• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

ଜଣେ ତେଲେଙ୍ଗାନା ହାଇଦ୍ରାବାଦର ଓ ଅନ୍ୟ ଜଣେ ଗୁଜରାଟ ଅନ୍ତର୍ଗତ ଅହମଦାବାଦର। ଜଣେ ହେଉଛନ୍ତି ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂରେ ଡିଗ୍ରୀଧାରୀ ଓ ଆଉ ଜଣେ ହେଉଛନ୍ତି ଇସ୍ରୋ(ISRO)ର ବୈଜ୍ଞାନିକ। ପ୍ରଦେଶ ଓ ପେସା ଦୃଷ୍ଟିରୁ ଭିନ୍ନତା ଥାଇ ମଧ୍ୟ ଉଭୟ ମହିଳାଙ୍କ ମଧ୍ୟରେ ରହିଛି ଗୋଟିଏ ସମାନତା। ତାହା ହେଲା, ପରିବେଶ ପ୍ରତି ଉଭୟଙ୍କ ପ୍ରତିବଦ୍ଧତା ଓ ଦାୟିତ୍ଵବୋଧ।

ସେମାନେ ଅବ୍ୟବହୃତ ଏବଂ ଅଦରକାରୀ ବସ୍ତୁରୁ, ଖାସ୍ କରି ପରିବା ଓ ଫଳର ଅଦରକାରୀ ଆବର୍ଜନାରୁ ପ୍ରସ୍ତୁତ କରୁଛନ୍ତି ପରିବେଶ ଉପଯୋଗୀ ଜିନିଷ। ଆସନ୍ତୁ ଜାଣିବା, କିଭଳି ଏଇ ଦୁଇ ମହିଳା ପରିବେଶର ସୁରକ୍ଷା କରିବା ସହ ବହୁ ଲୋକଙ୍କୁ ଅର୍ଥ ସଞ୍ଚୟ କରିବାରେ ସମର୍ଥ କରାଇପାରିଛନ୍ତି।

ଅଧିକ ପଢ଼ନ୍ତୁ: ନୟାଗଡ଼ର ଗଛ ସାର: ଜୀବନର ପ୍ରତିଟି ମୁହୂର୍ତ୍ତ ପରିବେଶ ପାଇଁ ସମର୍ପିତ

ଶ୍ରୁତି ଆହୁଜା:

Environmental protection from waste materials(ପରିବେଶ ପ୍ରେମୀ ଶ୍ରୁତି ଆହୁଜା)

ପରିବା ହାଟରେ ସଜାହୋଇ ରଖା ଯାଇଥିବା ଭଳିକି ଭଳି ପରିବା ଦେଖିଲେ କାହାକୁ ବା ଲୋଭ ନ ଲାଗେ? ତେବେ ସବୁ ପରିବାଗୁଡ଼ିକ ଯଦି ବିକ୍ରି ନ ହୋଇପାରେ? କିମ୍ବା ପଚିସଢି ଖରାପ ହୋଇଯାଏ? କ'ଣ ହୁଏ ସେ ସବୁର ଅବସ୍ଥା? ବଳି ପଡ଼ିଥିବା ପଚା ଓ ଖରାପ ପରିବାକୁ ଦୋକାନୀମାନେ ସାଧାରଣତଃ ବାହାରେ ଫୋପାଡ଼ି ଦିଅନ୍ତି।

ସେସବୁ କିଛି ବୁଲା ଗାଈଗୋରୁଙ୍କ ଖାଦ୍ୟ ପାଲଟେ। ନ ହେଲେ ଏଣେ ତେଣେ ପଡିରହି, ପଚିସଢି ହାଟ ବା ମାର୍କେଟର ପରିବେଶକୁ ଦୂଷିତ କରେ। କିନ୍ତୁ ଏଇ ଅଦରକାରୀ ପରିବା ଯଦି ସେଇ ହାଟକୁ ଆଲୋକିତ ହେବାରେ ସାହାଯ୍ୟ କରେ! ବିଶ୍ୱାସ ହେଉନି ନା, ଏମିତି ହୋଇପାରେ ବୋଲି?

