• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

ଦୁଇ ଜଣ ପ୍ରାକ୍ ସ୍ୱାଧୀନତା ସମୟର। ଉଭୟ ପୁଣି କେରଳର। ଜଣେ ଭାରତର ପ୍ରଥମ ମହିଳା ଜଷ୍ଟିସ୍ ଓ ପ୍ରଥମ ହାଇକୋର୍ଟ ଜଷ୍ଟିସ୍। ଅନ୍ୟ ଜଣେ ଆମ ଦେଶର ପ୍ରଥମ ମହିଳା ସୁପ୍ରିମକୋର୍ଟ ଜଜ୍। ଦେଶର ନ୍ୟାୟ ବ୍ୟବସ୍ଥାରେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଏହି ଦୁଇ ଯଶସ୍ୱିନୀ ମହିଳାଙ୍କ ବିଷୟରେ ଆସନ୍ତୁ ଜାଣିବା।

ଜଷ୍ଟିସ୍ ଅନ୍ନା ଚାଣ୍ଡି:

ନିଜ ଜୀବନକାଳ ମଧ୍ୟରେ ଜଣେ ଓକିଲ, ଜଣେ ନ୍ୟାୟାଧୀଶ ଓ ଜଣେ ରାଜନେତାଙ୍କ ଦାୟିତ୍ଵ ତୁଲାଇଥିବା ଜଷ୍ଟିସ୍ ଅନ୍ନା ଚାଣ୍ଡି (ଜଷ୍ଟିସ୍ ଅନ୍ନା ଚଣ୍ଡୀ ଭାବେ ମଧ୍ୟ ପରିଚିତ) ତମାମ ଜୀବନ ମହିଳାମାନଙ୍କ ଅଧିକାରର ସୁରକ୍ଷା ଦିଗରେ କାର୍ଯ୍ୟ କରିଥିଲେ। ମୁଖ୍ୟତଃ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ଓ ସମ୍ପାଦିତ ମହିଳା ପତ୍ରିକା 'ଶ୍ରୀମତୀ' ମାଧ୍ୟମରେ ସେ ଏଇ କାମ କରୁଥିଲେ। ସେଥିପାଇଁ ତାଙ୍କୁ ଅନେକ ଜଣେ ପ୍ରଥମ ପିଢ଼ିର ନାରୀବାଦୀ( first generation feminist) ବୋଲି ମତ ଦେଇଥାନ୍ତି।

ଅଧିକ ପଢ଼ନ୍ତୁ: ସବୁଠୁ ବିପଦପୂର୍ଣ୍ଣ ଯୁଦ୍ଧକ୍ଷେତ୍ରରେ ପ୍ରଥମ ମହିଳା କ୍ୟାପଟେନ ଶିବା ଚୌହାନ

୧୯୦୫ ମସିହାରେ କେରଳର ଟ୍ରାଭାନକୋର ଠାରେ ଜନ୍ମଗ୍ରହଣ କରିଥିବା (ତ୍ରିଭାନ୍ଦ୍ରମରେ ତାଙ୍କ ଲାଳନପାଳନ ହୋଇଥିଲା) ଅନ୍ନା ୧୯୨୬ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ହାସଲ କଲେ। ଏହା ପରେ ସେ ହେଲେ ଆଇନରେ ଡିଗ୍ରୀ ହାସଲ କରିବାରେ ତାଙ୍କ ରାଜ୍ୟର ପ୍ରଥମ ମହିଳା। ତାଙ୍କୁ ବାର୍‌କୁ ଡକାଗଲା ଓ ୧୯୨୯ ମସିହାରୁ ସେ ଜଣେ ବାରିଷ୍ଟର ଭାବେ କାର୍ଯ୍ୟ ଆରମ୍ଭ କଲେ।

୧୯୩୧-୩୨ ମସିହାରେ ସେ ଟ୍ରାଭାନକୋର ପ୍ରିନ୍ସଲି ଷ୍ଟେଟ୍ ର ବିଧାନସଭା ଆସନ ପାଇଁ ନିର୍ବାଚନ ଲଢିଲେ ତଥା ସେଥିରେ ନିର୍ବାଚିତ ହେବା ପରେ ୧୯୩୨ରୁ ୧୯୩୪ ମଧ୍ୟରେ ଜଣେ ବିଧାୟିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୩୭ ମସିହାରେ ଟ୍ରାଭାନକୋର ମହାରାଜାଙ୍କ ଦ୍ଵାରା ଜଣେ ମୁନସିଫ୍ ଭାବେ ନିଯୁକ୍ତି ପାଇବା ପରେ ସେ ହେଲେ ଭାରତର ପ୍ରଥମ ମହିଳା ଜଜ୍। ପରେ ୧୯୪୮ରେ ଜିଲ୍ଲା ଜଜ୍ ପଦବୀକୁ ତାଙ୍କ ପଦନ୍ନୋତି ଘଟିଲା।

