• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଶିବାସେନାର ମୂଳ ଚିହ୍ନ ଧନୁତୀର ମିଳିବା ପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ମୁଖପାତ୍ର ସଂଜୟ ରାଉତ । କହିଛନ୍ତି, ନିର୍ବାଚନ ଚିହ୍ନ ଓ ଦଳର ନାମ ପାଇବାକୁ ସିନ୍ଦେ ଗୋଷ୍ଠୀ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବଡ ଡିଲ୍ ହୋଇଛି । ଏଥିରେ ୨ହଜାର କୋଟି ଟଙ୍କାର କାରବାର ହୋଇଥିବା ସଂଜୟ ଅଭିଯୋଗ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡିଲ୍ କଥା ଶତ ପ୍ରତିଶତ ସତ, ଖୁବଶୀଘ୍ର ସେ ଏହାର ପ୍ରମାଣ ଦେବେ । ଏହା ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ମଧ୍ୟ କହିଛନ୍ତି ସଞ୍ଜୟ । ଦେଶର ରାଜନୈତିକ ଇତିହାସରେ ଏଭଳି ଘଟଣା କେବେ ଘଟିନଥିଲା । ମହାରାଷ୍ଟ୍ର ରାଜନୀତିରେ ନିର୍ବାଚନ ଚିହ୍ନ ଓ ଦଳର ନାମକୁ ନେଇ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିଥିବା ବେଳେ, ନିର୍ବାଚନ କମିଶନ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଅସଲି ଶିବସେନା ଭାବେ ମାନ୍ୟତା ଦେବା ସହ ନାମ ଓ ଧନୁ-ତୀର ଚିହ୍ନ ପ୍ରଦାନ କରିଥିଲେ ।

ଏଭଳି ସମୟରେ ସଂଜୟଙ୍କ ଏ ଅଭିଯୋଗ ନିଆଁରେ ଘିଅ ଢାଲିଛି । ଅନ୍ୟପଟେ ଏ ନେଇ ମତ ରଖିଛି ବିଜେପି। ଦଳୀୟ ଚିହ୍ନ ଲାଗି ଉଦ୍ଧବ ଠାକରେ ସୁପ୍ରିମକୋର୍ଟ ଯାଇଛନ୍ତି, ମାମଲାର ବିଚାର ବେଳେ ଏହି ମତକୁ ସେମାନେ ଉପସ୍ଥାପନ କରନ୍ତୁ ବୋଲି ବିଜେପି କହିଛି ।