• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

ସବୁଦିନେ ସନ୍ଦେହ। ସବୁଦିନେ ଝଗଡ଼ା। ସବୁଦିନ ସେଇ ଗୋଟିଏ କଥାର ପୁନରାବୃତ୍ତି। ଅଣନିଃଶ୍ୱାସୀ ହୋଇପଡ଼େ ମନୀଷା। ବାହାଘରର ୫ ବର୍ଷ ପରେ ବି ତାକୁ ଏଯାଏ ବିଶ୍ୱାସ କରେନି ସଞ୍ଜୟ। ତାକୁ ଲାଗେ, ମନୀଷା ଚାକିରୀ କରିବା ନାଁରେ ବାହାରକୁ ଯାଇ ଅନ୍ୟ ପୁରୁଷ ବନ୍ଧୁଙ୍କ ସହ ମିଶେ। ସେମାନଙ୍କ ସହ ବୁଲାବୁଲି ଓ ପାର୍ଟି କରି, ବାହାରେ ଖାଇପିଇ, ମଉଜମସ୍ତି କରେ ଆଉ ସ୍ୱାମୀ ହିସାବରେ ତାକୁ ଯେତିକି ଗୁରୁତ୍ୱ ଦେବା କଥା ଦିଏନି।

ମନୀଷା ଏନେଇ ବାରମ୍ବାର ସଞ୍ଜୟକୁ ବୁଝାଇବାକୁ ଚେଷ୍ଟା କରେ ଯେ, ବାସ୍ତବରେ ତା' ପାଖରେ ଏଭଳି କରିବାର ସମୟ କି ସୁଯୋଗ ମଧ୍ୟ ନଥାଏ। ବରଂ ସକାଳୁ ତରତରରେ ଘରକାମ ସବୁ ସାରି ଅଫିସ୍ ବାହାରିବା ବେଳକୁ ଅନେକ ସମୟରେ ନିଜେ ଭଲରେ ଖାଇବାକୁ ବି ତାକୁ ସମୟ ମିଳେନି।

ସେପଟେ ଅଫିସ୍‌ରେ ଟିକେ ଡେରିରେ ପହଞ୍ଚିଲେ ଗାଳିଠୁ ଆରମ୍ଭ କରି ବିଭିନ୍ନ କମେଣ୍ଟ୍। ପୁଣି ଅଫିସ୍ କାମର ଚାପ ସାଙ୍ଗକୁ ଡ୍ୟୁଟି ଟାଇମ୍ ସରୁ ସରୁ ଘରେ ପହଞ୍ଚିବାର ଜଲ୍‌ଦି। ହେଲେ କିଛି ବି ବୁଝେନା ସଞ୍ଜୟ। ଓଲଟା ସ୍ତ୍ରୀ ବିରୋଧରେ ତା' ଅଭିଯୋଗର ଲିଷ୍ଟ୍‌ ଲମ୍ବା ହୋଇଚାଲେ। ଆଉ କେବେ କେବେ କଥା ଝଗଡ଼ାକୁ ଟପି ମନୀଷା ଉପରେ ସଞ୍ଜୟର ହାତ ଉଠାଇବା ଯାଏ ପହଞ୍ଚି ଯାଏ। କିନ୍ତୁ ସବୁ ପରେ ବି ମନୀଷା ଚାକିରୀ ଛାଡ଼ି ଦେଉ ବୋଲି ସଞ୍ଜୟ ଚାହେଁନି। ଏସବୁ ନେଇ ଅତିଷ୍ଠ ମନୀଷାର ବହୁ ସମୟରେ ଇଚ୍ଛା ହୁଏ, ସବୁ କିଛି ଛାଡିଛୁଡି ଦେଇ କୁଆଡେ ଗୋଟେ ପଳାଇବ। ନ ହେଲେ ଆତ୍ମହତ୍ୟା କରିଦେବ।

ତେବେ ସବୁଥର ତା'ର ପଥରୋଧ କରେ ଝିଅ ଆନାର କୁନି-ନିଷ୍ପାପ ମୁହଁ। ଶେଷରେ ଅବଶ୍ୟ ମାନସିକ ଅବସାଦର ଶିକାର ମନୀଷା ବନ୍ଧୁମାନଙ୍କ ସହାୟତାରେ ସଞ୍ଜୟ ଠାରୁ ଛାଡ଼ପତ୍ର ପାଇବା ସମ୍ଭବ ହୋଇଥିଲା। ହେଲେ ବହୁ ଭାରତୀୟ ଗୃହିଣୀଙ୍କ କ୍ଷେତ୍ରରେ ଏଭଳି କରିବା ସମ୍ଭବ ହୁଏ ନାହିଁ ଓ ସେମାନଙ୍କ ମଧ୍ୟରୁ ଅନେକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ପଛାନ୍ତି ନାହିଁ।

