• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବଂଲାଦେଶର ରାଜନୀତି ଏବେ ଖୁବ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । କେଉଁ ମୁହୂର୍ତ୍ତରେ ଦେଶରେ ସାମରିକ ଶାସନ କିମ୍ବା ଜରୁରୀକାଳୀନ ସ୍ଥିତି ଲାଗିଯାଇ ପାରେ ସେ ନେଇ କଳ୍ପନାଜଳ୍ପନା ଚାଲିଛି । ଏପରି ସ୍ଥିତିରେ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ବୁଧବାର ଚୀନ ଗସ୍ତରେ ଯାଇଛନ୍ତି । କହିବାକୁ ଗଲେ ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରେ ମଧ୍ୟବର୍ତ୍ତୀକାଳୀନ ସରକାର ଚୀନ ପ୍ରତି ନରମ ମନୋଭାବ ପୋଷଣ କରି ଆସୁଛନ୍ତି ।

ଅନ୍ୟପକ୍ଷେ ଭାରତ ସହ ରୁକ୍ଷ ମନୋଭାବ ପୋଷଣ କରିବା ସହ ପଡୋଶୀ ଦେଶର ସମ୍ପର୍କ ଖରାପ କରିବା ପାଇଁ ସବୁପ୍ରକାର ଉଦ୍ୟମ କରୁଛନ୍ତି । ଏପରି ସ୍ଥିତି ଦୀର୍ଘଦିନ ଧରି ଚାଲିଥିବାବେଳେ ଏବେ ହେଜୁଛନ୍ତି ମହମ୍ମଦ ୟୁନୁସ । ଭାରତ ସହ ସମ୍ପର୍କ ଖରାପ ରଖିବା ଯେ ବାଂଲାଦେଶକୁ ମହଙ୍ଗା ପଡ଼ୁଛି ଏ କଥା ହୃଦୟଙ୍ଗମ କରି ସାରିଲେଣି ମଧ୍ୟବର୍ତ୍ତୀକାଳୀନ ସରକାର । ଏବେ ଭୁଲ ସଜାଡିବା ପାଇଁ ପୁଣି ଅଣ୍ଟା ଭିଡିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ମହମ୍ମଦ ୟୁନୁସଙ୍କର ଲକ୍ଷ୍ୟ ଥିଲା ପ୍ରଥମେ ଦିଲ୍ଲୀ ଆସିବେ । ଏଥିପାଇଁ ତାଙ୍କ ପକ୍ଷରୁ ଅନୁରୋଧ ପଠାଯାଇଥିଲା । ହେଲେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ମିଳିବା କାରଣରୁ ସେ ଚୀନ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଭାରତ ପ୍ରତି ଯେ ୟୁନୁସଙ୍କ ମନୋଭାବରେ ପରିବର୍ତ୍ତନ ଆସୁଛି ଏଥିରୁ ସ୍ପଷ୍ଟ ହେଉଛି ।

Also Read

ଅନ୍ୟପକ୍ଷେ ବ୍ୟାଙ୍କକରେ ଏପ୍ରିଲ ୩ରୁ ହେବାକୁ ଯାଉଛି ଦୁଇ ଦିନିଆ ବିମ୍ସଟେକ ଶିଖର ସମ୍ମିଳନୀ । ଢାକା ପକ୍ଷରୁ ଆଶା କରାଯାଉଛି ଯେ ଏହି ସମ୍ମିଳନୀରେ ୟୁନୁସ ଏବଂ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷକ ଆଲୋଚନା ହେବ । ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପକ୍ଷରୁ ଏ ନେଇ ଅନୁରୋଧ ମଧ୍ୟ କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ବାଂଲାଦେଶ ବୈଦେଶିକ ସଚିବ ମହମ୍ମଦ ଜସୀମ ଉଦ୍ଦିନ କହିଛନ୍ତି, ‘ଆମେ ବୈଠକ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । କେବଳ ଭାରତର ସକାରାତ୍ମକ ପ୍ରତିକ୍ରିୟାକୁ ଅପେକ୍ଷା କରିଛୁ ।’