ଏମିତି କଥାକୁ କିନ୍ତୁ ସଫଳ କରି ଦେଖାଇଛନ୍ତି ଜଣେ ମହିଳା। ତାଙ୍କ ନା’ ହେଉଛି ଶ୍ରୁତି ଆହୁଜା। ତାଙ୍କ କମ୍ପାନୀ 'ଆହୁଜା ଇଂଜିନିୟରିଂ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍'ର ଏକ ପ୍ରୋଜେକ୍ଟ ହେଉଛି, ତେଲେଙ୍ଗାନାର ସବୁଠାରୁ ବଡ଼ ପରିବା ବଜାର ବୱନପଲ୍ଲୀ ମାର୍କେଟ୍‌କୁ ନେଇ। ଏଇ ପରିବା ମଣ୍ଡିରେ ଦିନକୁ ଅତି କମ୍‌ରେ ୧୦ଟନ୍ ପରିବା ୱେଷ୍ଟ୍ ବାହାରି ଥାଏ। ଆଉ ଶ୍ରୁତିଙ୍କ ପ୍ରୋଜେକ୍ଟର ପ୍ରଥମ ପଦକ୍ଷେପ ସ୍ୱରୂପ ଏଇ ଆବର୍ଜନାରୁ ତାଙ୍କ ବାୟୋଗ୍ୟାସ୍ ପ୍ଲାଣ୍ଟ୍‌ରେ ପ୍ରସ୍ତୁତ ହୋଇଥାଏ ୪୦୦ରୁ ୪୫୦ କ୍ୟୁବିକ୍ ମିଟର ବାୟୋଗ୍ୟାସ୍।

ଏଇ ବାୟୋଗ୍ୟାସକୁ କେବଳ ବୱନପଲ୍ଲୀ ମାର୍କେଟ୍ କ୍ୟାଣ୍ଟିନ୍‌ରେ(୩୦କିଲୋଗ୍ରାମ ଏଲପିଜି ଗ୍ୟାସ ବଦଳରେ) ବ୍ୟବହାର କରାଯାଏ ନାହିଁ, ଏଥିରୁ ୨୦୦ରୁ ୩୦୦ ୟୁନିଟ୍ ଇଲେକ୍ଟ୍ରିସିଟି ମଧ୍ୟ ଉତ୍ପାଦିତ ହୋଇଥାଏ। ଆଉ ଏଇ ବିଦ୍ୟୁତ୍ ସାହାଯ୍ୟରେ ମାର୍କେଟ୍‌ର ଅନେକଗୁଡ଼ିଏ ଷ୍ଟ୍ରିଟ୍ ଲାଇଟ୍(ପ୍ରାୟ ୧୦୦ଟି), ଷ୍ଟଲ୍ (ପ୍ରାୟ ୧୭୦ଟି) ଓ ଏହାର ଆଡ୍‌ମିନିଷ୍ଟ୍ରେଟିଭ୍ ବିଲ୍ଡିଂ ଆଲୋକିତ ହୋଇଥାଏ।

ଫଳରେ ମାର୍କେଟ୍‌ର ମାସକୁ ବିଦ୍ୟୁତ୍ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥରୁ ଅନ୍ତତଃ ୨.୫ ଲକ୍ଷ ଟଙ୍କା ବଞ୍ଚିଯାଇ ପାରୁଛି। ତା' ଛଡ଼ା ଏଇ ପ୍ରୋଜେକ୍ଟ ମାଧ୍ୟମରେ ବହୁ ମାତ୍ରାରେ ଆବର୍ଜନା ବିଭିନ୍ନ ଲ୍ୟାଣ୍ଡ୍‌ଫିଲ୍‌କୁ ନଯାଇ ବ୍ୟବହୃତ ହୋଇ ପାରୁଥିବାରୁ ଏହା ଦ୍ୱାରା ପ୍ରତିଦିନ ପ୍ରାୟ ୨୦ ହଜାର ଟଙ୍କା ମଧ୍ୟ ସଞ୍ଚୟ କରାଯାଇ ପାରୁଛି।

