Pramod Behera

ଏଇ ଗତ ରବିବାର ଯାଇଛି ମଦର୍ସ ଡେ ସେଲିବ୍ରେସନ୍। ଫଟୋ, ଲେଖା, କବିତା- ଗପ, ଚିତ୍ର, ମ୍ୟୁଜିକ ଭିଡିଓ କେତେ କ'ଣ ରିଲିଜ୍‌ ହୋଇଛି ଏହି ଅବସରରେ। ମାଳମାଳ ଶୁଭେଚ୍ଛା ଆଉ ପ୍ରଶ°ସା ମା' ପାଇଁ, ମାତୃତ୍ୱ ପାଇଁ। ସମସ୍ତେ ଦେଖେଇବାକୁ ଚେଷ୍ଟା କରିଛନ୍ତି କେତେ କଷ୍ଟ, ବଳିଦାନ ଓ ସମୟ ଦେଇ ଗୋଟିଏ ମା' ତିଆରି କରେ ତା' ଛୁଆକୁ ଆଉ କ'ଣ ପାଇଁ ତା' ମାତୃତ୍ୱ ପାଇଁ ଖାସ୍ ଗୋଟିଏ ଦିନ ଉତ୍ସର୍ଗ ହେବା କଥା। ହେଲେ ମା' ହେବା ପରେ ଓ ବୟସ ବଢିବା ସହ ସେମାନଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ।

ଆଜିର ସ୍ୱାସ୍ଥ୍ୟ ଆଲୋଚନା ସେଇ ମା'ମାନଙ୍କ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ।

୧. ମେଦବହୁଳତା :

ସାଧାରଣତଃ ଜଣେ ମଣିଷ, ସେ ପୁରୁଷ ହେଉ କି ମହିଳା, ୩୦ବର୍ଷ ବୟସ ପରେ ଓଜନ ବଢିବା ବା ମୋଟା ହେବା ଦେଖାଯାଏ। ୫୫ ବର୍ଷ ବେଳକୁ ସାଧାରଣତଃ ପୁରୁଷମାନଙ୍କ କ୍ଷେତ୍ରରେ ଏଥିରେ ଏକ ପ୍ରକାର ସ୍ଥିରତା ଆସିଯାଏ, କିନ୍ତୁ ମହିଳାମାନଙ୍କ କ୍ଷେତ୍ରରେ ପ୍ରାୟତଃ ୬୫ବର୍ଷ ବୟସ ପର୍ଯ୍ୟନ୍ତ ଓଜନ ବୃଦ୍ଧି ଘଟେ। ପ୍ୟୁବର୍ଟି ପରଠାରୁ ମହିଳାମାନଙ୍କ ଜଙ୍ଘ ଓ ପୃଷ୍ଠଭାଗରେ ଚର୍ବି ବା ଓଜନ ବଢିଥାଏ। କିନ୍ତୁ ମେନୋପଜ୍ ପରେ ପେଟ ଓ ଅଣ୍ଟା ପାଖରେ ଅସ୍ୱାସ୍ଥ୍ୟକର ଚର୍ବି ଜମାହୁଏ ବା ବଢେ, ଯାହାକି ମଧୁମେହ ଓ ହୃଦଘାତର ଆଶଙ୍କା ବଢ଼ାଇ ଦିଏ।

ଏହାଛଡା ଅନେକ ସମୟରେ ଏ ପ୍ରକାର ମେଦବହୁଳତା ଅନେକ ସମୟରେ ଦାମ୍ପତ୍ୟ କଳହ ଓ ବିବାହ ବିଚ୍ଛେଦର କାରଣ ମଧ୍ୟ ହୋଇଥାଏ। ଏହା ପାଇଁ ନିୟମିତ ବ୍ୟାୟାମ ଓ ସୁସ୍ଥ ଭୋଜନ/ ଖାଦ୍ୟ ହିଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ୨୫ - ୩୦ବର୍ଷ ବୟସ ମଧ୍ୟରେ ନିଜ ଦୈନନ୍ଦିନ ଜୀବନରେ ବ୍ୟାୟାମକୁ ସାମିଲ କରିବା ଜରୁରୀ ଏବଂ ୩୦ -୩୫ ବର୍ଷ ବେଳକୁ ନିଜକୁ ଜଙ୍କ୍‌ଫୁଡ୍, ଫାଷ୍ଟ୍‌ଫୁଡରୁ ଦୂରେଇବା ଆରମ୍ଭ କରନ୍ତୁ।

