Advertisment

Sports: ୨୦୨୩ ବିଶ୍ୱକପ୍‌ରେ ଖେଳିବାର ସୁଯୋଗ ପାଇବେ କି ଈଶାନ କିଶନ ?

ଭାରତର ୱିକେଟ୍‌କିପର୍‌-ବ୍ୟାଟର୍ ଈଶାନ କିଶନ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷ ଗ୍ରୁପ୍ ମ୍ୟାଚ୍‌ରେ ଉଲ୍ଲେଖନୀୟ ବ୍ୟାଟିଂ ପ୍ରଦର୍ଶନ କରିବା ପରେ ତାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା । ପ୍ରଶ୍ନ ଉଠୁଛି ଯେ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଟିମ୍‌ରେ ନିଆଯିବା ସ୍ଥଳେ ଚୂଡ଼ାନ୍ତ ଏକାଦଶରେ ଖେଳିବାର ସୁଯୋଗ ପାଇବେ କି ଟିମ୍ ଇଣ୍ଡିଆର ଭବିଷ୍ୟତ ‘ଈଶାନ’?

author-image
Biswajit Mohanty
ଅଦ୍ୟତନ ହୋଇଛି
Will Ishan Kishan get a chance to play in the 2023 World Cup

Will Ishan Kishan get a chance to play in the 2023 World Cup

ଭାରତର ୱିକେଟ୍‌କିପର୍‌-ବ୍ୟାଟର୍ ଈଶାନ କିଶନଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ଏସିଆ କପ୍ ୨୦୨୩ରେ ପାକିସ୍ତାନ ବିପକ୍ଷ ଗ୍ରୁପ୍ ମ୍ୟାଚ୍‌ରେ ଈଶାନ୍ ଏଭଳି ଏକ ଇନିଂସ୍ ଖେଳିଛନ୍ତି ଯାହାଫଳରେ ଚୟନକାରୀ ତାଙ୍କ ଭବିଷ୍ୟତ ନେଇ ଚିନ୍ତା କରିବାକୁ ଏକପ୍ରକାର ବାଧ୍ୟ ହେବେ ।

Advertisment

ଏବେ ପ୍ରଶ୍ନ ଉଠୁଛି ଯେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ଟିମ୍‌ରେ ନିଆଯିବା ସ୍ଥଳେ ଚୂଡ଼ାନ୍ତ ଏକାଦଶରେ ଖେଳିବାର ସୁଯୋଗ ପାଇବେ କି ଈଶାନ କିଶନ? ଏହି ପ୍ରଶ୍ନର ଉତ୍ତର ପାଇଁ ଲୋକେଶ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ଏବଂ ବିଶ୍ୱକପ୍ ପୂର୍ବରୁ ତାଙ୍କ ପ୍ରଦର୍ଶନକୁ ପରଖିବାକୁ ହେବ ।

ଶ୍ରୀଲଙ୍କାର କାଣ୍ଡୀରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ତା’ର ଏସିଆ କପ୍ ଅଭିଯାନ ଆରମ୍ଭ କରିଥିଲା । ଅବଶ୍ୟ ବର୍ଷା ଯୋଗୁଁ ଏହି ମୁକାବିଲା ସମ୍ପୂର୍ଣ୍ଣ ହୋଇପାରି ନ ଥିଲା ଏବଂ ଶେଷରେ ଏହା ବାତିଲ୍ ହୋଇଥିଲା । ଭାରତୀୟ ଟିମ୍ ତା’ର ଇନିଂସ୍ ସମ୍ପୂର୍ଣ୍ଣ କରିଥିଲା, ହେଲେ ପାକିସ୍ତାନ ବ୍ୟାଟିଂ ପାଇଁ ଆସିପାରି ନ ଥିଲା ।

Advertisment

ଅଧିକ ପଢ଼ନ୍ତୁ: ଭାରତ-ପାକ୍‌ ହାଇଭୋଲଟେଜ୍‌ ମ୍ୟାଚ୍‌ରେ କମ୍ପିଲା ‘ରାମ ନାମ’, ଭାଇରାଲ ହେଲା ଭିଡିଓ..

ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲେ । କିନ୍ତୁ ଟିମ୍ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଏବଂ ଗୋଟିଏ ସମୟରେ ୬୬ ରନ୍‌ରେ ୪ ୱିକେଟ୍ ପଡ଼ିଥିଲା । ରୋହିତ (୧୧), ବିରାଟ କୋହଲି (୪), ଶ୍ରେୟାସ ଆୟର (୧୪) ଓ ଶୁୂଭମନ ଗିଲ୍ (୧୦) ପାଭିଲିଅନ୍ ଫେରିସାରିଥିଲେ ।

ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତର ଶୀର୍ଷକ୍ରମ ବ୍ୟାଟର୍‌ମାନଙ୍କ ଦୁର୍ବଳତା ପଦାରେ ପଡ଼ିଥିଲା । ବାମହାତି ପେସର୍‌ଙ୍କୁ ସାମ୍ନା କରିବାରେ ସେମାନଙ୍କୁ ଅସୁବିଧା ହେଉଥିଲା । ଅନେକ ଡାହାଣହାତି ବ୍ୟାଟର୍‌ଙ୍କ କ୍ଷେତ୍ରରେ ଏହି ସମସ୍ୟା ରହିଛି ।

ଭାରତର ଇନିଂସ୍ ୨୦୦ ଯାଏଁ ଯାଇପାରିବ ବୋଲି ମନେ ହେଉ ନ ଥିଲା । କିନ୍ତୁ ଈଶାନ ଚାପଗ୍ରସ୍ତ ନ ହୋଇ ପରବର୍ତ୍ତୀ ବ୍ୟାଟର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ଇନିଂସ୍‌କୁ ସମ୍ଭାଳିଥିଲେ ଏବଂ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ । ଏହି ଯୋଡ଼ି ପଞ୍ଚମ ୱିକେଟ୍ ପାଇଁ ୧୪୧ ବଲ୍‌ରୁ ୧୩୮ ରନ୍‌ର ଭାଗୀଦାରୀ କରିବା ସହ ଟିମ୍‌ର ସ୍କୋର୍‌କୁ ୨୦୦ ଅତିକ୍ରମ କରାଇଥିଲେ ।

ଏସିଆ କପ୍ ଇତିହାସରେ ପଞ୍ଚମ ୱିକେଟ୍ ପାଇଁ ଏହା ଭାରତର ସର୍ବବୃହତ୍ ଭାଗୀଦାରୀ ଥିଲା । ଏହାଛଡ଼ା ଦିନିକିଆରେ ଏହା ଥିଲା ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ପଞ୍ଚମ ୱିକେଟ୍ ପାଇଁ ସର୍ବବୃହତ୍ ଭାଗୀଦାରୀ ।

ଭାରତୀୟ ଟିମ୍ ସମସ୍ତ ୱିକେଟ୍ ହରାଇ ୨୬୬ ରନ୍ ସଂଗ୍ରହ କରିଥିଲା । ଈଶାନ ୮୧ ବଲ୍‌ରୁ ୮୨ ଓ ହାର୍ଦ୍ଦିକ ୯୦ ବଲ୍‌ରୁ ୮୫ ରନ୍‌ର ଇନିଂସ୍ ଖେଳିଥିଲେ । ଈଶାନ୍‌ଙ୍କ ଇନିଂସ୍‌ରେ ୯ ଚୌକା ଓ ୨ ଛକା ରହିଥିଲା । ଏହି ସମୟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୧୦୧.୨୩ । ଏହି ଦୁଇଜଣଙ୍କୁ ଛାଡ଼ିଦେଲେ, ଟିମ୍‌ର ଅନ୍ୟ କୌଣସି ବ୍ୟାଟର୍‌ଙ୍କ ପ୍ରଦର୍ଶନ ଆଶାଜନକ ନ ଥିଲା ।

