବଜାରରେ ମଧ୍ୟ ଅନେକ ପ୍ରକାରର ପାଉଡର, ବଟିକା ତଥା ତରଳ ପ୍ରୋବାୟୋଟିକ୍ସ ସପ୍ଲିମେଣ୍ଟ ମିଳେ, ଯେଉଁଥିରେ ଲାଇଭ ଜୀବାଣୁ ଥାନ୍ତି।
ଯଦିଓ ଏହି ସପ୍ଲିମେଣ୍ଟ ଗୁଡିକ ଅଧିକାଂଶ ଲୋକଙ୍କ ପାଇଁ ଉପକାରୀ କିନ୍ତୁ କିଛି ଲୋକଙ୍କ ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ ଏବଂ କିଛି ମେଡିକାଲ କଣ୍ଡିସନରେ କେତୋଟି ନିର୍ଦ୍ଦିଷ୍ଟ ପ୍ରକାରର ପ୍ରୋବାୟୋଟିକ୍ସ ଦିଆଯାଏ। ତେଣୁ ପ୍ରୋବାୟୋଟିକ୍ସ ସପ୍ଲିମେଣ୍ଟ ବାଛିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।
ଇମେଲ୍: ipsitadr@yahoo.in
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)