ନ୍ୟାସ୍‌ନାଲ୍‌ କ୍ରାଇମ୍ ରେକର୍ଡସ ବ୍ୟୁରୋ ପ୍ରଦତ୍ତ ପରିସଂଖ୍ୟାନ ଅନୁଯାୟୀ, ୨୦୨୦ ମସିହାରେ ଦେଶରେ ମୋଟ ୨୨,୩୭୨ ଜଣ ଗୃହିଣୀ ଆତ୍ମହତ୍ୟା କରିଥିଲେ। ଅର୍ଥାତ୍ ଆନୁପାତିକ ଭାବେ ଦେଶରେ ଗୃହିଣୀଙ୍କ ଆତ୍ମହତ୍ୟା ହାର ଥିଲା, ଦିନକୁ ୬୧ ଜଣ ଓ ପ୍ରତି ୨୫ ମିନିଟ୍‌ରେ ଜଣେ। ସେହିବର୍ଷ ଭାରତରେ ଆତ୍ମହତ୍ୟା କରିଥିବା ମୋଟ ୧,୫୩,୦୫୨ ଜଣଙ୍କ ମଧ୍ୟରୁ ୧୪.୬% ଥିଲେ ଗୃହିଣୀ। ତେବେ ଗତ ବର୍ଷଗୁଡ଼ିକ ସହ ତୁଳନା କଲେ ଏଇ ପରିସଂଖ୍ୟାନ ଅନ୍ୟ ବର୍ଷମାନଙ୍କଠାରୁ କିଛି ବ୍ୟତିକ୍ରମ ନଥିଲା। କାରଣ ନିୟମିତ ଭାବେ ଗତ ୨୦ବର୍ଷ ଧରି ଭାରତରେ ଆତ୍ମହତ୍ୟା କରୁଥିବା ମୋଟ ଲୋକଙ୍କ ମଧ୍ୟରୁ ଗୃହିଣୀଙ୍କ ସଂଖ୍ୟା ଅନ୍ତତଃ ଏକ ପଞ୍ଚମାଂଶ ପାଖାପାଖି ରହି ଆସୁଥିବା ଦେଖାଯାଇଛି।

ସେହିପରି ଆତ୍ମହତ୍ୟା କରୁଥିବା ମହିଳାମାନଙ୍କ ମଧ୍ୟରୁ ଅତି କମରେ ୫୦ ପ୍ରତିଶତ (ବାସ୍ତବରେ ଅଧିକ) ହେଉଛନ୍ତି ଗୃହିଣୀ। ଗବେଷଣା କହେ, ଭାରତୀୟ ମହିଳାମାନଙ୍କ ଆତ୍ମହତ୍ୟାଜନୀତ ମୃତ୍ୟୁ କଥାକୁ ଯଦି ବିଚାରକୁ ନିଆଯାଏ, ତେବେ ଜଣା ପଡ଼ିଛି ଯେ, ଜଣେ ମହିଳା ଯଦି ଗୃହିଣୀ ହୋଇଥାନ୍ତି ତେବେ ତାଙ୍କ କ୍ଷେତ୍ରରେ ଆତ୍ମହତ୍ୟା ପ୍ରବଣତା ୨୦୦ ପ୍ରତିଶତ ବୃଦ୍ଧି ପାଇଥାଏ।

୧୯୯୭ ମସିହାରୁ, ଯେବେ ପ୍ରଥମ ଥର ପାଇଁ ନ୍ୟାସ୍‌ନାଲ୍‌ କ୍ରାଇମ୍ ରେକର୍ଡସ ବ୍ୟୁରୋ ବୃତ୍ତି ଭିତ୍ତିରେ ଆତ୍ମହତ୍ୟା ସଂପର୍କିତ ତଥ୍ୟ ରେକର୍ଡ କରିବା ଆରମ୍ଭ କଲା, ଦେଖାଯାଉଛି ଯେ, ପ୍ରତି ବର୍ଷ ପ୍ରାୟ ୨୦,୦୦୦ ଗୃହିଣୀ ଆତ୍ମହତ୍ୟା କରୁଛନ୍ତି। ୨୦୦୯ରେ ଏଇ ସଂଖ୍ୟା ୨୫,୦୦୦ ଟପି ଯାଇଥିଲା।

