Advertisment

Tigress Jinnat: ଝାଡ଼ଖଣ୍ଡ ଜଙ୍ଗଲରେ ବାଘୁଣୀ ଜିନତ୍, ଟେନସନରେ ବନ ବିଭାଗ

ମହାବଳ ବଂଶ ବିସ୍ତାର ପାଇଁ ଶିମିଳିପାଳ ଆସିଥିବା ବାଘୁଣୀ ଜିନତ୍ ହଠାତ୍ ଝାଡ଼ଖଣ୍ଡ ଜଙ୍ଗଲକୁ ପଳାଇବାକୁ ନେଇ ହରଡ଼ଘଣାରେ ବନ ବିଭାଗ। ପୁଣି ଫେରିବ କି ନାହିଁ, ଆଶଙ୍କା।

author-image
Sujit kumar Swain
undefined

Tigress Jinnat

ଶିମିଳିପାଳ ପାଇଁ ଆସିଲା, ଝାଡ଼ଖଣ୍ଡ ପଳାଇଲା। ମହାବଳ ବଂଶ ବିସ୍ତାର ପାଇଁ ଶିମିଳିପାଳ ଆସିଥିବା ବାଘୁଣୀ ଜିନତ୍ ହଠାତ୍ ଝାଡ଼ଖଣ୍ଡ ଜଙ୍ଗଲକୁ ପଳାଇବାକୁ ନେଇ ହରଡ଼ଘଣାରେ ବନ ବିଭାଗ। ପୁଣି ଫେରିବ କି ନାହିଁ, ଆଶଙ୍କା। ଏଭଳି ସ୍ଥିତିରେ 24 ଘଣ୍ଟିଆ ଟ୍ରାକିଂ ସତ୍ତ୍ବେ କେମିତି ନଜରରୁ ଖସିଗଲା ଜିନତ୍ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।

Advertisment

ଝାଡ଼ଖଣ୍ଡ ଜଙ୍ଗଲରେ ବାଘୁଣୀ ଜିନତ୍, ଟେନସନରେ ବନ ବିଭାଗ ମହାବଳ ବଂଶ ବିସ୍ତାର ପାଇଁ ୪୫ ଦିନ ତଳେ ଶିମିଳିପାଳକୁ ଆସିଥିଲା ମରାଠା ବାଘୁଣୀ। କିଛି ଦିନ ସଫ୍ଟ ଏନକ୍ଲୋଜରରେ ରଖିବା ପରେ କୋରରେ ଛାଡ଼ିଥିଲା ବନ ବିଭାଗ, ୨୪ ଘଣ୍ଟା ଟ୍ରାକ୍ ବି କରୁଥିଲା। ପ୍ରଥମେ କିଛିଦିନ ଶିମିଳିପାଳ କୋରର ଅଳ୍ପ କିଛି ଅଞ୍ଚଳରେ ବୁଲୁଥିଲା ଜିନତ୍। ହେଲେ କ’ଣ ହେଲା କେଜାଣି, ୪ ଦିନ ତଳେ ଅର୍ଥାତ୍ ଡିସେମ୍ବର ୧୦ରେ ହଠାତ୍ ଝାଡ଼ଖଣ୍ଡମୁହାଁ ହେଲା ଶିମିଳିପାଳ ଅଭୟାରଣ୍ୟର ବାଘୁଣୀ। ମୟୁରଭଞ୍ଜ ଜିଲ୍ଲା ବିଶୋୟୀ ଓ ବାଙ୍ଗିରିପୋଷି ଜଙ୍ଗଲ ଦେଇ ଝାଡ଼ଖଣ୍ଡକୁ ପଳାଇଲା। ଏବେ ଜାମସେଦପୁର ରେଞ୍ଜର ଚାକୁଳିଆ ଓ ରାଜାବସା ଅଞ୍ଚଳରେ ଘୁରି ବୁଲୁଛି ବାଘୁଣୀ।

