• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

ନଳ ଆଗେ ଆଗେ ଚାଲୁଥାନ୍ତି । ପଛରେ ଦମୟନ୍ତୀ । ନଗର ଛାଡି ଦୁହେଁ ବଣରେ ପହଞ୍ଚିଲେ । ସାରା ଜୀବନ ରାଜ ନଅରରେ ବଢିଥିବା ନଳ ଓ ଦମୟନ୍ତୀଙ୍କ ପାଇଁ ଜଙ୍ଗଲର ଜୀବନ ସହଜ ନଥିଲା । ବଡ କଷ୍ଟରେ ବଣର ଫଳ ମୂଳ ଖାଇ କୌଣସି ପ୍ରକାର ଜୀବନ ଧାରଣ କଲେ । 

ଦିନେ ଖାଦ୍ୟ ସନ୍ଧାନରେ ନଳ ବଣରେ ବୁଲୁ ବୁଲୁ ଦେଖିଲେ କିଛି ସୁନା ରଙ୍ଗର ଚଢେଇ ବସିଛନ୍ତି । ନଳଙ୍କ ମନରେ ଧାରଣା ଜନ୍ମିଲା ସେ ଯଦି ସେଇ ସୁନା ରଙ୍ଗ ଚଢେଉରୁ କିଛି ଧରି ବଜାରରେ ବିକ୍ରୀ କରିବେ ତେବେ କିଛି ଅର୍ଥ ହୁଏତ ରୋଜଗାର କରିପାରିବେ । ଏମିତି ଭାବି ନଳ ତାଙ୍କ ପିନ୍ଧିଥିବା ଏକ ମାତ୍ର ଲୁଗାକୁ ଚଢେଇମାନଙ୍କୁ ଲକ୍ଷ୍ୟ କରି ଫିଙ୍ଗିଲେ । କିନ୍ତୁ ଭାଗ୍ୟ ଯେତବେଳେ ବାମ ଥାଏ ସେତବେଳେ କିଛିବି ଭଲ ଘଟେନି ।

ସେ ଚଢେଇମାନେ ନଳଙ୍କ ଲୁଗାରେ ଫସିବେ କ'ଣ ଓଲଟି ନଳଙ୍କ ଏକ ମାତ୍ର ଲୁଗାକୁ ଧରି ସେଠୁ ଉଡି ପଳେଇଲେ । ଗଲା ବେଳେ କହିଗଲେ, ହେ ନଳ ଆମମାନଙ୍କୁ ସତ ଚଢେଇ ଭାବି ତୁମେ ପୁଣି ଆଉ ଏକ ଭୁଲ କଲ । ତୁମେ ଆମକୁ ଚିହ୍ନି ପାରିଲନି । ଆମେ ହେଲୁ ସେଇ ପଶା କାଠି । ତୁମକୁ ତୁମ ସିଂହାସନରୁ, ତୁମ ରାଜ ଉଆସରୁ ଓ ଦେଶରୁ ବାହାର କରି ହିନସ୍ତା କରିଥିବା ସେଇ ପଶାକାଠି ଆମେ। ତୁମ ପାଖରୁ ସର୍ବସ୍ୱ ହରଣ କଲାପରେ ବି ତଥାପି ତୁମ ପାଖରେ ଖଣ୍ଡେ ଲୁଗା ବଞ୍ଚି ଯାଇଥିଲା । ସେତକ ଆମେ ସହଜରେ ଛାଡି ଦେଇଥାନ୍ତୁ କେମିତି? 

Also Read

ଲଙ୍ଗଳା ହେଇ ନଳ ଦମୟନ୍ତୀଙ୍କ ପାଖକୁ ଫେରିଆସିଲେ । ଆସି କହିଲେ ହେ ପ୍ରିୟେ ବିନା ଦୋଷରେ ତୁମେ ମୋ ପାଇଁ ଏ ହିନସ୍ଥା ଭୋଗୁଛ । ଅଯଥାରେ ଏତେ ଦୁଃଖ କଷ୍ଟ ଭୋଗିବାର କିଛି କାରଣ ନାହିଁ । ଗୋଟେ କାମ କର ଏଉଠୁ ଚାରିଦିଗକୁ ରାସ୍ତା ପଡିଛି । ତୁମେ ଯୁଆଡେ ବି ଚାହିଁବ ଯାଇ ପାରିବ । ତୁମେ ତୁମ ବାପାଙ୍କ ଦେଶ ବିଦର୍ଭକୁ ଚାଲିଯାଅ । ନଳଙ୍କ କଥା ଶୁଣି ଦମୟନ୍ତୀ କହିଲେ ମୁଁ ତୁମକୁ ଏ ଜଙ୍ଗଲ ଭିତରେ ଏକା ଛାଡି କୁଆଡେ ବି ଯିବି ନାହିଁ । ମୁଁ ପାଖରେ ରହିଲେ ତୁମର ସହାୟତା କରିପାରିବି । ଯଦି ମୋତେ ବିଦର୍ଭ ଯିବାର ଅଛି ତେବେ ଚାଲ ସାଙ୍ଗ ହେଇ ଯିବା । ମୋ ବାପା ଆମ ଦୁହିଁଙ୍କୁ ହତାଦର କରିବେନି। 

