ଦୁଷ୍କର୍ମ ଅଭିଯୋଗ ନେଇ ମତ ବଦଳାଇବାକୁ ମନା କରିବାରୁ ନାବାଳିକାକୁ ଅପହରଣ କରି ହତ୍ୟା କରିଥିଲା ଅଭିଯୁକ୍ତ । ଝାରସୁଗୁଡ଼ାରୁ ଅପହରଣ ପରେ ନାବାଳିକା ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛନ୍ତି ଝାରସୁଗୁଡ଼ା ଏସପି । ପୋଲିସ ସୂଚନା ଅନୁସାରେ, ମୃତ ନାବାଳିକା ଅଭିଯୁକ୍ତ କନୁ କିଷାନ ବିରୋଧରେ କରିଥିଲେ ଦୁଷ୍କର୍ମ ମାମଲା । ଅଭିଯୁକ୍ତ ଜେଲ୍ ଯାଇ ବର୍ଷେ ତଳେ ଜାମିନରେ ଆସିଥିଲା । କଠୋର ଦଣ୍ଡ ଆଶଙ୍କା କରି ସେ ମତ ବଦଳାଇବାକୁ ନାବାଳିକାଙ୍କୁ ଚାପ ପକାଇଥିଲା ।
ହେଲେ ଏଥିରେ ନାବାଳିକା ରାଜି ନହେବାରୁ ଅପହରଣ କରି ରାଉରକେଲା-ଦେବଗଡ଼ ରାସ୍ତାରେ ହତ୍ୟା କରିଥିଲା । ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ବାଲୁଘାଟ ସହ ତରକେରା ନାଳରେ ଫିଙ୍ଗିଥିଲା । ଅଭିଯୁକ୍ତ କୁନୁ କିଷାନକୁ ପଚରାଉଚରା କରିବା ସହ କ୍ରାଇମ୍ ସ୍ପଟକୁ ପ୍ରମାଣ ସଂଗ୍ରହ କରିଛି ପୋଲିସ । ହନୁମାନ ବାଟିକା ନିକଟ ଜଙ୍ଗଲରୁ ନାବାଳିକାର କଟା ହାତ-ଗୋଡ଼ ସହ ବାଲୁଘାଟ ନିକଟ ବ୍ରାହ୍ମଣୀ ନଦୀରୁ ବସ୍ତାରେ ଭର୍ତ୍ତି ମୃତଦେହ ଓ କଟା ମୁଣ୍ଡ ଉଦ୍ଧାର ହୋଇଛି ।
ଜଙ୍ଗଲରେ ହାତ-ଗୋଡ଼.. ବସ୍ତା ଭିତରେ ମୃତଦେହ.. ନଦୀରେ କଟା ମୁଣ୍ଡ । ଅଭିଯୁକ୍ତ ପ୍ରେମିକର ନରକୀୟ କାଣ୍ଡ! ନାବାଳିକାକୁ ଖଣ୍ଡ ଖଣ୍ଡ କରିଦେଲା ପିଶାଚ ପ୍ରେମିକ । ସକାଳ ପ୍ରାୟ ୯ଟା । ବ୍ରାହ୍ମଣୀ ନଦୀ, ରାଉରକେଲା । ଗଭୀର ନଦୀରେ ଘନ ଘନ ସର୍ଚ୍ଚ ଅପରେସନ୍ । ପାଣି ଭିତରେ ତନ୍ନ ତନ୍ନ କରି ଯାଂଚ କରୁଥିଲେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ।
ବାହାରେ ନଜର ରଖିଥିଲେ ଝାରସୁଗୁଡା ପୋଲିସର ସ୍ପେଶାଲ ଟିମ୍, ରାଉରକେଲା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ । କେହି କିଛି ବୁଝି ପାରୁନଥିଲେ, ଦୁଇ ଦୁଇଟି ଜିଲ୍ଲାର ପୋଲିସ ନଦୀ ଭିତରେ ଖୋଜୁଛନ୍ତି କଣ ? ପାଖାପାଖି ୬ଘଣ୍ଟାର ଅପରେସନ ପରେ ପାଣି ଭିତରୁ ମିଳିଥିଲା ଗୋଟିଏ ବସ୍ତା । ଯେଉଁଥିରେ ରହିଥିଲା ଜଣେ ନାବାଳିକାର ଗୋଡ-ହାତ ଓ ମୁଣ୍ଡ ନଥିବା ମୃତଦେହ ।
