• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsna Mohapatra

ମା’ ଏକ ଦୁନିଆ। ମା’ ଏକ ଯନ୍ତ୍ରଣାର ଉପଶମ। ଜଣେ ନାରୀକୁ ହିଁ ମା’ ହେବାର କ୍ଷମତା ଭଗବାନ ଦେଇଛନ୍ତି। ସନ୍ତାନଟି ଭ୍ରୁଣ ଥିବା ଅବସ୍ଥାରୁ ପୂର୍ଣ୍ଣ ଅବୟବଧାରୀ ଶରୀରରେ ରୂପାନ୍ତର ହେବା ପର୍ଯ୍ୟନ୍ତ ହେଉଥିବା ପରିବର୍ତ୍ତନକୁ ଅନୁଭବ କରି ଶେଷରେ ନବଜାତକୁ ଦୁନିଆକୁ ଆଣିବାର କଷ୍ଟ ସହିବାର ଶକ୍ତି ହିଁ ଜଣେ ମା’ ପାଖରେ ଥାଏ।

ବାସ୍ତବରେ ତ ଭ୍ରୁଣ ରୂପରେ ମାତୃଗର୍ଭରେ ସ୍ଥାନ ପାଇବା ଦିନରୁ ହିଁ ନାରୀଟିଏ ମା’ ହୋଇସାରିଥାଏ। ନୂଆ ଅତିଥିର ଆଗମନ ଜଣାପଡ଼ିବା ମାତ୍ରେ ଆମେ ମା’ ପାଇଁ କେତେ କ’ଣ ଖାଇବା ଜିନିଷ ଆଣୁ, ତା’ର ସବୁ ଖାଇବାର ଇଛା ପୂରଣ କରୁ। ଏମିତି କେତେ କ’ଣ। ତେବେ ସେସବୁ ଏଠି ଉଲ୍ଲେଖ କରିବା ମୁଁ ଜରୁରୀ ଭାବୁନି। ହେଲେ ଯେଉଁଦିନ ଗର୍ଭସ୍ଥ ଶିଶୁଟି ଜନ୍ମ ନିଏ ଠିକ ସେହି ମୁହୁର୍ତ୍ତରୁ ପରିବାର ଲୋକଙ୍କ ସବୁ ଧ୍ୟାନ ନବଜାତ ଉପରକୁ ଚାଲିଯାଏ। ତାକୁ ଜନ୍ମ ଦେଇଥିବା ମା’ଟି ଯେପରି ଅଲୋଡ଼ା ହୋଇଯାଏ। ଆମେ ଭୁଲିଯାଉ ଯେ ଛୁଆ ପରି ସମାନ ଯତ୍ନ ମା’ର ବି ଦରକାର।

ଆପଣ ନିଜେ ଭାବନ୍ତୁ, କେବେ ଜଣେ ନୂଆ ମା’ର ପ୍ରକୃତ ସୁବିଧା ଅସୁବିଧାକୁ ଆପଣ ବୁଝନ୍ତି କି? ବୋଧହୁଏ ଖୁବ୍ କମ୍ ଏଥିରେ ହଁ ମାରିବେ। ତେବେ ଆମେ ଏହି ସମୟରେ ସେମାନଙ୍କ ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ନିହାତି ଯତ୍ନବାନ ହେବା ଜରୁରୀ । ଆସନ୍ତୁ ଆଜି ମାତୃଦିବସରେ ଏହି ନୂଆ ମା’ମାନଙ୍କ ବିଷୟରେ ଜାଣିନେବା।

ଯେତେବେଳେ ଏକ ନାରୀ ନିଜ ସନ୍ତାନକୁ ଜନ୍ମଦିଏ ସେତେବେଳେ ତା’ର ଶରୀର ଭିନ୍ନ ହର୍‌ମୋନ୍‌ର କ୍ଷରଣ ହେତୁ ବହୁ ପ୍ରକାର ପରିବର୍ତ୍ତନର ସାମ୍ନା କରେ। ତେଣୁ ପ୍ରସବ ପରେ ସେ ନିଜର ମୋଟା ପଣ, କ୍ଲାନ୍ତପଣ, ଖାଦ୍ୟାଭ୍ୟାସ ସହ ଶିଶୁର ସ୍ତନ୍ୟପାନ ଆଦିକୁ ନେଇ ଚିନ୍ତିତ ରୁହେ।