ନଳ କହିଲେ ନା । ମୁଁ ମୋର ଏପରି ଦରିଦ୍ର ଅବସ୍ଥାରେ ତୁମ ବାପାଙ୍କ ଦେଶକୁ ଯାଇପାରିବିନି । ଦମୟନ୍ତୀ ତାଙ୍କ ଲୁଗାର କାନି ନଳଙ୍କୁ ପିନ୍ଧିବାକୁ ଦେଇଥାନ୍ତି । ନଳ ଦମୟନ୍ତୀ ଖଣ୍ଡିଏ ମାତ୍ର ଲୁଗାକୁ ସାଙ୍ଗହେଇ ପିନ୍ଧିଥାନ୍ତି । କିଛି ସମୟ ଜଙ୍ଗଲରେ ଇତଃସ୍ଥତ ବୁଲିଲା ପରେ ହାଲିଆ ହୋଇ ଦୁହେଁ ଗୋଟେ ଗଛ ତଳେ ମାଟି ଉପରେ ଶୋଇ ପଡିଲେ । ବିଶ୍ରାମ ନେଉ ନେଉ ଦମୟନ୍ତୀ ଗଭୀର ନିଦରେ ଶୋଇଗଲେ । କିନ୍ତୁ ନିଜର ଦୁରାବସ୍ଥା କଥା ଭାବି ଭାବି ନଳଙ୍କୁ ନିଦ ଆସୁନଥାଏ । ନଳ ଭାବୁଥାନ୍ତି କ'ଣ ହେବ ତାଙ୍କର ଭବିଷ୍ୟତ? କିଛି ବି ହେଇପାରେ । କେତବେଳେ ଜୀବନ ବି ଚାଲିଯାଇପାରେ । ଅନିଶ୍ଚିତ ଜୀବନ ସହ ଯୋଡିହେଇ ଦମୟନ୍ତୀ ଅକାରଣରେ ହଇରାଣ ହେବେ କାହିଁକି? ବରଂ ତାଙ୍କୁ ପରିତ୍ୟାଗ କଲେ ସେ ଅନ୍ୟ ଉପାୟ ନପାଇ ନିଜ ବାପାଙ୍କ ପାଖକୁ ବାହୁଡି ଯିବେ ଓ ଅନ୍ତତଃ ଏପରି ଦୁଃଖ କଷ୍ଟରୁ ରକ୍ଷା ପାଇଯିବେ। ଏପରି ବିଭିନ୍ନ କଥା ଭାବି ଭାବି ଶେଷରେ ନଳ ନିଷ୍ପତ୍ତି ନେଲେ ସେ ଦମୟନ୍ତୀଙ୍କୁ ଛାଡି ଚାଲିଯିବେ । ନଳଙ୍କ ଭିତରେ ଥିବା କଳି ତାଙ୍କୁ ସେପରି ନିଷ୍ପତ୍ତି ନେବାକୁ ଉସୁକାଉଥାନ୍ତି । 

