Advertisment

ସୀମିତ ଓଭର୍ କ୍ରିକେଟ୍‌ରେ ଓପନର୍ ସ୍ଥାନ ସୁରକ୍ଷିତ କରିପାରିବେ କି ଈଶାନ ?

ଓପନର୍ ଈଶାନ କିଶନଙ୍କ ରୂପରେ ଟିମ୍ ଇଣ୍ଡିଆରେ ଏକ ନୂଆ ତାରକାର ଅଭ୍ୟୁଦୟ ହୋଇଛି। ଏଥିସହିତ ସୃଷ୍ଟି ହୋଇଛି ସୀମିତ ଓଭର୍ କ୍ରିକେଟ୍‌ରେ ଟିମ୍ ପାଇଁ ବଡ଼ ସମ୍ଭାବନା। ବାଦ୍ ପଡ଼ିବେ କି ଧାବନ୍?

author-image
Biswajit Mohanty
ଅଦ୍ୟତନ ହୋଇଛି
Can Ishan secure the opener's spot in limited overs cricket?

Can Ishan secure the opener's spot in limited overs cricket?

ଈଶାନ କିଶନ ସମ୍ପ୍ରତି ଭାରତୀୟ କ୍ରିକେଟ୍‌ର ସବୁଠାରୁ ଚର୍ଚ୍ଚିତ ଖେଳାଳି ଈଶାନଙ୍କ ରୂପରେ ଟିମ୍ ଇଣ୍ଡିଆରେ ଏକ ନୂଆ ତାରକାର ଅଭ୍ୟୁଦୟ ହୋଇଛି। ନିକଟରେ ଏକ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ ସେ ଏମିତି ଏକ ଇନିଂସ୍ ଖେଳିଛନ୍ତି, ଯାହା ତାଙ୍କୁ କେବଳ ରେକର୍ଡ ବୁକ୍‌ରେ ସାମିଲ୍ କରି ନାହିଁ, ସୀମିତ ଓଭର୍ କ୍ରିକେଟ୍‌ରେ ଭାରତୀୟ ଟିମ୍ ପାଇଁ ବଡ଼ ସମ୍ଭାବନା ସୃଷ୍ଟି କରିଛି।

Advertisment

ବାମହାତି ଈଶାନ ବାଂଲାଦେଶ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆରେ ବିଶ୍ୱ କ୍ରିକେଟ୍‌ର ଦ୍ରୁତତମ ଦ୍ୱିଶତକ ହାସଲ କରିଥିଲେ। ସେ ମାତ୍ର ୧୩୧ ବଲ୍‌ରେ ୨୧୦ ରନ୍‌ର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୨୪ ଚୌକା ଓ ୧୦ ଛକା ରହିଥିଲା। ପୂର୍ବରୁ ଶତକ ହାସଲ କରି ନ ଥିବା କୌଣସି ବ୍ୟାଟର୍ ଏକାବେଳେ ଦ୍ୱିଶତକ ଲଗାଇବା ବିଶ୍ୱ କ୍ରିକେଟ୍‌ରେ ପ୍ରଥମ। ତାଙ୍କର ଏହି ପ୍ରଦର୍ଶନ ଅନେକ କ୍ରିକେଟର୍ ଓ କ୍ରିକେଟ୍‌ପ୍ରେମୀଙ୍କୁ ବିସ୍ମିତ କରିଛି। ଏବେ ଆଲୋଚନା ହେଉଛି ଯେ ସୀମିତ ଓଭର୍ କ୍ରିକେଟ୍‌ରେ ଓପନର୍ ଭାବେ ନିଜ ସ୍ଥାନ ସୁରକ୍ଷିତ କରିପାରିବେ କି ଈଶାନ?

ଟିମ୍ ଇଣ୍ଡିଆ ସେହି ଶୃଙ୍ଖଳା ହାରିଥିଲେ ବି କ୍ଲିନ୍ ସୁଇପ୍ ଏଡ଼ାଇ ପାରିଥିଲା। ଏହି ମ୍ୟାଚ୍‌ରେ ବିରାଟ କୋହଲି ମଧ୍ୟ ଦୀର୍ଘ ଦିନ ପରେ ଦିନିକିଆ ଶତକ ହାସଲ କରିଥିଲେ। ତେବେ ଈଶାନ ଥିଲେ ମ୍ୟାଚ୍‌ର ଆକର୍ଷଣ। ସେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଓପନିଂ ବ୍ୟାଟର୍‌ର ଭୂମିକା ନିର୍ବାହ କରିଥିଲେ। ତାଙ୍କ ପୂର୍ବରୁ ଭାରତ ପକ୍ଷରୁ କେବଳ ରୋହିତ ଶର୍ମା, ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗ ଦ୍ୱିଶତକ ଲଗାଇଥିଲେ।

