/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742862452.jpg)
ଅଦାର ଅଭାବୀ ବିକ୍ରି
ଓଡ଼ିଶାର ଅଦା ଉତ୍ପାଦନର କେନ୍ଦ୍ରସ୍ଥଳ କୋରାପୁଟରେ ଅଦାର ଅଭାବୀ ବିକ୍ରି । ଏ ବର୍ଷ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଅଦାଚାଷ ପରେ ଏବେ ଅମଳ ସମୟରେ କିଲୋ ପ୍ରତି ମାତ୍ର ୧୫ରୁ ୨୦ ଟଙ୍କାରେ ବିକୁଛନ୍ତି ଚାଷୀ । ଯାହା ଫଳରେ ନ୍ୟୁନତମ ଚାଷ ଖର୍ଚ୍ଚ ବି ପାଇବାରେ ବିଫଳ ହୋଇଛି ଚାଷୀ । ସେପଟେ ସଂରକ୍ଷଣର ସୁବିଧା ପାଇଁ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ବାଧ୍ୟ ହୋଇ କମ ଦରରେ ବିକୁଥିବା କହିଛନ୍ତି । ଯେଉଁ ସମସ୍ୟାକୁ ସ୍ବୀକାର କରିଛନ୍ତି ଉଦ୍ୟାନ କୃଷି ବିଭାଗର ଅଧିକାରୀ ।
ଅଧିକ ପଢ଼ନ୍ତୁ: କଟକ SCBରେ ଶିଶୁ ବଦଳ ଅଭିଯୋଗ ମାମଲା, ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନୋଟିସ୍ କଲେ ହାଇକୋର୍ଟ
ଅମଳ ବେଳେ ଅଭାବୀ ବିକ୍ରି । ଚାଷୀଙ୍କୁ ମିଳୁନି ଅଦାର ଉଚିତ ମୂଲ୍ୟ । ଶୀତଳଭଣ୍ଡାର ନଥିବାରୁ ହୋଇପାରୁନି ସଂରକ୍ଷଣ । ଅଦା ଚାଷ ପାଇଁ ପ୍ରସିଦ୍ଧ କୋରାପୁଟ ଜିଲ୍ଲାର ଚାଷୀ ଗୁରୁତର ଅଭାବୀ ବିକ୍ରିର ଶିକାର । ଏ ବର୍ଷ ପ୍ରତିକୂଳ ପାଗ ଯୋଗୁଁ କୋରାପୁଟ ଜିଲ୍ଲାରେ ଆଶାନୁରୂପକ ଅମଳ ହୋଇପାରିନି ଅଦା । ଏହାସତ୍ତ୍ବେ ଯେତିକି ଅମଳ ହୋଇଛି, ତା’ର ବି ମିଳିପାରୁନି ଉଚିତ ମୂଲ୍ୟ । ଚାଷୀଙ୍କ ଅଭିଯୋଗ, ଗତବର୍ଷ ଏହି ସମୟରେ ଅଦାର ସର୍ବନିମ୍ନ ବିକ୍ରି ମୂଲ୍ୟ ଥିଲା କିଲୋ ପ୍ରତି ୩୫ରୁ ୪୦ ଟଙ୍କା । କିନ୍ତୁ ଏ ବର୍ଷ ତାହା ୧୫ରୁ ୨୦ ଟଙ୍କାକୁ ଖସି ଆସିଛି । ଫଳରେ ଚାଷୀଙ୍କୁ ମିଳିପାରୁନି ପରିଶ୍ରମର ମୂଲ୍ୟ। ସେପଟେ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ସୁବିଧା ନାହିଁ। ତେଣୁ କମ୍ ଦରରେ ବିକିବାକୁ ବାଧ୍ୟ ହେଉଥିବା କହିଛନ୍ତି ଜିଲ୍ଲାର ବହୁ ଅଦା ଚାଷୀ ।
ଜିଲ୍ଲା ଉଦ୍ୟାନ କୃଷି ବିଭାଗର ତଥ୍ୟ ଅନୁଯାୟୀ ଏ ବର୍ଷ କୋରାପୁଟ ଜିଲ୍ଲାରେ ୩ ହଜାର ୭୦୦ ହେକ୍ଟର ଜମିରେ ଅଦା ଚାଷ ହୋଇଥିଲା । ବର୍ତ୍ତମାନ ଅଧାରୁ ଅଧିକ ଜମିରୁ ଉତ୍ପାଦନ ସରିଲାଣି । ହେଲେ ଅମଳ ପରେ ଅଦା ବିକି ଅର୍ଥ ପାଇବା ବେଳକୁ ବଜାରରେ ନାହିଁ ଉଚିତ ଭାଉ। କୁହାଯାଉଛି, ଏଥର ବାହାର ରାଜ୍ୟର ଅଦା ଓଡ଼ିଶାକୁ ପ୍ରବେଶ କରୁଥିବାରୁ କୋରାପୁଟ ଅଦାର ଚାହିଦା କମି ଯାଉଛି । ଫଳରେ ଏଠାକାର ଅଦା ଚାଷୀ ନିରାଶ ହେଉଛନ୍ତି । ସେପଟେ କୋରାପୁଟ ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ, ଜିଲ୍ଲାରେ ଅଦାର ଏ ଅଭାବୀ ବିକ୍ରି ସମସ୍ୟାକୁ ସ୍ୱୀକାର କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)