ଆଜିକାଲି ମହିଳାମାନଙ୍କ ମଧ୍ୟରେ ସର୍ଜରୀଜନିତ ପ୍ରସବର ଆଗ୍ରହ ବଢୁଛି, କାରଣ ସେମାନେ ଭାବନ୍ତି ଏହା ଦ୍ୱାରା ସେମାନଙ୍କୁ ପ୍ରସବ ବେଦନାରୁ ମୁକ୍ତି ମିଳେ। କିନ୍ତୁ ବାସ୍ତବିକ୍ ସର୍ଜରୀ ପରେ ଶରୀର ଦୁର୍ବଳ ହୋଇଯାଏ। ସ୍ୱାଭାବିକ ପ୍ରସବ ତୁଳନାରେ ସି ସେକ୍ସନ ପ୍ରସବରେ ମା’ ଓ ଶିଶୁର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। ପ୍ରସବ ପରେ ଯେହେକୁ ମା’ର କ୍ଷୀର ମାଧ୍ୟମରେ ସମସ୍ତ ପୋଷଣ ଶିଶୁ ପାଖକୁ ଯାଏ ତେଣୁ ମା’କୁ ଉପଯୁକ୍ତ ପୋଷକ ଦ୍ରବ୍ୟ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ ହୋଇଥାଏ।

ଏବେ ଆସନ୍ତୁ ସ୍ତନ୍ୟପାନ କରାଉଥିବା ଏକ ନୂଆ ମା’ର ଖାଦ୍ୟ ବିଷୟରେ ଜାଣିବା:

  • ସ୍ତନ୍ୟପାନ କରାଉଥିବା ମା’ ନିଜ ଖାଦ୍ୟରେ ପ୍ରୋଟିନ୍‌ର ଅଂଶ ପୂରଣ ପାଇଁ ମାଂସ, ମାଛ, ଅଣ୍ଡା, ଡାଲିଜାତୀୟ ଖାଦ୍ୟ ନେବା ଜରୁରୀ।
  • ଖାଇବା ଥାଳିର ତିନି ଚତୁର୍ଥାଂଶ ଭିଟାମିନ୍‌ରେ ଭରପୂର ସବୁଜ ଓ ହଳଦିଆ ପନିପରିବା ଯେପରିକି ଅମୃତଭଣ୍ଡା, କଦଳୀ, କ୍ୟାପ୍‌ସିକମ୍, ବାଇଗଣ, ବିନସ୍, ଗାଜର ଆଦି ରହିବା ଜରୁରୀ
  • ଓଟସ୍, ଅଟା ପାଉଁରୁଟି, ବାଜରା ରୁଟି ଆଦି ଶସ୍ୟ ଜାତୀୟ ଖାଦ୍ୟ ନେବା ଦରକାର
  • ଦିନକୁ ଦୁଇଥର ଖାଦ୍ୟରେ ଫଳ ଖାଇବା ଜରୁରୀ
  • ଯେତେବେଳେ ବି ଶୋଷ ଲାଗିଲେ ପାଣି ପିଇବା ଜରୁରୀ। ପ୍ରାୟତଃ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଅଧିକ ଶୋଷ ଲାଗିଥାଏ । ପ୍ରତିଥର ସ୍ତନ୍ୟପାନ କରାଇ ସାରିବା ପରେ ପାଣି ପିଇବା ଜରୁରୀ
  • ଅତ୍ୟଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ଖାଇବାରୁ ନିବୃତ ରହିବା ଜରୁରୀ
  • ଘରେ ବିଭନ୍ନ ପ୍ରକାର ପୌଷ୍ଟିକ ଲଡ଼ୁ ଯାହାକି (ରାଶି ଓ ବାଦାମରେ ତିଆରି) ଖାଇବା ଦରକାର । ଏଥିରୁ ଲୌହ ଓ କ୍ୟାଲ୍‌ସିୟମ୍ ମିଳିଥାଏ ।
  • ପ୍ରସବ ପରେ ଅତି କମରେ ୬ ମାସ ପରେ ବ୍ୟାୟାମ ଆରମ୍ଭ କରିବା ଜରୁରୀ । ଏହି ସମୟରେ ନିୟମିତ ଚାଲିବା ଏକ ଭଲ ଅଭ୍ୟାସ ।
  • ଏହି ସମୟରେ ଜଣେ ମା’ ଦୁଇ ଜଣଙ୍କ ଖାଦ୍ୟ ଖାଇବାକୁ ପଡ଼େ । ତେଣୁ ନିୟମିତ ଆବଶ୍ୟକ କ୍ୟାଲୋରୀ ମୂଲ୍ୟ ଠାରୁ ୫୦୦ କିଲୋ କ୍ୟାଲୋରୀ ଅଧିକ ଖାଦ୍ୟ ଜରୁରୀ ହୁଏ ।
  • ଯଦି ଆପଣଙ୍କ ପ୍ରସବ ଖରାଦିନେ ହୋଇଥାଏ ତେବେ ନିୟମିତ କାଞ୍ଜି, ଦହି ପାଣି, ସଜ ପଖାଳର ତୋରାଣି, ତରଭୂଜ ଆଦି ଖାଇବା ଦରକାର। ଏହା ଦ୍ୱାରା ମା’ ଓ ଶିଶୁର ଦେହରେ ଜଳୀୟ ଅଂଶ କମି ନଥାଏ ।

