Advertisment

Sports: ଏସିଆଡ୍‌ରେ ସ୍ୱର୍ଣ୍ଣ ପଦକ ଜିତିପାରିବ କି ଭାରତୀୟ ହକି ଟିମ୍‌

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ହାଙ୍ଗଝୁ ଏସିଆଡ୍‌ରେ ସ୍ୱର୍ଣ୍ଣ ପଦକ ଜିତିପାରିବ କି ଭାରତୀୟ ଟିମ୍‌? କାମ ଦେବ କି ମୁଖ୍ୟ କୋଚ୍ କ୍ରେଗ୍ ଫୁଲ୍‌ଟନ୍‌ଙ୍କ ଫର୍ମୂଲା? ଟ୍ରମ୍ପ୍ କାର୍ଡ ସାବ୍ୟସ୍ତ ହେବେ କି ଅଧିନାୟକ ହରମନପ୍ରୀତ ସିଂହ?

author-image
Biswajit Mohanty
ଅଦ୍ୟତନ ହୋଇଛି
Can Indian hockey team win gold medal in Asiad

Can Indian hockey team win gold medal in Asiad

ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବ ହାଙ୍ଗଝୁ ଏସିଆଡ୍। ବିଭିନ୍ନ କ୍ରୀଡ଼ାରେ ଭାରତ ନିଜର କ୍ଷମତା ପ୍ରଦର୍ଶନ ପାଇଁ ପ୍ରସ୍ତୁତ ଥିବା ବେଳେ ଦଳଗତ କ୍ରୀଡ଼ା ମଧ୍ୟରେ ସର୍ବାଧିକ ନଜର ରହିଛି ପୁରୁଷ ହକି ଉପରେ।

Advertisment

ଏଥିରେ ଭାରତ ସ୍ୱର୍ଣ୍ଣ ପଦକ ଜିତିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ। ଏହାର ଚାମ୍ପିଅନ୍ ଟିମ୍ ଆସନ୍ତା ବର୍ଷ ପ୍ୟାରିସ୍ ଠାରେ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ା ପାଇଁ ସିଧା ଯୋଗ୍ୟତା ହାସଲ କରିବ। ଏହି ଦୃଷ୍ଟିରୁ ହକିରେ ଏସିଆଡ୍ ସ୍ୱର୍ଣ୍ଣର ଗୁରୁତ୍ୱ ବଢ଼ିଯାଇଛି।

ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ପୁରୁଷ ହକି ଟିମ୍ ଏବେ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟର ଠାରେ ପ୍ରସ୍ତୁତି ଚଳାଇଛି। ଏହି ଟିମ୍ ନିକଟ ଅତୀତରେ ଚେନ୍ନାଇ ଠାରେ ଆୟୋଜିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ସମସ୍ତ ପ୍ରମୁଖ ଟିମ୍‌କୁ ହରାଇସାରିଛି, ଯେଉଁମାନେ ଏସିଆଡ୍‌ରେ ଖେଳିବେ।

Advertisment

ଏସିଆଡ୍ ଇତିହାସରେ ଭାରତୀୟ ପୁରୁଷ ହକି ଟିମ୍ ତିନି ସ୍ୱର୍ଣ୍ଣ ପଦକ (୧୯୬୬, ୧୯୯୮ ଓ ୨୦୧୪) ଜିତିଥିବା ବେଳେ ନଅ ରୌପ୍ୟ ଓ ତିନି କାଂସ୍ୟ ପଦକ ପାଇଛି। ତେଣୁ ଟିମ୍ ନଅ ବର୍ଷର ମୁକୁଟ-ପ୍ରତୀକ୍ଷାର ଅନ୍ତ ଘଟାଇବାକୁ ଚାହିଁବ।

ଏସିଆଡ୍ ପୂର୍ବରୁ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଭାରତୀୟ ଟିମ୍ ପାଇଁ ୱାର୍ମଅପ୍ ସଦୃଶ ଥିଲା। ଏଥିରେ ଭାରତୀୟ ଟିମ୍‌କୁ ମାଲେସିଆ ଓ ଜାପାନ ଠାରୁ ଚାଲେଞ୍ଜ୍ ମିଳିଥିଲା। ମୁଖ୍ୟ କୋଚ୍ କ୍ରେଗ୍ ଫୁଲ୍‌ଟନ୍‌ଙ୍କ ଟିମ୍ ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେହେଁ ଅସଲି ପରୀକ୍ଷା ଏସିଆଡ୍‌ରେ ହେବ।