Also Read
ଅଧିକ ପଢ଼ନ୍ତୁ: ବିଷ ଦେଇ ୧୨ ଜଣଙ୍କୁ ମାରିଥିବା ଜଣେ ବାବାର କାହାଣୀ
୨୦୨୩ । ସୁନ୍ଦରଗଡ ଜିଲ୍ଲା ଧାରୁଆଡିହି ଥାନାରେ ରୁଜୁ ହୋଇଥିଲା ଏକ ଦୁଷ୍କର୍ମ ମାମଲା । ପୋଲିସର ତଦନ୍ତ ପରେ ପକ୍ସୋ କେସରେ ଜେଲ୍ ଯାଇଥିଲା ଅଭିଯୁକ୍ତ କୁନୁ କିଷାନ । ବର୍ଷେ ପରେ ହାଇକୋର୍ଟରୁ ଜାମିନ ପାଇ ଏଇ ଦୁଇ ମାସ ତଳେ ଘରକୁ ଆସିଥିଲା । ଚାରି ଦିନ ତଳର ଘଟଣା । ଝାରସୁଗୁଡାରେ ରୁଜୁ ହୋଇଥିଲା ମିସିଂ କେସ୍ ।
ନାବାଳିକା ଜଣକ ନିଖୋଜ ଥିବା ଅଭିଯୋଗ କରିଥିଲେ ପରିବାର । ଏହାପରେ ପୋଲିସର ସନ୍ଦେହ ଆଖି ଅଟକିଥିଲା ପ୍ରେମିକ କୁନୁ କିଷାନଙ୍କ ଉପରେ । ପଚରାଉଚରା ପରେ ଆଜି ତାକୁ କ୍ରାଇମ୍ ସ୍ପଟ୍କୁ ଆଣିଥିଲା ପୋଲିସ । ପରେ ଗୋଟିଏ ପରେ ଗୋଟିଏ ସ୍ଥାନ ଦେଖାଇଥିଲା ଅଭିଯୁକ୍ତ । ପ୍ରଥମେ ହନୁମାନ ବାଟିକା ନିକଟ ଜଙ୍ଗଲରୁ ମିଳିଥିଲା ନାବାଳିକାର କଟା ହାତ-ଗୋଡ଼ ।
ପରେ ବାଲୁଘାଟ ନିକଟ ବ୍ରାହ୍ମଣୀ ନଦୀରୁ ବସ୍ତାରେ ଭର୍ତ୍ତି ମୃତଦେହ ଏବଂ ଘଣ୍ଟାଏ ପରେ ନଦୀରୁ ମିଳିଥିଲା କଟା ମୁଣ୍ଡ । ଅଭିଯୁକ୍ତ କୁନୁ କିଷାନକୁ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ଜେରା ଚଳାଇଛି ପୋଲିସ । ନାବାଳିକାକୁ କିଭଳି ହତ୍ୟା କଲା, କେଉଁ ମାରଣାସ୍ତ୍ର ବ୍ୟବହାର କରିଥିଲା, ହତ୍ୟା କରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କରିଥିଲା କେମିତି, ସେ ସଂପର୍କରେ ତଦନ୍ତ ଜାରି ରହିଛି ।
ପ୍ରଶ୍ନ ଉଠୁଛି, ମଣିଷ କେମିତି ଏତେ ନୃଶଂସ ପାଲଟିପାରେ ? ଯାହାକୁ ଅଭିଯୁକ୍ତ ପ୍ରେମ କରୁଥିଲା, ତାକୁ ଖଣ୍ଡ ଖଣ୍ଡ କରିବାକୁ ହାତ ଗଲା କେମିତି? ଏଭଳି ସ୍ଥିତିରେ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି ହେଉଛି ।