ତେବେ ପରିବା ଆବର୍ଜନାରୁ କିଭଳି ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ? ଏଥିପାଇଁ ପ୍ରଥମେ ସ୍ରେଡର ସାହାଯ୍ୟରେ ପରିବା ସବୁକୁ ଅତି ଛୋଟ ଛୋଟ ଟୁକୁଡା କରାଯାଇ ସେସବୁକୁ କନ୍‌ଭେୟର ବେଲ୍ଟ୍ ସହାୟତାରେ ଏକ କଣ୍ଟେନର ମଧ୍ୟକୁ ସ୍ଥାନାନ୍ତରିତ କରାଯାଏ। ଏଥିରେ ଏଇ ପରିବା ଖଣ୍ଡର ମିଶ୍ରଣକୁ ତରଳ ଅବସ୍ଥାକୁ ଅଣାଯାଏ ବା ଏସବୁର ସ୍ଲରି ପ୍ରସ୍ତୁତ କରାଯାଏ।

ପରେ ଏଇ ସ୍ଲରିକୁ ଅନ୍ୟ ଏକ କଣ୍ଟେନର ଭିତରେ ରଖାଯାଏ ଯାହା ମଧ୍ୟରେ ବିନା ଅମ୍ଳଜାନରେ ଆନାରୋବିକ୍‌ ବ୍ୟାକ୍ଟେରିଆକୁ ବୃଦ୍ଧି କରାଯାଏ। ଏଇ ବ୍ୟାକ୍ଟେରିଆଗୁଡିକ ସେଇ ସ୍ଲରିକୁ ପଚାଇବାରେ ସହାୟକ ହୋଇଥାନ୍ତି ଓ ଏଥିରୁ ବାୟୋଗ୍ୟାସ୍ ଉତ୍ପାଦିତ ହୋଇଥାଏ। ପରେ ସେଇ ବାୟୋଗ୍ୟାସ୍‌କୁ ଜେନେରେଟର୍‌ ସହାୟତାରେ ଇଲେକ୍ଟ୍ରିସିଟିରେ ପରିବର୍ତ୍ତନ କରାଯାଏ।

ସମ୍ପୃକ୍ତ ପ୍ରକ୍ରିୟାରେ ବ୍ୟବହୃତ ଡାଇଜେଷ୍ଟରଗୁଡ଼ିକ ହେଉଛି 'ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍‌ ଟେକ୍ନୋଲୋଜି'ର ଅବଦାନ। ସେଠାରେ ଏଇ ଡାଇଜେଷ୍ଟର୍‌ଗୁଡ଼ିକର ପ୍ରସ୍ତୁତି ସମୟରେ ହିଁ ସେସବୁ ମଧ୍ୟରେ ଆନାରୋବିକ ବ୍ୟାକ୍ଟେରିଆଗୁଡ଼ିକ କିଭଳି ଶୀଘ୍ର ବୃଦ୍ଧି ପାଇ ପାରିବେ ତା'ର ବ୍ୟବସ୍ଥା କରାଯାଇଥାଏ।

ସେଇ କାରଣରୁ ହିଁ ଏଠାରେ ପ୍ରତି ଟନ୍ ପରିବା ଆବର୍ଜନା ପିଛା ପ୍ରାୟ ୪୦୦% ଅଧିକ ବାୟୋଗ୍ୟାସ୍ ଉତ୍ପାଦିତ ହୋଇଥାଏ।

୨୦୧୦ରେ ଆମେରିକାରୁ ଏକ ଉଚ୍ଚ ଦରମାଯୁକ୍ତ ଚାକିରୀ ଛାଡ଼ି ଆସିବା ପରେ ଶ୍ରୁତି ୨୦୧୨ରେ ପ୍ରତିଷ୍ଠା କରିଥିଲେ 'ଆହୁଜା ଇଂଜିନିୟରିଂ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍'। ଏବେ ଏହି କମ୍ପାନୀର ନିର୍ଦ୍ଦେଶିକାଭାବେ ସେ କାର୍ଯ୍ୟ କରନ୍ତି। କିନ୍ତୁ ସବୁ ପରେ ସେ ନିଜକୁ ଓ ନିଜ କମ୍ପାନୀର ସଦସ୍ୟମାନଙ୍କୁ 'ୱେଷ୍ଟ୍ ୱାରିୟର୍ସ' ବୋଲାଇବାକୁ ପସନ୍ଦ କରିଥାନ୍ତି।