ତେବେ କାହିଁକି ଏମିତି ହଜାର ହଜାର ସଂଖ୍ୟାରେ ଭାରତୀୟ ଗୃହିଣୀ ଆତ୍ମହତ୍ୟା କରିବାକୁ ଆଦୌ ପଛାନ୍ତି ନାହିଁ? ବିଶେଷଜ୍ଞଙ୍କ ମତରେ ଏଥିପାଇଁ ମାନସିକ, ଶାରୀରିକ ଓ ସାମାଜିକ ସବୁ ପ୍ରକାରର କାରଣ ଦାୟୀ ଏବଂ ଏହି ସମସ୍ତ କାରଣ ପରସ୍ପର ସହ ଗଭୀର ଭାବେ ସମ୍ପର୍କିତ।

ମାନସିକ ଓ ଶାରୀରିକ କାରଣ:

ସାଧାରଣତଃ ମହିଳାମାନେ ପୁରୁଷମାନଙ୍କ ତୁଳନାରେ ଅଧିକ ଅବସାଦଗ୍ରସ୍ତ ହୋଇଥାନ୍ତି। ଆଉ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ମାନସିକ ଅବସାଦ ଜଣଙ୍କୁ ଅଧିକ ଆତ୍ମହତ୍ୟା ପ୍ରବଣ କରାଇଥାଏ। ମାସିକ ଋତୁସ୍ରାବ ଓ ଗର୍ଭଧାରଣ ସମୟରେ ମହିଳାମାନଙ୍କ ଶରୀରରେ ଘଟୁଥିବା ବିଭିନ୍ନ ହର୍‌ମୋନ୍‌ଜନୀତ ପରିବର୍ତ୍ତନ ଓ ଅସନ୍ତୁଳନ ଏବଂ ପିଲା ଜନ୍ମ ପରେ ନାରୀ ଶରୀରରେ ଘଟୁଥିବା ହରମୋନ୍‌ଗତ ପରିବର୍ତ୍ତନ ତଥା ହଠାତ ବହୁ ଦାୟିତ୍ଵ ଓ କାମର ପରିମାଣ ବଢ଼ିଯିବା ଜଣେ ଗୃହିଣୀଙ୍କୁ ମାନସିକ ସ୍ତରରେ ଚାପଗ୍ରସ୍ତ କରିଥାଏ।

ଏହା ଛଡ଼ା ଅର୍ଥନୈତିକ ସ୍ୱାଧୀନତା ତଥା ସାମାଜିକ ସହଭାଗିତା ଓ ସହଯୋଗର ଅଭାବ ମଧ୍ୟ ମହିଳାମାନଙ୍କୁ ଅବସାଦର ଶିକାର କରାଇଥାଏ। ଜଣେ ଗୃହିଣୀଙ୍କୁ ଘର ଚଳାଇବା କ୍ଷେତ୍ରରେ ଅନେକ ଗୁରୁଦାୟିତ୍ଵ ତୁଲାଇବା ସହ ସ୍ତ୍ରୀ, ବୋହୂ ଓ ମା' ଭଳି ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ିଥାଏ। ଅଥଚ ସେମାନଙ୍କ ଏଇ କାମ ଓ ପରିଶ୍ରମକୁ ଅନେକ ସମୟରେ ଆଦୌ ଗୁରୁତ୍ୱ ଦିଆନଯାଇ ଅଣଦେଖା କରିଦିଆଯାଏ। ଆଉ ଏହା ସେମାନଙ୍କୁ ମାନସିକ ଆଘାତ ଦେଇଥାଏ। ବୟସ୍କ ମହିଳାମାନଙ୍କ କ୍ଷେତ୍ରରେ ପିଲାମାନେ ବଡ଼ ହୋଇ ବାହାରକୁ ଚାଲି ଗଲା ପରେ 'ଏମ୍ପ୍ଟି ନେଷ୍ଟ୍ ସିଣ୍ଡ୍ରୋମ୍‌' ମଧ୍ୟ ଦେଖାଯାଏ। ପିଲାଙ୍କ ପାଖରେ ଅଲୋଡ଼ା ହୋଇ ପଡ଼ିବାର ଅନୁଭବ ଜଣେ ଗୃହିଣୀଙ୍କୁ ଡିପ୍ରେସନ୍‌ ଗ୍ରସ୍ତ କରାଇଥାଏ।