ଦାୟିତ୍ୱବୋଧ ତୁଲାବାଇବାର ଚେତାବନୀ ଦେଇଥିଲା ଭାରତ

ଗତ ଅଗଷ୍ଟ ମାସରେ ବଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପରେ ବଂଲାଦେଶରେ ଧାର୍ମିକ ଅଳ୍ପସଂଖ୍ୟକକୁ ଟାର୍ଗେଟ କରାଯାଇଥିଲା । ନୂଆଦିଲ୍ଲୀ ପକ୍ଷରୁ ଏହାକୁ ତୀବ୍ର ନିନ୍ଦା କରା ଯାଇଥିଲା । ଅଳ୍ପସଂଖ୍ୟକଙ୍କ ସୁରକ୍ଷା ସରକାରଙ୍କ ପ୍ରମୁଖ ଦାୟିତ୍ୱ ବୋଲି ଭାରତ କହିଥିଲା । ହେଲେ ବାଂଲାଦେଶର ମୌଳବାଦୀ ଶକ୍ତିଶାଳୀ ହେବାକୁ ଲାଗିଲେ ଯାହାଫଳରେ ଏବେ ବି ବାଂଲାଦେଶରେ ଅଳ୍ପ ସଂଖ୍ୟକଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନାହିଁ । ଅନ୍ୟପକ୍ଷେ ବୈଦେଶିକ ବ୍ୟାପାରରେ ଦେଖିବାକୁ ଗଲେ ମଧ୍ୟବର୍ତ୍ତୀକାଳୀନ ସରକାର ପାକିସ୍ତାନ ଏବଂ ଚୀନ ସହ ଘନିଷ୍ଠତା ବଢାଇବା ପାଇଁ ଚେଷ୍ଟା କରୁଥିବାବେଳେ ଭାରତ ସହ ଦୀର୍ଘଦିନର ଗଭୀର ରାଜନୈତିକ ସମ୍ପର୍କକୁ ଅଣଦେଖା କରି ଆସୁଛି ।

ଚାରିଆଡ଼େ ଅରାଜକତା

ସାରା ବାଂଲାଦେଶରେ ଅରାଜକତା ବ୍ୟାପିବାରେ ଲାଗିଛି । ଭିନ୍ନ ଭିନ୍ନ ଦାବିକୁ ନେଇ ଲୋକେ ରାସ୍ତାକୁ ଓହ୍ଲାଉଛନ୍ତି । ମହିଳା ଏବଂ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧକୁ ବିରୋଧ କରି ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ପୋଷାକ ବ୍ୟବସାୟୀ ନିଜ ଦାବିକୁ ନେଇ ଲଗାତାର ଧାରଣା ଦେଇ ଆସୁଛନ୍ତି । ରାଜନୈତିକ ସମସ୍ୟା ବି ଦିନକୁ ଦିନ ବଢି ଚାଲିଛି । ଅଗଷ୍ଟ ୨୦୨୪ରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଶେଖ ହାସିନାଙ୍କ ନେତୃତ୍ୱାଧୀନ ଓବାମୀ ଲିଗ ସରକାରଙ୍କୁ ହଟାଇବା ପରେ ବାଂଲାଦେଶରେ ବିଭିନ୍ନ ରାଜନୈତିକ ସଂଗଠନ ମଧ୍ୟରେ ଥିବା ଏକତାରେ ଏବେ ଫାଟ ଦେଖା ଦେଲାଣି । ଏହି ଫାଟ ଧୀରେ ଧୀରେ ବଢୁଥିବା ଲକ୍ଷ୍ୟ କରାଯାଉଛି ।