୯ ଫେବ୍ରୁଆରୀ, ୧୯୫୯ରେ ସେ ଯେତେବେଳେ କେରଳ ହାଇକୋର୍ଟର ଜଜ୍‌ଭାବେ ନିଯୁକ୍ତ ହେଲେ ସେବେ ସେ ହେଲେ ଆମ ଦେଶର ପ୍ରଥମ ମହିଳା ହାଇକୋର୍ଟ ଜଜ୍। ଏମିତି ଦେଖିବାକୁ ଗଲେ, ଜଷ୍ଟିସ୍ ଚାଣ୍ଡି ଥିଲେ ବ୍ରିଟିଶ ସାମ୍ରାଜ୍ୟର ପ୍ରଥମ ମହିଳା ବିଚାରପତିମାନଙ୍କ ମଧ୍ୟରେ ଅନ୍ୟତମ (ଜଷ୍ଟିସ୍ ଏମିଲି ମର୍ଫିଙ୍କ ପରେ)। ୧୯୬୭ ମସିହା, ଏପ୍ରିଲ ୫ ତାରିଖ ଦିନ ନିଜ ଅବସର ସମୟ ପର୍ଯ୍ୟନ୍ତ ସେ କେରଳ ହାଇକୋର୍ଟରେ ହିଁ କାର୍ଯ୍ୟ କରିଥିଲେ। ପରେ 'ଲ କମିଶନ୍ ଅଫ୍ ଇଣ୍ଡିଆ' ପାଇଁ ମଧ୍ୟ ସେ କାମ କରିଥିଲେ।

ଜଷ୍ଟିସ୍ ଏମ୍ ଫାତିମା:

ଗ୍ରାଜୁଏସନ୍ ପରେ ସେ ଚାହୁଁଥିଲେ କେମିଷ୍ଟ୍ରିରେ ଏମ୍ଏସ୍‌ସି କରିବେ। କିନ୍ତୁ ତାଙ୍କ ବାପାଙ୍କ ଇଚ୍ଛା ଥିଲା ଭିନ୍ନ ପ୍ରକାରର। ବାପା ଭାବୁଥିଲେ, ତାଙ୍କ ଝିଅ ଯଦି କେମିଷ୍ଟ୍ରିରେ ପିଜି କରେ ତା'ହେଲେ ଅତି ବେଶିରେ ଘର ପାଖ ତ୍ରିଭାନ୍ଦ୍ରମ(ଏବେ ଥିରୁଅନନ୍ତପୁରମ)ର କୌଣସି କଲେଜରେ ଶିକ୍ଷୟିତ୍ରୀ ଅବା ପ୍ରଫେସର ହେବେ। ହେଲେ ଆଇନରେ ଡିଗ୍ରୀ ହାସଲ କଲେ ଫାତିମା ଭବିଷ୍ୟତରେ ବହୁ ଆଗକୁ ଯାଇପାରିବେ।

ସେତେବେଳେ ଜଷ୍ଟିସ୍ ଅନ୍ନା ଚାଣ୍ଡି ଦେଶର ପ୍ରଥମ ମହିଳା ଜୁଡିସିଆଲ୍ ଅଫିସର ଭାବେ ଟ୍ରାଭାନକୋର ନିକଟରେ କାର୍ଯ୍ୟ କରୁଥାନ୍ତି। ଆଉ ତାଙ୍କ ସଫଳତା ହିଁ ଫାତିମାଙ୍କ ବାପାଙ୍କୁ ପ୍ରେରଣା ଯୋଗାଇଥିଲା, ନିଜ ଝିଅକୁ ବି ଆଇନ କ୍ଷେତ୍ରରେ ଛାଡ଼ିବା ପାଇଁ। ବାପାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଫାତିମା ଗଭର୍ଣ୍ଣମେଣ୍ଟ୍ କଲେଜ ଅଫ୍ ଲ, ତ୍ରିଭାନ୍ଦ୍ରମରେ ଯୋଗ ଦେଲେ।

