• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କେବେ ଡନ୍ ତ କେବେ ଡାକ୍ତର । ଶ୍ରମମନ୍ତ୍ରୀ ସାରଦା ନାୟକଙ୍କ ଭିନ୍ନ ଭିନ୍ନ ଅବତାରକୁ ନେଇ ବିବାଦ । ନବୀନଙ୍କ ଜନ୍ମଦିନ ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ରକ୍ତଦାତାଙ୍କ ଠାରୁ ରକ୍ତ ଟାଣିଲେ ସାରଦା ନାୟକ । ବିନା ପ୍ରଶିକ୍ଷଣରେ କେମିତି ନିଜେ ଡାକ୍ତର ସାଜି ଛୁଞ୍ଚି ଫୋଡାଇ ରକ୍ତ ସଂଗ୍ରହ କଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଖାଲି ସେତିକି ନୁହେଁ ନିକଟରେ ସୁନ୍ଦରଗଡ଼ଠାରେ ଆୟୋଜିତ ଏକ କୱାଲି କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ଟଙ୍କା ଉଡାଇବାର ଚିତ୍ର ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ । ସାରଦା କିନ୍ତୁ ବଡ଼ ଦମ୍ଭରେ କହିଛନ୍ତି, ମୁଁ କିଛି ଭୁଲ୍ କରିନି ।

କେବେ ଡନ୍, କେବେ ଦାନୀ ତ କେବେ ଡାକ୍ତର । ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ନାୟକଙ୍କ ଭିନ୍ନ ଭିନ୍ନ ରୂପ । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଆୟୋଜିତ ରକ୍ତଦାନ ଶିବିରର ଚିତ୍ର । ପାଖରେ ନର୍ସ ଅଛନ୍ତି ହେଲେ ଡାକ୍ତର ସାଜିଛନ୍ତି ନିଜେ ମନ୍ତ୍ରୀ ସାରଦା ନାୟକ । ରିବନ କାଟି ରକ୍ତ ଦାନ ଶିବିରକୁ ଆୟୋଜନ କଲା ପରେ ସିଧା ପହଞ୍ଚିଲେ ରକ୍ତଦାତାଙ୍କ ପାଖରେ । ପ୍ରଥମେ ବ୍ଲଡ ପ୍ରେସର ମାପିଲେ । ପରେ ଭେନ୍ ଖୋଜିଲେ, ଆଉ ଛୁଞ୍ଚି ଫୋଡ଼ାଇ ରକ୍ତ ସଂଗ୍ରହ ବି କଲେ । ପ୍ରଶ୍ନ ଉଠୁଛି କେମିତି ବିନା ପ୍ରଶିକ୍ଷିଣରେ ଡାକ୍ତର ସାଜିଲେ ସାରଦା ।

ରକ୍ତଦାତାଙ୍କର କୌଣସି ଅସୁବିଧା ହୋଇଥିଲେ ସେଥିପାଇଁ ଦାୟୀ ରହିଥାନ୍ତେ କି ମନ୍ତ୍ରୀ ? ଖାଲି ସେତିକି ନୁହେଁ, ସୁନ୍ଦରଗଡ ଠାରେ ଆୟୋଜିତ ଏକ କୱାଲି କାର୍ଯ୍ୟକ୍ରମରେ ମଧ୍ୟ ନିଜେ ମନ୍ତ୍ରୀ ଟଙ୍କା ଉଡାଇବା ଭିଡିଓ ବି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରସିଦ୍ଧ କୱାଲି ଗାୟକ ରାଇସ ଅନିସ ଶାବରୀ ସଙ୍ଗୀତ ପରିବେଷଣ ବେଳେ ତାଙ୍କ ଉପରେ ପୁଳା ପୁଳା ଟଙ୍କା ଉଡୁଥିଲା । ଯେଉଁଥିରୁ ବାଦ୍ ପଡି ନଥିଲେ ସାରଦା । ସହଯୋଗୀ ଟଙ୍କା ବଢାଉଥିଲେ ଆଉ ସାରଦା ଉଡାଉଥିଲେ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପୂର୍ବରୁ ବି ଗଣେଶ ପୂଜା ଅବସରରେ ଏକ ମଞ୍ଚରେ ନାଚିବାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ସାରଦା । ସୁନ୍ଦରଗଡ ସୁନାରୀପଡା ଠାରେ ମେ ହୁଁ ଡନ୍ ଗୀତର ତାଳେ ତାଳେ ଡ୍ୟାନ୍ସ କରିବା ଭିଡିଓ ବେଶ୍ ଭାଇରାଲ ହୋଇଥିଲା । ଖାଲି ଏ ତିନି ଘଟଣା ନୁହେଁ, ନିର୍ବାଚନ ବେଳେ ମଧ୍ୟ ଟଙ୍କା ବାଣ୍ଟି ଲୋକଙ୍କ ହାତରେ ଧରା ପଡି ବିବାଦ ଘେରକୁ ଆସିଥିଲେ ସାରଦା । ଏବେକାର ଏମିତି ଅବତାର ସାମ୍ନାକୁ ଆସିବା ପରେ ମନ୍ତ୍ରୀଙ୍କୁ କାଠଗଡାକୁ ଟାଣିଛନ୍ତି ବିରୋଧୀ । ଏହାର ଜବାବ୍ ରଖି ମନ୍ତ୍ରୀ କହିଛନ୍ତି ମୁଁ କୋଣସି ଭୁଲ୍ କରିନି ।

ସୁନ୍ଦରଗଡ଼ରୁ ଦେବବ୍ରତ ଜେନା, ରାଉରକେଲାରୁ ପବନ ତିୱାରୀ ଓ ଭୁବନେଶ୍ବରରୁବିବର୍ତ୍ତନ ପଣ୍ଡାଙ୍କ ରିପୋର୍ଟ, ଓଟିଭି

  • Reported by:
  • PAWAN TIWARI , BIBARTAN PANDA