ଏବେ ବି ଜାରି ରହିଛି ହିଂସା

କ୍ଷମତା ପରିବର୍ତ୍ତନ ପରଠାରୁ ଦେଖାଦେଇଥିବା ରାଜନୈତିକ ହିଂସାର ମୁକାବିଲା କରି ଆସୁଛି ବାଂଲାଦେଶ । ଏହା ଥମିବାର ନାଁ ଧରୁନି । ଏବେ ବି ସେଠାରେ ହିଂସା ଜାରି ରହିଛି । ଗତ ସୋମବାର ଦିନ ନୂଆଖଲି ଜିଲ୍ଲାରେ ସୋମବାର ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟି ଏକାଧିକ ଆହତ ହୋଇଛନ୍ତି । ସୋମବାର ରାତିରେ ନୂଆଖଲି ଜିଲ୍ଲାର ଜହାଜମାରା ବଜାରରେ ନାଶନାଲ ସିଟିଜେନ୍ସ ପାର୍ଟି ଏବଂ ବାଂଲାଦେଶ ନାଶନାଲିଷ୍ଟ ପାର୍ଟି ପକ୍ଷରୁ ରାଲିର ଆୟୋଜନ କରାଯାଇଥିଲା । ଏହି ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏବେ ବି ସେଠାରେ ଉତ୍ତେଜନା ଲାଗି ରହିଥିବାରୁ ଫୋର୍ସ ମୁତୟନ କରାଯାଇଛି ।

ବିଗୁଡୁଛି ଆର୍ଥିକ ସ୍ଥିତି

ଶୋଚନୀୟ ଆର୍ଥିକ ସ୍ଥିତି ସହ ଲଢୁଛି ବାଂଲାଦେଶ । ଦେଶରେ ଲିକୁଇଫାଇଡ ନାଚୁରାଲ ଗ୍ୟାସ ବା ଏଲଏନଜି ଆମଦାନୀରେ ବ୍ୟାପକ ସମସ୍ୟା ଦେଖା ଦେଇଛି । ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ବଡ ଧରଣର ଋଣ କରିବାକୁ ପଡିବ । ଏଥିପାଇଁ ବାଂଲାଦେଶ ପ୍ରସ୍ତୁତ ହେଉଛି । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ମହମ୍ମଦ ୟୁନୁସ ନେତୃତ୍ୱାଧୀନ ସରକାରଙ୍କୁ ଆସନ୍ତା ଆର୍ଥିକ ବର୍ଷରେ ଏଲଏନଜି କିଣିବା ପାଇଁ ୩୫୦ ମିଲିୟନ ଆମେରିକା ଡଲାର ଲୋନ ଆଣିବାକୁ ପଡ଼ିପାରେ ।

ଲାଗୁ ହୋଇପାରେ ସାମରିକ ଶାସନ

ଦେଶରେ ଯେ କୌଣସି ସମୟରେ ସାମରିକ ଶାସନ ଲାଗୁ ହୋଇପାରେ । ହେଲେ ଏପରି ଅବସ୍ଥାକୁ ଏଡାଇବା ଳାଗି ସେନା ମୁଖ୍ୟ ଜେନରାଲ ୱାକର-ଉଜ-ଜମାନ ଚେଷ୍ଟା କରି ଆସୁଛନ୍ତି । ଗତ ସୋମବାର ଏକ ବାର୍ତ୍ତା ଦେଇ ସେ ଏପରି ଆଶଙ୍କାକୁ ଏଡାଇବା ସହ ଲୋକଙ୍କୁ ଧୈର୍ଯ୍ୟ ଧରିବା ପାଇଁ କହିଛନ୍ତି । ସେନାଙ୍କୁ ସମ୍ବୋଧନ କରିବା ସମୟରେ ଏପରି ଗୁଜବକୁ ଶୁଣି ନିଜର ଧ୍ୟାନ ହଟାଇବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ଯାହା ବି ହେଉ, ଦେଶରେ ଏପରି ସ୍ଥିତି ଚାଲିଥିବାବେଳେ ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ହୃଦବୋଧ ହେଲାଣି ଯେ ଭାରତ ସହ ଶତ୍ରୁତା ଆଚରଣ କରିବା ତାଙ୍କ ପାଇଁ କେତେ ମହଙ୍ଗା ପଡୁଛି । ୟୁନୁସ ଭଲ ଭାବେ ଜାଣନ୍ତି, ବାଂଲାଦେଶର ପ୍ରତିଟି ସମସ୍ୟାରେ ଭାରତ ତାର ସହାୟତାର ହାତ ବଢାଇଛି । ବୋଧହୁଏ ସେଥିପାଇଁ ଏବେ ଭାରତ ସହ ସମ୍ପର୍କ ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି ୟୁନୁସ । ତେବେ ବ୍ୟାଙ୍କକ ବିମଷ୍ଟେକ ସମ୍ମିଳନୀରେ ଢାକା ଏକ ଦ୍ୱିପାକ୍ଷିକ ବୈଠକ ଚାହୁଁଥିବା ବେଳେ ଭାରତ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନୀରବ ରହିଛି।