ଈଶାନ ଏତେ ଚର୍ଚ୍ଚାରେ କାହିଁକି:

ଈଶାନଙ୍କୁ ନେଇ ଅଧିକ ଚର୍ଚ୍ଚା ହେବାର କାରଣ ଚୂଡ଼ାନ୍ତ ଏକାଦଶରେ ବି ତାଙ୍କ ସ୍ଥାନ ସୁରକ୍ଷିତ ନ ଥିଲା । ଲୋକେଶ ରାହୁଲ ଏ ଯାବତ ଶତପ୍ରତିଶତ ଫିଟ୍ ନ ଥିବାରୁ ଈଶାନଙ୍କୁ ୱିକେଟ୍‌କିପର୍‌-ବ୍ୟାଟର୍ ଭୂମିକା ତୁଲାଇବାର ସୁଯୋଗ ମିଳିଥିଲା । ଖାଲି ସେତିକି ନୁହେଁ, ଏହି ବାମହାତି ବ୍ୟାଟର୍‌ଙ୍କ ବ୍ୟାଟିଂ କ୍ରମକୁ ନେଇ ମଧ୍ୟ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଥିଲା ।

ସାଧାରଣତଃ ଈଶାନ ଓପନିଂ କରନ୍ତି, କିନ୍ତୁ ତାଙ୍କୁ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ପଠାଯାଇଥିଲା । ଏହି ସ୍ଥାନରେ ସେ କ୍ୟାରିଅର୍‌ରେ ପ୍ରଥମ ଥର ବ୍ୟାଟିଂ କରୁଥିଲେ । ଏପରିକି ଟିମ୍ ଇଣ୍ଡିଆର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମଧ୍ୟ ସେ ପ୍ରଥମ ଥର ଖେଳୁଥିଲେ । ତେବେ ନିଜ ପ୍ରଦର୍ଶନ ଜରିଆରେ ସେ ପ୍ରମାଣିତ କରିଥିଲେ ଯେ ତାଙ୍କୁ ଟିମ୍ ଇଣ୍ଡିଆର ଭବିଷ୍ୟତ କୁହାଯିବା କେତେ ଯଥାର୍ଥ ।

ରାହୁଲ ଫେରିବା ପରେ ସୁଯୋଗ ପାଇବେ କି:

ଈଶାନ ନିଜ ଦିନିକିଆ କ୍ୟାରିଅର୍‌ରେ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପୂର୍ବ ଦିନିକିଆ ସିରିଜ୍‌ରେ ସେ ଶୁଭମନ ଗିଲ୍‌ଙ୍କ ସହ ଇନିଂସ୍ ଓପନ୍ କରିଥିଲେ ।

ଏହି ସିରିଜ୍‌ର ତିନିଟିଯାକ ମ୍ୟାଚ୍‌ରେ ସେ ଅର୍ଦ୍ଧଶତକ (୫୨, ୫୫ ଓ ୭୭ ରନ୍‌) ଲଗାଇବା ସହ ୬୧.୩୩ ଆଭରେଜ୍‌ରେ ୧୮୪ ରନ୍ ସଂଗ୍ରହ କରିଥିଲେ । ଏହାସତ୍ତ୍ୱେ ତାଙ୍କ ବ୍ୟାଟିଂ ପୋଜିସନ୍ ସ୍ଥିର ହୋଇପାରି ନାହିଁ ।