ଘର-ପରିବାରଠୁ ଦୂରରେ ସହରକୁ ଯାଇ ପାଠ ପଢ଼ିବା ସେତେବେଳେ ଝିଅ ମାନଙ୍କ ପାଇଁ ସହଜ ନଥିଲା। କିନ୍ତୁ ତାଙ୍କ ବାପା ହିଁ ତାଙ୍କୁ ଶିକ୍ଷା କ୍ଷେତ୍ରରେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଥିଲେ। ଆଉ ଏହିଠାରୁ ହିଁ ଆରମ୍ଭ ହୋଇଥିଲା କେରଳର ଏକ ଛୋଟ ସହରରୁ ଆସିଥିବା ଝିଅ ଫାତିମାର ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଜଷ୍ଟିସ୍ ଏମ୍. ଫାତିମାରେ ପରିଣତ ହେବାର ଯାତ୍ରା।

ସ୍ୱାଧୀନତା ପୂର୍ବ ଭାରତର କେରଳ ଅନ୍ତର୍ଗତ ଟ୍ରାଭାନକୋରର ପତନମଥିଟ୍ଟା ଠାରେ ଏପ୍ରିଲ ୩୦ ତାରିଖ, ୧୯୨୭ ମସିହାରେ ଫାତିମାଙ୍କ ଜନ୍ମ ହୋଇଥିଲା। ଆରମ୍ଭରୁ ହିଁ ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ୧୯୪୩ରେ ମାଟ୍ରିକ ପାସ୍ କଲା ପରେ ସେ ୬ ବର୍ଷ ବିଜ୍ଞାନ ନେଇ ତ୍ରିଭାନ୍ଦ୍ରମ ଠାରେ ପାଠ ପଢିଥିଲେ। ଆଉ ଗ୍ରାଜୁଏସନ୍ ପରେ ଆଇନରେ ଶିକ୍ଷା ଆରମ୍ଭ କଲେ। ନିଜ କ୍ୟାରିୟରରେ ଜଷ୍ଟିସ୍ ଫାତିମା ଅର୍ଜନ କରିଥିଲେ ଅନେକ କ୍ଷେତ୍ରରେ ପ୍ରଥମ ହେବାର ଗୌରବ।

ତେବେ ତାଙ୍କ ଏଇ ଯାତ୍ରାର ମୂଳଦୁଆ ପଡ଼ିଥିଲା ୧୯୫୦ ମସିହାରେ। ଫାତିମା ସେଇ ବର୍ଷ ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିବା ସହ ଏଇ ପରୀକ୍ଷାରେ ପ୍ରଥମ ହେବାରେ ପ୍ରଥମ ମହିଳା ଥିଲେ। ତାଙ୍କୁ ଏଥିନିମନ୍ତେ ୧୯୪୯-୫୦ ମସିହା ପାଇଁ ବାର୍ କାଉନସିଲ୍ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଗଲା।

ବାସ୍ତବରେ ନଭେମ୍ବର ୧୪, ୧୯୫୦ରେ ଆରମ୍ଭ ହେଲା ଫାତିମାଙ୍କ କ୍ୟାରିୟର। ଏଇ ଦିନ ସେ ଜଣେ ଓକିଲ ଭାବେ କୋଲ୍ଲମର ଲୋୟର ଜୁଡିସିଆରୀରେ ଯୋଗ ଦେଇଥିଲେ। ସେତେବେଳେ କୋର୍ଟ ପରିସରରେ କେବଳ ପୁରୁଷ ଓକିଲମାନଙ୍କୁ ହିଁ ଦେଖିବାକୁ ମିଳୁଥିଲା କହିଲେ ଚଳେ। ତେଣୁ ଜଣେ ମହିଳା ଓକିଲ ଭାବେ ଫାତିମାଙ୍କୁ ଅନେକ ସମାଲୋଚନା ଓ ଭୃକୂଞ୍ଚନର ସାମ୍ନା କରିବାକୁ ପଡ଼ିଥିଲା।

ତେବେ ଏସବୁ ତାଙ୍କୁ ଅଟକାଇ ପାରି ନଥିଲା ଆଗକୁ ବଢ଼ିବାରେ। ୧୯୫୮ ମସିହାରେ କେରଳର ସବ୍‌ଅଡିନେଟ୍ ଜୁଡିସିଆଲ୍ ସର୍ଭିସ୍ ଅଧୀନରେ ଜଣେ ମୁନ୍‌ସିଫ୍ ଭାବେ ସେ ନିଯୁକ୍ତି ପାଇଲେ। ଆଉ ଏହାର ୧୦ ବର୍ଷ ପରେ, ଅର୍ଥାତ୍ ୧୯୬୮ ମସିହାରେ ସବ୍‌ଅଡିନେଟ୍ ଜଜ୍ ଭାବରେ ତାଙ୍କର ପଦୋନ୍ନତି ହେଲା। ତା' ପରେ ୧୯୭୨ରେ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍, ୧୯୭୪ରେ ଡିଷ୍ଟ୍ରିକ୍ଟ୍ ଆଣ୍ଡ୍ ସେସନ୍ସ ଜଜ୍ ଓ ୧୯୮୦ରେ ଇନ୍‌କମ୍ ଟ୍ୟାକ୍ସ ଅପିଲେଟ୍‌ର ନ୍ୟାୟିକ ସଭ୍ୟ(ଜୁଡିସିଆଲ୍ ମେମ୍ବର); ଏମିତି ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢି ଚାଲିଲେ।