ଆରମ୍ଭରୁ ହିଁ ପରିବେଶ ପ୍ରତି ସଚେତନ ଥିବା ଶ୍ରୁତିଙ୍କ ଦ୍ୱାରା ପ୍ରତିଷ୍ଠିତ ସମ୍ପୃକ୍ତ କମ୍ପାନୀ ଏପର୍ଯ୍ୟନ୍ତ ୧୨ହଜାର ଟନ୍ ଅର୍ଗାନିକ୍ ଆବର୍ଜନାକୁ ବିଭିନ୍ନ ଲ୍ୟାଣ୍ଡ୍‌ଫିଲ୍‌ରେ ପଡ଼ିବାକୁ ନଦେଇ ପରିବେଶକୁ ରକ୍ଷା କରିବା ସହ ୬୦୦ ଟନ୍‌ରୁ ଊର୍ଦ୍ଧ୍ୱ ଏଲ୍‌ପିଜି ଗ୍ୟାସ୍ ସଞ୍ଚୟ କରିବାରେ ସକ୍ଷମ ହୋଇଛି।

ଖାଲି ସେତିକି ନୁହେଁ, ୪ଲକ୍ଷ ଟନ୍‌ରୁ ଅଧିକ ମାତ୍ରାର ଅଙ୍ଗାରକାମ୍ଳ ଗ୍ୟାସ୍ ବାୟୁମଣ୍ଡଳରେ ପ୍ରବେଶ କରିବାକୁ ମଧ୍ୟ ରୋକିପାରିଛି ଏଇ କମ୍ପାନୀ।

ଉପଲବ୍ଧ ତଥ୍ୟ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ମୋଟ ବିଦ୍ୟୁତ୍ ଚାହିଦା ହେଉଛି ପ୍ରାୟ ୧୬୫୦.୫୯ ବିଲିଅନ୍ ୟୁନିଟ୍(୨୦୨୦-୨୧ରେ ଏହା ୧୨୭୫.୫୩ ବିଲିଅନ୍ ୟୁନିଟ୍ ଥିଲା)। ଦେଶର ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ଆଖିରେ ରଖି ବିଭିନ୍ନ ପ୍ରାକୃତିକ ଉତ୍ସରୁ ବିଦ୍ୟୁତ୍ ଉତ୍ପାଦନ କରିବା ଜରୁରୀ ହୋଇପଡ଼ିଛି। ଆଉ ଏ ଦୃଷ୍ଟିରୁ ଶ୍ରୁତିଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ନିଶ୍ଚୟ।

ପ°କ୍ତି ପାଣ୍ଡେ:

Environmental protection from waste materials(ପରିବେଶ ପ୍ରେମୀ ପ°କ୍ତି ପାଣ୍ଡେ)

ମା' ହେବାର ସୌଭାଗ୍ୟ ତାଙ୍କୁ ଏ କଥା ଭାବିବା ପାଇଁ ବାଧ୍ୟ କଲା ଯେ, କିପରି ସେ ନିଜ ପିଲାକୁ ସୁରକ୍ଷିତ ବାତାବରଣ ଓ ପରିବେଶଟିଏ ଯୋଗାଇ ଦେଇପାରିବେ। ଆଉ ଏଠାରୁ ହିଁ ପ୍ରଥମେ ମୂଳଦୁଆ ପଡ଼ିଥିଲା ନୂଆ ଏକ ପ୍ରଚେଷ୍ଟାର।

ଏବେ ଇସ୍ରୋର ଏଇ ବୈଜ୍ଞାନିକ ଜଣଙ୍କ ଆମ ପରିବେଶର ସୁରକ୍ଷା ପାଇଁ ନା କେବଳ ସମସ୍ତ ଉପଯୋଗୀ ସାମଗ୍ରୀ କିଣିବା ପାଇଁ ନିଜ ବ୍ୟାଗ୍ ନେଇ ମାର୍କେଟ୍‌କୁ ଯାଆନ୍ତି, ଯେକୌଣସି ଜାଗାକୁ ଯାତ୍ରାକରିବା ସମୟରେ ଘରୁ ହିଁ ନିଜ କଟ୍‌ଲେରି ନେଇ ଯାଇଥା'ନ୍ତି। ଖାଲି ସେତିକି ନୁହେଁ, ସେ ନିଜ ଘରୁ ବାହାରୁଥିବା ବିଭିନ୍ନ ବାୟୋ ୱେଷ୍ଟ୍‌ରୁ କମ୍ପୋଷ୍ଟ୍ ପ୍ରସ୍ତୁତ କରିବା ସହ ଘରର ସମସ୍ତ ସଫେଇ କାର୍ଯ୍ୟ ପାଇଁ କ୍ଲିନର ବି ନିଜ ହାତରେ ପ୍ରସ୍ତୁତ କରିଥାନ୍ତି।