କେତେ ପ୍ରସ୍ତୁତ ଫୁଲ୍‌ଟନ୍‌ଙ୍କ ଟିମ୍:

କ୍ରେଗ୍ ଫୁଲ୍‌ଟନ୍ ମୁଖ୍ୟ କୋଚ୍ ଦାୟିତ୍ୱ ନେବା ପରେ ଭାରତୀୟ ଟିମ୍‌ର ଖେଳିବା-ଶୈଳୀ ବଦଳାଇ ଦେଇଛନ୍ତି। ସେ ଟିମ୍‌କୁ ବିଜୟ ପାଇଁ ଡିଫେନ୍ସର ନୂଆ ମନ୍ତ୍ର ଦେଇଛନ୍ତି।

ଏହା ପୂର୍ବରୁ ଭାରତୀୟ ଟିମ୍ ପ୍ରାୟତଃ ଆଟାକିଂ ହକି ଖେଳୁଥିଲା ଏବଂ ଏହି ଧାରା ଗ୍ରାହମ୍ ରୀଡ୍ ମୁଖ୍ୟ କୋଚ୍ ଥିବା ଯାଏଁ ଜାରି ରହିଥିଲା। କିନ୍ତୁ ଫୁଲ୍‌ଟନ୍ ସେହି ଖେଳିବା-ଶୈଳୀକୁ ବଦଳାଇ ଡିଫେନ୍ସ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ଖେଳାଳିମାନେ ପାଲଟା ଆକ୍ରମଣ କରି ମ୍ୟାଚ୍‌କୁ ନିଜ ପଟକୁ ଆଣିବା ପାଇଁ ପ୍ରୟାସ କରୁଛନ୍ତି।

ଏହି ଶୈଳୀରେ ଭାରତୀୟ ଟିମ୍ ଡିଫେନ୍ସ କରିବା ସମୟରେ ଅଧା ପଡ଼ିଆ ଉପରେ ଫୋକସ୍ କରିଥାଏ, ଯାହାର ସୁରକ୍ଷାରେ ଅଧିକ ଖେଳାଳି ରହିଥା’ନ୍ତି। ସେହିପରି ଆକ୍ରମଣ କରିବା ସମୟରେ ପୂରା ପଡ଼ିଆ ଉପରେ ଫୋକସ୍ କରାଯାଇଥାଏ। ସେତେବେଳେ ହାଫ୍ ଲାଇନ୍‌ରୁ ଆକ୍ରମଣ ଆରମ୍ଭ ହୋଇଥାଏ ଏବଂ ଚେଷ୍ଟା କରାଯାଇଥାଏ ଯେ ବଲ୍ ପ୍ରତିପକ୍ଷ ଟିମ୍‌ର ଡେଞ୍ଜର୍ ଜୋନ୍‌ରେ ହିଁ ରହୁ।

ଭାରତୀୟ ଟିମ୍ ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ର ଶେଷ ଚାରି ମ୍ୟାଚ୍‌ରେ ଏହି ଶୈଳୀକୁ ପ୍ରୟୋଗ କରିଥିଲା। ତେବେ ଅଗଷ୍ଟରେ ଆୟୋଜିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଏହି ଶୈଳୀରେ ଅଭ୍ୟସ୍ତ ହେବା ସହ ପାରଙ୍ଗମତା ବି ହାସଲ କରିଥିଲା।

ଫୁଲ୍‌ଟନ୍‌ଙ୍କ ଫର୍ମୂଲାକୁ ଆପଣାଇବା ଫଳରେ ଏବେ ଟିମ୍‌କୁ ବେଶୀ ଗୋଲ୍ ଖାଇବାକୁ ପଡ଼ୁନି। ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଟିମ୍‌ର ପ୍ରଦର୍ଶନରୁ ଏହା ବୁଝାଯାଇପାରିବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ୨୯ ଗୋଲ୍ ଦେଇଥିବା ବେଳେ ତା’ ବିରୋଧରେ ମାତ୍ର ୮ ଗୋଲ୍ ହୋଇଥିଲା। ଆଉ ଏକ ସୁଫଳ ହେଉଛି, ଭାରତୀୟ ଡିଫେଣ୍ଡର୍ ଅଧିକାଂଶ ଆକ୍ରମଣକୁ ସର୍କଲ ବାହାରେ ହିଁ ଅଟକାଇବାରେ ସଫଳ ହେଉଛନ୍ତି, ଯାହା ଫଳରେ ପ୍ରତିପକ୍ଷ ଟିମ୍‌କୁ ବେଶୀ ପେନାଲ୍ଟି କର୍ଣ୍ଣର ମିଳିପାରୁ ନାହିଁ।

