ଶାସନ କ୍ଷମତା କ୍ଷେତ୍ରରେ ଯେ ସବୁକିଛି ଓଲଟପାଲଟ ହୋଇଯାଏ ଏକଥା ଆମେ ଇତିହାସରୁ ପଢି ଜାଣିଛେ। କିନ୍ତୁ ଏଇଠି ଆମ ମନରେ ସ୍ୱତଃ ଉଙ୍କିମାରେ ବିରାଟ ପ୍ରଶ୍ନଟିଏ, ସତରେ କ’ଣ ଶାସନ କ୍ଷମତା ଦଖଲର ମାର୍ଗ ଖୁବ୍ ସରଳ, ସୁଲଭ ଓ ସୁଗମ? କେବଳ ଭାରତବର୍ଷ କାହିଁକି, ବୈଶ୍ୱିକ କ୍ଷେତ୍ରରେ ମଧ୍ୟ ସମଗ୍ର ବିଶ୍ୱରେ ଯେଉଁ ଦୁଇଟି ମହାଯୁଦ୍ଧ ହୋଇଥିଲା ସେସବୁର ଶାସନ କ୍ଷମତା ଦଖଲର ବିଶେଷ କାରଣ ବେଶ ଜାଣିହୁଏ ।
ବିଶ୍ୱର ପ୍ରତିଟି ଦେଶ ନିଜର ଅନ୍ତର୍ନିହିତ ଶକ୍ତି ସାମର୍ଥ୍ୟ ପ୍ରଦର୍ଶନ କରିବା ଲାଗି ଦଣ୍ଡାୟମାନ। ଆଉ ନିଜ କର୍ତ୍ତବ୍ୟ ସମ୍ପାଦନର ଯଥାର୍ଥତା ପ୍ରତିପାଦନ ପାଇଁ ମଧ୍ୟ ଚେଷ୍ଟିତ। ସାଂପ୍ରତିକ ପରିସ୍ଥିତିରେ ବିଚାରିଲେ କେବଳ ମାତ୍ର ଗୋଟିଏ ଯୁଦ୍ଧ ଅନବରତ ଭାବେ ଚାଲୁରହିଛି। ଭାରତବର୍ଷ ବି ଏହାର ପ୍ରଭାବରୁ ବାଦ ପଡି ନଥିବା ଜଣାଯାଏ।
ଅତୀତରେ ଭାରତବର୍ଷ କେତେ ଯେ ବାହ୍ୟଶତ୍ରୁର ଆକ୍ରମଣକୁ ସହ୍ୟ କରିଛି ତା’ର ବର୍ଣ୍ଣନା ଏଠାରେ ନିଷ୍ପ୍ରୟୋଜନ। ଏହା ସତ୍ତ୍ୱେ ବି ଆମ ଦେଶ ନିଜର ମୂଳ ସ୍ୱଭାବ ଓ ସ୍ଥିତିକୁ କେବେ ବି ହରାଇ ନାହିଁ। ଆର୍ଯ୍ୟମାନଙ୍କର ସନାତନ ପ୍ରବୃତି ହେତୁ ଯେନତେନ ପ୍ରକାରେ ଅକ୍ଷୁର୍ଣ୍ଣ ତଥା ଅକ୍ଷତ ରହିଛି ଆମର ଏ ଦେଶ। ବିଦେଶୀ ଆକ୍ରମଣକାରୀମାନେ ଏହି ପାବନ ପବିତ୍ର ଭୂଖଣ୍ଡରେ ପଦାର୍ପଣ କରିଛନ୍ତି ଅତର୍କିତ ଭାବରେ ଏବଂ ସ୍ୱ ସ୍ୱ ଧର୍ମ ତଥା ଧର୍ମଗ୍ରନ୍ଥର ବ୍ୟାପକ ପ୍ରଚାର ପ୍ରସାର ବି କରିଛନ୍ତି। ତା’ ପରଠୁ ଆମର ମୂଳ ବିଚାରଧାରା ଓ ଭାବନା ସେମାନଙ୍କ ଅନ୍ତରର ଲୁକ୍କାୟିତ ଜ୍ଞାନ ଉପରେ ପ୍ରଭାବ ବିସ୍ତାରକରି ଆଦର୍ଶ ପାଲଟିଯାଇଛି ସମଗ୍ର ବିଶ୍ୱ ପାଇଁ। ସୁତରାଂ ଭାରତବର୍ଷ ବିଶ୍ୱ ସମୁଦାୟ ସମ୍ମୁଖରେ ବିଶ୍ୱଗୁରୁ ରୂପେ ପରିଚିତି ହାସଲ କରିସାରିଛି।
