• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ବିଗୁଡୁଛି ଆଇନଶୃଙ୍ଖଳା ସ୍ଥିତି ! ଦିନ ଦ୍ୱିପହରରେ ହେଉଛି ହତ୍ୟା, ଦୁଷ୍କର୍ମ ! ବିଜେଡିରେ ବଢୁଛି ଅପରାଧୀକରଣ, ନେତାଙ୍କୁ ଦିଆଯାଉଛି ସୁରକ୍ଷା ! ଏଭଳି କିଛି ଅଭିଯୋଗ ଆଣି ତିନି ଦିନ ହେଲା ବିଜେପି କରୁଛି ଗର୍ଜନ । ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଜୋରଦାର ଆନ୍ଦୋଳନ ପରେ ଏବେ ରାଜରାସ୍ତାକୁ ଓହ୍ଲାଇଛି ଯୁବମୋର୍ଚ୍ଚା । ଆଜି ଭୁବନେଶ୍ୱର ରୁଚିକା ମାର୍କେଟଠାରୁ ପଦଯାତ୍ର କରିବା ପରେ ବରମୁଣ୍ଡା ଛକରେ ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ଦିନକ ପରେ ଆରମ୍ଭ ହେଉ ଥିବା ବିଧାନସଭାର ବଜେଟ୍ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବ ଦଳ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା, ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ, ବାଲେଶ୍ୱରରେ ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ, ବଢୁଥିବା ଦୁଷ୍କର୍ମ ଆଦି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାକୁ ଯୋଜନା କରିଛି ବିଜେପି । ଦଳ ଅଭିଯୋଗ କରିଛି ଯେ, ବିଜେଡିରେ ଅପରାଧୀକରଣ ବଢ଼ିବା ସହିତ ପୋଲିସ ଓ ପ୍ରଶାସନର ରାଜନୀତିକରଣ କରାଯାଉଛି । ତେଣୁ ରାଜ୍ୟ ସରକାର ବିରୋଧରେ ଗାଁ ଗାଁରେ ଜନଜାଗରଣ କରିବ ବିଜେପି ।

ସେପଟେ ରାଜ୍ୟରେ ଜଙ୍ଗଲରାଜ ଚାଲିଛି ବୋଲି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ୍ । ଗୁଣ୍ଡାଗର୍ଦ୍ଦିରେ ଲିପ୍ତ ଥିବା ନେତାମାନେ ବିଧାୟକ ଓ ମନ୍ତ୍ରୀ ହେଉଛନ୍ତି । ଏଠି ଆଇନର ଶାସନ ନାହିଁ କହି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ସେପଟେ ନବ ଦାସ ହତ୍ୟା ଘଟଣାରେ ୨୨ ଦିନ ପରେ ବି ଷଡ଼ଯନ୍ତ୍ରର କାରଣ ସାମ୍ନାକୁ ଆସିନଥିବାରୁ ବିଜେଡି ସରକାର ଉପରେ ବର୍ଷିଛି ବିଜେପି । ଆଜି ଏକ ସମ୍ବାଦିକ ସମ୍ମୀଳନୀରେ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି, ନବ ଦାସ ହତ୍ୟାକାଣ୍ଡକୁ ଚାପି ଦେବାକୁ ରାଜ୍ୟ ସରକାର ଓ ପୋଲିସ୍ ଷଡଯନ୍ତ୍ର କରୁଛନ୍ତି । ନବ ଦାସ ହତ୍ୟାକାରୀ ବିଜେଡି ଦଳ ଭିତରେ ରହିଥିବା ସାଂଘାତିକ ଅଭିଯୋଗ କରିଛି ବିଜେପି । ଏହି ହତ୍ୟାକାଣ୍ଡରୁ ନଜର ହଟାଇବା ଲାଗି ବିଜେଡି ଚେଷ୍ଟା କରୁଛି । ସେଥିପାଇଁ ବିରୋଧୀ ଦଳ ନେତାଙ୍କୁ ବିବାଦ ବିତରକୁ ଟାଣୁଛି ବୋଲି ଅଭିଯୋଗ କରିଛି ।

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜେପି-ବିଜେଡି ଭିତରେ ଲଢେଇ ଧିରେ ଧିରେ ବଢ଼ିବାରେ ଲାଗିଛି । ଏହା ଆଗକୁ କେଉଁ ରୂପ ନେଉଛି ଓ ଏଥିରୁ କେଉଁ ଦଳକୁ କେତେ ଫାଇଦା ମିଳିବ ତା ଉପରେ ନଜର ।