Advertisment

ସୀମିତ ଓଭର୍ ଅଧିନାୟକ ଦୌଡ଼ରେ ସର୍ବାଗ୍ରେ ହାର୍ଦ୍ଦିକ ପାଣ୍ଡ୍ୟା

ହ୍ୱାଇଟ୍ ବଲ୍ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ସ୍ଥାୟୀ ଉତ୍ତରାଧିକାରୀ କରାଯିବା ଲକ୍ଷ୍ୟ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏବେ ରୋହିତଙ୍କ ପାଇଁ ନିଜ ଅଧିନାୟକତ୍ୱ ବଞ୍ଚାଇବା ଏବଂ ହାର୍ଦ୍ଦିକଙ୍କ ପାଇଁ ସୁଯୋଗ ମିଳିବା ସ୍ଥଳେ ନିଜ ନେତୃତ୍ୱ-ଦକ୍ଷତାକୁ ବଳିଷ୍ଠ ଓ ପରିପକ୍ୱ କରିବାର ଆହ୍ୱାନ ରହିଛି।

author-image
Biswajit Mohanty
ଅଦ୍ୟତନ ହୋଇଛି
Hardik Pandya tops the limited overs captaincy race

Hardik Pandya tops the limited overs captaincy race

୨୦୨୨ରେ ବଡ଼ ମଞ୍ଚରେ ଭାରତୀୟ କ୍ରିକେଟ୍ ଟିମ୍‌ର ବିଫଳତା ସତ୍ତ୍ୱେ ଯେଉଁ କେତୋଟି ସକାରାତ୍ମକ କଥା ଦେଖିବାକୁ ମିଳିଥିଲା, ସେଥିମଧ୍ୟରେ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାରିଅରର ପୁନର୍ଜନ୍ମ ଥିଲା ପ୍ରମୁଖ।

Advertisment

ଟିମ୍ ଇଣ୍ଡିଆ ଏସିଆ କପ୍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଟପ୍-୨ ମଧ୍ୟରେ ରହିପାରି ନ ଥିବା ବେଳେ ଟି-୨୦ ବିଶ୍ୱକପ୍‌ରେ ସେମିଫାଇନାଲ୍‌ରୁ ବିଦାୟ ନେଇଥିଲା। ଏହାପରେ ବର୍ଷ ଶେଷ ବେଳକୁ ବାଂଲାଦେଶ ଭଳି ନିମ୍ନ ମାନ୍ୟତାଧାରୀ ଟିମ୍ ଠାରୁ ଦିନିକିଆ ଶୃଙ୍ଖଳାରେ ପରାଜୟ ଚୟନ କମିଟି ସହ ଅଧିନାୟକ ଓ ପ୍ରଶିକ୍ଷକଙ୍କ ଆଡ଼କୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା। ଅବଶ୍ୟ ଭାରତୀୟ ଟିମ୍ ବିଦାୟ ବର୍ଷରେ ଅନେକ ଦ୍ୱିପାକ୍ଷିକ ସିରିଜ୍ ଜିତିଥିଲା। ତେବେ ଏହି ସମୟରେ ଅଧିନାୟକତ୍ୱ ପାଇଁ ହାର୍ଦ୍ଦିକଙ୍କ ରୂପରେ ଏକ ବଡ଼ ସମ୍ଭାବନା ଦେଖାଦେଇଥିଲା।

ଡିସେମ୍ବର ୨୭ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକ ସିରିଜ୍ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଥିଲା। ଏହି ସୀମିତ ଓଭର୍ ସିରିଜ୍ ପାଇଁ ଟିମ୍‌ରେ ଅନେକ ପରିବର୍ତ୍ତନ କରାଯାଇଛି। ସଞ୍ଜୁ ସାମ୍‌ସନ୍‌ଙ୍କ ଠାରୁ ନେଇ ଶୁଭମନ ଗିଲ୍‌ଙ୍କ ଯାଏଁ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ଦିନିକିଆରୁ ଶିଖର ଧାବନଙ୍କୁ ବାଦ୍ ଦିଆଯାଇଥିବା ବେଳେ ଲଗାତାର ସମାଲୋଚନାର ଶରବ୍ୟ ହେଉଥିବା ରିଷଭ ପନ୍ତଙ୍କୁ ଉଭୟ ଦିନିକିଆ ଓ ଟି-୨୦ ଟିମ୍‌ରୁ ବାଦ୍ ଦିଆଯାଇଛି।