ମହାଭାରତ କଥାମହାଭାରତ କଥା

ଦମୟନ୍ତୀଙ୍କୁ ଛାଡି ଚାଲିଯିବାକୁ ହେଲେ ପିନ୍ଧା ଲୁଗାକୁ ବି ଛାଡି ଯିବାକୁ ହେବ । ଲଙ୍ଗଳା ହୋଇ ସେ ଯିବେ କୁଆଡେ? ତାପରେ ନଳ ଗୋଟେ ଉପାୟ ଚିନ୍ତାକଲେ । ଲୁଗାକୁ ଚିରି ଦୁଇଖଣ୍ଡ କଲେ ଓ ଖଣ୍ଡେ ପିନ୍ଧିଲେ । ସେଇଠି ଛିଡା ହୋଇ ଗଭୀର ନିଦରେ ଶୋଇଥିବା ଦମୟନ୍ତୀଙ୍କୁ କିଛି କ୍ଷଣ ଚାହିଁଲେ । ତାପରେ କୌଣସି ମୁହୂର୍ତ୍ତରେ ଦମୟନ୍ତୀଙ୍କ ନିଦ ଭାଙ୍ଗିଯିବ ଭାବି ତୁରନ୍ତ ସେ ସ୍ଥାନ ଛାଡି ଧାଇଁ ପଳେଇଲେ । ଟିକେ ବାଟ ଯାଇ ପୁଣି ଫେରି ଆସିଲେ। ମାଟି ଉପରେ ଅଧା ଛିଣ୍ଡା ଲୁଗା ପିନ୍ଧି ଶୋଇଥିବା ସୁନ୍ଦରୀ କୋମଳାଙ୍ଗୀ ଦମୟନ୍ତୀଙ୍କୁ ଦେଖି ତାଙ୍କ ଛାତି ଦୁଃଖ ଓ ଶୋକରେ ଫାଟି ଯାଉଥାଏ ।

ଯିଏ ଜନ୍ମରୁ ତୁଳି ତଳ୍ପ ଖଟ ପଲଙ୍କରେ ଜୀବନ କାଟିଥିଲେ ଏବେ ମାଟି ଉପରେ ଶୋଇଛନ୍ତି । ନିଜ ଉପରେ ଧିକ୍କାର ଆସୁଥାଏ ସେ କେମିତି ତାଙ୍କ ପ୍ରାଣପ୍ରିୟା ପତ୍ନୀଙ୍କୁ ଏମିତି ସାପ, ବାଘ ଭାଲୁ ଥିବା ଜଙ୍ଗଲରେ ଏକା ଛାଡି ଚାଲିଯିବାକୁ ବାହାରିଛନ୍ତି । ଟିକେ ସମୟ ପରେ ପୁଣି କଳିର ପ୍ରଭାବରେ ଦମୟନ୍ତୀଙ୍କୁ ଛାଡି ଚାଲି ଯାଉଥାନ୍ତି । ଏମିତି ଯିବା ଓ ଫେରିଆସିବା ପରେ ନଳ ଶେଷରେ କଳିଙ୍କ ପ୍ରଭାବରେ ଆଉ ପଛକୁ ଫେରି ନଚାହିଁ ଏକ ମୁହାଁ ହେଇ ଧାଇଁ ଚାଲିଗଲେ ।

କିଛି ସମୟ ପରେ ଦମୟନ୍ତୀଙ୍କର ନିଦ ଭାଙ୍ଗିଲା । ସେ ଉଠି ଦେଖିଲେ ପାଖରେ ନଳ ନାହାଁନ୍ତି । ତାଙ୍କ ପିନ୍ଧା ଲୁଗାରୁ ଖଣ୍ଡେ ନାହିଁ । ଦମୟନ୍ତୀଙ୍କୁ ବୁଝିବାକୁ ଆଉ ଡେରି ଲାଗିଲାନି ଯେ, ନଳ ତାଙ୍କୁ ପରିତ୍ୟାଗ କରି କେଉଁଆଡେ ଚାଲିଯାଇଛନ୍ତି । ତଥାପି ସେ ଉଚ୍ଚ ସ୍ୱରରେ ଭୟ ଓ କୋହ ମିଶା ସ୍ୱରରେ ସ୍ୱାମୀ ସ୍ୱାମୀ ବୋଲି ଡାକ ପକାଇଲେ । ଅରଣ୍ୟ ଭିତରେ ନିଜ ସ୍ୱରର ପ୍ରତିଧ୍ୱନୀ କେବଳ ଫେରି ଆସିଲା ସିନା ନଳ କିନ୍ତୁ କୌଣସି ଉତ୍ତର ଦେଲେନି ଅବା ଫେରି ଆସିଲେନି ।