୨. ଅସ୍ଥିର ଯତ୍ନ:

ପ୍ରାୟତଃ ପ୍ୟୁବର୍ଟି (ଯୌବନାବସ୍ଥା) ଠୁ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ମହିଳାମାନଙ୍କର ଅସ୍ଥିର ଘନତ୍ୱ ବୃଦ୍ଧି ପାଏ। ସୁସ୍ଥ - ସନ୍ତୁଳିତ ଭିଟାମିନ୍‌ ଡି ଓ କ୍ୟାଲ୍‌ସିୟମ୍‌ ଯୁକ୍ତ ଆହାର ସହ ନିୟମିତ ବ୍ୟାୟାମ ଏଥିରେ ଆଉ ଟିକେ ସାହାଯ୍ୟ କରେ। କିନ୍ତୁ ହର୍‌ମୋନ୍ ସ୍ତରରେ ପରିବର୍ତ୍ତନ ବା ହ୍ରାସ କାରଣରୁ ୩୫ବର୍ଷ ପରେ ଅସ୍ଥିଗୁଡିକ ଧୀରେଧୀରେ ଘନତ୍ୱ ହରାଇବା ଆରମ୍ଭ କରନ୍ତି। ଏବଂ ମେନୋପଜ୍ ପରେ ଏହି ପ୍ରକ୍ରିୟା ଆହୁରି ତ୍ୱାରାନ୍ୱିତ ହୋଇଥାଏ। ନ୍ୟାସ୍‌ନାଲ୍‌ ଅଷ୍ଟିଓପୋରୋସିସ୍ ଫାଉଣ୍ଡେସନ୍ ଓ ଅନେକ ବିଶେଷଜ୍ଞଙ୍କ ମତରେ ମେନୋପଜ୍ ପରେ, ୫୦ ବର୍ଷ ବେଳକୁ ପ୍ରତ୍ୟେକ ମହିଳା ଅତିକମରେ ଥରେ ବୋନ୍ ଡେନ୍ସିଟି ସ୍କାନ୍‌ କରାଇ ନେବା ଭଲ। କାରଣ ୬୫ବର୍ଷ ବେଳକୁ ମହିଳାମାନଙ୍କ କ୍ଷେତ୍ରରେ ପାଥୋଲୋଜିକାଲ୍ ଫ୍ରାକଚରର ଆଶଙ୍କା ୫୦% ବଢିଯାଇ ଥାଏ।

୩. ହୃଦୟର ଯତ୍ନ:

ଇଷ୍ଟ୍ରୋଜେନ୍ ହରମୋନ୍ ରକ୍ତବାହି ନଳୀ ବା ଧମନୀଗୁଡିକର ୱାଲ୍‌କୁ ନମନୀୟ ରଖିବା ସହ ଖରାପ କୋଲେଷ୍ଟ୍ରଲ୍‌ (LDL) ସ୍ତରକୁ ନିୟନ୍ତ୍ରଣରେ ଓ ଭଲ କୋଲେଷ୍ଟ୍ରଲ୍‌ (HDL) ସ୍ତର ବଢ଼ିବାରେ ସାହାଯ୍ୟ କରେ। ଏହି ହର୍‌ମୋନ୍ ପେଟ ଓ ଅଣ୍ଟା ଚାରିକଡେ ଚର୍ବି ଜମାହେବାକୁ ମଧ୍ୟ ରୋକେ। ମେନୋପଜ୍ ପରେ ଇଷ୍ଟ୍ରୋଜେନ୍ ସ୍ତର ହ୍ରାସ ହେଉଥିବା କାରଣରୁ ମହିଳାମାନଙ୍କ ଠାରେ ହୃଦଘାତର ଆଶଙ୍କା ଦୁଇରୁ ତିନିଗୁଣ ବଢିଯାଏ।