ଅବଶ୍ୟ ଏକଥା ନିରାଟ ସତ୍ୟ ଯେ ଶାସନ କ୍ଷମତା ପରିବର୍ତ୍ତନ ସଙ୍ଗେ ସଙ୍ଗେ ବଦଳିଯାଏ ସମାଜ, ସଂସ୍କୃତି, ଭାଷା ଆବାସ, ଖାଦ୍ୟପେୟ ସହାବସ୍ଥାନ, ସହନଶୀଳତା ଇତ୍ୟାଦି ବହୁତ କିଛି। ଭାରତ ସ୍ୱାଧୀନ ହେବା ପରେ ଏଠାରେ କଂଗ୍ରେସ ସବୁ ବିରୋଧି ଦଳଙ୍କ ଅପେକ୍ଷା ଦୀର୍ଘକାଳ ଧରି କ୍ଷମତାସୀନ ଥିଲା। ଅନ୍ୟ ପ୍ରମୁଖ ରାଜନୈତିକ ଦଳଗୁଡିକର ସରକାର ବି ଗଠିତ ହୋଇଥିଲା, ଯେଉଁଥିରେ କଂଗ୍ରେସ ସରକାର ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ମାତ୍ର ଦେଶରେ ଅନୁଷ୍ଠିତ ବିଗତ ଦୁଇ ଦୁଇଟି ନିର୍ବାଚନରେ ଅର୍ଥାତ ସାତବର୍ଷ ଧରି ଭାଜପା ସରକାର କ୍ଷମତାସୀନ ରହିଛି। ଏଥିସହିତ ପରିସ୍ଥିତି ପରିବର୍ତ୍ତିତ ହେଉଥିବା ବେଳେ ସମାଜ, ସଂସ୍କୃତି ଇତ୍ୟାଦି ବଦଳିବାରୁ ଅଧିକାଂଶ ଲୋକ ନିଜ ଦେଶର କ୍ଷମତାଧାରୀ ରାଜନେତାଙ୍କୁ ଘୋର ବିରୋଧ କରୁ କରୁ ଦେଶର ବି ବିରୁଦ୍ଧାଚରଣ କରିବାରେ ଲାଗିପଡିଛନ୍ତି।
ଦେଶର ସାର୍ବଭୌମକତା, ଏକତା ଓ ଅଖଣ୍ଡତାକୁ ହନନ କରୁଥିବା ଶକ୍ତିଙ୍କ ସକ୍ରିୟ ସହଯୋଗରେ ଦେଶରେ ବିଦ୍ରୋହ, ଉତ୍ତେଜନା, ବିବାଦ, ଆନ୍ଦୋଳନ, ହିଂସା, ଦଙ୍ଗା ଇତ୍ୟାଦି ବିଛିନ୍ନତାବାଦୀ ତତ୍ତ୍ୱ ଘିଅରେ ନିଆଁ ଢାଳିଲା ନ୍ୟାୟରେ ବଢିଚାଲିଛି। କେବେକେବେ ଜାତିର ଦ୍ୱାହି ଦେଇ ତ ବେଳେବେଳେ ଧର୍ମ, ପୁଣି କେତେବେଳେ ଭାଷା, ରାଜ୍ୟ କିମ୍ବା ବ୍ୟବସ୍ଥା ନେଇ ବିଛିନ୍ନତାବାଦ ଓ ସନ୍ତ୍ରାସବାଦ କାୟା ବିସ୍ତାର କରିଚାଲିଛି।
ଯେଉଁ ରାଜନେତା ଓ ଲୋକମାନେ କେବେବି ସେ ରାଜ୍ୟ ଓ ଉପନିବେଶ ସ୍ୱଚକ୍ଷୁରେ ଅବଲୋକନ କରିନାହାନ୍ତି ସେମାନେ ସେଇଠି ଯାଇ ଶାସନ କ୍ଷମତାଧାରୀଙ୍କୁ ପ୍ରବଳ ବିରୋଧ କରୁଛନ୍ତି। ସାଂପ୍ରତିକ ପରିସ୍ଥିତିରେ ସେସବୁ ରାଜନୈତିକ ଦଳର କୌଣସି ସତା ନ ଥିଲେ ବି ନିଜର ଉପସ୍ଥିତିକୁ ଜାହିର କରିବା ପାଇଁ ସ୍ଥାନ ତଲାସିବାରେ ମାତିଯାଇଛନ୍ତି।