ଦମୟନ୍ତୀ ଏଥର ଉଚ୍ଚ ସ୍ୱରରେ ଅସହାୟ ହୋଇ କାନ୍ଦିବାକୁ ଲାଗିଲେ । କିଛି ସମୟ ସେ ସ୍ଥାନରେ ଅପେକ୍ଷା କଲା ପରେ ଦମୟନ୍ତୀ ଘୋର ଜଙ୍ଗଲ ଭିତରେ ନଳଙ୍କୁ ଖୋଜିବାକୁ ବାହାରିଲେ । ଏତେ ବଡ ଘଂଚ ଜଙ୍ଗଲ ଭିତରେ ସେ ନଳଙ୍କୁ କୋଉଠି ଅବା ଖୋଜିବେ । ତଥାପି ଭୋକ ଶୋଷରେ ଦୁର୍ବଳ ଶରୀରକୁ ଧରି ଦମୟନ୍ତୀ କାନ୍ଦି କାନ୍ଦି ଚାରିଦିଗକୁ ଚାହଁ ଚାହିଁ ଚାଲିଥାନ୍ତି । ଏମିତି ଯାଉ ଯାଉ ହଠାତ ଗୋଟେ ଅଜଗର ସାପ ଦମୟନ୍ତୀଙ୍କୁ ଗ୍ରାସ କରିବାକୁ ଲାଗିଲା । ଅଜଗର କବଳରୁ ତାଙ୍କୁ ରକ୍ଷା କରିବାକୁ ସେ ବଡ ପାଟିରେ କାନ୍ଦି କାନ୍ଦି ନଳଙ୍କୁ ଡାକ ପକାଇଲେ । ନଳ ତ ପାଖରେ ନଥିଲେ । ନଳ ଅନ୍ୟ ଦିଗରେ ବହୁ ଦୂରକୁ ଚାଲିଯାଇଥିଲେ । ଦମୟନ୍ତୀଙ୍କ ଆର୍ତ୍ତ ଚିତ୍କାର ଶୁଣି ସେଇ ପାଖରେ ଶୀକାର କରୁଥିବା ଏକ ବ୍ୟାଧ ଆସି ପହଞ୍ଚି ଅଜଗରକୁ ମାରି ଦମୟନ୍ତୀଙ୍କୁ ଉଦ୍ଧାର କଲା । 

ବ୍ୟାଧ ଦମୟନ୍ତୀଙ୍କୁ ଉଦ୍ଧାର କଲାପରେ ତାଙ୍କ ପରିଚୟ ପଚାରି ବୁଝିଲା । ଦମୟନ୍ତୀ ତାଙ୍କ ଦୁଃଖ କାହାଣୀ ତାକୁ ଗୋଟି ଗୋଟି ବର୍ଣ୍ଣନା କରି କହିଲେ । ନିକାଞ୍ଚନ ଘନ ଜଙ୍ଗଲ ଭିତରେ ରୂପବତୀ ଯୌବନବତୀ ଦମୟନ୍ତୀଙ୍କୁ ପାଖରେ ପାଇ ବ୍ୟାଧ ମନରେ ପାପ ଆଶା ଜାଗ୍ରତ ହେଲା । ଦମୟନ୍ତୀ ବ୍ୟାଧ ଆଖିରେ ତା'ର କାମନାପୂର୍ଣ୍ଣ ଚାହାଣି ଦେଖି ଜାଣିଲେ ଆଉ ଏକ ବିପଦ ଘନେଇ ଆସୁଛି । ବ୍ୟାଧ ବଳ ପ୍ରୟୋଗ କଲା ବେଳକୁ ଦମୟନ୍ତୀ ଭୟ ନକରି ଅତ୍ୟନ୍ତ କ୍ରୋଧ ପୂର୍ଣ୍ଣ ଚାହାଣୀରେ ବ୍ୟାଧକୁ ଚାହିଁ କହିଲେ ମୁଁ ନିଷଧର ରାଜା ନଳଙ୍କ ଛଡା ଅନ୍ୟ କାହାକୁ ମନରେ ସ୍ଥାନ ଦେଇନି। ସେଇ ପୂଣ୍ଣ୍ୟ ବଳରେ କହୁଛି ଏଇ ମୁହୂର୍ତ୍ତରେ ଏ ନରାଧମ ପାପୀ ବ୍ୟାଧ ଭଷ୍ମ ହେଇଯାଉ । ଦମୟନ୍ତୀଙ୍କ ଅଭିଶାପରେ ବ୍ୟାଧ ସାଙ୍ଗେ ସାଙ୍ଗେ ସେଇଠି ଟଳି ପଡିଲା । 