୪୦ -୬୦ ବର୍ଷ ବୟସର ପ୍ରାୟ ୭୫% ମହିଳାଙ୍କର କରୋନାରୀ ହାର୍ଟ ଡିଜିଜ୍ ବା ହୃଦଘାତର ଆଶଙ୍କା ଥାଏ। କିନ୍ତୁ ଯେଉଁ ମହିଳାମାନେ ନିୟମିତ ବ୍ୟାୟାମ କରନ୍ତି, ସୁସ୍ଥ-ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତି, ଧୂମପାନ ଓ ମଦ୍ୟପାନରୁ ଦୂରେଇ ରୁହନ୍ତି ସେମାନଙ୍କଠାରେ ହୃଦ୍‌ଘାତ/ ହୃଦ୍‌ରୋଗର ଆଶଙ୍କା ୮୦% କମ୍ ରହିଥାଏ। ଯଦି ଆପଣଙ୍କ ପରିବାରରେ (ବାପା-ମା'- ମାମୁ- ମାଉସୀ- ପିୟୁସୀ- ଦାଦା) ମଧୁମେହ, ଉଚ୍ଚରକ୍ତଚାପ, ହୃଦ୍‌ରୋଗର ହିଷ୍ଟ୍ରି ରହିଛି, ତେବେ ୩୫ବର୍ଷ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଥରେ ନିଜର ଲିପିଡ୍ ଓ କାର୍ଡିଆକ୍ ସ୍କ୍ରିନି° କରାଇ ନିଅନ୍ତୁ।

୪. ବକ୍ଷୋଜର ଯତ୍ନ:

ପ୍ୟୁବର୍ଟି (ଯୌବନାବସ୍ଥା ପ୍ରାପ୍ତି), ଗର୍ଭାବସ୍ଥା, ପ୍ରସୂତୀ, ସ୍ତନ୍ୟପାନ ଏସବୁ ଅବସ୍ଥା ଜଣେ ମହିଳାର ସ୍ତନ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ, ପରିବର୍ତ୍ତନ ଆଣେ। ଏମିତିକି ମାସିକ ଋତୁସ୍ରାବ ମଧ୍ୟ ଅନେକ ସମୟରେ ସାମୟିକ ଓ ଅସ୍ଥାୟୀ ପ୍ରଭାବ ପକାଇଥାଏ। ପୁଣି ମେନୋପଜ୍ ପରେ ଇଷ୍ଟ୍ରୋଜେନ୍ ସ୍ତର କମିବା କାରଣରୁ ସ୍ତନର ଆକାର କମିଯାଏ, fullness ଏବଂ elasticity କମିଯିବା କାରଣରୁ 'ସାଗିଙ୍ଗ୍' ଦେଖାଯାଏ, ତଥା ସ୍ତନ କର୍କଟର ଆଶଙ୍କା ମଧ୍ୟ ବଢିଯାଏ।

ଜଣେ ୩୦ବର୍ଷ ମହିଳାଙ୍କ ଠାରେ ତାଙ୍କ ଜୀବନର ଆସନ୍ତା ୧୦ ବର୍ଷ ମଧ୍ୟରେ ସ୍ତନ କର୍କଟ ହେବାର ସମ୍ଭାବନା ପ୍ରତି ୨୨୭ ରେ ୧ ହୋଇଥିବା ବେଳେ ଜଣେ ୬୦ ବର୍ଷ ବୟସ୍କ ମହିଳାଙ୍କ ଠାରେ ଏହା ପ୍ରତି ୨୮ରେ ୧ ହୋଇଥାଏ। କିନ୍ତୁ ନିୟମିତ ବ୍ୟାୟାମ, ସୁସ୍ଥ ଶାରୀରିକ ଓଜନ, ମଦ୍ୟପାନ ଓ ଧୂମପାନରେ ନିୟନ୍ତ୍ରଣ ତଥା ହର୍‌ମୋନାଲ୍ ରିପ୍ଲେସ୍‌ମେଣ୍ଟ୍‌ ଥେରାପି ଏହି ଆଶଙ୍କାକୁ ହ୍ରାସ କରିଥାଏ। ୫୦ବର୍ଷ ବୟସ ପରେ ପ୍ରତ୍ୟେକ ମହିଳା ବର୍ଷକୁ ଥରେ ମ୍ୟାମୋଗ୍ରାଫି କରେଇ ନେବା ଉଚିତ। ଏହା ଛଡା ଆପଣଙ୍କ ବୟସ ଯଦି ୪୦- ୫୦ ମଧ୍ୟରେ ଓ ଆପଣଙ୍କ ଘରେ ସ୍ତନ କର୍କଟର ହିଷ୍ଟ୍ରି ଥାଏ, ତାହେଲେ ନିୟମିତ ବ୍ୟବଧାନରେ ମ୍ୟାମୋଗ୍ରାଫିର ଆବଶ୍ୟକତା ଅଛି ନା ନାହିଁ, ଏନେଇ ନିଜ ଡାକ୍ତରଙ୍କର ପରାମର୍ଶ ନିହାତି ନିଅନ୍ତୁ।

