• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆହେ ଦୟାମୟ ବିଶ୍ୱ ବିହାରୀ ସଙ୍ଗୀତକୁ ଧାଡ଼ିରେ ଛିଡ଼ା ହୋଇ ଏକ ସ୍ୱରରେ ଗାୟନ କରିଥାନ୍ତି କୁନି କୁନି ପିଲା । ଏହା ସାଧାରଣତଃ ସ୍କୁଲରେ ଦେଖିବାକୁ ମିଳେ । ତେବେ ଆଜି ଆମେ ଆପଣଙ୍କୁ କୌଣସି ସ୍କୁଲ କଥା କହୁ ନାହୁଁ । ଆମେ କହୁଛୁ ବିଦ୍ୟାଳୟ ଶିକ୍ଷା ପରେ ପିଲାଙ୍କୁ ନିଜର କରିପାରୁଥିବା ଏକ ମୁକ୍ତ ଚାଟଶାଳୀର । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଏବେ ବେଶ୍ ନାଁ କରିଛି ଦୀପକ ରଂଜନଙ୍କ ମାଗଣା ପାଠଶାଳା । ଜୁନାଗଡ଼ ସହରର ସ୍ୱାଗତ କଲୋନୀରେ ରହୁଥିବା ବସ୍ତି ପିଲାଙ୍କୁ ବିନା ମୂଲ୍ୟରେ କୋଚିଂ ଯୋଗାଇ ଦେବାର ସ୍ୱପ୍ନ ନେଇ ଆଜିକୁ ପ୍ରାୟ ୬ ମାସ ତଳେ ସହରର ଯୁବ ବ୍ୟବସାୟୀ ଦୀପକ ରଂଜନ ଓ ପତ୍ନୀ ସୀତାରାଣୀ ଆରମ୍ଭ କରିଥିଲେ ଏ ପ୍ରୟାସ । ଆଉ ମାତ୍ର ୬ ମାସରେ ସେମାନଙ୍କ ଉଦ୍ୟମ ଏବେ ସଫଳତାର ରାସ୍ତାରେ ।

ବସ୍ତି ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରଥମେ ଘର ଘର ବୁଲି ବାପାମାଆଙ୍କୁ ବୁଝାଇ ଚାଟାଶାଳୀକୁ ପିଲା ଆଣୁଥିଲେ ଦୀପକ ଓ ସୀତାରାଣୀ । ହେଲେ ଏବେ ତାଙ୍କ ପାଠଶାଳାରେ ପିଲାଙ୍କ ସଂଖ୍ୟା ପ୍ରାୟ ୧୨୦।

ଦୀପକଙ୍କ ପାଠଶାଳାରେ ପିଲାଙ୍କୁ ପାଠ୍ୟଦାନ ସମୟ ସାଢେ ୪ଟାରୁ ସାଢ଼େ ୬ଟା । ସ୍କୁଲରୁ ଫେରିବା ପରେ ତାଙ୍କ ଚାଟଶାଳୀକୁ ଆସି ପ୍ରାୟ ୨ ଘଣ୍ଟାର କୋଚିଂ ନେଉଛନ୍ତି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା । ଏଥିପାଇଁ କାହାଠୁ ଟଙ୍କାଟିଏ କି ପାରିଶ୍ରମିକ ଗ୍ରହଣ କରନ୍ତି ନାହିଁ ଉଭୟ ପତି-ପତ୍ନୀ । କ୍ରମେ ପିଲାଙ୍କ ସଂଖ୍ୟା ବୃଦ୍ଧି ପରେ ଏବେ ସମଭାବାପନ୍ନ କିଛି ବନ୍ଧୁ ଓ ବାନ୍ଧବୀଙ୍କ ସହାୟତାରେ ଏ ପାଠ୍ୟଦାନ ପ୍ରକ୍ରିୟାକୁ ଆହୁରି ଆଗକୁ ନେଇଛନ୍ତି ଏମାନେ । ଦୀପକ ନିଜର ଏକ ଛୋଟିଆ ମିଠା ଦୋକାନରୁ ଯାହା ରୋଜଗାର କରନ୍ତି, ସେଇଥିରୁ ପରିବାର ଚଳାଇ ଅବଶିଷ୍ଟ ଅର୍ଥକୁ ଏଇ ବାଟରେ ଖର୍ଚ୍ଚ କରନ୍ତି ।

ଅର୍ଥାଭାବରୁ ଦିନେ ଉଚ୍ଚଶିକ୍ଷା ଗ୍ରହଣ କରିପାରନଥିବା ଦୀପକଙ୍କ ପିଲାଦିନ ବେଶ କଷ୍ଟ ଓ ଆଉ ଯନ୍ତ୍ରଣାରେ କଟିଥିଲା । ଅଭାବରେ ଚଳୁଥିବା ଅଭିଭାବକମାନେ ପିଲାଙ୍କୁ ଭଲ ଶିକ୍ଷା ଟିକିଏ ଦେବାକୁ କେମିତି ସଂଘର୍ଷ କରନ୍ତି, ସେ ଦୁଃଖକୁ ଅତି ନିକଟରୁ ଦେଖିଥିଲେ ସେ । ତେଣୁ ବସ୍ତି ଅଞ୍ଚଳର ଗରିବ ପିଲାଙ୍କୁ ସେ ଅଭାବ, ଅସୁବିଧା ଭିତରୁ ଉଦ୍ଧାର କରିବାକୁ ଏବେ ପତ୍ନୀଙ୍କୁ ସାଥି କରି ବାଟ ଚାଲୁଛନ୍ତି ଜୁନାଗଡ଼ର ଦୀପକ। 

OTV is now on Whatsapp

Join and get latest news update delivered to you via whatsapp

Join Now