• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ସରକାରଙ୍କ ଉପରେ ବଢ଼ିଲା ଚାପ । ହାଇକୋର୍ଟ ରତ୍ନଭଣ୍ଡାର ଖୋଲିବା ନେଇ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେବା ପରେ ବି ସରକାର କିନ୍ତୁ ଆଗକୁ ବଢୁନାହାନ୍ତି । ଏହାପରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ଗଜପତି ମହାରାଜାଙ୍କୁ ଭେଟି ରତ୍ନଭଣ୍ଡାର ଖୋଲିବା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କୁ ନିଶାନା କରିବା ସହିତ ବିଜେପି କହିଛି, ଶୀଘ୍ର କମିଟି ଗଠନ ନହେଲେ ଦଳ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହେବ । ସେପଟେ ପ୍ରସଙ୍ଗକୁ ନେଇ ରାଜନୀତି ବି ତେଜିଛି ।

କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? କେବେ ଗଣତି ହେବ ମହାପ୍ରଭୁଙ୍କ ଅଳଙ୍କାର ? ବାରମ୍ବାର ଚାପ ସତ୍ତ୍ୱେ ଉଁ କି ଚୁଁ କରୁନାହାନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର ପରିଚାଳନା କମିଟି ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ରତ୍ନ ଭଣ୍ଡାର ପ୍ରସଙ୍ଗରେ ଗଠନ ହେଉନି କମିଟି । ସତ ଯେମିତି ସରକାର ନିଦାବିଷ୍ଣୁ ପାଲଟି ଯାଇଛନ୍ତି । ଏହି ପ୍ରସଙ୍ଗରେ ଆଜି ବିଜେପିର ଏକ ପ୍ରତିନିଧି ଦଳ ଗଜପତି ମହାରାଜା ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଦିବ୍ୟସିଂହ ଦେବଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।

ସାକ୍ଷାତ ଆଲୋଚନା ପରେ ବିଜେପି ନେତା ସମୀର ମହାନ୍ତି କହିଛନ୍ତି, ଗଜପତି ମହାରାଜା ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ଅଛନ୍ତି । ସରକାରଙ୍କୁ ବି ରିଜୋଲ୍ୟୁସନ ମାଧ୍ୟମରେ ଏହା ଜଣାଇ ଦିଆଯାଇଛି ବୋଲି ସେ କହିଥିବା ସମୀର ସୂଚନା ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରତ୍ନଭଣ୍ଡାର ପ୍ରସଙ୍ଗରେ କୋର୍ଟ ଦୁଇ ମାସ ଭିତରେ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଅଢେଇ ମାସ ପରେ ବି ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି ।

ସରକାର ତୁରନ୍ତ କମିଟି ଗଠନ କରନ୍ତୁ ନହେଲେ ପୁଣି ଥରେ କୋର୍ଟକୁ ଯିବୁ ବୋଲି ଚେତାବନୀ ଦେଇଛି ବିଜେପି । ସେପଟେ କଂଗ୍ରେସ କହିଛି ରତ୍ନଭଣ୍ଡାର ସହିତ ଶ୍ରୀମନ୍ଦିର ଚାରିଦ୍ୱାର ବି ଖୋଲା ଯାଉ । କିନ୍ତୁ ବିଜେପି ଗଜପତି ମହାରାଜାଙ୍କୁ ଭେଟିବା ଏକ ଡ୍ରାମା ବୋଲି ଦଳ ଅଭିଯୋଗ କରିଛି । ଏଣେ ବିଜେଡି କହିଛି, ରତ୍ନଭଣ୍ଡାରକୁ ନେଇ ବିରୋଧୀ ରାଜନୀତି କରୁଛନ୍ତି ।

ଶେଷଥର ପାଇଁ ୧୯୭୮ ମସିହାରେ ଖୋଲା ଯାଇଥିଲା ରତ୍ନଭଣ୍ଡାର । ଏହାପରେ ଏପ୍ରିଲ୍ ୨୦୧୮ରେ ରାଜ୍ୟ ସରକାର ପୁଣି ଏହାକୁ ଖୋଲିବାକୁ ପ୍ରୟାସ କରିଥିଲେ । ସେତେବେଳେ କିନ୍ତୁ ରତ୍ନଭଣ୍ଡାର ଚାବି ହଜି ଯାଇଥିବା ଓ ପରେ ଡୁପ୍ଲିକେଟ୍ ଚାବି ମିଳିବା ଘଟଣା ତମ୍ବିତୋଫାନ ସୃଷ୍ଟି କରିଥିଲା । ତା’ପର ଠାରୁ ଆଉ ରତ୍ନଭଣ୍ଡାର ଖୋଲିବାକୁ ସେଭଳି ପ୍ରୟାସ ହୋଇନାହିଁ । ଅଗଣିତ ଭକ୍ତ, ମହାପ୍ରଭୁଙ୍କ ବାଡ଼ଗ୍ରାହୀ ଦାବି, ଏପରିକି ଖୋଦ୍ ଗଜପତି ମହାରାଜା ରତ୍ନଭଣ୍ଡାର ଅସୁରକ୍ଷିତ ଅଛି ଏବଂ ଏହାର ମରାମତିର ଆବଶ୍ୟକତା ଥିବା କିଛି ମାସ ତଳେ ଓଟିଭିକୁ କହିଥିଲେ ।

ଏପଟେ ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଇ ଏହାର ମରାମତି ଓ ଅଳଙ୍କାର ଗଣତି କରିବାକୁ ଦାବି କରିଛନ୍ତି ଉଭୟ ସେବାୟତ ଓ ଭକ୍ତ । ରତ୍ନଭଣ୍ଡାର ଏବେ ରାଜ୍ୟ ରାଜନୀତିରେ ଏକ ବଡ଼ ପ୍ରସଙ୍ଗ ହୋଇଛି । ସରକାରଙ୍କ ଉପରେ ବିଭିନ୍ନ ଆଡୁ ଚାପ ପଡୁଛି । ଦେଖିବାର କଥା ସରକାର କେବେ ଏଥିପାଇଁ ହଁ ଭରୁଛନ୍ତି ।

  • Reported by:
  • MADHUSUDAN MISHRA , HARIHARA CHAND