Advertisment

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଦିନିକିଆ ଟିମ୍‌କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି ଏବଂ ଲୋକେଶ ରାହୁଲ (ଏହା ପୂର୍ବରୁ ଉପ-ଅଧିନାୟକ ଥିଲେ) ଟିମ୍‌ରେ ଥିବା ସତ୍ତ୍ୱେ ତାଙ୍କୁ ଉପ-ଅଧିନାୟକ କରାଯାଇଛି। ଏହାଛଡ଼ା ଟି-୨୦ ଟିମ୍‌ର ନେତୃତ୍ୱ ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଯାଇଛି।

ଏଥିରୁ ସ୍ପଷ୍ଟ ହେଉଛି ଯେ ଚୟନକାରୀ ହାର୍ଦ୍ଦିକଙ୍କୁ ସୀମିତ ଓଭର୍‌ରେ ଭାରତର ପରବର୍ତ୍ତୀ ଅଧିନାୟକ ଦୃଷ୍ଟିରୁ ବିଚାର କରୁଛନ୍ତି। ଟେଷ୍ଟ୍‌ ଟିମ୍‌ରେ ତାଙ୍କୁ ସୁଯୋଗ ମିଳୁ ନ ଥିଲେ ହେଁ ଦିନିକିଆ ଓ ଟି-୨୦ରେ ରୋହିତଙ୍କ ପରେ ହାର୍ଦ୍ଦିକ ଅଧିନାୟକତ୍ୱ ପାଇଁ ସବୁଠାରୁ ମଜଭୁତ ଦାବିଦାର ହୋଇଛନ୍ତି ଏବଂ ରାହୁଲ ଦୌଡ଼ରେ ପଛରେ ପଡ଼ିଯାଇଛନ୍ତି।

ହାର୍ଦ୍ଦିକଙ୍କର ଆଗକୁ ଆସି ନେତୃତ୍ୱ ନେବାର ସାମର୍ଥ୍ୟ ରହିଛି। ସେ ଆବଶ୍ୟକ ସ୍ଥଳେ ନିଜେ ଦୃଢ଼ ପ୍ରଦର୍ଶନ କରନ୍ତି। ତାଙ୍କ ଭିତରେ ଉତ୍ସାହ ଓ ଆତ୍ମବିଶ୍ୱାସ ରହିଛି। କିନ୍ତୁ ରାହୁଲ ଅଧିନାୟକତ୍ୱ ବେଳେ ଚାପଗ୍ରସ୍ତ ଜଣାପଡ଼ନ୍ତି; ଏପରିକି ନିଜେ ବି ଭଲ ପ୍ରଦର୍ଶନ କରିପାରନ୍ତି ନାହିଁ। ତେବେ ରାହୁଲ ଟେଷ୍ଟ୍‌ରେ ଉପ-ଅଧିନାୟକ ରହିପାରନ୍ତି।

ବିରାଟ କୋହଲି ୨୦୨୧-୨୨ରେ ପ୍ରଥମ ଟି-୨୦ ଓ ଏହାପରେ ଟେଷ୍ଟ୍‌ ଟିମ୍‌ର ଅଧିନାୟକତ୍ୱ ଛାଡ଼ିଥିବା ବେଳେ ତାଙ୍କ ଠାରୁ ଦିନିକିଆର ନେତୃତ୍ୱ ଦାୟିତ୍ୱ କାଢ଼ି ନିଆଯାଇଥିଲା। ରୋହିତ ଶର୍ମା ସମସ୍ତ ଫର୍ମାଟ୍‌ରେ ଅଧିନାୟକ ହୋଇଥିଲେ। ରୋହିତଙ୍କ ପରେ ପରବର୍ତ୍ତୀ ଅଧିନାୟକ ଦୌଡ଼ରେ ଲୋକେଶ ରାହୁଲ, ରିଷଭ ପନ୍ତ, ଯଶପ୍ରୀତ ବୁମ୍‌ରା ପ୍ରମୁଖ ଥିଲେ।