ଜାତୀୟ ଦିବସରେ ମୋଦିଙ୍କ ବାର୍ତ୍ତା

ଅନ୍ୟପକ୍ଷେ ମାର୍ଚ୍ଚ ୨୬ ତାରିଖ ଅର୍ଥାତ ବୁଧବାର ଥିଲା ବାଂଲାଦେଶ ଜାତୀୟ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହମ୍ମଦ ୟୁନୁସଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଛନ୍ତି । ମୋଦି ନିଜ ବାର୍ତ୍ତାରେ ପରସ୍ପର ହିତ ଏବଂ ସମସ୍ୟା ପ୍ରତି ସମ୍ବେଦନଶୀଳ ହୋଇ ହାତ ମିଳାଇ କାମ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ବାଂଲାଦେଶ ଜାତୀୟ ଦିବସ ଆମର ଇତିହାସ ଏବଂ ବଳିଦାନର ପ୍ରମାଣ । ଏହା ଆମ ଉଭୟଙ୍କର ସହଭାଗୀତାର ମୂଳଦୁଆ ପକାଇଛି । ମୋଦି କହିଥିଲେ, ବାଂଲାଦେଶ ମୁକ୍ତି ସଂଗ୍ରାମର ଭାବନା ଆମ ସମ୍ପର୍କ ପାଇଁ ମାର୍ଗଦର୍ଶୀ ଆଲୋକବର୍ତ୍ତିକା ହୋଇ ରହିବ । ମୋଦି ଏକଥା ମଧ୍ୟ କହିଛନ୍ତି, ଆମେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଆମର ଆକାଂକ୍ଷା ଏବଂ ଉଭୟଙ୍କର ସ୍ୱାର୍ଥ ଓ ଚିନ୍ତା ପ୍ରତି ପାରସ୍ପରିକ ସମ୍ବେଦନଶୀଳତାର ଆଧାରରେ ଏହି ସହଭାଗୀତାକୁ ଆଗକୁ ବଢାଇବା ପାଇଁ ପ୍ରତିବଦ୍ଧ ।

ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବାଂଲାଦେଶ ଜାତୀୟ ଦିବସରେ ତାଙ୍କର ସମକକ୍ଷ ମହମ୍ମଦ ସହାବୁଦ୍ଦିନଙ୍କୁ ପତ୍ର ଲେଖି ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ବାଂଲାଦେଶ ପାଇଁ ସମର୍ଥନ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଭାରତ-ବାଂଲାଦେଶ ମଧ୍ୟରେ ଏକ ବହୁମୁଖୀ ସମ୍ପର୍କ ରହି ଆସିଛି । ଆମର ସହଯୋଗ ବ୍ୟବସାୟ, ବିକାଶରେ ସହଭାଗୀତା, ବିଜୁଳି, ଶକ୍ତି, ଶିକ୍ଷା, କ୍ଷମତା ନିର୍ମାଣ, ସାଂସ୍କୃତିକ ସହଯୋଗ ଆଦି କ୍ଷେତ୍ରରେ ବ୍ୟାପକ ଭାବେ ରହିଛି ।

ବ୍ୟାଙ୍କକରେ ହେବାକୁ ଥିବା ବିମଷ୍ଟେକ ସମ୍ମିଳନୀରେ ଦ୍ୱିପାକ୍ଷିକ ବୈଠକ ନେଇ ଭାରତ ନୀରବ ରହିଥିଲେ ହେଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କର ଏହି ବାର୍ତ୍ତା ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ଆଶ୍ୱସ୍ତ କରିଥିବ ନିଶ୍ଚୟ ।