Advertisment

ଯେତେବେଳେ ଈଶାନ ପଡ଼ିଆର ଚତୁର୍ଦ୍ଦିଗକୁ ଅନାୟାସରେ ଆକର୍ଷଣୀୟ ସଟ୍ ଲଗାଉଥିଲେ, ସେତେବେଳେ ମନେହେଉଥିଲା ସତେଯେମିତି ଏହି ପ୍ରତିଭାକୁ ଦୀର୍ଘ ଦିନ ଧରି ଲୁଚାଇ ରଖାଯାଇଥିଲା, ଆଉ ସେ ସାମ୍ନାକୁ ଆସିବା କ୍ଷଣି ନିଜ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରିଥିଲେ।

ଈଶାନ କୌଣସି ନୂଆ ଖେଳାଳି ନୁହନ୍ତି; କିନ୍ତୁ ତାଙ୍କୁ ଖେଳିବାର ବେଶୀ ସୁଯୋଗ ମିଳିନି। ରୋହିତ ଶର୍ମା, ଶିଖର ଧାବନ୍, ଲୋକେଶ ରାହୁଲଙ୍କ ମଧ୍ୟରୁ ଯଦି କେହି ବିଶ୍ରାମ ନିଅନ୍ତି କିମ୍ବା ଆହତ ହୁଅନ୍ତି, ତା’ହେଲେ ଈଶାନଙ୍କୁ ନେବା କଥା ବିଚାର କରାଯାଏ।

ଟିମ୍‌ରୁ ବାଦ୍ ପଡ଼ିପାରନ୍ତି ଧାବନ୍:

ଈଶାନଙ୍କ ଏହି ଉପଲବ୍ଧି ମଧ୍ୟରେ ଭାରତର ପରବର୍ତ୍ତୀ ଓପନିଂ ଯୋଡ଼ିକୁ ନେଇ ଚର୍ଚ୍ଚା ହେଉଛି। ଏସିଆ କପ୍ ପରେ ଟିମ୍ ଚୟନକୁ ନେଇ ଆଲୋଚନାର ଶରବ୍ୟ ହୋଇଥିବା ବିସିସିଆଇ ଆଗରେ ଏବେ ଚାଲେଞ୍ଜ୍ ଆହୁରି ବଢ଼ିଯାଇଛି। କୁହାଯାଉଛି ଯେ ଈଶାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ବରିଷ୍ଠ ଓପନର୍ ଶିଖର ଧାବନ୍‌ଙ୍କ ଉପରେ ସର୍ବାଧିକ ଚାପ ପଡ଼ିଛି। ବାଂଲାଦେଶ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଧାବନ୍ ତିନି ମ୍ୟାଚ୍‌ରେ ମାତ୍ର ୧୮ ରନ୍ ସଂଗ୍ରହ କରିଥିଲେ।

ଶେଷ ଦିନିକିଆ ପରେ କ୍ରିକେଟର୍ ଦିନେଶ କାର୍ତ୍ତିକ, ଧାବନ୍‌ଙ୍କ ସଂକ୍ରାନ୍ତରେ କହିଥିଲେ ଯେ ହୁଏତ ଟିମ୍‌ରୁ ଶିଖର ଧାବନ୍‌ଙ୍କୁ କାଢ଼ି ଦିଆଯିବ। କାର୍ତ୍ତିକ ଏକ କ୍ରିକେଟ୍ ୱେବ୍‌ସାଇଟ୍ ସହ ଆଲୋଚନା ବେଳେ ଈଶାନ କିଶନ, ଶୁଭମନ ଗିଲ୍‌ଙ୍କ ଭଳି ଖେଳାଳି ଫର୍ମରେ ଥିବାରୁ ଧାବନଙ୍କ ଉଲ୍ଲେଖନୀୟ କ୍ୟାରିଅରର ଦୁଃଖଦ ଅନ୍ତ ଘଟିପାରେ ବୋଲି ସମ୍ଭାବନା ବ୍ୟକ୍ତ କରିଥିଲେ।

ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ୍ ହେବ। ଏପରିସ୍ଥଳେ ବିସିସିଆଇ ଓ ନୂଆ ଚୟନ କମିଟି ପାଇଁ ମୁଣ୍ଡବ୍ୟଥା ହୋଇପାରେ ଯେ ସେମାନେ କେଉଁ ଓପନର୍‌ଙ୍କୁ ଟିମ୍‌ରେ ସ୍ଥାନ ଦେବେ।

କାର୍ତ୍ତିକଙ୍କ କହିବାନୁଯାୟୀ, ଯଦି ଶୁଭମନ ଗିଲ୍ ଏହି ଟିମ୍‌ର ଅଂଶବିଶେଷ ଥା’ନ୍ତେ, ତା’ହେଲେ ସମ୍ଭବତଃ ସେ ଇନିଂସ୍ ଓପନ୍ କରିଥା’ନ୍ତେ; ଯେତେବେଳେ କି ଈଶାନ ମଧ୍ୟ ସୁଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ଏହା ଦ୍ୱାରା ଧାବନଙ୍କ ସ୍ଥିତି ଟିକେ କଠିନ ହୋଇପାରେ।

ବାଂଲାଦେଶ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ବି ଧାବନ୍ ଖେଳିଥିଲେ ଏବଂ ଟିମ୍‌ର ନେତୃତ୍ୱ ବି ନେଇଥିଲେ। ସେଠାରେ ବି ସେ କୌଣସି କମାଲ୍ କରିପାରି ନ ଥିଲେ। ସେ ଗୋଟିଏ ମ୍ୟାଚ୍‌ରେ ଅବଶ୍ୟ ୭୨ ରନ୍‌ର ଇନିଂସ୍ ଖେଳିଥିଲେ। ଦୁଇଟି ମ୍ୟାଚ୍ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା ଏବଂ ଶେଷରେ ଭାରତୀୟ ଟିମ୍ ୦-୧ରେ ଶୃଙ୍ଖଳା ହାରିଥିଲା।

ଏହାଛଡ଼ା ଟି-୨୦ ବିଶ୍ୱକପ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ମଧ୍ୟ ଧାବନ୍ ଟିମ୍‌ର ନେତୃତ୍ୱ ନେଇଥିଲେ। ଏହି ଶୃଙ୍ଖଳାରେ ମଧ୍ୟ ଧାବନ୍ ତିନି ମ୍ୟାଚ୍‌ରେ ମୋଟ୍ ୨୫ ରନ୍ କରି ନିରାଶ କରିଥିଲେ।

ଧାବନ୍ ଅନେକ ଦିନ ହେଲା ଟେଷ୍ଟ୍‌ ଓ ଟି-୨୦ ଆନ୍ତର୍ଜାତିକ ଟିମ୍‌ର ଅଂଶବିଶେଷ ନାହାନ୍ତି। ସାମିଲ୍ ହେବାର ସମ୍ଭାବନା ବି କମ୍। କେବଳ ଦିନିକିଆ ଆନ୍ତର୍ଜାତିକରେ ହିଁ ସେ ଖେଳି ଆସୁଛନ୍ତି, ଆଉ ସେଥିରେ ନୈରାଶ୍ୟଜନକ ପ୍ରଦର୍ଶନ ତାଙ୍କ ବଳକା କ୍ୟାରିଅର ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ଦିନିକିଆରେ ସେ ଏ ଯାବତ ୧୬୭ ମ୍ୟାଚ୍ ଖେଳି ୧୭ ଶତକ ସହାୟତାରେ ୬୯୭୩ ରନ୍ ସଂଗ୍ରହ କରିଛନ୍ତି।

ଅନ୍ୟପଟେ, ଈଶାନ ଜଣେ ଉଦୀୟମାନ କ୍ରିକେଟର୍। ଆଇପିଏଲ୍‌ରେ ସେ ନିଜ ପ୍ରଦର୍ଶନ ବଳରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରିଛନ୍ତି। ସେ ଏ ଯାବତ ମାତ୍ର ୧୦ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି ଏବଂ ୫୩ ଆଭରେଜ୍‌ରେ ୪୭୭ ରନ୍ ସଂଗ୍ରହ କରିଛନ୍ତି।ବାଂଲାଦେଶ ବିପକ୍ଷ ଦ୍ୱିଶତକ ଛଡ଼ା ସେ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯୩ ରନ୍‌ର ଉଜ୍ଜ୍ୱଳ ଇନିଂସ୍ ଖେଳିଥିଲେ। ଏତଦ୍ଭିନ୍ନ, ସେ ୨୧ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୫୮୯ ରନ୍ ସଂଗ୍ରହ କରିଛନ୍ତି।