ହାର୍ଦ୍ଦିକ ସେତେବେଳେ ଟିମ୍‌ରେ ନ ଥିଲେ। ତାଙ୍କର ଫିଟ୍‌ନେସ୍ ସମସ୍ୟା ଥିଲା, ଯାହା ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା। ୨୦୨୧ ଅକ୍ଟୋବରରେ ସେ ଲୋୟର-ବ୍ୟାକ୍‌ରେ ସର୍ଜରୀ କରାଇଥିଲେ। ଟିମ୍‌ରେ ତାଙ୍କ ଭବିଷ୍ୟତକୁ ନେଇ ଅନେକେ ସନ୍ଦିହାନ ହୋଇପଡ଼ିଥିଲେ ଯେତେବେଳେ କି ଅତୀତରେ ସେ ଟିମ୍‌ର ଅଭିନ୍ନ ଅଙ୍ଗ ରହିଆସିଥିଲେ।

ତେବେ ବର୍ଷକ ଭିତରେ ସବୁ କିଛି ବଦଳିଗଲା। ହାର୍ଦ୍ଦିକ ଆଇପିଏଲ୍ ୨୦୨୨ ଜରିଆରେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୨୧ ଅକ୍ଟୋବର-ନଭେମ୍ବରରେ ହୋଇଥିବା ଟି-୨୦ ବିଶ୍ୱକପ୍ ଠାରୁ ଆଇପିଏଲ୍ ମଧ୍ୟରେ ସେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍ ଖେଳି ନ ଥିଲେ।

ଗୁଜରାଟ ଟାଇଟନ୍ସ ଫ୍ରାଞ୍ଚାଇଜ୍ ତାଙ୍କୁ ରିସ୍କ ନେଇ ଟିମ୍‌ର ଅଧିନାୟକ କରିଥିଲା। ଏହାପରେ ଯାହା ଘଟିଲା, ତାହା ଥିଲା ଅପ୍ରତ୍ୟାଶିତ। ନବାଗତ ଗୁଜରାଟ ଟିମ୍‌କୁ ଚାମ୍ପିଅନ୍ କରାଇଥିଲେ ହାର୍ଦ୍ଦିକ। କିଛି ମାସ ପୂର୍ବ ଯାଏଁ ଟିମ୍ ପାଇଁ ଅଲୋଡ଼ା ମନେହେଉଥିବା ଏହି ଖେଳାଳି ଅଚାନକ ହିରୋ ପାଲଟିଯାଇଥିଲେ। ତାଙ୍କ ଟିମ୍ ଟୁର୍ଣ୍ଣାମେଣ୍ଟରେ ୧୧ ମ୍ୟାଚ୍ ଜିତିଥିଲା। ସେ ବ୍ୟାଟିଂରେ ୪୮୭ ରନ୍ କରିବା ସହ ବୋଲିଂରେ ୮ ୱିକେଟ୍ ନେଇଥିଲେ।

ଏହି ପ୍ରଦର୍ଶନର ଦମ୍‌ରେ ସେ ଭାରତୀୟ ଟି-୨୦ ଟିମ୍‌କୁ ଫେରିଥିଲେ। ପରେ ତାଙ୍କୁ ଆୟର୍ଲାଣ୍ଡ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଏବଂ ୱେଷ୍ଟ୍‌ଇଣ୍ଡିଜ୍ ଗସ୍ତରେ ଗୋଟିଏ ଟି-୨୦ ମ୍ୟାଚ୍‌ରେ ଟିମ୍‌ର ନେତୃତ୍ୱ ନେବାର ସୁଯୋଗ ମିଳିଥିଲା।

ରୋହିତଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକଙ୍କୁ ଯେତେବେଳେ ବି ଟି-୨୦ରେ ନେତୃତ୍ୱ ଦାୟିତ୍ୱ ଦିଆଯାଇଛି, ସେ ତାହାକୁ ସଫଳତାପୂର୍ବକ ତୁଲାଇଛନ୍ତି । ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ଖେଳି ଚାରିଟିରେ ବିଜୟ ହାସଲ କରିଥିବା ବେଳେ ଅନ୍ୟ ଏକ ମ୍ୟାଚ୍ ଟାଇ ରହିଥିଲା। ଏହି ସମୟରେ ସେ ୩୬ ଆଭରେଜ୍‌ରେ ୧୦୮ ରନ୍ ସଂଗ୍ରହ କରିବା ସହ ଗୋଟିଏ ୱିକେଟ୍ ବି ନେଇଥିଲେ।