୫. ଶ୍ରୋଣୀ ଓ ପ୍ରଜନନ ଅଙ୍ଗ ପ୍ରତ୍ୟଙ୍ଗର ଯତ୍ନ:

ପ୍ୟୁବର୍ଟି, ଗର୍ଭାବସ୍ଥା, ପ୍ରସବ, ମେନୋପଜ୍ କେବଳ ମହିଳାଙ୍କ ବକ୍ଷୋଜ ନୁହେଁ ବର° ତାଙ୍କର pelvic & reproductive organ (ovary, uterus, bladder) ଆଦିର ସ୍ୱାସ୍ଥ୍ୟ ଓ ଅବସ୍ଥାକୁ ମଧ୍ୟ ପ୍ରଭାବିତ କରିଥାଏ। ବାରମ୍ବାର ଗର୍ଭଧାରଣ ଓ ପ୍ରସୂତୀ, ହିଷ୍ଟ୍ରେକ୍ଟୋମି, ମେନୋପଜ୍ ଓ ହରମୋନ୍ ସ୍ତରରେ ହ୍ରାସ pelvic organ, ligaments, ମା°ସପେଶୀକୁ ଦୁର୍ବଳ କରିବା ଦ୍ୱାରା ପ୍ରୋଲାପ୍ସ, ପରିସ୍ରା ରୋକି ନ ପାରିବା ବା incontinence of urine ମଧ୍ୟ ଦେଖାଯାଏ। Pelvic floor ଓ ଆଭ୍ୟନ୍ତରୀଣ ସ୍ୱାସ୍ଥ୍ୟ ପାଇଁ pelvic floor exercise/ବ୍ୟୟାମ (ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ) ଉପକାରୀ ହୋଇଥାଏ।

ଏହି ବ୍ୟାୟାମଗୁଡିକ ମଧ୍ୟରେ Kegels ସବୁଠାରୁ ସରଳ, ସହଜ ଓ ଲାଭଦାୟକ। ଏଥିରେ ଆପଣଙ୍କୁ ଜାଣତରେ ମା°ସପେଶୀକୁ contract କରିବାକୁ ପଡିଥାଏ। କେଉଁ ମା°ସପେଶୀକୁ contract କରିବାକୁ ହେବ ଜାଣିବା ପାଇଁ, ପରିସ୍ରା କରିବା ସମୟରେ ଅଧାରୁ ଶ୍ରୋତକୁ ବନ୍ଦ କରିବାକୁ ଚେଷ୍ଟା କରନ୍ତୁ। ବାସ୍ ସେଇ ସମୟରେ ଯେଉଁଠି contraction ବା ଚାପ ଅନୁଭବ କଲେ, Kegels ରେ ସେହି ମା°ସପେଶୀ ଓ ଲିଗାମେଣ୍ଟ ଉପରେ କାମ କରିବାକୁ ହୁଏ।