ଆମେ ସାଧାରଣତଃ ଘରର ବିଭିନ୍ନ ଅଂଶକୁ ସଫା କରିବା ପାଇଁ ୪/୫ ପ୍ରକାରର କ୍ଲିନର ବ୍ୟବହାର କରିଥାଉ। ବାଥରୁମ୍ ଠାରୁ ଟଏଲେଟ୍ ପୁଣି ରୋଷେଇଘର ଯାଏଁ ସବୁ ସଫାକରିବା ପାଇଁ ପଂକ୍ତି କିନ୍ତୁ ବ୍ୟବହାର କରନ୍ତି କେବଳ ବାୟୋ ଏନ୍‌ଜାଇମ୍। ଆଉ ଏଇ ବାୟୋ ଏନ୍‌ଜାଇମ୍ ପ୍ରସ୍ତୁତ କରିବା ପାଇଁ ସେ ବ୍ୟବହାର କରନ୍ତି ବିଭିନ୍ନ ଖଟା ଫଳ( କମଳା ଓ ଲେମ୍ବୁ ଭଳି ସାଇଟ୍ରସ୍ ଫ୍ରୁଟ୍ )ର ଚୋପାକୁ।

ଏନ୍‌ଜାଇମ୍ ମିଶ୍ରଣ ପ୍ରସ୍ତୁତି ନିମନ୍ତେ ସେ ଏକ ଏୟାରଟାଇଟ୍ କଣ୍ଟେନର୍‌ରେ ନିଅନ୍ତି, ତିନି ଭାଗ ଫଳ ଚୋପା ସହ ଗୋଟିଏ ଭାଗ ଗୁଡ଼। ଆଉ ତା' ପରେ ଏଥିରେ ସେ ମିଶାନ୍ତି ୧୦ଭାଗ ପରିମାଣର ପାଣି। ଏନ୍‌ଜାଇମ୍ ତିଆରି ପାଇଁ ଏଇ ମିଶ୍ରଣକୁ ସେମିତି ସେଇ କଣ୍ଟେନର ଭିତରେ ଠିପି/କଭର୍ ବନ୍ଦ କରି ରଖି ଦିଆଯାଏ ୩ମାସ ପର୍ଯ୍ୟନ୍ତ।

ତେବେ ୧ମାସ ଯାଏଁ ପ୍ରତିଦିନ ଏଥିରୁ ଗ୍ୟାସ୍ ରିଲିଜ୍ ପାଇଁ ବଟଲ୍‌ କିମ୍ବା ଡବାର ଠିପିକୁ ଅନ୍ତତଃ ଥରଟିଏ ଖୋଲି ବନ୍ଦକରି ରଖିବାକୁ ପଡ଼ିଥାଏ। ଏନ୍‌ଜାଇମ୍ ପ୍ରସ୍ତୁତ ହେଲା କି ନାହିଁ ତାହା ଜାଣିବାର ମୁଖ୍ୟତଃ ୩ଟି ଉପାୟ ଅଛି।

ପ୍ରଥମଟି ହେଲା, ମିଶ୍ରଣ ଯେତେ ଯେତେ ଫର୍ମେଣ୍ଟ୍ ହେବାକୁ ଲାଗେ ଫଳଚୋପା ବଟଲର ତଳକୁ ତଳକୁ ବସିଯିବା ଦେଖିବାକୁ ମିଳେ। ଦ୍ୱିତୀୟରେ ଏହାକୁ ସୁଙ୍ଘିଲେ ଏହା ଭିନେଗାର୍‌ ଭଳି ବାସେ। ତୃତୀୟରେ ଏଇ ମିଶ୍ରଣରୁ ସାମାନ୍ୟ ଟିକିଏ ନେଇ ସେଥିରେ ଯେକୌଣସି ଚିକ୍କଣ ଚଟାଣକୁ ସଫା କଲେ ତାହା ଏକଦମ ଚିକ୍ ଚିକ୍ ସଫା ହୋଇଯାଏ।