ଅଧିକ ପଢନ୍ତୁ: ସାଇବର ଫ୍ରଡ୍‌ର ଶିକାର ହେଲେ ଡାକ୍ତର; ଚୂନ ଲଗାଇଲେ ୭୫ ହଜାର ଟଙ୍କା

ଏ ଭିତରେ ୪ ଦିନ ବିତିଥିଲେ ବି ଫେରିବାର ନାଁ ଧରୁନି। ଏଭଳି ସ୍ଥିତିରେ ଜିନତ୍ ଫେରିବାକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା । ସମସ୍ତଙ୍କ ମନରେ ପ୍ରଶ୍ନ,  ଶିମିଳିପାଳକୁ ଆଉ ଫେରିବ ତ’ ଜିନତ୍ ? କିଭଳି ହେବ ଜିନତର ଘରବାହୁଡ଼ା ? ବାରିପଦା ଆରସିସିଏଫ୍ କହିଛନ୍ତି, ଜିନତ୍ ଏବେ ଶିମିଳିପାଳ ସୀମାରୁ ୩୫ କିଲୋମିଟର ଓ ଓଡ଼ିଶା ସୀମାରୁ ୨୦ କିଲୋମିଟର ଦୂରରେ ରହିଛି। ସେ ଆଗକୁ ବଢ଼ୁନି। ଶିମିଳିପାଳ ଉପନିର୍ଦ୍ଦେଶକଙ୍କ ନେତୃତ୍ବରେ ଓଡ଼ିଶାର ବନ ବିଭାଗର ୧୫ ଜଣିଆ ଟିମ୍ ତା’ ଗତିବିଧିର ମନିଟରିଂ କରୁଛନ୍ତି। ଝାଡ଼ଖଣ୍ଡ ବନ ବିଭାଗର ଏକ ୧୫ ଜଣିଆ ଟିମ୍ ମଧ୍ୟ ସହାୟତା କରୁଛି।  ଏପଟେ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଗତକାଲି ଜିନତ୍ ଦକ୍ଷିଣମୁହାଁ ହୋଇ ଶିମିଳିପାଳ ଦିଗରେ କିଛି ବାଟ ଅଗ୍ରସର ହୋଇଛି।  ହେଲେ ଏବେ ବି ଝାଡ଼ଖଣ୍ଡ ଜଙ୍ଗଲରେ ହିଁ ଅଛି। ଜିନତ୍ ଶରୀରରେ ରେଡିଓ କଲାର ଲାଗିଥିବାରୁ ସାଟେଲାଇଟ୍ ମାଧ୍ୟମରେ ତା’ର ସବୁ ଗତିବିଧିକୁ ଟ୍ରାକିଂ କରାଯାଉଛି।  ତା’କୁ ଆପେ ଆପେ ଶିମିଳିପାଳ ଫେରାଇ ଅଣାଯିବାକୁ ଚେଷ୍ଟା କରାଯାଉଛି। ସେଥିରେ ସଫଳ ନ ହେଲେ, ଶେଷରେ ଟ୍ରାଙ୍କୁଲାଇଜ୍ ବିକଳ୍ପ ଆପଣାଯିବ।

Advertisment

ଏବେ ପ୍ରଶ୍ନ, କାହିଁକି ଶିମିଳିପାଳ ଛାଡ଼ିଲା ତରୁଣୀ ଜିନତ୍ ? ପୂର୍ବତନ ପିସିସିଏଫଙ୍କ କହିବା କଥା, ଦୁଇ ତିନିଟି କାରଣ ଥାଇପାରେ। ହୁଏତ୍ ତା’କୁ ଏଠାରେ ଉପଯୁକ୍ତ ଖାଦ୍ୟ ମିଳି ନ ଥିବ। ନଚେତ୍ ନିଜର ଇଲାକା ତିଆରି କରୁଥିବ କିମ୍ବା ସାଥୀ ଆଶାରେ ବି ଝାଡ଼ଖଣ୍ଡ ମୁହାଁ ହୋଇଥାଇପାରେ। ଏମିତି ବି ହୋଇଥାଇପାରେ, ସେ ଯାଉ ଯାଉ ଝାଡ଼ଖଣ୍ଡରେ ପହଞ୍ଚିଯାଇଛି। ତେବେ ସେ ପ୍ରଶ୍ନ ଉଠାଇଛନ୍ତି, ଯଦି ତା’କୁ ଟ୍ରାକ୍ କରାଯାଉଥିଲା, କାହିଁକି ଓଡ଼ିଶା ସୀମା ଛାଡ଼ିବା ପୂର୍ବରୁ ଶିମିଳିପାଳକୁ ଫେରାଇ ଅଣାଗଲାନାହିଁ ? ସେହିପରି ବନ୍ୟପ୍ରାଣୀ ସଂରକ୍ଷକ କହିଛନ୍ତି, ଜିନତ୍ ଏବେ ନିଜର ପ୍ରଥମ ବାସସ୍ଥଳୀ ମହାରାଷ୍ଟ୍ର ଭଳି ସମତଳ ଅଞ୍ଚଳ ଥିବା ଝାଡ଼ଖଣ୍ଡରେ ପହଞ୍ଚିଛି। ଏଣୁ ତା’ର ଶିମିଳିପାଳ ଫେରିବା ଆଶା କ୍ଷୀଣ ।ଏବେ ଅପେକ୍ଷା, ଜିନତକୁ ଶିମିଳିପାଳ ଫେରାଇ ଆଣିବାକୁ କେଉଁ ପନ୍ଥା ଆପଣାଉଛି ବନ ବିଭାଗ  ଓ କେବେ ଓଡ଼ିଶା ଫେରୁଛି ଏ ମରାଠା ବାଘୁଣୀ ?

ଅଧିକ ପଢ଼ନ୍ତୁ: ମଣିଷ ଏତେ ଜଘନ୍ୟ ବି ହେଇପାରେ! ବୟାନ୍ ନ ବଦଳାଇବାରୁ କାଟିଦେଲା

Jharkhand
Advertisment
Advertisment