• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ସଚିନ ତେନ୍ଦୁଲକର ଓ ଲିଓନେଲ୍ ମେସୀ - କ୍ରୀଡ଼ା ଜଗତର ଦୁଇ କିମ୍ବଦନ୍ତୀ। ଅବଶ୍ୟ ଭିନ୍ନ ଭିନ୍ନ କ୍ରୀଡ଼ାଶୃଙ୍ଖଳାର। ତେନ୍ଦୁଲକର କ୍ରିକେଟର୍ (ଅବସରପ୍ରାପ୍ତ) ଆଉ ମେସୀ ଫୁଟ୍‌ବଲର୍।

ଭାରତରେ କ୍ରିକେଟ୍ ଏକ ଧର୍ମ ପାଲଟିଯାଇଛି ଆଉ ତେନ୍ଦୁଲକର ‘କ୍ରିକେଟ୍‌ର ଭଗବାନ’। ଆର୍ଜେଣ୍ଟିନା ଏକ ଫୁଟ୍‌ବଲ୍ ପାଗଳ ଦେଶ ଆଉ ସେଠାରେ ମେସୀ ‘ଫୁଟ୍‌ବଲ୍‌ର ମହାନାୟକ’। ଉଭୟ ନିଜ ନିଜ କ୍ରୀଡ଼ାରେ ଉତ୍ତୁଙ୍ଗ ଶିଖର ଛୁଇଁଛନ୍ତି ଏବଂ ସର୍ବକାଳୀନ ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ପରିଗଣିତ ହେଉଛନ୍ତି।

ତେନ୍ଦୁଲକର ଓ ମେସୀ ପରସ୍ପରକୁ ହୁଏତ କେବେ ଭେଟି ନ ଥିବେ। ଉଭୟଙ୍କ ମଧ୍ୟରେ ବୟସଗତ ପାର୍ଥକ୍ୟ ୧୪ ବର୍ଷ। ତେନ୍ଦୁଲକର ଅବସର ନେବା ବେଳକୁ ମେସୀ ଉଦୀୟମାନ। ତେବେ ଉଭୟଙ୍କ ସବୁଠାରୁ ବଡ଼ ଉପଲବ୍ଧି ମଧ୍ୟରେ ସମାନତା ରହିଛି। ଏହି ସମାନତାକୁ ନେଇ ଉଭୟ କ୍ରିକେଟ୍ ଓ ଫୁଟ୍‌ବଲ୍‌କୁ ଭଲ ପାଉଥିବା କ୍ରୀଡ଼ାପ୍ରେମୀ, ଏପରିକି ସମୀକ୍ଷକ ବି ଚକିତ ହୋଇଛନ୍ତି।

କ’ଣ ରହିଛି ସମାନତା:

କ୍ୟାରିଅର୍‌ରେ ବ୍ୟାପକ ସଫଳତା ସତ୍ତ୍ୱେ ଉଭୟ ତେନ୍ଦୁଲକର ଓ ମେସୀଙ୍କର ଏକ ଅଧୁରା ସ୍ୱପ୍ନ ରହିଥିଲା - ଦୁହେଁ ବିଶ୍ୱକପ୍ ଟ୍ରଫି ଜିତି ନ ଥିଲେ । କିନ୍ତୁ ଉଭୟ ନିଜ ନିଜ ଶେଷ ବିଶ୍ୱକପ୍ରେ ଏହି ସ୍ୱପ୍ନକୁ ସାକାର କରିଥିଲେ । ୨୦୧୧ କ୍ରିକେଟ୍ ବିଶ୍ୱକପ୍ ଟ୍ରଫି ଉଠାଇଥିଲେ ତେନ୍ଦୁଲକର ଆଉ ୨୦୨୨ରେ ପ୍ରଥମ ଥର ଫୁଟ୍ବଲ୍ ବିଶ୍ୱକପ୍ ମୁକୁଟ ଜିତିଥିଲେ ମେସୀ । ଉଭୟ ଶେଷ ଥର ପାଇଁ ବିଶ୍ୱକପ୍ ଖେଳିଥିଲେ, ଯାହାର ସକାରାତ୍ମକ ସମାପନ ହୋଇଥିଲା ।

ଉଭୟଙ୍କର କାନ୍ଧ ଉପରେ ନିଜ ଦେଶର କୋଟି କୋଟି ଲୋକଙ୍କ ଆଶା ଲଦି ହୋଇ ରହିଥିଲା। ତେବେ ସେମାନେ ଚାପରେ ଥକି ପଡ଼ି ନ ଥିଲେ। ପ୍ରଶଂସକଙ୍କ ଭଲ ପାଇବା ସେମାନଙ୍କ ଶକ୍ତି ବର୍ଦ୍ଧନ କରିଥିଲା। ଉଭୟଙ୍କ ଦୃଢ଼ ମନୋବଳ ଆଗରେ ଅନେକ ନାମୀ-ଦାମୀ ଖେଳାଳି ନତମସ୍ତକ ହୋଇଥିଲେ।