ଏସିଆଡ୍‌ରେ ପୁଲ୍‌-ଏ’ରେ ଭାରତ ଛଡ଼ା ଡିଫେଣ୍ଡିଂ ଚାମ୍ପିଅନ୍ ଜାପାନ, ପାକିସ୍ତାନ, ବାଂଲାଦେଶ, ସିଙ୍ଗାପୁର ଓ ଉଜ୍‌ବେକିସ୍ତାନ ରହିଛି। ସେହିପରି ପୁଲ୍‌-ବି’ରେ ମାଲେସିଆ, ଦକ୍ଷିଣ କୋରିଆ, ଚୀନ୍‌, ଓମାନ୍‌, ଥାଇଲାଣ୍ଡ ଓ ଇଣ୍ଡୋନେସିଆ ଟିମ୍‌କୁ ରଖାଯାଇଛି। ଭାରତୀୟ ଟିମ୍ ସେପ୍ଟେମ୍ବର ୨୪ରେ ଉଜ୍‌ବେକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ।

ଭାରତର ଗ୍ରୁପ୍‌ରେ ଜାପାନ, ପାକିସ୍ତାନ ଭଳି ଦୁଇ ଭଲ ଟିମ୍ ରହିଛନ୍ତି। କିନ୍ତୁ ଭାରତ ସେମାନଙ୍କୁ ହରାଇବାର ସାମର୍ଥ୍ୟ ରଖେ। ଏହାସତ୍ତ୍ୱେ ଉଭୟ ଟିମ୍ ଠାରୁ ସତର୍କ ରହିବା ଜରୁରୀ।

ଅଧିନାୟକ ହରମନପ୍ରୀତ ସିଂହ ଏସିଆଡ୍‌ରେ ଟିମ୍‌ର ପ୍ରଦର୍ଶନ ନେଇ ବେଶ୍ ଆଶାବାଦୀ ଅଛନ୍ତି। ସେ କହିଛନ୍ତି ଯେ ସେମାନେ ଏସିଆଡ୍ ପୁଲ୍‌ରେ ଥିବା କେତେକ ମଜଭୁତ ଟିମ୍ ସହିତ ଚାମ୍ପିଅନ୍ସ ଟ୍ରଫିରେ ଖେଳିସାରିଛନ୍ତି ଏବଂ ହାଙ୍ଗ୍‌ଝୁରେ ସେହି ଅଭିଜ୍ଞତାର ଫାଇଦା ଉଠାଇବାକୁ ପ୍ରୟାସ କରିବେ। ସେମାନେ ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତି କରିଛନ୍ତି।

ଖୋଦ୍ ହରମନପ୍ରୀତ ଟିମ୍ ପାଇଁ ଟ୍ରମ୍ପ୍ କାର୍ଡ। ସେ ବିଶ୍ୱର ଶୀର୍ଷ ପେନାଲ୍ଟି କର୍ଣ୍ଣର ବିଶେଷଜ୍ଞ ଭାବେ ପରିଚିତ। ତାଙ୍କ ସହିତ ଡିଫେଣ୍ଡର୍ ଭାବେ ଟିମ୍‌ରେ ରହିଛନ୍ତି ଅମିତ ରୋହିଦାସ, ଜର୍ମନପ୍ରୀତ ସିଂହ, ସୁମିତ, ଯୁଗରାଜ ସିଂହ ଓ ବରୁଣ କୁମାର। ଅମିତ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଟିମ୍‌ରେ ସ୍ଥାନ ପାଇଛନ୍ତି । ସେ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ବିଜେତା ଟିମ୍‌ର ସଦସ୍ୟ ଥିଲେ।