ଏହାକୁ ପରିସ୍ରା ଯାଇସାରି, ବ୍ଲାଡର ଖାଲି ଥିବା ଅବସ୍ଥାରେ କରନ୍ତୁ। ଚଟାଣ ଉପରେ ଆରାମରେ ଚକାମାଡି ବସନ୍ତୁ ଓ ପରିସ୍ରା ଶ୍ରୋତକୁ ରୋକିବା ପରି ଚେଷ୍ଟା କରି ନିଜର ସମ୍ପୂର୍ଣ୍ଣ pelvic muscle ଓ organଗୁଡିକୁ contract କରନ୍ତୁ। ମନେମନେ ସେହି ଚଟାଣ ଭାଗଟିକୁ ଉପରକୁ ଉଠାଉଛନ୍ତି ଭାବି contraction କରନ୍ତୁ। ନିଶ୍ୱାସ ସ୍ୱାଭାବିକ ରଖନ୍ତୁ। ଏମିତି ୧୦ ଗଣି ଧରି ରଖନ୍ତୁ, ପୁଣି ୧୦ ଗଣିବା ଯାଏ ରିଲାକ୍ସ କରନ୍ତୁ। ଏମିତି ୩ -୫ ଥର ଦୋହରାନ୍ତୁ। ଦିନରେ ଏହାକୁ ୫-୧୦ ଥର ରିପିଟ୍‌ କରିପାରିବେ।

୬. ଚର୍ମର ଯତ୍ନ:

ପ୍ରାୟତଃ ୪୦-୪୫ ବର୍ଷ ପର୍ଯ୍ୟନ୍ତ ମହିଳାମାନଙ୍କ ଚର୍ମ ଚିକ୍କଣ, ମସୃଣ ଓ ମୋଟା ଥାଏ। ଏହା ପରେ ଚର୍ମ ପତଳା, ଶୁଷ୍କ ହୋଇଯାଏ, ଇଲାଷ୍ଟିସିଟି ନଷ୍ଟ ହୋଇଯାଏ। ଖାଦ୍ୟରେ ଅଧିକ ଫାଇବର, ସିଡ୍ସ, ନଟ୍ସ, ଭିଟାମାନ୍ ସି ଓ ଏ ଯୁକ୍ତ ଆହାର ନିଓକୋଲାଜିନେସନ୍‌ରେ ସାହାଯ୍ୟ କରିବା ସହ ଚର୍ମକୁ ମସୃଣ ଓ ଯୁବା ରଖେ। ସନ୍ତୁଳିତ ପୁଷ୍ଟିକର ଖାଦ୍ୟ, ନିୟମିତ ବ୍ୟାୟାମ, ରାତିରେ ୬-୭ ଘଣ୍ଟାର ନିଦ, ପ୍ରଚୁର ମାତ୍ରାର ପାଣି ପିଇବା ତଥା ଧୂମପାନ, ମଦ୍ୟପାନ ଓ ହାର୍ସ କେମିକାଲ୍‌ ମେକ୍‌ଅପ୍‌ ଠୁ ଦୂରେଇ ରହିବା, ଦୀର୍ଘ ଦିନ ପର୍ଯ୍ୟନ୍ତ ଚର୍ମକୁ ଉଜ୍ଜ୍ୱଳ ଓ ସୁନ୍ଦର ରଖିଥାଏ।

ସେହିପରି ବୟସ ବଢିବା ସହ ଆପଣ ଏକ୍ସଫୋଲିଏସନ୍ ଓ ରେଟିନଲ୍ ନାଇଟ୍‌ କ୍ରିମର ମଧ୍ୟ ବ୍ୟବହାର କରିପାରନ୍ତି। ନିଜ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୋଟିଏ ଭଲ ସନ୍‌ସ୍କ୍ରିନ୍‌ର ବ୍ୟବହାର ଆପଣଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ଦାଗହୀନ, ଚିକ୍କଣ ଚର୍ମର ଅଧିକାରୀ କରିପାରିବ। ଅତିକମରେ ମାସକୁ ଥରେ ନିଜ ଚର୍ମକୁ ରିଲାକ୍ସ ଓ ନେଚୁରାଲ୍ ଟ୍ରିଟ୍‌ମେଣ୍ଟ ପାଇଁ ସମୟ ଦିଅନ୍ତୁ। ରେଗୁଲାର୍‌ ମେକ୍‌ଅପ୍‌ କରୁଥିଲେ, 'ସ୍କିନ୍ ଫାଷ୍ଟି°' କରନ୍ତୁ।

