/odishatv-khabar/media/post_attachments/uploadimage/library/16_9/16_9_0/puri_1742880310.jpg)
puri
ଜଗାରେ ତୁ ମୋ କୋଳରେ ଶୋଇଛୁ... ମୁଁ ତୋ ବଡ଼ଦାଣ୍ଡରେ ଶୋଇଛି । ଓଃ କି ଶାନ୍ତି... ଓଃ କି ତୃପ୍ତି... ସତରେ କାଳିଆ, ନା ଦୁଃଖ ଅଛି ନା ଅଛି କଷ୍ଟ... ସବୁ ଯେମିତି ଏଠି ନିମିଷକେ ଉଭାନ ହୋଇଯାଇଛି । ଏ ଧୁ ଧୁ ଖରାଟାରେ ବି କି ସୁନ୍ଦର ନିଦ । ଏ ବଡ଼ଦାଣ୍ଡଟା ଯେମିତି ତୋ କୋଳ ପରି ଲାଗୁଛି । ନିଦ ମାଡ଼ିମାଡ଼ି ଆସୁଛି, ତୋ ଭକ୍ତଙ୍କ କୋଳାହଳ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଗୀତ ପରି ଶୁଭୁଛି । ତୁ ସିନା ଜଗତର ନାଥ... ମୁଁ ଅନାଥଟିଏରେ କାଳିଆ । ସେଥି ପାଇଁ ତତେ ଆଶ୍ରା କରିଛି । ଆଉ ତୋର କୋଳରେ ଶରଣ ପଶିଛି । ଅଭାବ ଭିତରେ ବଢ଼ିଛି । କିଛି ନଥିବା ଭିତରେ ତତେ ମୁଁ ପାଇଛି । ତୋ ଶ୍ରୀମନ୍ଦିରକୁ ମୋ ଘର କରିଛି, ତୋ ବଡ଼ ଦାଣ୍ଡକୁ ଅଗଣା କରି ସବୁ ଦିନ ଏଇଠି ବସିଛି । ଏଇନା ସିନା ମୁଁ ନିଦରେ ଶୋଇଛି, ହେଲେ ସ୍ବପ୍ନରେ ତୁ ଆସୁଛୁରେ କାଳିଆ ।
ଅଧିକ ପଢ଼ନ୍ତୁ: କଟକ SCBରେ ଶିଶୁ ବଦଳ ଅଭିଯୋଗ ମାମଲା, ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନୋଟିସ୍ କଲେ ହାଇକୋର୍ଟ
ଶ୍ରୀକ୍ଷେତ୍ରର ମଣିଷଟିଏ ମୁଁ... ଏ ମାଟି ପାଣି ପବନରେ ତୁଳସୀର ବାସ୍ନା ଭାସି ଆସେ... ନୀଳ ସମୁଦ୍ର କହେ ଜୟ ଜଗନ୍ନାଥ... ପାପି ଏଠି ମୁକ୍ତି ପାଏ... ପୂଣ୍ୟ ଆତ୍ମାକୁ ତୁ ତୋ ଶରଣକୁ ନେଉ । ପାପିର ତୁ, ତପିର ବି ତୁ । କେତେବେଳେ ସାଜୁ ତୁ ଅନ୍ଧର ଲଉଡ଼ି ତ ପୁଣି କେତେବେଳେ ଭକ୍ତର ମନରେ ବସି ସବୁ ଦୁଃଖ କଷ୍ଟକୁ ହରଣ କରିନେଉ । ମୁଁ ସିନା ଗରିବ ମଣିଷଟାଏରେ କାଳିଆ । ହେଲେ ତୁ ପା’ ଜଗତର ମାଲିକ । ତୋ ପାଖରେ ମୋର ଦୁଃଖ ଆଉ ବା କ’ଣ । ତୋ ଆନନ୍ଦ ବଜାରର ଅବଢ଼ା, ତୋ କଳ୍ପବଟର ଛାଇ, ଶ୍ରୀମନ୍ଦିରରେ ଭକ୍ତଙ୍କ କୋଳାହଳ ଆଉ ପଣ୍ଡାପଢ଼ିହାରୀଙ୍କ ମଣିମା ମଣିମା ଡାକ ଶୁଣି ମୁଁ ଧନ୍ୟ ହୋଇସାରିଛି ।
ଜୀବନର ଅଧାରୁ ଅଧିକ ସମୟ ସରିଆସିଲାଣି । ଆଉ ବାକିତକ ଜୀବନ ତୋରି କୋଳରେ ଏମିତି କଟୁ । ତୋ ନାମ ଧରି ଧରି ମୋ ଜୀବନ ଯାଉ । କିଛି ନଥାଇ ମୁଁ ସବୁ ପାଇ ସାରିଛି, କିଛି ନଦେଇ ତୁ ସବୁ ଦେଇ ସାରିଛୁ, ମନ ଭରିଯାଉଛି, ପେଟ ପୂରିଯାଉଛି । କେବଳ ତୋ ଚକା ନୟନକୁ ଏମିତି ମୁଁ ଦେଖୁ ଥାଏ । ତୋ ବଡ଼ଦାଣ୍ଡରେ ଏମିତି ଗଡ଼ୁଥାଏ । ବରଷକରେ ଥରେ ତୋ ସ୍ପର୍ଶ ପାଉଥିବା ଏ ବଡ଼ ଦାଣ୍ଡ, ତା ଧୂଳି ତକ ମୋ ଦେହରେ ବୋଳି ଦେଉ । ମୁଁ ସବୁଦିନ ଏମିତି ଅଚିନ୍ତା ନିଦ୍ରାରେ ଶୋଇଯାଏ, ତୁ ଏମିତି ମେଞ୍ଚାଏ ସ୍ୱପ୍ନ ଢାଳି ଦେଇ ଯାଉଥାରେ କାଳିଆ... ତୁ ଏମିତି ସ୍ୱପ୍ନ ଢ଼ାଳି ଦେଇଯାଉ ଥା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)