ଦମୟନ୍ତୀ ତାପରେ ବଡ ଦୁଃଖରେ ପାଗଳୀ ପରି ବଣ ଭିତରେ ନଳଙ୍କୁ ଏପଟ ସେପଟ ହେଇ ଖୋଜିବାକୁ ଲାଗିଥାନ୍ତି । କେତବେଳେ ହରିଣମାନଙ୍କୁ ପଚାରୁଥାନ୍ତି ତ କେତବେଳେ ଗଛ, ପାହାଡ, ନଦୀ, ଝରଣା ଓ ହିଂସ୍ର ଜନ୍ତୁଜୁନ୍ତାଙ୍କୁବି ପଚାରି ଚାଲିଥାନ୍ତି । ନଳଙ୍କୁ ଖୋଜୁଥାନ୍ତି ଓ ନିଜ ଦୁଃଖ କାହାଣୀ ଗପି ଚାଲିଥାନ୍ତି । କିଛି ବାଟ ଗଲାପରେ ଦମୟନ୍ତୀ ଏକ ସୁନ୍ଦର ଆଶ୍ରମରେ ପହଞ୍ଚିଲେ । ଦେଖିଲେ ଆଶ୍ରମରେ ଅନେକ ତପସ୍ୱୀ ତପ ଆଚରଣ କରୁଛନ୍ତି । ଚାରି ପାଖରେ ସୁନ୍ଦର ସୁନ୍ଦର ଫୁଲ ଫୁଟିଛି । ହରିଣମାନେ ଆନନ୍ଦରେ ବୁଲୁଛନ୍ତି । ଦମୟନ୍ତୀଙ୍କୁ ଦେଖି ସେ ତପସ୍ୱୀମାନେ ତାଙ୍କ ପରିଚୟ ମାଗିଲେ ।

ମହାଭାରତ କଥାମହାଭାରତ କଥା

ଦମୟନ୍ତୀ କହିଲେ ସେ ବିଦର୍ଭର ରାଜକୁମାରୀ ଓ ନିଷଧ ଦେଶର ରାଣୀ । ହେଲେ ଭାଗ୍ୟ ତାଙ୍କୁ ବାର ହିନସ୍ଥାକରି ଏକା ଏକା ଅସହାୟ କରି ବଣ ଜଙ୍ଗଲରେ ଘୁରାଉଛି । ସେ ତାଙ୍କ ପତି ପୂଣ୍ୟଶ୍ଳୋକ ନଳଙ୍କୁ ଖୋଜୁଛନ୍ତି । ସେମାନେ କେହି ତାଙ୍କୁ ଏ ରାସ୍ତାରେ ଯିବା ଦେଖିଛନ୍ତି କି? ତପସ୍ୱୀମାନେ ଦମୟନ୍ତୀଙ୍କୁ ଆଶୀର୍ବାଦ କଲେ ଓ କହିଲେ ବ୍ୟସ୍ତ ହୁଅନି ମା ତୁମେ ଖୁବ ଶୀଘ୍ର ତୁମ ସ୍ୱାମୀଙ୍କୁ ଭେଟିବ। ଦମୟନ୍ତୀ ସେ ତପସ୍ୱୀମାନଙ୍କୁ ପ୍ରଣାମ କଲେ । ଆଖି ଖୋଲି ଦେଖିଲା ବେଳକୁ ତାଙ୍କ ଆଗରେ କେହି ନାହାଁନ୍ତି । ନା କେହି ତପସ୍ୱୀ ଅଛନ୍ତି ନା ଆଶ୍ରମ ଅଛି । ଦମୟନ୍ତୀ ବୁଝିପାରିଲେନି ସେ ନିଦରେ ଶୋଇ ସ୍ୱପ୍ନ ଦେଖୁଥିଲେ ନା କାହାର କିଛି ମାୟା ରଚନା ଦେଖୁଥିଲେ । 