ଏହାର ତିନି ବର୍ଷ ପରେ ୧୯୮୩ ମସିହାରେ ସେ କେରଳ ହାଇକୋର୍ଟର ଜଣେ ଜଜ୍‌ ଭାବରେ ନିଯୁକ୍ତି ପାଇଲେ। ପରେ ତାଙ୍କୁ କେରଳ ହାଇକୋର୍ଟର ଜଣେ ସ୍ଥାୟୀ ଜଜ୍ ଭାବେ ନିଯୁକ୍ତ କରାଗଲା। ସେଠାରୁ ୧୯୮୯ ମସିହାରେ ସେ ଅବସର ଗ୍ରହଣ କଲେ। କିନ୍ତୁ ପୁଣି ସେହିବର୍ଷ ଅକ୍ଟୋବରରେ ତାଙ୍କୁ ସୁପ୍ରିମକୋର୍ଟର ଜଜ୍ ଭାବେ ନିଯୁକ୍ତ କରାଗଲା। ଦେଶର ଉଚ୍ଚତମ ନ୍ୟାୟାଳୟର ପ୍ରଥମ ମହିଳା ଜଜ୍ ଭାବେ ନିଯୁକ୍ତ ହେବାର ମୁହୂର୍ତ୍ତ ସମ୍ପର୍କରେ ଜଷ୍ଟିସ୍ ଫାତିମାଙ୍କ କହିବା କଥା ହେଲା- "ସତେ ଯେମିତି ଦୀର୍ଘ କାଳରୁ ବନ୍ଦ ରହିଥିବା ଗୋଟେ ଦରଜାକୁ ଖୋଲିବାରେ ମୁଁ ସେଦିନ ସକ୍ଷମ ହୋଇଥିଲି।"

ଏଇ ନିଯୁକ୍ତି ସହ ସେ ପାଲଟି ଥିଲେ ଏସିଆ ମହାଦେଶ ଅନ୍ତର୍ଗତ କୌଣସି ଦେଶର ପ୍ରଥମ ସୁପ୍ରିମକୋର୍ଟ ଜଜ୍। ତା' ଛଡା ଭାରତ ଓ ଏସିଆର ପ୍ରଥମ ମୁସଲମାନ ମହିଳା ସୁପ୍ରିମକୋର୍ଟ ଜଜ୍ ମଧ୍ୟ। ସେ ଯେକୌଣସି କେସ୍‌ର ଶୁଣାଣି କରିବାର ଥିଲେ ସଦା ସର୍ବଦା ନିଜକୁ ସେଥିପାଇଁ ପୂର୍ଣ୍ଣ ରୂପେ ପ୍ରସ୍ତୁତ କରି ରଖିବା ସହ ଅତି ଦକ୍ଷତାର ସହ ନିଜ କାର୍ଯ୍ୟ ତୁଲାଉଥିଲେ।

ଏବେ ଅବଶ୍ୟ ବହୁ ସଂଖ୍ୟକ ମହିଳା ଦେଶର ଆଇନ କ୍ଷେତ୍ରରେ ପାଦ ଦେଲେଣି। ତଥାପି ସେମାନଙ୍କ ଅଂଶ ଗ୍ରହଣ ଏ ପର୍ଯ୍ୟନ୍ତ ଆଶାନୁରୂପ ହୋଇପାରି ନାହିଁ। କିନ୍ତୁ ଯେତେବେଳେ ଇଂଲିଶର 'ଗ୍ଲାସ୍ ସିଲିଂ' ଫ୍ରେଜ୍ ଲୋକପ୍ରିୟ ବି ହୋଇ ନ ଥିଲା ସେଭଳି ଏକ ସମୟରେ ଏଇ ଦୁଇ ମହିୟସୀ ମହିଳା ସବୁ ବାଧାବିଘ୍ନର ଗ୍ଲାସ୍ ସିଲିଂକୁ ଚୂରମାର କରିବାରେ ସଫଳ ହୋଇ ପାରିଥିଲେ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

ଭୁବନେଶ୍ୱର, ଇମେଲ୍: preetiprajnapradhan@gmail.com