Advertisment

Sports: ୟୁଏସ୍ ଓପନ୍ ହାରିକି ବି ହୃଦୟ ଜିତିଲେ ରୋହନ ବୋପନ୍ନା

ଭାରତର ରୋହନ ବୋପନ୍ନା ୧୩ ବର୍ଷ ପରେ ୟୁଏସ୍ ଓପନ୍ ପୁରୁଷ ଯୁଗଳ ଫାଇନାଲ୍‌ରେ ପ୍ରବେଶ କରିଥିଲେ ବି ରନର୍ସଅପ୍ ହୋଇଛନ୍ତି। ଗ୍ରାଣ୍ଡ୍‌ସ୍ଲାମ୍‌ରେ ବୋପନ୍ନାଙ୍କ ପୁରୁଷ ଯୁଗଳ ମୁକୁଟ ବିଜୟ ସ୍ୱପ୍ନ ପୁଣି ଥରେ ଅଧୁରା ରହିଯାଇଛି, ହେଲେ ନିଜ ପ୍ରଦର୍ଶନ ଜରିଆରେ ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଲିଆଣ୍ଡର ପେସ୍‌, ମହେଶ ଭୂପତି, ସାନିଆ ମିର୍ଜାଙ୍କ ଭଳି ବୋପନ୍ନା ମଧ୍ୟ ଯୁବପିଢ଼ିର ଖେଳାଳିଙ୍କ ପାଇଁ ଆଜି ସାଜିଛନ୍ତି ପ୍ରେରଣା।

author-image
Biswajit Mohanty
ଅଦ୍ୟତନ ହୋଇଛି
Despite losing US Open Rohan Bopanna won the heart

Despite losing US Open Rohan Bopanna won the heart

ଭାରତୀୟ ଭେଟେରାନ୍ ରୋହନ ବୋପନ୍ନା ୟୁଏସ୍ ଓପନ୍‌ରେ ପୁଣି ଥରେ ପୁରୁଷ ଯୁଗଳ ମୁକୁଟରୁ ବଞ୍ଚିତ ହୋଇଛନ୍ତି। ନ୍ୟୁୟର୍କ ଠାରେ ୧୩ ବର୍ଷ ପରେ ସେ ଫାଇନାଲ୍‌ରେ ପ୍ରବେଶ କରିଥିଲେ ବି ଅନ୍ତିମ ବାଧା ଅତିକ୍ରମ କରିପାରି ନାହାନ୍ତି ଏବଂ ଦ୍ୱିତୀୟ ଥର ରନର୍ସଅପ୍ ହୋଇଛନ୍ତି । ୨୦୧୦ ସଂସ୍କରଣରେ ବି ବୋପନ୍ନା ଏହି ବର୍ଗରେ ଫାଇନାଲ୍‌କୁ ଯାଇଥିଲେ। ସେତେବେଳେ ତାଙ୍କ ଯୋଡ଼ିଦାର ଥିଲେ ପାକିସ୍ତାନର ଐଶାମ-ଉଲ୍‌-ହକ୍ କୁରେଶୀ।

Advertisment

କେବଳ ୟୁଏସ୍ ଓପନ୍ ନୁହେଁ, ବୋପନ୍ନା ଏ ଯାବତ କୌଣସି ଗ୍ରାଣ୍ଡ୍‌ସ୍ଲାମ୍‌ରେ ପୁରୁଷ ଯୁଗଳ ମୁକୁଟ ଜିତିପାରି ନାହାନ୍ତି। ତାଙ୍କର ଏହି ସ୍ୱପ୍ନ ଅଧୁରା ରହିଯାଇଛି ସତ, ହେଲେ ନିଜ ପ୍ରଦର୍ଶନ ଜରିଆରେ ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ବୟସାଧିକ୍ୟ ସତ୍ତ୍ୱେ ତାଙ୍କ ପ୍ରଦର୍ଶନରେ ଯେଉଁ ଦମ୍ ଦେଖିବାକୁ ମିଳିଛି, ତାହା ସ୍ୱାଭାବିକ ନୁହେଁ। ଗୋଟିଏ ସମୟରେ ଲିଆଣ୍ଡର ପେସ୍‌ଙ୍କ ଭଳି ଖ୍ୟାତନାମା ଟେନିସ୍ ଖେଳାଳି ମଧ୍ୟ ବୟସକୁ ପଛରେ ପକାଇ ଆଗକୁ ମାଡ଼ି ଚାଲିଥିଲେ। ବୋପନ୍ନା ସେହି ଶୃଙ୍ଖଳର ଅଂଶବିଶେଷ। ଫାଇନାଲ୍ ମ୍ୟାଚ୍‌ରେ ତାଙ୍କ ଖେଳୁଆଡ଼ ମନୋଭାବର ବି ଝଲକ ଦେଖିବାକୁ ମିଳିଥିଲା।

ବୋପନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ଯୋଡ଼ିଦାର ମାଥ୍ୟୁ ଏବଡେନ୍ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ରାଜୀବ ରାମ ଓ ଇଂଲଣ୍ଡର ଜୋ’ ସାଲିସବରୀଙ୍କ ଠାରୁ ୬-୨, ୩-୬, ୪-୬ ସେଟ୍‌ରେ ପରାଜିତ ହୋଇଥିଲେ। ୟୁଏସ୍ ଓପନ୍ ଜିତିଥିଲେ ବୋପନ୍ନା (୪୩ ବର୍ଷ ଓ ଛଅ ମାସ) ଓପନ୍ ଏରାର ସର୍ବବରିଷ୍ଠ ଗ୍ରାଣ୍ଡ୍‌ସ୍ଲାମ୍ ମୁକୁଟ-ବିଜେତା ହୋଇପାରିଥା’ନ୍ତେ । କିନ୍ତୁ ସେମିତି ହେଲା ନାହିଁ, ଭାଗ୍ୟ ତାଙ୍କ ସାଥ୍ ଦେଲା ନାହିଁ। ଅବଶ୍ୟ ସେ କୌଣସି ଗ୍ରାଣ୍ଡ୍‌ସ୍ଲାମ୍‌ର ଫାଇନାଲ୍‌ରେ ପହଞ୍ଚିବାରେ ସର୍ବବରିଷ୍ଠ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ।

Advertisment

ଫାଇନାଲ୍‌ରେ ହୋଇଥିଲା କଡ଼ା ଟକ୍କର:

ବୋପନ୍ନା ଓ ଏବଡେନ୍‌ଙ୍କ ଯୋଡ଼ି ଦମ‌ଦାର ଢଙ୍ଗରେ ଖେଳ ଆରମ୍ଭ କରିଥିଲେ। ସେମାନେ ପ୍ରଥମ ଗେମ୍‌ରେ ରାମଙ୍କ ସର୍ଭିସ୍ ଓ ସପ୍ତମ ଗେମ୍‌ରେ ସାଲିସବରୀଙ୍କ ସର୍ଭିସ୍ ବ୍ରେକ୍ କରି ପ୍ରଥମ ସେଟ୍ ଜିତିଥିଲେ। କିନ୍ତୁ ସେମାନେ ଏହି ଅଗ୍ରଣୀର ଫାଇଦା ଉଠାଇପାରି ନ ଥିଲେ।

ଦ୍ୱିତୀୟ ସେଟ୍‌ରେ ପ୍ରତିପକ୍ଷ ଯୋଡ଼ି ଲୟକୁ ଫେରିଥିଲେ। ରାମ-ସାଲିସବରୀ, ବୋପନ୍ନାଙ୍କୁ ସର୍ଭିସ୍‌କୁ ଟାର୍ଗେଟ୍ କରିଥିଲେ ଏବଂ ଷଷ୍ଠ ଗେମ୍‌ରେ ସର୍ଭିସ୍ ବ୍ରେକ୍ କରି ସେଟ୍ ହାତେଇଥିଲେ । ମୁକାବିଲା ସମାନ ସ୍ଥିତିକୁ ଚାଲିଆସିଥିଲା। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ରେ ବୋପନ୍ନା-ଏବଡେନ୍ ଯୋଡ଼ି ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିଥିଲେ ବି ସଫଳ ହୋଇପାରି ନ ଥିଲେ।