ସାମାଜିକ କାରଣ:

୧. ଘରୋଇ ହିଂସା: ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଘରୋଇ ହିଂସାର ବହୁଳ ପ୍ରଚଳନ ଆତ୍ମହତ୍ୟାର ଏକ ପ୍ରମୁଖ କାରଣ ହୋଇଥାଏ। ଏକ ସରକାରୀ ସର୍ବେକ୍ଷଣ ଅନୁସାରେ, ଦେଶର ପ୍ରାୟ ୩୦% ଗୃହିଣୀ ସେମାନଙ୍କ ସ୍ଵାମୀଙ୍କ ଦ୍ଵାରା ପ୍ରତାଡନାର ଶିକାର ହୋଇଥାନ୍ତି। ଆଉ ୨୦୧୨ର ଏକ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ଯେଉଁ ଗୃହିଣୀମାନେ ଘରୋଇ ହିଂସାର ଶିକାର ହୁଅନ୍ତି, ସେମାନଙ୍କ ଠାରେ ଆତ୍ମହତ୍ୟା ପ୍ରବଣତା ପ୍ରାୟ ୩% ବୃଦ୍ଧି ପାଇଥାଏ।

କରୋନା ମହାମାରୀ କାଳରେ ଘରୋଇ ହିଂସାର ପରିମାଣ ବହୁ ମାତ୍ରାରେ ବୃଦ୍ଧି ପାଇବା ମଧ୍ୟ ପରିଲକ୍ଷିତ ହୋଇଛି। ମନସ୍ତତ୍ତ୍ଵବିତ୍ ଚୈତାଳି ସିହ୍ନା କୁହନ୍ତି, ଘରୋଇ ହିଂସାର ଶିକାର ଅନେକ ମହିଳା ନିଜ ମାନସିକ ସ୍ଥିତିକୁ ନେଇ କୌଣସି ପ୍ରଫେସନାଲ୍‌ ହେଲ୍ପ ପାଇପାରନ୍ତି ନାହିଁ। ଏମାନଙ୍କୁ ବଞ୍ଚାଇ ଦିଏ କେବଳ ଏମାନେ ନିଜ ପଡିଶା ତଥା ଆଖପାଖ ମହିଳାମାନଙ୍କ ସହ ହେଉଥିବା ସୁଖଦୁଃଖ।

୨. ଯୌତୁକ: ତୁଳନା କରି ଦେଖାଯାଇଛି ଯେ, ୧୯୨୦ କିମ୍ବା ୧୯୩୦ ମସିହା ବେଳକୁ ଭାରତରେ ଯୌତୁକ ପ୍ରଥା ଯେତିକି ଲୋକପ୍ରିୟ ଥିଲା, ତା' ତୁଳନାରେ ଏବେ ଏହା ଅଧିକ ଲୋକପ୍ରିୟ ତଥା ପ୍ରଚଳିତ ହେବାରେ ଲାଗିଛି। ୧୯୩୦ ମସିହା ପୂର୍ବରୁ ୪୦ ପ୍ରତିଶତ କିମ୍ବା ତା'ଠୁ କମ୍ ବିବାହରେ ଯୌତୁକ ବ୍ୟବହାର ହେଉଥିବା ବେଳେ ୨୦୦୦ ମସିହା ପରଠାରୁ ତାହା ୯୦ ପ୍ରତିଶତରେ ପହଞ୍ଚିଯାଇଛି।