ଦମୟନ୍ତୀଙ୍କୁ ସେ ଘୋର ଜଙ୍ଗଲ ଭିତରେ କିଛି ରାସ୍ତା ଜଣା ନଥିଲା। ସେ କେଉଁ ଦିଗରେ କୁଆଡେ ଯାଇଛନ୍ତି କିଛି ଜାଣିପାରୁନଥିଲେ । କିଛି ରାସ୍ତା ଅତିକ୍ରମ କଲାପରେ ସେ ଏକ ନଦୀ ଦେଖିଲେ । ଦେଖିଲେ ଦଳେ ବଣିକ ନଦୀ ପାର ହେବାର ଯୋଜନା କରୁଛନ୍ତି । ଦମୟନ୍ତୀ ସେ ବଣିକମାନଙ୍କ ପାଖରେ ପହଞ୍ଚିବାରୁ ସେମାନେ ତାଙ୍କ ମଳିନ ଓ ଛିଡା ବେଶ ପୋଷାକ, ଖୋଲା ମେଲା କେଶ ଏବଂ ତେଜଦୀପ୍ତ ଚେହେରା ଦେଖି ଭୟ ପାଇଗଲେ । କେହି କେହି ତାଙ୍କୁ ବଣ ଦେବୀ ଭାବିଲେ ତ କେହି ମାୟାବୀ ରାକ୍ଷସୀ ବୋଲି ଭାବିଲେ । କିଏ ଜଣେ ସାହସ କରି ପାଖକୁ ଆସି ପରିଚୟ ମାଗିଲେ । ଦମୟନ୍ତୀ ତାଙ୍କ ପରିଚୟ ଦେଲା ପରେ ବଣିକ ଦଳର ଦଳପରି ତାଙ୍କୁ ଦଳରେ ସ୍ଥାନ ଦେଇ କହିଲେ ସେମାନେ ଚେଦୀରାଜା ସୁବାହୁଙ୍କ ଜନପଦକୁ ବଣିଜ କରିବାକୁ ଯାଉଛନ୍ତି । ଚାହିଁଲେ ଆମ ସାଙ୍ଗରେ ଆସିପାର । 

ସେଦିନ ସନ୍ଧ୍ୟାରେ ବଣିକ ଦଳ ବଣ ଭିତରେ ଥିବା ଏକ ସୁନ୍ଦର ପଦ୍ମ ସରୋବର କୂଳରେ ଡେରା ପକାଇଲେ ଓ ରନ୍ଧାବଢା କରି ଖାଇ ପିଇ ଶୋଇଲେ । ରାତିରେ ଜଙ୍ଗଲର ବଣୁଆ ହାତୀମାନେ ବଣିକଙ୍କ ସାଙ୍ଗରେ ଥିବା ପୋଷା ହାତୀମାନଙ୍କୁ ଅତର୍କିତ ଆକ୍ରମଣ କଲେ । ରାତିର ଅନ୍ଧାର ଭିତରେ ହାତୀପଲଙ୍କ ଆକ୍ରମଣରେ ନିଦରେ ଶୋଇଥିବା ବଣିକ ମାନଙ୍କ ଶିବିର ସଂପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ଥ ହେଇଗଲା । ଅନେକ ବଣିକ ହାତୀଙ୍କ ପାଦ ତଳେ ଜୀବନ ହରେଇଲେ । ଯେଉଁମାନେ ବଂଚି ରହିଲେ ସେମାନେ ଭାବିଲେ ମଣିଭଦ୍ର ଓ କୁବେର ଦେବତା ହୁଏତ ସେମାନଙ୍କ ଅସନ୍ତୁଷ୍ଟ । ଯାତ୍ରା ଆରମ୍ଭ ବେଳେ ପୂଜାରେ କିଛି ବିଭ୍ରାଟ ରହିଲା ହୁଏତ । ପୁଣି ବିଚାର କଲେ ଯେ ଅଧା ରାସ୍ତାରେ ଦଳରେ ସାମିଲ ହେଇଥିବା ସେ ପାଗଳୀ ପରି ଲାଗୁଥିବା ସ୍ତ୍ରୀ ଲୋକଟି ହୁଏତ ଏ ଦୁର୍ଘଟଣା ପାଇଁ ଦାୟୀ । ତାର ମାୟାବୀ ଶକ୍ତି ପାଇଁ ଏ ଅଘଟଣା ହୁଏତ ଘଟିଲା । ତାକୁ ଧରି ଚାଲ ଦଣ୍ଡ ଦେବା । ତାଙ୍କୁ ସେ ବଣିକ ମାନେ ଖୋଜି ଧରିବା ଆଗରୁ ହାତୀ ଭୟରେ ଏକ ବଡ ଗଛ ପଛରେ ଲୁଚି ରହିଥିବା ଦମୟନ୍ତୀ ଜୀବନ ବଞ୍ଚାଇବାକୁ ସେଇ ଘନ ଘୋର ଭୟଙ୍କର ଅନ୍ଧାର ରାତିରେ ଅନ୍ୟ ଦିଗରେ ଧାଇଁବାକୁ ଲାଗିଲେ ।