ବାପାଙ୍କ ଯୋଗୁଁ ଖେଳିଥିଲେ ଟେନିସ୍‌:

ଯଦି ରୋହନ ବୋପନ୍ନାଙ୍କ ବାପା ଏମ୍‌ଜି ବୋପନ୍ନା ନ ଚାହିଁଥା’ନ୍ତେ, ତା’ହେଲେ ତାଙ୍କ ପୁଅ ହକି କି ଫୁଟ୍‌ବଲ୍ ଖେଳାଳି ହୋଇଥା’ନ୍ତା। ଏ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ହେଲେ ଏମିତି ଉଦାହରଣ ବିରଳ ନୁହେଁ। ଯେମିତିକି ୨୦୦୭ ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ୍ ବିଜେତା (କ୍ରିକେଟ୍‌) ଟିମ୍‌ର ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍‌କୁ ଆସିବା ପୂର୍ବରୁ ଫୁଟ୍‌ବଲ୍ ଖେଳୁଥିଲେ। ଭାରତୀୟ ମହିଳା ଫୁଟ୍‌ବଲ୍ ଟିମ୍‌ର ପୂର୍ବତନ ଅଧିନାୟକ ଓଡ଼ିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପୂର୍ବରୁ ଖୋ-ଖୋ ଖେଳୁଥିଲେ।

ବୋପନ୍ନା ହକି ଓ ଫୁଟ୍‌ବଲ୍ ଖେଳିବାକୁ ଅଧିକ ପସନ୍ଦ କରୁଥିଲେ। ସେ ଭାବି ନ ଥିଲେ ଯେ ଦିନେ ଟେନିସ୍ ଖେଳାଳି ହେବେ ଓ ଉଚ୍ଚତର ସୋପାନର ପହଞ୍ଚିବେ। କଫି ଚାଷ କରୁଥିବା ତାଙ୍କ ବାପା ଚାହୁଁଥିଲେ ଯେ ପୁଅ ଟିମ୍ ଖେଳ ପରିବର୍ତ୍ତେ ବ୍ୟକ୍ତିଗତ ଖେଳକୁ ଆପଣାଉ। ବାପାଙ୍କ ଇଚ୍ଛାକୁ ଧ୍ୟାନରେ ରଖି ସେ ଟେନିସ୍ ଖେଳିବା ଆରମ୍ଭ କରିଥିଲେ।

ସେ ପ୍ରଥମାବସ୍ଥାରେ ଏକକ ଖେଳାଳି ଭାବେ ଖେଳୁଥିଲେ ଏବଂ ୨୦୦୩ରେ ପେସାଦାର ଖେଳାଳି ହେବା ପରେ ୨୦୦୮ ଅଷ୍ଟ୍ରେଲିଆନ୍ ଓପନ୍ ଯାଏଁ ଏକକ ବର୍ଗରେ ଖେଳିବା ଜାରି ରଖିଥିଲେ। କିନ୍ତୁ ଏହି ବର୍ଗରେ ସେ କୌଣସି ଗ୍ରାଣ୍ଡ୍‌ସ୍ଲାମ୍ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଡ୍ର’ରେ ବି ସ୍ଥାନ ପାଇପାରି ନ ଥିଲେ। ଏହାପରେ ସେ ପେସ୍ ଓ ଭୂପତିଙ୍କ ଭଳି ଯୁଗଳ ବର୍ଗରେ ଖେଳିଥିଲେ।

୨୦୧୭ରେ ଜିତିଥିଲେ ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍ ମୁକୁଟ:

ବୋପନ୍ନା ପେସାଦାର ଟେନିସ୍ ଖେଳାଳି ହେବାର ୧୪ ବର୍ଷ ପରେ କ୍ୟାରିଅର୍‌ର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍ ମୁକୁଟ ଜିତିବାରେ ସଫଳ ହୋଇଥିଲେ। ୨୦୧୭ରେ ସେ କାନାଡାର ଗାବ୍ରିଏଲା ଦାବ୍ରୋସ୍କିଙ୍କ ସହିତ ମିଶି ଫ୍ରେଞ୍ଚ୍ ଓପନ୍‌ରେ ମିଶ୍ରିତ ଯୁଗଳ ଟ୍ରଫି କରାୟତ୍ତ କରିଥିଲେ।