ଟିମ୍‌ରେ ମିଡ୍‌ଫିଲ୍ଡର୍ ଭାବେ ଉପ-ଅଧିନାୟକ ହାର୍ଦିକ ସିଂହ, ଶମଶେର ସିଂହ, ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂହ ଓ ନୀଲକାନ୍ତ ଶର୍ମା ଥିବା ବେଳେ ଫର୍‌ୱାର୍ଡ ଲାଇନ୍‌ରେ ଆକାଶଦୀପ ସିଂହ, ଏସ୍‌. କାର୍ତ୍ତି, ଗୁରଜନ୍ତ ସିଂହ, ସୁଖଜିତ୍ ସିଂହ, ପବନ ଓ ମନଦୀପ ସିଂହ ରହିଛନ୍ତି। ଟିମ୍‌ରେ ଗୋଲ୍‌କିପର୍ ଦାୟିତ୍ୱରେ ଅଛନ୍ତି ପିଆର୍ ଶ୍ରୀଜେଶ ଓ କ୍ରିଷନ ବାହାଦୁର ପାଠକ।

ଭାରତୀୟ ଟିମ୍ କେବଳ କୌଶଳରେ ନୁହେଁ, ମାନସିକ ସ୍ତରରେ ମଧ୍ୟ ମଜଭୁତ ରହିଛି । ଟିମ୍ ସହିତ ପ୍ୟାଡି ଅପ୍ଟନ୍ ସଂଶ୍ଳିଷ୍ଟ ହେବା ଦ୍ୱାରା ଏ ଦିଗରେ ଖେଳାଳିଙ୍କ ସୁଧାର ହୋଇଛି। ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ହିଁ ତାହାର ଝଲକ ଦେଖିବାକୁ ମିଳିଥିଲା।

ପ୍ରଦର୍ଶନରେ ପ୍ରଭାବ ପକାଇପାରେ ପରବର୍ତ୍ତିତ ବାତାବରଣ:

ଭାରତୀୟ ଟିମ୍ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଦକ୍ଷିଣ କୋରିଆ, ଜାପାନ, ମାଲେସିଆ, ଚୀନ୍ ଓ ପାକିସ୍ତାନ ଭଳି ଟିମ୍‌କୁ ହରାଇଥିଲା। କିନ୍ତୁ ଘରୋଇ ଦର୍ଶକଙ୍କ ଗହଣରେ ଏହି ସଫଳତା ମିଳିଥିଲା । ହାଙ୍ଗ୍‌ଝୁରେ ଟିମ୍‌କୁ ଭିନ୍ନ ବାତାବରଣରେ ଖେଳିବାକୁ ହେବ। ସେଠାରେ ଉତ୍ସାହିତ କରିବା ପାଇଁ ଭାରତୀୟ ଦର୍ଶକ ନ ଥିବେ। ଏହାସତ୍ତ୍ୱେ ଭାରତୀୟ ଟିମ୍‌କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ।

ଏସିଆନ୍ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍‌ରେ ଭାରତକୁ ମାଲେସୀୟ ଟିମ୍ କଡ଼ା ଟକ୍କର ଦେଇଥିଲା। ମଧ୍ୟାନ୍ତର ସୁଦ୍ଧା ଆୟୋଜକ ଟିମ୍ ୧-୩ରେ ପଛରେ ଥିଲା। ଏହାପରେ ଟିମ୍ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍ ଜିତିଥିଲା। ତେଣୁ ଭାଗ୍ୟ ସାଥ୍ ଦେବା ବି ଜରୁରୀ।

ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ବିଜେତା ଟିମ୍‌ର ଅଧିନାୟକ ଥିବା ମନପ୍ରୀତ ସିଂହଙ୍କ କହିବାନୁଯାୟୀ ପୂର୍ବତନ କୋଚ୍ ରୀଡ୍ ଓ ବର୍ତ୍ତମାନର କୋଚ୍ ଫୁଲ୍‌ଟନ୍‌ଙ୍କ ମଧ୍ୟରେ ବୈଚାରିକ ଭିନ୍ନତା ରହିଛି ସତ, ହେଲେ ଉଭୟଙ୍କ ମଧ୍ୟରେ ଗୋଟିଏ ସମାନତା ହେଉଛି ଯେ ସେମାନେ ଖେଳାଳିଙ୍କ କୌଶଳର ବିକାଶ ଉପରେ ଗୁରୁତ୍ୱ ଦିଅନ୍ତି।

ପ୍ରକୃତରେ ଫୁଲ୍‌ଟନ୍‌ଙ୍କ ଫର୍ମୂଲା କାମ ଦେଉଛି। ଏହି ଶୈଳୀରେ ଖେଳ ଜାରି ରଖିଲେ ଏବଂ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କଲେ, ଭାରତୀୟ ଟିମ୍ ଟ୍ରଫି ଜିତି ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିପାରିବ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Asian Games Indian Hockey Team
Advertisment
Advertisment