ଆଗେ ମୁଖ୍ୟତଃ ଝିଅଟିଏ ବିବାହ କରିବା ସମୟରେ ତା' ସଂସାରର ମୂଳଦୁଆ ପକାଇବା ପାଇଁ ତା'ର ବାପାମାଆ କେତେକ ଘରକରଣା ସାମଗ୍ରୀ ଓ କିଛି ଧନ ଉପହାର ବା 'ସ୍ତ୍ରୀ ଧନ' ସ୍ୱରୂପ ଦେଉଥିଲେ। ଧୀରେ ଧୀରେ କିନ୍ତୁ ଯୌତୁକ ପ୍ରଥା ବହୁ ପ୍ରଚଳିତ ତଥା ଅଧିକାଂଶ କ୍ଷେତ୍ରରେ ବାଧ୍ୟତାମୂଳକ ହେବାରେ ଲାଗିଲା ଓ ଝିଅର ବାପା-ମା'ଙ୍କ ଉପରେ ଏହା ଏକ ବୋଝ ପାଲଟିଗଲା। ଦେଖାଯାଏ ଯେ, ଅଧିକାଂଶ କ୍ଷେତ୍ରରେ ପୁଅ ଘର ଲୋକେ ହିଁ ଝିଅ ଘରୁ ଆସିଥିବା ଯୌତୁକ ସମଗ୍ରୀକୁ ରଖିନିଅନ୍ତି। ଆଉ ସମସ୍ୟା ସେଇଠି ସୃଷ୍ଟି ହୁଏ ଯେଉଁଠାରେ ପୁଅ ଓ ପୁଅର ବାପା-ମାଙ୍କୁ ଝିଅ ଘରୁ ଆସିଥିବା ଯୌତୁକ ପସନ୍ଦ ଆସେ ନାହିଁ।

ଏଭଳି ଅନେକ କ୍ଷେତ୍ରରେ ଝିଅଟିକୁ ଯୌତୁକକୁ ନେଇ ଉଲୁଗୁଣା ଓ ଗାଳିଗୁଲଜ ଦିଆଯିବା ସହ ବିଭିନ୍ନ ପ୍ରକାରର ମାନସିକ ତଥା ଶାରିରୀକ ନିର୍ଯାତନା ମଧ୍ୟ ଦିଆଯାଏ। ପୁଣି ଅଧିକାଂଶ କ୍ଷେତ୍ରରେ ଝିଅଟି ଯଦି ଅତ୍ୟାଚାର ସହି ନ ପାରି ଶାଶୂ ଘରୁ ଚାଲି ଆସିବାକୁ ଚାହେଁ ତେବେ ତାକୁ ବାପଘର ତରଫରୁ ଯଥେଷ୍ଟ ସମର୍ଥନ ମଧ୍ୟ ମିଳେ ନାହିଁ। ଫଳରେ ବହୁ ଝିଅ ଆତ୍ମହତ୍ୟା ଭଳି ରାସ୍ତା ବାଛି ନେଇଥାନ୍ତି।

ନାରୀ ଅଧିକାର ସମ୍ବନ୍ଧୀୟ ଏକ ସ୍ୱେଛାସେବୀ ଅନୁଷ୍ଠାନର ସଦସ୍ୟ ଡୋନା ଫର୍ଣ୍ଣାଣ୍ଡିଜ୍ କହନ୍ତି, ଆତ୍ମହତ୍ୟା କରୁଥିବା ଗୃହିଣୀଙ୍କ ମଧ୍ୟରୁ ଅନ୍ତତଃ ୫୦ ପ୍ରତିଶତ ଯୌତୁକ କାରଣରୁ ମୃତ୍ୟୁବରଣ କରିଥାନ୍ତି। ତେବେ ଏନେଇ ବହୁ ସମୟରେ ଆଦୌ କୌଣସି ରିପୋର୍ଟ ହିଁ କରାଯାଏ ନାହିଁ। କାରଣ ଯୌତୁକ ନେବା ପରି ଯୌତୁକ ଦେବା ମଧ୍ୟ ଏକ ଅପରାଧ ଓ ଏଇ ଅପରାଧରେ ଝିଅ ଘର ଲୋକେ ସାମିଲ ଥାଆନ୍ତି।