ଏହି ମୁକୁଟ ସହିତ ସେ ଗ୍ରାଣ୍ଡ୍‌ସ୍ଲାମ୍ ମୁକୁଟ ଜିତିବାରେ ଚତୁର୍ଥ ଭାରତୀୟ ଖେଳାଳି ହୋଇପାରିଥିଲେ । ପେସ୍ ୧୮, ଭୂପତି ୧୨ ଓ ସାନିଆ ଛଅ ମେଜର୍ ମୁକୁଟ ଜିତିଛନ୍ତି।

ବେଙ୍ଗାଲୁରୁରେ ଜନ୍ମିତ ବୋପନ୍ନାଙ୍କ କ୍ୟାରିଅର ଏବେ ଅନ୍ତିମ ସୋପାନରେ ପହଞ୍ଚିଲାଣି। ସେ ଆଉ କେତେ ଦିନ ଯାଏଁ ଖେଳିବେ, ତାହା ସେ ନିଜେ କହିପାରିବେ। ଯେତେ ଦିନ ଯାଏଁ ତାଙ୍କ ଶରୀର ତାଙ୍କୁ ଶୀର୍ଷସ୍ତରରେ ଖେଳିବା ପାଇଁ ଅନୁମତି ଦେବ, ସେ ଖେଳ ଜାରି ରଖିବେ। ତେବେ ଚଳିତ ବର୍ଷ ସେ ତାଙ୍କ ଡେଭିସ୍ କପ୍ କ୍ୟାରିଅର୍‌ର ଅନ୍ତ ଘଟାଇବେ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି।

୨୦୨୧ରେ କ୍ରମାଗତ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ବୋପନ୍ନା ଗୋଟିଏ ସମୟରେ ଅବସର ନେବା କଥା ଚିନ୍ତା କରୁଥିଲେ। ପ୍ରଦର୍ଶନ ଏହା ପଛର ଏକମାତ୍ର କାରଣ ନ ଥିଲା। ସେ ଗତ ଦୁଇ ବର୍ଷ ଧରି ଆଣ୍ଠୁ ଯନ୍ତ୍ରଣା ଯୋଗୁଁ ଚିନ୍ତିତ ଥିଲେ। ସେତେବେଳେ ତାଙ୍କୁ ଦିନରେ ତିନି ଥର ପେନ୍‌କିଲର୍ ଖାଇବାକୁ ପଡ଼ୁଥିଲା। ଏହାସତ୍ତ୍ୱେ ସେ ଖେଳ ଜାରି ରଖିବା ପାଇଁ ନିଜକୁ ପ୍ରେରିତ କରୁଥିଲେ । ପରିଣାମସ୍ୱରୂପ, ସେ ଫର୍ମକୁ ଫେରିଥିଲେ।

ଆଜି ଲିଆଣ୍ଡର ପେସ୍‌, ମହେଶ ଭୂପତି, ସାନିଆ ମିର୍ଜାଙ୍କ ଭଳି ବୋପନ୍ନା ମଧ୍ୟ ଯୁବପିଢ଼ିର ଖେଳାଳିଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଦେଶର ଏହି ଖ୍ୟାତନାମା ଓ ସମର୍ପିତ ଖେଳାଳିଙ୍କ ଠାରୁ ଶୀର୍ଷସ୍ତରରେ ଲଢ଼ୁଆ ମନୋଭାବ ନେଇ ଖେଳିବା, ଆତ୍ମବିଶ୍ୱାସର ସହ ବିଜୟ ଲକ୍ଷ୍ୟ ନେଇ କୋର୍ଟକୁ ଓହ୍ଲାଇବା, ପରାଜୟର ଗ୍ଲାନିକୁ ପଛରେ ପକାଇ ପରବର୍ତ୍ତୀ ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିବା, ଖେଳୁଆଡ଼ ମନୋଭାବକୁ ବଜାୟ ରଖିବା ଆଦି ଅନେକ କିଛି ଶିକ୍ଷାଲାଭ କରିପାରିବେ ଆଜିର ଯୁବପିଢ଼ି।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Tennis
Advertisment
Advertisment