କତରରେ ଆୟୋଜିତ ଫିଫା ବିଶ୍ୱକପ୍ ଫାଇନାଲ୍‌ରେ ଏମିତି ଗୋଟିଏ ସମୟ ଆସିଥିଲା, ଯେତେବେଳେ ମନେହୋଇଥିଲା ଯେ ହୁଏତ ଆର୍ଜେଣ୍ଟିନା ହାରିଯିବ ଏବଂ ମେସୀଙ୍କ ବିଶ୍ୱବିଜୟ ସ୍ୱପ୍ନ ଅଧୁରା ରହିଯିବ। ୱାଙ୍ଖେଡ଼େରେ ଖେଳାଯାଇଥିବା ୨୦୧୧ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍‌ରେ ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ହାସଲ ସହଜ ହୋଇ ନ ଥିଲା।

କିନ୍ତୁ ଉଭୟ ମ୍ୟାଚ୍‌ରେ ଲାଗୁଥିଲା ସତେ ଯେପରି ନିୟତି ମଧ୍ୟ ଚାହୁଁଥିଲା ଯେ ଉଭୟଙ୍କର ପ୍ରଥମ ବିଶ୍ୱ ମୁକୁଟ ପ୍ରତୀକ୍ଷାର ପରିସମାପ୍ତି ହେଉ। ୧୧ ବର୍ଷର ବ୍ୟବଧାନରେ ଦୁଇ କିମ୍ବଦନ୍ତୀ ଖେଳାଳି କେବଳ ନିଜ ସ୍ୱପ୍ନ ସାକାର କରି ନ ଥିଲେ, ନିଜ ଦେଶର ପ୍ରଶଂସକମାନଙ୍କୁ ବିଶ୍ୱକପ୍ ଟ୍ରଫି ରୂପରେ ଏକ ମୂଲ୍ୟବାନ ଉପହାର ଦେଇଥିଲେ।

ଉଭୟ ନିଜ ଶେଷ ବିଶ୍ୱକପ୍‌ରେ ଟିମ୍‌ର ମୁକୁଟ-ସାଫଲ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ତେନ୍ଦୁଲକର ଦୁଇ ଶତକ ଓ ଦୁଇ ଅର୍ଦ୍ଧଶତକ ସହାୟତାରେ ମୋଟ ୪୮୨ ରନ୍ ସଂଗ୍ରହ କରିଥିଲେ। ଅନ୍ୟପଟେ, ମେସୀ ସାତ ଗୋଲ୍ ଦେଇ ସର୍ବାଧିକ ସ୍କୋରର୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିଲେ।

ଉଭୟଙ୍କ ମଧ୍ୟରେ ଆଉ ଏକ ସମାନତା ହେଉଛି, ଦୁହେଁ ମୁକୁଟ ବିଜୟର ଆଠ ବର୍ଷ ପୂର୍ବରୁ ବିଶ୍ୱକପ୍‌ରେ ଉପ-ବିଜେତା ଟିମ୍‌ର ସଦସ୍ୟ ଥିଲେ। ୨୦୦୩ କ୍ରିକେଟ୍ ବିଶ୍ୱକପ୍‌ରେ ଭାରତୀୟ ଟିମ୍ ଉତ୍ତମ ପ୍ରଦର୍ଶନ କରିଥିଲେ ହେଁ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍ ବାଧା ଅତିକ୍ରମ କରିପାରି ନ ଥିଲା। ଅନୁରୂପ ଭାବେ ୨୦୧୪ ଫୁଟ୍‌ବଲ୍ ବିଶ୍ୱକପ୍‌ରେ ମେସୀଙ୍କ ଆର୍ଜେଣ୍ଟିନା ଟିମ୍‌ର ଅଭିଯାନ ଫାଇନାଲ୍‌ରେ ଅଟକିଥିଲା ଏବଂ ଜର୍ମାନୀ ବିଜେତା ହୋଇଥିଲା। ଆଉ ଏକ ବିରଳ ସଂଯୋଗ - ଉଭୟଙ୍କ ଜର୍ସି ନମ୍ବର ୧୦।

କ୍ରିକେଟ୍‌ର ଭଗବାନ ତେନ୍ଦୁଲକର:

ସଚିନ ତେନ୍ଦୁଲକର ଆନ୍ତର୍ଜାତିକ କ୍ରିକେଟ୍‌ରେ ‘ରେକର୍ଡ ବାଦ୍‌ଶାହ’ ଭାବେ ପରିଚିତ। ସେ ଅନେକ ରେକର୍ଡର ଅଧିକାରୀ। ସେ ଦିନିକିଆ ଆନ୍ତର୍ଜାତିକ ଓ ଟେଷ୍ଟ୍‌ରେ ଯଥାକ୍ରମେ ୧୮୦୦୦ ଓ ୧୫୦୦୦ରୁ ଊର୍ଦ୍ଧ୍ୱ ରନ୍ କରି ସର୍ବକାଳୀନ ସର୍ବାଧିକ ସ୍କୋରର୍ ହୋଇପାରିଛନ୍ତି। କ୍ରିକେଟ୍‌ର ସବୁ ଫର୍ମାଟ୍‌କୁ ମିଶାଇ ସେ ସର୍ବାଧିକ ଥର ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ପାଇଛନ୍ତି। ସେ ୧୦୦ ଆନ୍ତର୍ଜାତିକ ଶତକ ହାସଲ ଗୌରବର ମଧ୍ୟ ଅଧିକାରୀ।

ତେନ୍ଦୁଲକର ମାତ୍ର ୧୬ ବର୍ଷ ବୟସରୁ ଟେଷ୍ଟ ଖେଳିବା ଆରମ୍ଭ କରିଥିଲେ। ମାଷ୍ଟର ବ୍ଲାଷ୍ଟର୍‌ ଛଅ ଥର ଦିନିକିଆ ବିଶ୍ୱକପ୍ ଖେଳିଛନ୍ତି। ସେ ଅଧିନାୟକତ୍ୱର କଣ୍ଟକିତ ମୁକୁଟ ବି ପିନ୍ଧିଛନ୍ତି; ହେଲେ ବ୍ୟାଟିଂ ଉପରେ ଫୋକସ୍ କରିବା ପାଇଁ ସେ ନେତୃତ୍ୱ ଦାୟିତ୍ୱ ଛାଡ଼ିଥିଲେ।

‘ଭାରତ ରତ୍ନ’ ତେନ୍ଦୁଲକର ମଧ୍ୟକ୍ରମରେ ହେଉ ବା ଓପନିଂ - ଯେଉଁ ସ୍ଥାନରେ ବ୍ୟାଟିଂ କଲେ ବି ବଡ଼ ବଡ଼ ବୋଲରଙ୍କ ବଲ୍‌ରେ ଚୌକା-ଛକା ମାରି ଉଜ୍ଜ୍ୱଳ ଇନିଂସ୍ ଖେଳିବାର ସାମର୍ଥ୍ୟ ରଖୁଥିଲେ। ଭାରତୀୟ କ୍ରିକେଟ୍‌ରେ ଗୋଟିଏ ସମୟ ଥିଲା ଯେତେବେଳେ ତେନ୍ଦୁଲକର ଆଉଟ୍ ହୋଇଗଲେ, ଟିଭି ସେଟ୍ ବି ବନ୍ଦ ହୋଇଯାଉଥିଲା।

କିନ୍ତୁ ୨୦୧୧ ପୂର୍ବ ଯାଏଁ ଏହି ଶ୍ରେଷ୍ଠ ଖେଳାଳି ବିଶ୍ୱକପ୍ ଜିତିପାରି ନ ଥିଲେ। କିନ୍ତୁ ସେଥର ସେ ବିଶ୍ୱକପ୍ ଜିତିବେ ବୋଲି ସତେ ଯେପରି ପ୍ରତିଜ୍ଞାବଦ୍ଧ ଥିଲେ।

ତାଙ୍କ ପ୍ରତି ଦର୍ଶକଙ୍କ ବିପୁଳ ସମର୍ଥନ ଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଟିମ୍‌ର ପ୍ରମୁଖ ସଦସ୍ୟ ଥାଇ ସେ ତାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିଥିଲେ। ବିଜୟ ପରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଖେଳାଳି ତାଙ୍କୁ କାନ୍ଧ ଉପରେ ବସାଇ ପଡ଼ିଆ ପରିକ୍ରମା କରାଇଥିଲେ।

ଫୁଟ୍‌ବଲ୍‌ର ମହାନାୟକ ମେସୀ:

ପେଲେ, ଡିଏଗୋ ମାରାଡ଼ୋନାଙ୍କ ଭଳି ମହାନ ଖେଳାଳିଙ୍କ ଏକାଧିକ ରେକର୍ଡ ଧ୍ୱସ୍ତ କରି ଫୁଟ୍‌ବଲ୍‌ର ମହାନାୟକ ହୋଇପାରିଛନ୍ତି ଲିଓନେଲ୍ ମେସୀ। ଫୁଟ୍‌ବଲ୍ ଜଗତରେ ମେସୀ ଏକ ବହୁପରିଚତ ନାଁ।