୭. କେଶର ଯତ୍ନ :

ଯଦି ଆପଣ ଆଜିକାଲି ଆଇନା ଦେଖିଲେ କିଛି କିଛି ଧଳା କେଶ ଦେଖୁଛନ୍ତି, ତାହେଲେ ଏଥିରେ ବ୍ୟସ୍ତ ହେବାରେ କିଛି ନାହିଁ। ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ପ୍ରକ୍ରିୟା। କେଶ ଧଳା ହେବା ସହ ଚୁଟି ଝଡିବା, ଘନତ୍ୱ କମିବା, କପାଳ ଓ ଶିରା ଚଉଡା ହେବା (female pattern baldness), କେଶର ବୃଦ୍ଧିହାର କମିବା, ଅଳ୍ପ-ବହୁତେ ପ୍ରାୟ ସମସ୍ତେ ଏଇ ସବୁ ସମସ୍ୟାକୁ ଭେଟନ୍ତି। ଏହା ପ୍ରାକୃତିକ ଏବଂ ୫୦ ବର୍ଷ ପରେ ଏହା ଆହୁରି ଦୃତ ଗତିରେ ହୁଏ। ଦୀର୍ଘଦିନ ଧରି ସୁନ୍ଦର ଓ ଘନ କେଶ ପାଇବା ପାଇଁ ମେଡିଟେସନ୍, ବ୍ୟାୟାମ କରିବା ସହ ନିଜ ଖାଦ୍ୟରେ ଅଧିକ ପୃଷ୍ଟିସାର ସାମିଲ କରନ୍ତୁ। ଧୀରେଧୀରେ ହାର୍ଡ କେମିକାଲ୍‌ ସାମ୍ପୁ ଓ କଣ୍ଡିସନର ଛାଡି ନେଚୁରାଲ୍ ଓ ସଫ୍ଟ ହେୟାର ପ୍ରଡକ୍ଟ ବ୍ୟବହାର କରନ୍ତୁ। ସନ୍‌ପ୍ରୋଟେକ୍ସନ ଅଭ୍ୟାସ କରନ୍ତୁ।

୮. ପୁଷ୍ଟିହୀନତା :

ଠିକ୍ ସମୟରେ ନଖାଇବା, ବାରମ୍ବାର ଓପାସ ରହିବା, ସମସ୍ତଙ୍କୁ ବାଢିସାରିବା ପରେ ନିଜେ କମ୍ ମାତ୍ରାରେ ଖାଇବା, ଅନେକ ସମୟରେ ନିଜ ଅସୁସ୍ଥତା ଲୁଚାଇବା ଆଦି ଅନେକ କାରଣରୁ ମା' ମାନେ ସଠିକ ମାତ୍ରାର ପୋଷାକ ତତ୍ତ୍ୱ ପାଇପାରନ୍ତି ନାହିଁ। ଏହି ପୁଷ୍ଟିହୀନତା ରକ୍ତହୀନତା (ଆନେମିଆ), ଦୁର୍ବଳ ଅସ୍ଥି ଓ ମା°ସପେଶୀ, ଅବସଲାଗିବା, ଇଲେକ୍ଟ୍ରୋଲାଇଟ ଇମବାଲାନ୍ସ, ଅବସାଦର, ଚିଡଚିଡାପଣ କାରଣ ହୋଇଥାଏ। ସବୁଠାରୁ ବଡ କଥା ହେଲା ନିଜ ପରିବାରକୁ ସୁସ୍ଥ ରଖିବା ପାଇଁ ନିଜେ ସୁସ୍ଥ ରହିବା ଜରୁରୀ। ତେଣୁ ବ୍ୟାୟାମ ସହିତ ସନ୍ତୁଳିତ ଆହାର ମଧ୍ୟ ଜରୁରୀ।

୯. ମାନସିକ ଚାପ ଓ ଅବସାଦ :