ଶ୍ରୀଲଙ୍କା ବିପକ୍ଷରେ ହାର୍ଦ୍ଦିକଙ୍କୁ ଟି-୨୦ ଟିମ୍‌ର ଅଧିନାୟକ ଓ ଦିନିକିଆ ଟିମ୍‌ର ଉପ-ଅଧିନାୟକ କରାଯାଇ ତାଙ୍କ ଭୂମିକାକୁ ଆହୁରି ସ୍ପଷ୍ଟ କରାଯାଇଛି। ତାଙ୍କୁ ଟି-୨୦ ଟିମ୍‌ର ସ୍ଥାୟୀ ଅଧିନାୟକ କରାଯିବା ନେଇ ବେଶ୍ କିଛି ମାସ ହେଲା ଚର୍ଚ୍ଚା ହେଉଛି । ଟି-୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର ବିଫଳତା ପରେ ଏହି ଚର୍ଚ୍ଚା ବଢ଼ିଛି; ଏପରିକି ତାଙ୍କୁ ଉଭୟ ଟି-୨୦ ଓ ଦିନିକିଆ ଆନ୍ତର୍ଜାତିକ ଟିମ୍‌ର ଅଧିନାୟକ କରାଯିବା ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ବିଚାର କରୁଥିବା ନେଇ ବୋର୍ଡ ସୂତ୍ରରୁ କୁହାଯାଇଛି।

କିନ୍ତୁ ଏବେ ହାର୍ଦ୍ଦିକ ଉଭୟ ଟିମ୍‌ର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ଥିବାଭଳି ଜଣାପଡ଼ୁ ନାହାନ୍ତି, କାରଣ ଦୀର୍ଘ ଦିନ ପରେ ସେ ଦିନିକିଆକୁ ଫେରିଛନ୍ତି। ଏହି ଫର୍ମାଟ୍‌ରେ ତାଙ୍କୁ ପୂର୍ବ ଭଳି ନିଜ ସ୍ଥିତି ମଜଭୁତ କରିବାକୁ ହେବ। ଏଥିପାଇଁ ସମୟ ଦରକାର। ତେବେ ଟି-୨୦ରେ ଅଧିନାୟକତ୍ୱ କରିବାରେ କିଛି ଅସୁବିଧା ନାହିଁ।

ରୋହିତଙ୍କ ବୟସ ବୃଦ୍ଧି, ଫର୍ମ ଓ ଫିଟ୍‌ନେସ୍ ସବୁ ଫର୍ମାଟ୍‌ରେ ଖେଳି ଟିମ୍‌ର ନେତୃତ୍ୱ ନେବା ଦିଗରେ ସମସ୍ୟା ସୃଷ୍ଟି କରୁଛି। କିନ୍ତୁ ୨୦୨୩ରେ ଦିନିକିଆ ବିଶ୍ୱକପ୍ ଥିବାରୁ ରୋହିତ ୫୦-ଓଭର୍ ଫର୍ମାଟ୍‌ରେ ଅଧିନାୟକତ୍ୱ ବଜାୟ ରଖିପାରନ୍ତି; ହେଲେ ଏହାପରେ ସେ ଆଉ କେତେ ଦିନ ଅଧିନାୟକ ରହିବେ, ତାହା କହିହେବ ନାହିଁ। ଏ ବର୍ଷ ବେଶୀ ଟି-୨୦ ମ୍ୟାଚ୍ ଖେଳାଯିବ ନାହିଁ, ଯେଉଁଥିରେ ହାର୍ଦ୍ଦିକ ଟିମ୍‌ର ନେତୃତ୍ୱ ଜାରି ରଖିପାରିବେ।

ହ୍ୱାଇଟ୍ ବଲ୍ କ୍ରିକେଟ୍‌ରେ ରୋହିତଙ୍କ ସ୍ଥାୟୀ ଉତ୍ତରାଧିକାରୀ କରାଯିବା ଲକ୍ଷ୍ୟ ନେଇ ହାର୍ଦ୍ଦିକଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏବେ ରୋହିତଙ୍କ ପାଇଁ ନିଜ ଅଧିନାୟକତ୍ୱ ବଞ୍ଚାଇବା ଏବଂ ହାର୍ଦ୍ଦିକଙ୍କ ପାଇଁ ସୁଯୋଗ ମିଳିବା ସ୍ଥଳେ ନିଜ ନେତୃତ୍ୱ-ଦକ୍ଷତାକୁ ବଳିଷ୍ଠ ଓ ପରିପକ୍ୱ କରିବାର ଆହ୍ୱାନ ରହିଛି।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Hardik Pandya
Advertisment
Advertisment