୩. ଆର୍ଥିକ ଦୃଷ୍ଟିରୁ ନିର୍ଭରଶୀଳତା: ସରକାରଙ୍କ ଦ୍ୱାରା କରାଯାଇଥିବା ୬୮ତମ ଏନ୍ଏସ୍ଏସ୍ଓ ସର୍ଭେ ରିପୋର୍ଟ ଅନୁଯାୟୀ, ପ୍ରାୟ ୬୪ ପ୍ରତିଶତ ମହିଳା ସମସ୍ତ ଘରକାମ କରିବାକୁ ବାଧ୍ୟ ହୋଇଥାନ୍ତି, କାରଣ ଘରର ଅନ୍ୟ କେହି ସେସବୁ କରନ୍ତି ନାହିଁ। ପ୍ରତିଦିନ ଜଣେ ଗୃହିଣୀ ବିନା କୌଣସି ଦରମା ଓ ଆର୍ଥିକ ସହାୟତାରେ ଅନ୍ତତଃ ୫ଘଣ୍ଟା ସମୟ କେବଳ ବିଭିନ୍ନ ଘରକାମରେ ଦେଉଥିବା ବେଳେ ୨.୫ ଘଣ୍ଟା ସମୟ ପରିବାର ସଦସ୍ୟମାନଙ୍କ ଯତ୍ନରେ ଖର୍ଚ୍ଚ କରିଥାନ୍ତି। କିନ୍ତୁ ଏସବୁ କାମ ପାଇଁ ଜଣେ ପୁରୁଷ ଦେଇଥାନ୍ତି ମାତ୍ର ୧.୫ ଘଣ୍ଟା ସମୟ। ଫଳରେ ବହୁ ମହିଳା କେବଳ ଘରକାମ ଛଡ଼ା ଅନ୍ୟ ବାହାର କାମ କରି ପାରନ୍ତି ନାହିଁ (ଅନେକ ସମୟରେ ଗୃହିଣୀମାନଙ୍କୁ ଚାକିରୀ କରିବାକୁ ଅନୁମତି ବି ମିଳେ ନାହିଁ)।

ନିଜର କୌଣସି ରୋଜଗାର ନ ଥିବାରୁ ମହିଳାମାନେ ପରିବାରର ଅନ୍ୟମାନଙ୍କ ଉପରେ ଆର୍ଥିକ ଦୃଷ୍ଟିରୁ ନିର୍ଭରଶୀଳ ହୋଇପଡନ୍ତି ଏବଂ ପରିବାର ମଧ୍ୟରେ ସେମାନଙ୍କର ନିଷ୍ପତ୍ତି ନେବା କ୍ଷମତା ରହେ ନାହିଁ। ସମୟ ଅଭାବରୁ ସେମାନେ ନିଜର ଯତ୍ନ ମଧ୍ୟ ନେଇପାରନ୍ତି ନାହିଁ ଓ ମାନସିକ ଅବସାଦର ଶିକାର ହୋଇଥାନ୍ତି। କିନ୍ତୁ ସେମାନଙ୍କୁ ଏକା ଏକା ସାମ୍ନା କରିବାକୁ ପଡ଼ିଥାଏ ଏହି ସମସ୍ୟାର।

କ୍ଲିନିକାଲ୍ ସାଇକୋଲୋଜିଷ୍ଟ୍ ଉଷା ବର୍ମା ଶ୍ରୀବାସ୍ତବା କୁହନ୍ତି, ମହିଳାମାନେ ମୂଳରୁ ହିଁ ଅତ୍ୟନ୍ତ କଷ୍ଟସହିଷ୍ଣୁ ହୋଇଥାନ୍ତି। ତେବେ ସହିବାର ବି ଏକ ସୀମା ଥାଏ। ଆଉ ଏହି ସୀମା ଟପିଲେ ଗୃହିଣୀଟିଏ ନିଜକୁ ଅତି ଅସହାୟ ମଣିଥାଏ।

ତେବେ କେତୋଟି ଛୋଟ ଛୋଟ ପଦକ୍ଷେପ ବହୁ ଭାରତୀୟ ଗୃହିଣୀଙ୍କ ଜୀବନ ରକ୍ଷାରେ ସହାୟକ ହୋଇପାରିବ। ପ୍ରଥମେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ମହିଳାମାନଙ୍କ ମାନସିକ ସ୍ଵାସ୍ଥ୍ୟର ବିକାଶ ଦିଗରେ କାର୍ଯ୍ୟ କରାଯିବା ଆବଶ୍ୟକ (ଚିକିତ୍ସା ସୁବିଧା ଉପଲବ୍ଧ କରାଇବା)। ତା' ଛଡ଼ା ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ମହିଳାମାନଙ୍କ ପ୍ରତି ଥିବା ମାନସିକତାରେ ପରିବର୍ତ୍ତନ ଆଣିବା ଦିଗରେ ସଚେତନତା ବୃଦ୍ଧି ତଥା ମହିଳାମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ରୋଜଗାରର ମାଧ୍ୟମ ଯୋଗାଇ ଦେବା ହିଁ ଏ ଦିଗରେ ସହାୟକ ହୋଇପାରିବ।