• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁମାରପୂର୍ଣ୍ଣିମାର ପରଦିନ ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ କରିଥାନ୍ତି ହବିଷ୍ୟାଳୀ। ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ୍ ଲାଗିଥାଏ। ସରକାରଙ୍କ ହବିଷ୍ୟାଳୀ ଯୋଜନାରେ ୩ ହଜାରରୁ ଉର୍ଦ୍ଧ ହବିଷ୍ୟାଳୀ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ହଜାର ହଜାର ହବିଷ୍ୟାଳୀ ବିଭିନ୍ନ ମଠ, ମନ୍ଦିର ଓ ଲଜିଂ, ଧର୍ମଶାଳାରେ ରହିଥାନ୍ତି । ସେହି ସମୟରେ ଏତେ ଭିଡ଼ ହୋଇଥାଏ ଯେ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି ବୟୋଵୃଦ୍ଧା ହବିଷ୍ୟାଳୀ ।

କିଭଳି ଦର୍ଶନ ଶୃଙ୍ଖଳିତ ହେବ ତା ଉପରେ ଗୁରୁତ୍ୱ ଦେବାପାଇଁ ହବିଷ୍ୟାଳୀ ଦାବି କରିଥିବା ବେଳେ ସରକାରୀ ଯୋଜନାରେ ଥିବା ହବିଷ୍ୟାଳୀଙ୍କ ପାଇଁ ସୁରକ୍ଷିତ ସାନ୍ନ ସହ ସ୍ୱାସ୍ଥ୍ୟ ଓ ସୁରକ୍ଷିତ ଦର୍ଶନକୁ ଗୁରୁତ୍ୱ ଦିଆଯାଉ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି ।

ସେପଟେ ହବିଷ୍ୟାଳୀଙ୍କ ପାଇଁ ଚାରିଦୁଆର ଖୋଲିଯାଉ, କାରଣ ଏତେବାଟ ବୁଲି ବୁଲି ଦର୍ଶନ କରିବା ସମ୍ଭବ ହୋଇନଥାଏ ବୋଲି କହିଛନ୍ତି ବରିଷ୍ଠ ସେବାୟତ । ଅନ୍ୟପଟେ ହଵିଷ୍ୟାଳିଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ଗତବର୍ଷ ହବିଷ୍ୟାଳୀ ଶିବିରରେ ଅନେକ ସମସ୍ୟା ଦେଖିବାକୁ ମିଳିଥିଲା । ୭ମହଲା କୋଠାରେ କେଉଁ ମହଲା କିଛି ଉଲ୍ଲେଖ ନଥିଲା କି ଏବେ ମଧ୍ୟ ତାହା ଲେଖା ହୋଇନାହିଁ । ଲିଫ୍ଟ ସମସ୍ୟା ଯୋଗୁଁ କିଛି ଭକ୍ତ ଅଣନିଶ୍ୱାସୀ ହୋଇପଡିଥିଲେ। ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଥିଲା । ଏଥର  ସେହି ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେବା ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ପଞ୍ଜିକୃତ ହବିଷ୍ୟାଳି ମା’ ମାନଙ୍କ ରହିବା ପାଇଁ ୫ଟି ହବିଷ୍ୟାଳି ଶିବିରର ବ୍ୟବସ୍ଥା କରାଯାଇଛି । ମା’ ମାନଙ୍କର ରହିବା ସହ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଶ୍ରୀମନ୍ଦିରରେ ଜଗା ଦର୍ଶନ, ମହାପ୍ରସାଦ ସେବନ, ସଂଧ୍ୟାରେ ଭଜନ ପ୍ରବଚନ ଆଦିର ସୁବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତବର୍ଷର ଅଭିଜ୍ଞତା ଆଧାରରେ ଚଳିତ ବର୍ଷ ହବିଷ୍ୟାଳି ଶିବିରର ସୁପରିଚାଳନା କରିବାକୁ ଗୁରୁତ୍ୱ ଦିଆଯାଇଛି ।

ଚଳିତ ବର୍ଷ ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ । ଅନ୍ତେବାସୀ ମା’ମାନଙ୍କୁ ପରିଚୟ ପତ୍ର ପ୍ରଦାନ, ସହାୟକ ସ୍ୱେଛାସେବୀ ନିୟୋଜନ, ସୁରକ୍ଷା, ଅଗ୍ନି ନିର୍ବାପକ, ସ୍ନାନ ସମୟରେ ସୁରକ୍ଷା, ପରିବହନ, ପାନୀୟ ଜଳ, ବିଦ୍ୟୁତ, ମହାପ୍ରସାଦ ଆଦି ବ୍ୟବସ୍ଥା ଉପରେ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେପଟେ ବୃନ୍ଦାଵତୀ ନିବାସରେ ଦୁଇଟି ଲିଫ୍ଟ ଅଚଳ ଥିବାରୁ ତାକୁ ମରାମତି କରାଯାଉଛି ।