ସର୍ବାଧିକ ସାତ ଥର ବାଲୋନ୍ ଡି’ଓର୍ ପୁରସ୍କାର ପାଇଥିବା ମେସୀ କତର ବିଶ୍ୱକପ୍ ପୂର୍ବରୁ ପ୍ରାୟ ସବୁ ବଡ଼ ମୁକୁଟ ହାସଲ କରିସାରିଥିଲେ। ସେଥିମଧ୍ୟରେ ଲା’ ଲିଗା, କୋପା ଡେଲ୍ ରେ’, ଚାମ୍ପିଅନ୍ସ ଲିଗ୍, କ୍ଲବ୍ ଫୁଟ୍‌ବଲ୍, ଅଲିମ୍ପିକ୍, କୋପା ଆମେରିକା, ଫାଇନାଲିସ୍‌ମା ଆଦି ରହିଛି।

ଏବେ ତାଙ୍କ କ୍ୟାରିଅରରେ ବିଶ୍ୱକପ୍ ଟ୍ରଫି ବି ଯୋଡ଼ି ହୋଇଯାଇଛି। ସେ ଦକ୍ଷିଣ ଆମେରିକୀୟ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ୯୮ ଆନ୍ତର୍ଜାତିକ ଗୋଲ୍ କରିଥିବା ବେଳେ ଉଭୟ କ୍ଲବ୍ ଓ ଦେଶ ପକ୍ଷରୁ ୭୯୦ରୁ ଅଧିକ ଗୋଲ୍ ସ୍କୋର୍ କରିଛନ୍ତି।

ମେସୀ ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନାକୁ ୩୬ ବର୍ଷ ପରେ ବିଶ୍ୱକପ୍ ଜିତାଇଛନ୍ତି। ୧୯୮୬ରେ ମାରାଡୋନାଙ୍କ ଟିମ୍ ଏହି ଦକ୍ଷିଣ ଆମେରିକୀୟ ଦେଶକୁ ବିଶ୍ୱମୁକୁଟ ଜିତାଇଥିଲେ। ଆର୍ଜେଣ୍ଟିନାର ତୃତୀୟ ବିଶ୍ୱକପ୍ ମୁକୁଟ ଦିବଙ୍ଗତ ମାରାଡ଼ୋନାଙ୍କ ପ୍ରତି ମଧ୍ୟ ଯଥାର୍ଥ ଶ୍ରଦ୍ଧାଞ୍ଜଳି ଥିଲା।

ଆର୍ଜେଣ୍ଟିନା ଟିମ୍ ଉନ୍ନତ ଫୁଟ୍‌ବଲ୍ ଖେଳେ ଏବଂ ଚଳିତ ବର୍ଷ ମଧ୍ୟ ଏହି ଟିମ୍ ଦୃଢ଼ ପ୍ରଦର୍ଶନ କରିଆସୁଥିଲା। କିନ୍ତୁ ଟିମ୍ ବିଶ୍ୱବିଜେତା ହେବା ପାଇଁ କିଛି ଅଲଗା କରିବାର ଆବଶ୍ୟକତା ଥିଲା। କତରରେ ମେସୀଙ୍କ ‘ମିଡାସ୍ ଟଚ୍’ ସେହି ଆବଶ୍ୟକତା ପୂରଣ କରିଥିଲା। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫର୍‌ୱାର୍ଡ ୩୫ ବର୍ଷୀୟ ମେସୀଙ୍କ ପକ୍ଷେ କିଛି ବି ଅସମ୍ଭବ ନୁହେଁ। ନିଜ ଶେଷ ପ୍ରୟାସରେ ହେଉ ପଛେ ଏହା ପ୍ରମାଣିତ କରିଛନ୍ତି ଏହି ଆର୍ଜେଣ୍ଟିନା ତାରକା।

ମେସୀ ଦେଶ ପକ୍ଷରୁ ସର୍ବାଧିକ ବିଶ୍ୱକପ୍ ମ୍ୟାଚ୍ ଖେଳିଛନ୍ତି। ବିଶ୍ୱକପର୍‌ ଗୋଟିଏ ସଂସ୍କରଣର ସବୁ ପର୍ଯ୍ୟାୟରେ ଗୋଲ୍ ଦେବାରେ ସେ ବିଶ୍ୱର ପ୍ରଥମ ଖେଳାଳି। ସେ କତରରେ ଗୋଲ୍‌ଡେନ୍ ବଲ୍ ପୁରସ୍କାର ବି ପାଇଥିଲେ। ମୁକୁଟ ବିଜୟ ପରେ ତାଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ପଡ଼ିଆରେ ତାଙ୍କ ପାଖରେ ଥିଲେ ବାପା, ମାଆ, ସ୍ତ୍ରୀ, ପିଲା ସମସ୍ତେ ସେହି ଅଭୁଲା ମୁହୂର୍ତ୍ତର ମୁକସାକ୍ଷୀ ହେବା ପାଇଁ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)