ଘର –ଅଫିସ୍‌ କାମ, ପରିବାର- ଛୁଆମାନଙ୍କ ଯତ୍ନ ନେବା ଏସବୁ ଭିତରେ ମା'ମାନେ ଅନେକ ସମୟରେ ଠିକ୍ ସମୟରେ ଖାଇବା-ଶୋଇବା ବି କରି ପାରନ୍ତିନି। ନିଜର ଯତ୍ନ ନେବାକୁ ସମୟ ପାଆନ୍ତି ନାହିଁ। ପରିବାର, ପିଲାମାନଙ୍କ ଦାୟିତ୍ୱ ଆଉ ଅଫିସ୍‌ ଭିତରେ ସନ୍ତୁଳନ ରକ୍ଷା କରିବାର ଅତ୍ୟଧିକ ଚାପ ଅନେକ ସମୟରେ anxiety disorder ଆଣିଦିଏ। ପୁଣି ଅନେକ ସମୟରେ ନିଜ ଇଚ୍ଛାକୁ ଦମନ କରି କେବଳ ଅନ୍ୟମାନଙ୍କ ପାଇଁ ବଞ୍ଚିବା, ବାନ୍ଧି ହୋଇଯିବା ମାନସିକ ଅବସାଦର ମଧ୍ୟ କାରଣ ହୋଇଥାଏ। ଏହା ଅନେକ ସମୟରେ ଆତ୍ମହତ୍ୟା, ବିବାହ ବିଚ୍ଛେଦ ଓ ଆଗକୁ ଯାଇ ସ୍ମୃତିଶକ୍ତି ହ୍ରାସ ମଧ୍ୟ କରାଇପାରେ। ତେଣୁ ମା'ମାନଙ୍କର ସବୁ କାମ ଭିତରେ ନିଜକୁ ଟିକେ ସମୟଦେବା ନିହାତି ଜରୁରୀ। ନିଜ ଇଚ୍ଛା, ସ୍ୱପ୍ନ, ସୃଜନଶୀଳତାକୁ ସବୁବେଳେ ଦବେଇ ନ ରଖି ସେମାନଙ୍କୁ ବଞ୍ଚାଇ ରଖନ୍ତୁ। ଆହାର ଓ ବ୍ୟାୟାମ ପରି ଖବରକାଗଜ ଓ ନୂଆ ବହି ପଢିବା, ନୂଆ ସାଙ୍ଗ କରିବା, ଛୁଆଙ୍କ ସହ ଖେଳିବା, ନୂଆ କ୍ରାଫ୍ଟ ବା ଭାଷା ଶିଖିବା ଆପଣଙ୍କ ମସ୍ତିଷ୍କକୁ ଶିଥିଳ ହେବାକୁ ଦିଏନି ଓ ମାନସିକ ସ୍ଥିତିକୁ ଠିକ ରଖେ। ଜଣେ ସୁସ୍ଥ ମସ୍ତିଷ୍କର ମା' ହିଁ ଜଣେ ସୁସ୍ଥ ଓ ଦାୟୀତ୍ୱବାନ ନାଗରିକ ଗଢିପାରନ୍ତି।

ମା' ହେବା, ପରିବାରର ଦାୟିତ୍ୱ, ବୟସ ବଢିବା ଏସବୁ ପ୍ରାକୃତିକ ଓ ସତ୍ୟ। ବୟସ ବଢିବା ସହ ଆଲୋଚନା କରାଯାଇଥିବା ସ୍ୱାସ୍ଥ୍ୟ ସମସ୍ୟାଗୁଡିକ ମଧ୍ୟ ହେବା ସ୍ୱାଭାବିକ। କିନ୍ତୁ ଅସ୍ୱାସ୍ଥ୍ୟକର ଅବସ୍ଥା କଥା ସବୁବେଳେ ଚିନ୍ତାକରି ବସିରହିଲେ କୌଣସି ସୁଫଳ ମିଳିବ ନାହିଁ। ସବୁଠାରୁ ବଡ କଥାହେଲା ଏହା ପାଇଁ ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ ଓ ସୁସ୍ଥ ମାନସିକ ସ୍ଥିତି ହିଁ ଆପଣଙ୍କୁ ଆପଣଙ୍କ ସୁନ୍ଦର ପରିବାର ଗଢିବାରେ ସାହାଯ୍ୟ କରିବ।

Other Stories