ଆଉ ଏକ କଥା ହେଲା, ଏଇ ବାୟୋ ଏନ୍‌ଜାଇମ୍ ଅତି ସହଜରେ ଘରେ ଉପଲବ୍ଧ ସାମଗ୍ରୀରୁ ପ୍ରସ୍ତୁତ ହୋପାରୁଥିବା ବେଳେ ଅନ୍ୟ କ୍ଲିନରଗୁଡ଼ିକ ତୁଳନାରେ ଏଥିପାଇଁ ଅତି କମ୍ ଖର୍ଚ୍ଚ ମଧ୍ୟ ହୋଇଥାଏ।

ତେବେ ନିଜ ବ୍ୟସ୍ତତାବହୁଳ ଜୀବନ ମଧ୍ୟରୁ ପ°କ୍ତି ଏସବୁ କାମ ପାଇଁ ସମୟ କେମିତି ବାହାର କରନ୍ତି ଉତ୍ତରରେ ସେ କହନ୍ତି, ପ୍ରକୃତି ଓ ପରିବେଶ ସହ ତାଙ୍କ ନିବିଡ଼ ସମ୍ପର୍କ ହିଁ ତାଙ୍କୁ ଏସବୁ କାମରେ ସାହାଯ୍ୟ କରେ। ସବୁଠାରୁ ବଡ଼ କଥା ହେଲା, ପଂକ୍ତିଙ୍କ ଏଇ କାମ ଯୋଗୁଁ କେବଳ ଯେ ବହୁ ମାତ୍ରାରେ ପ୍ଲାଷ୍ଟିକ୍‌ ୱେଷ୍ଟ୍ ଲ୍ୟାଣ୍ଡ୍‌ଫିଲ୍ ସବୁରେ ପଡ଼ିବାରୁ ରକ୍ଷା ମିଳୁଛି ତା' ନୁହେଁ, ବିଭିନ୍ନ କ୍ଲିନରଗୁଡ଼ିକରେ ଥିବା କ୍ଷତିକାରକ କେମିକାଲ୍‌ ସବୁ ବି ପାଣିରେ ମିଶି ପାଣିକୁ ବିଷାକ୍ତ କରିଦେବା ପ୍ରକ୍ରିୟା ମଧ୍ୟ ବନ୍ଦ ହୋଇ ପାରୁଛି।

ନିଜ ଦ୍ୱାରା ପ୍ରସ୍ତୁତ ବାୟୋ ଏନ୍‌ଜାଇମ୍‌ର ବହୁଳ ଉତ୍ପାଦନ ପାଇଁ ପଂକ୍ତି କେତେକ ଉପାୟ ଅବଲମ୍ବନ କରିବାର ପରାମର୍ଶ ଦିଅନ୍ତି। ନିଜ ଆଖପାଖର ଫଳ ଓ ପରିବା ବ୍ୟବସାୟୀଙ୍କ ସହଯୋଗରେ ନିଜ ପଡୋଶୀ, ବନ୍ଧୁବାନ୍ଧବ ତଥା ଘରୋଇ ସହାୟକ ଆଦିଙ୍କୁ (ପରିବେଶ ସମ୍ପର୍କରେ ସଚେତନ କରାଇ ତଥା ଏହାର ପ୍ରସ୍ତୁତି ପ୍ରଣାଳୀ ଶିକ୍ଷା ଦେଇ) ସାଙ୍ଗରେ ନେଇ ଏଇ କାମ ଅତି ସହଜରେ କରିହେବ ବୋଲି ସେ କୁହନ୍ତି।

ଶ୍ରୁତି ଓ ପଂକ୍ତି ନିଜେ ତ ବରାବର ପରିବେଶ ସୁରକ୍ଷା ଦିଗରେ ନିଜ ନିଜ ଉଦ୍ୟମ ଜାରି ରଖିଛନ୍ତି, ଆଗକୁ ଏଇ ଉଦ୍ୟମ ଆହୁରି ସୁଦୂରପ୍ରସାରୀ ହେବ ବୋଲି ସେମାନେ ଆଶା ମଧ୍ୟ ରଖିଛନ୍ତି।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

ଭୁବନେଶ୍ୱର, ଇମେଲ୍: preetiprajnapradhan@gmail.com

OTV is now on Whatsapp

Join and get latest news update delivered to you via whatsapp

Join Now