• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାକିରେ ଚାଲିଛି ମିଡ୍ ଡେ ମିଲ୍ । ସରକାର ବେଫିକର, ଏଣେ ସ୍କୁଲ କର୍ତ୍ତୃପକ୍ଷ ହରବର । କେଉଁଠି ୬ ମାସ ତ କେଉଁଠି ୩ ମାସ ହେଲା ଆସିନି ଅନୁଦାନ । ଧାର କରଜ କରି ପିଲାଙ୍କୁ ଖାଇବାକୁ ଦେଉଛନ୍ତି ସାର, ମ୍ୟାଡାମ୍ । ବାଲେଶ୍ୱର ଫିରିଙ୍ଗି ପାଟଣା ପ୍ରାଥମିକ ସ୍କୁଲ କଥା ଯଦି କହିବା, ୧୩୫ ଜଣ ପିଲାଙ୍କ ପାଇଁ ଏଠାରେ କରାଯାଏ ରୋଷେଇ । କିନ୍ତୁ ସାମଗ୍ରୀ ନିଅଣ୍ଟିଆ, ଡାଲି ଅତିବେଶୀରେ କିଲେ କି ଦେଢ଼ କିଲୋ ପଡ଼େ । ଆଉ ପରିବାରେ ଆଳୁ, କଖାରୁ ଓ କିଛି ସଜନା ଛୁଇଁ ।

ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କହୁଛନ୍ତି ମାସକୁ ଅଣ୍ଡା, ଡାଲି, ସୋୟାବିନ୍ ଓ ପନିପରିବା କିଣାରେ ୩୦ରୁ ୩୨ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଗଲା ତିନି ମାସରେ ଲକ୍ଷେ ଟଙ୍କା ପାଖାପାଖି ବାକି ହେଲାଣି,ହେଲେ ସରକାରଙ୍କଠାରୁ ଟଙ୍କାଟିଏ ବି ଆସିନି । ଦୋକାନୀ ମୁହଁ ଦେଖି ଆଉ କେତେ ଦିନ ବାକି ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ ରୋଷେଇ ଦାୟିତ୍ୱରେ ଥିବା ପାଚିକାଙ୍କୁ ବି ତାଙ୍କ ପ୍ରାପ୍ୟ ମିଳିନି ।

ଠିକ୍ ସେମିତି ସେଇ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ କଚୁଆଡ଼ି ସ୍ଥିତ ପ୍ରସାଦ ଚନ୍ଦ୍ର ସରକାରୀ ହାଇସ୍କୁଲର ବି ସମାନ ଅବସ୍ଥା । ଏଠି ୨୧୦ଜଣ ପିଲାଙ୍କ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଏସଏଚଜି ହାତରେ। ମାସକୁ ପିଲାଙ୍କ ଖାଦ୍ୟ ବାବଦରେ ୩୫ ହଜାର ଟଙ୍କା ଖର୍ଚ୍ଚ। ହେଲେ ୬ମାସ ହେଲା ବନ୍ଦ । ସେଇ ବ୍ଲକର ବଡ଼ ମନ୍ଦାରୁଣୀ ହାଇସ୍କୁଲରେ ତ ପ୍ରଧାନଶିକ୍ଷକ ସୁଧରେ ଟଙ୍କା ଆଣି ୬ ମାସ ହେଲା ମଧ୍ୟାହ୍ନ ଭୋଜନ ସାମଗ୍ରୀ କିଣୁଥିବା କହିଛନ୍ତି ।

ବାଲେଶ୍ୱର ଜିଲ୍ଲାରେ କେଉଁ ସ୍କୁଲ ୩ ମାସ ତ କାହାକୁ ୬ ମାସ ହେଲା ମିଳିନି ମିଡ୍ ଡେ ମିଲ୍ ଅନୁଦାନ। ଧାର କରଜରେ କେତେ ଦିନ ଚାଲିବ ବ୍ୟବସ୍ଥା ? କେଉଁ ମୁହୂର୍ତ୍ତରେ ବି ବନ୍ଦ ହୋଇପାରେ ଜିଲ୍ଲାର ୨ଲକ୍ଷ ୪୯ ହଜାରରୁ ଅଧିକ ପିଲାଙ୍କ ମଧ୍ୟାହ୍ନ ଭୋଜନ । ତେଣେ ଜିଲ୍ଲାପାଳ କହିଛନ୍ତି- ଏ ଟଙ୍କା କେନ୍ଦ୍ରରୁ ଆସେ । ଏଥର ବିଳମ୍ବ ହୋଇଛି। ସେପଟେମ୍ବର ମାସ ପର୍ଯ୍ୟନ୍ତ ଟଙ୍କା ଆସିଯାଇଛି, ଆଜି କାଲି ଭିତରେ ସମସ୍ତଙ୍କ ପାଖେ ପହଞ୍ଚିଯିବ ।

 

  • Reported by:
  • RASHMIRANJAN DAS , Ajit Das