ବିସିସିଆଇ ନିକଟ ଭବିଷ୍ୟତରେ ନୂଆ ଚୟନ କମିଟି ଗଠନ କରିବ। ଏସିଆ କପ୍ ଓ ଏହାପରେ ଟି-୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର ବିଫଳତା ପରେ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ପୁରୁଣା ଚୟନ କମିଟିକୁ ଭଙ୍ଗ କରାଯାଇଛି। ଧାବନ୍‌ଙ୍କ ଲଗାତାର ନୈରାଶ୍ୟଜନକ ପ୍ରଦର୍ଶନ ଓ ଈଶାନଙ୍କ ପ୍ରଭାବଶାଳୀ ବ୍ୟାଟିଂ ନୂଆ ଚୟନ କମିଟିକୁ ଚାପରେ ପକାଇବ। ଉଭୟଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ବେଳେ କୋଚ୍ ରାହୁଲ ଦ୍ରାବିଡ଼ ଓ ଅଧିନାୟକ ରୋହିତ ଶର୍ମାଙ୍କ ମତାମତ ବି ଗୁରୁତ୍ୱ ରଖିବ।

ନୂଆ ଚୟନ କମିଟି ପାଇଁ ଧାବନ୍‌ଙ୍କ ଅଭିଜ୍ଞତାକୁ ସମ୍ପୂର୍ଣ୍ଣ ଅଣଦେଖା କରିବା ସହଜ ହେବ ନାହିଁ। ଏମିତି ବି ହୋଇପାରେ ଯେ ଧାବନ୍‌ଙ୍କୁ ଆଉ କିଛି ଦିନିକିଆ ମ୍ୟାଚ୍‌ରେ ସୁଯୋଗ ଦିଆଯାଇପାରେ ଏବଂ ଚୟନ କମିଟି ତାହାର ସମୀକ୍ଷା କରିବ।

ଭାରତ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେଉଛି ଯେ ୨୦୨୩ କ୍ରିକେଟ୍ ବିଶ୍ୱକପ୍ ପାଇଁ ଟିମ୍‌କୁ ଚୂଡ଼ାନ୍ତ ରୂପ ଦେବା। ଗତ ଏକ ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଚୟନ କମିଟି ଏତେ ପ୍ରୟୋଗ କରିଛି ଯେ ତା’ ଉପରେ ପ୍ରଶ୍ନ ଉଠିଛି। ଓପନର୍ ଭାବେ କେତେବେଳେ ଲୋକେଶ ରାହୁଲ, କେତେବେଳେ ଶୁଭମନ ଗିଲ୍ ତ ଆଉ କେତେବେଳେ ରିଷଭ ପନ୍ତ ଅଥବା ଈଶାନ କିଶନ ଆସିଛନ୍ତି। ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ଶୁଭମନଙ୍କୁ ବାଂଲାଦେଶ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସାମିଲ୍ କରାଯାଇ ନ ଥିଲା। ଏହାକୁ ନେଇ ବି ପ୍ରଶ୍ନ ଉଠିଥିଲା।

ଆଇସିସି ମାନ୍ୟତାରେ ନିଜ ଠାରୁ ନିମ୍ନରେ ଥିବା ବାଂଲାଦେଶ ଠାରୁ ଶୃଙ୍ଖଳା ହାରିବା ପରେ ଏ କଥା ଉପରେ ଗୁରୁତ୍ୱ ଦେବା ଜରୁରୀ ହୋଇଯାଇଛି ଯେ ଆଗାମୀ ଦିନିକିଆ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଆଗକୁ ବଢ଼ିବାକୁ ହେଲେ ଈଶାନ ଓ ଶୁଭମନଙ୍କ ଭଳି ପ୍ରତିଭାଶାଳୀ ଖେଳାଳିଙ୍କୁ ବେଞ୍ଚ୍‌ରେ ବସାଇ ହେବ ନାହିଁ ବରଂ ବାରମ୍ବାର ନିରାଶ କରୁଥିବା ଅଭିଜ୍ଞ ଖେଳାଳିଙ୍କୁ ବସାଯାଇପାରେ। ଯୁବ ଖେଳାଳିଙ୍କୁ ଅଧିକ ଓ ନିରନ୍ତର ସୁଯୋଗ ମିଳିବା ଏବେ ଅପରିହାର୍ଯ୍ୟ ହୋଇଯାଇଛି।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Team India
Advertisment
Advertisment