ଶ୍ରେୟାସ ଫେରିବା ପରେ ତାଙ୍କର ଚତୁର୍ଥ ସ୍ଥାନରେ ଖେଳିବା ନିର୍ଦ୍ଧାରିତ ଥିଲା । ଈଶାନ ନିଜ କ୍ୟାରିଅର୍‌ରେ ଓପନିଂ କରିଛନ୍ତି, ତିନି ଓ ଚାରି ନମ୍ବର ସ୍ଥାନରେ ବ୍ୟାଟିଂ କରିଛନ୍ତି ଆଉ ଏବେ ପଞ୍ଚମ ସ୍ଥାନରେ ବି ଖେଳିଲେ । ଦିନିକିଆରେ ଏ ଯାବତ ସେ ଓପନିଂ କରି ଛଅ ଇନିଂସ୍‌ରେ ୪୨୫ ରନ୍‌, ତୃତୀୟ ସ୍ଥାନରେ ଖେଳି ଚାରି ଇନିଂସ୍‌ରେ ୧୬୩ ରନ୍ ଏବଂ ଚତୁର୍ଥ ସ୍ଥାନରେ ଛଅ ଇନିଂସ୍‌ରେ ଖେଳି ୧୦୪ ରନ୍ ସଂଗ୍ରହ କରିଛନ୍ତି ।

ରାହୁଲ ଏସିଆ କପ୍‌ରେ ଭାରତର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପରେ ଟିମ୍‌ରେ ଯୋଗ ଦେବେ । ଏବେ ସ୍ୱତଃପ୍ରବୃତ୍ତ ଭାବେ ପ୍ରଶ୍ନ ଉଠୁଛି ଯେ ରାହୁଲ ଆସିବା ପରେ ଈଶାନ କ’ଣ ନିଜ ସ୍ଥାନ ବଜାୟ ରଖିବେ ନା ରାହୁଲଙ୍କୁ ତାଙ୍କ ଠାରୁ ଅଗ୍ରାଧିକାର ଦିଆଯିବ ।

ଅଭିଜ୍ଞତା ସତ୍ତ୍ୱେ ରାହୁଲଙ୍କୁ ଏବେ ଆନ୍ତର୍ଜାତିକ ମ୍ୟାଚ୍‌ରେ ଉଭୟ ଫର୍ମ ଓ ଫିଟ୍‌ନେସ୍ ହାସଲ କରିବାକୁ ହେବ । ଅନ୍ୟପଟେ, ଫର୍ମରେ ଥିବା ଈଶାନଙ୍କୁ ଅଣଦେଖା କରିବା ସହଜ ହେବ ନାହିଁ, ଯିଏ ଆବଶ୍ୟକ ସ୍ଥଳେ ଟିମ୍ ପାଇଁ ସଙ୍କଟମୋଚକର ଭୂମିକା ତୁଲାଉଛନ୍ତି । ତେଣୁ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ବେଳେ ସତର୍କତା ଅବଲମ୍ବନ କରିବାକୁ ହେବ ।

ଗତ ବର୍ଷ ବାଂଲାଦେଶ ବିପକ୍ଷରେ ଓପନିଂ ବ୍ୟାଟର୍ ଭାବେ ଦ୍ୱିଶତକୀୟ ଇନିଂସ୍ ଖେଳିଥିବା ଈଶାନ୍‌ଙ୍କୁ ଏବେ ମାତ୍ର ୨୫ ବର୍ଷ ବୟସ । ତାଙ୍କୁ ଆହୁରି ଅନେକ ଦୂର ଯିବାର ଅଛି । ଏବେ ବିଶ୍ୱକପ୍ ପାଇଁ ତାଙ୍କୁ ରାହୁଲଙ୍କ ଠାରୁ ଚାଲେଞ୍ଜ୍ ମିଳିବ । ତେଣୁ ତାଙ୍କୁ ପ୍ରତି ସୁଯୋଗରେ ଉତ୍ତମ ପ୍ରଦର୍ଶନ କରି ନିରନ୍ତରତା ବଜାୟ ରଖିବାକୁ ହେବ ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Team India Asia Cup 2023
Advertisment
Advertisment