ଏଣୁ ଏହି ସବୁ ଉପରୋକ୍ତ ଖାଦ୍ୟାଭ୍ୟାସକୁ ମାନିବା ସହ ଆମେ ଧ୍ୟାନ ରଖିବା ଜରୁରୀ ଯେ ଆମ ସାଙ୍ଗରେ ଥିବା ମା’ ଜଣକ ଯଦି ନିରାମିଶାସୀ ହୋଇଥାନ୍ତି ତେବେ କ୍ୟାଲ୍‌ସିୟମ୍, ଜିଙ୍କ୍ ଓ ଲୌହର ଚାହିଦା ପୂରଣ ପାଇଁ ଆବଶ୍ୟକ ପରିମାଣର କ୍ଷୀର ପିଇବା ନିହାତି ଜରୁରୀ। ସାଧାରଣତଃ ଆମ ଘରେ ଜେଜେମା ଓ ମା’ମାନେ ଅଦା, ଶୁଣ୍ଠି, ଘିଅ ଆଦି ନିୟମିତ ଖାଦ୍ୟରେ ମିଶାଇବାକୁ କୁହନ୍ତି। ଏହା ଗର୍ଭାଶୟର ପ୍ରସାରଣଜନିତ କ୍ଷତକୁ ତୁରନ୍ତ ଭରିବାରେ ସାହାଯ୍ୟ କରେ।

ଲୁଣି ସାମୁଦ୍ରିକ ମାଛ ଯେଉଁଥିରେ ପାରଦ ଅଂଶ ଥାଏ ଖାଇବା ଉଚିତ ନୁହେଁ। ଯଦି ମା’ର ଶରୀରରେ କୌଣସି ଖାଦ୍ୟ ପ୍ରତି ଆଲର୍ଜି ଥାଏ କିମ୍ୱା କୌଣସି ଖାଦ୍ୟ ଖାଇବା ପରେ ଶିଶୁର ମଳର ରଙ୍ଗ ପରିବର୍ତ୍ତନ ହେବା ପରି ଲାଗେ ତେବେ ତାହା ଖାଇବା ତୁରନ୍ତ ବନ୍ଦ କରିଦେବା ଜରୁରୀ। ଦେଶୀ ଆଳୁ, କଖାରୁ ଆଦି ପନିପରିବା ଖାଇଲେ ଯଦି ପେଟରେ ଗ୍ୟାସ୍‌ ହୁଏ ତାହା ମଧ୍ୟ ଖାଇବାରୁ ନିବୃତ ରହିବା ଉଚିତ।

ଏହି ସମସ୍ତ କଥାକୁ ଆମେ ମନରେ ରଖି ଜଣେ ନୂଆ ମା’ର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଦରକାର। ଏବେ ସରକାରଙ୍କ ତରଫରୁ ଜନନୀ ଓ ଶିଶୁ ସୁରକ୍ଷା ଯୋଜନାରେ ଅନେକ ପ୍ରକାର ଆର୍ଥିକ ସୁବିଧା ସହିତ ଶିଶୁ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି। ତେଣୁ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଆମେ ଏହା ପ୍ରତି ଯତ୍ନବାନ୍ ହେବା ଜରୁରୀ।

ମା’ ବୋଲି କହିଲେ ଆମେ ଏକ ବିସ୍ତୃତ ଅର୍ଥକୁ ବୁଝୁ। ସେ ଯେପରି ନିଜର ଆବଶ୍ୟକତାକୁ ପଛ କରି ସମସ୍ତଙ୍କ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଏ ସେପରି ଆମ ସମସ୍ତର ମଧ୍ୟ କିଛି ଦାୟିତ୍ୱ ହେବା ଉଚିତ କି ସ୍ତନ୍ୟପାନ କରିବା ବେଳେ ମା’ର ସ୍ୱାସ୍ଥ୍ୟ ଭଲ ରହିବା ଦିଗରେ ଧ୍ୟାନ ଦେବା। ତେବେ ଯାଇ ଆମ ଶିଶୁଟି ମଧ୍ୟ ସ୍ୱାସ୍ଥ୍ୟବାନ ହେବ।