ଦେଶର ଅଖଣ୍ଡତାକୁ କ୍ଷୁର୍ଣ୍ଣ କରୁଥିବା ତତ୍ତ୍ୱ କ୍ରମଶଃ କାୟା ମେଲାଇ ଚାଲିଛି ନିରବଛିନ୍ନ ଭାବରେ। ଦେଶ ବିରୋଧୀ ଶକ୍ତିକୁ ଶାସକ ବନାଇ ଦେଖାଉଥିବା ବେଳେ ଶାସନ କ୍ଷମତା କେନ୍ଦ୍ର ବଦଳୁଛି। କିନ୍ତୁ ରାଷ୍ଟ୍ରର ଆହ୍ୱାନକୁ ଅଧିକ ଶାଣିତ କରିବାକୁ ପଡିଛି। ରାଷ୍ଟ୍ର ସମସ୍ତଙ୍କର ଆଉ ଏହାର ନିରନ୍ତର ବିକାଶ ଲାଗି ସମସ୍ତଙ୍କୁ ଅହର୍ନିଶ କାମ କରିବାକୁ ପଡିବ। ଏଥିରେ ବିଘ୍ନ ଘଟାଇବା ଆଦୌ ସ୍ପୃହଣୀୟ ନୁହେଁ। ରାଷ୍ଟ୍ର ଆଉ ରାଷ୍ଟ୍ରବାଦର ଭାବନା କେବେବି ବଦଳିଯାଏନା। ଏହାର ମୂଳାଧାର ବି ସମ୍ପୂର୍ଣ୍ଣ ରୂପେ ଅପରିବର୍ତିତ ଓ ଅକ୍ଷୁର୍ଣ୍ଣ। ଏହାର ଜୀବଜନ୍ତୁ, ପଶୁପକ୍ଷୀ, ନଦୀ, ନାଳ ଝରଣା ପାହାଡ ପର୍ବତ ମୃତ୍ତିକା ସବୁ କିଛି ବି ବଦଳିଯାଏନି, ମାତ୍ର କେବଳ ଶାସନ ହିଁ ବଦଳିଯାଏ।
ପ୍ରତ୍ୟେକ ଦେଶଭକ୍ତର ରକ୍ତରେ ଗଢା ଏ ଦେଶ। ଏହି ଦେଶକୁ ନିର୍ମାଣ କରିବାରେ ଦେଶଭକ୍ତଙ୍କ ରକ୍ତର ଗୋଟିଏ ଗୋଟିଏ ବୁନ୍ଦାର ସୁଅ ଯେ ପ୍ରବାହିତ ଏକଥା ଆମେ କେବେବି ଭୁଲି ପାରିବା ନାହିଁ। ଆମର ଏ ଭାରତବର୍ଷ ଭୂଖଣ୍ଡ ନୁହେଁ, ଭାବନା ବିଚାରର ସାଗର, ଦୃଢ ଆସ୍ଥା ଓ ଅଖଣ୍ଡ ବିଶ୍ୱାସର ପୁଂଜି, ମାଟି ମାଆର ସୁଯୋଗ୍ୟ ସନ୍ତାନର ବଳିଦାନର ସ୍ୱପ୍ନ ଆଉ ଅତି ଆପଣାର। ଦେଶ ସତ୍ୟର ଶକ୍ତିରେ ଚାଲେ, ମିଥ୍ୟା କୂଟକପଟ, ପ୍ରତାରଣା ଓ ପ୍ରବଞ୍ଚନାରେ ନୁହେଁ। ଏ କଥାକୁ ଆମକୁ ବେଶ୍ ହେଜିବାକୁ ହେବ ଆଉ ସେହି ଦେଶଭକ୍ତଙ୍କ ବଳିଦାନକୁ ସ୍ମରଣ କରିବାକୁ ପଡିବ।
୯୯୯-୩, ଜଗମୋହନ ନଗର, ଜାଗମରା, ଖଣ୍ଡଗିରି
ଭୁବନେଶ୍ୱର ,ଦୂରଭାଷ : ୯୪୩୮୩୩୨୧୩୮
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)