• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆସନ୍ତା ଜୁଲାଇ ୮ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଅର୍ଥାତ ରତ୍ନଭଣ୍ଡାର ରଥଯାତ୍ରାର ପରଦିନ ଖୋଲିବ । ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି । ଏହି ଲେଜର ସ୍କାନିଂରେ କ୍ରାକ୍‌ ଥିବା ଜଣାପଡିଛି, ପାଣି ଜକଉ ଥାଇପାରେ । ତେବେ ମୌସୁମୀ ବର୍ଷା ଆଗକୁ ଆରମ୍ଭ ହେବ । ତେଣୁ ସେହି କ୍ରାକ୍‌ ମାଧ୍ୟମରେ ପାଣି ରତ୍ନଭଣ୍ଡାର ମଧ୍ୟକୁ ଯାଇପାରେ । ବୋଲି କହିଛନ୍ତି ASI ସୁପରଟେଣ୍ଡେଣ୍ଟ ଡିବି ଗଡ଼ନାୟକ ।

ସେ ଆହୁରି କହିଛନ୍ତି ଯେ, ରତ୍ନଭଣ୍ଡାର ଖୋଲିବା ବେଳେ ସ୍ୱତନ୍ତ୍ର ଟିମ୍‌ ଓ ଟେକ୍ନିକାଲ ଟିମ୍‌ ଉପସ୍ଥିତି ରହିବେ । ୨୦୧୮ରେ ଯେତେବେଳେ ପ୍ରଥମ ରତ୍ନଭଣ୍ଡାର ଖୋଲାଯାଇଥିଲା ସେ ସମୟରେ ଦେଖିବାକୁ ମିଳିଥିଲା ଯେ କାନ୍ଥରେ କ୍ରକ୍‌ ରହିଛି ଓ ପଥର ଖଣ୍ଡ ପଡ଼ିଛି । ଏଭଳି ସ୍ଥିତିରେ ଯେତେଶୀଘ୍ର ଖୋଲାଯାଇ କାମ ହେଲେ ମନ୍ଦିର ଓ ରତ୍ନଭଣ୍ଡାର ପାଇଁ ଭଲ। ରତ୍ନଭଣ୍ଡାର ଖୋଲାଯାଇ ଅନୁଧ୍ୟାନ ପରେ ମରାମତି କରାଯିବ ବୋଲି ସେ କହିଛନ୍ତି । ଏଥିସହ ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି ସ୍ୱତନ୍ତ୍ର ଟିମ୍‌ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ଓ ଯାଞ୍ଚ କରିବେ ।

ଅଧିକ ପଢ଼ନ୍ତୁ: ଆଗରୁ ଅସୁସ୍ଥ ଲାଗୁଥିଲେ, ଏବେ ପୂରା ଫିଟ୍

ସୂଚନା ଅନୁସାରେ ୧୯୭୮ ମସିହାରେ ନୀଳମଣି ରାଉତରାୟଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍‍ ମନ୍ତ୍ରୀ ଥିବାବେଳେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବିଭିନ୍ନ ସାମଗ୍ରୀର ଗଣତି ଓ ମଣତି କରାଯାଇଥିଲା । ସେତେବେଳର ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିରର ସଂସ୍କାର ଲାଗି ଏକ କମିଟି ଗଠନ କରାଯାଇଥିଲା ଏବଂ ଏହି କମିଟି ସେ ସମୟରେ ଯେଉଁ ରିପୋର୍ଟ ଦେଇଥିଲେ ତାହା ଏଯାବତ୍‍ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇନାହିଁ ।

ଭିତର ଓ ବାହାର ରତ୍ନ ଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ୧୯୭୮ ମସିହା ମଇ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ମଧ୍ୟରେ ପ୍ରସ୍ତୁତ କରାଯାଇଥିଲା । ଏହି ତଥ୍ୟ ଏବେ ବି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିଛି । ଉକ୍ତ ତଥ୍ୟ ମୁତାବକ ୧୨,୮୩୧ ଭରି ୧ଅଣା ଓଜନର ମୂଲ୍ୟବାନ ପଥର ସହିତ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ସୁମାରି କରାଯାଇଥିବାବେଳେ ୨୨,୧୫୩ ଭଳି ଓଜନର ମୂଲ୍ୟବାନ ପଥର ସହିତ ରୂପା ବାସନ, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଗଣତି କରାଯାଇଥିଲା । ଗୋଟିଏ ଭରିର ଓଜନ ୧୧.୬୬ ଗ୍ରାମ ବୋଲି କୁହାଯାଉଥିବାରୁ ସେତେବେଳେ ସୁମାରି ହୋଇଥିବା ମୂଲ୍ୟବାନ ପଥର ସହିତ ସ୍ୱର୍ଣ୍ଣ ସାମଗ୍ରୀର ଓଜନ ୧୪୯ କିଲୋ ୬୦୯ ଗ୍ରାମରୁ ଅଧିକ ଥିଲା । ସେହିପରି ମୂଲ୍ୟବାନ ପଥର ସହିତ ରୂପା ସାମଗ୍ରୀର ଓଜନ ୨୫୮ କିଲୋ ୩୦୩ ଗ୍ରାମରୁ ଅଧିକ ରହିଥିବା ଜଣାପଡିଥିଲା ।

ସରକାରୀ ତଥ୍ୟ ମୁତାବକ ସେତେବେଳେ ଆଉ ୧୪ଟି ସୁନା ଓ ରୂପା ଜିନିଷ ବିଭିନ୍ନ କାରଣରୁ ଓଜନ କରାଯାଇ ପାରିନଥିବାରୁ ତାହାର ପରିମାଣ ଉପରୋକ୍ତ ସୁନା ଓ ରୂପା ସାମଗ୍ରୀରେ ଅର୍ନ୍ତଭୁକ୍ତ ହୋଇପାରିନଥିଲା ।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ଏଯାଏଁ ହୋଇନି ମଙ୍ଗଳ ଆଳତି

ଏଠାରେ ଉଲ୍ଲେଖନୀୟ ଯେ ଶ୍ରୀମନ୍ଦିରର ତିନିଟି ରତ୍ନଭଣ୍ଡାର ରହିଛି । ଶ୍ରୀଜୀଉମାନଙ୍କ ଦୈନନ୍ଦିନ ନୀତିକାନ୍ତି ଆଦି ଲାଗି ଯେଉଁ ସୁନା, ରୂପା ଓ ଅନ୍ୟ ସାମଗ୍ରୀ ବ୍ୟବହାର କରାଯାଇ ସେ ସବୁକୁ ଚଳନ୍ତି ରତ୍ନଭଣ୍ଡାରରେ ରହିଥାଏ ଏବଂ ଏଠାରେ କାରବାର ପ୍ରାୟ ପ୍ରତିଦିନ ନିର୍ଦ୍ଧାରିତ ନୀତି ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ସେବକମାନେ କରିଥାନ୍ତି । ସେହିଭଳି ରଥଯାତ୍ରା, ସୁନାବେଶ ଆଦି ବିଭିନ୍ନ ପର୍ବ ପର୍ବାଣିରେ ଯେଉଁସବୁ ସାମଗ୍ରୀ ବ୍ୟବହୃତ ହୁଏ ତାହା ବାହାର ରତ୍ନଭଣ୍ଡାରରେ ସୁରକ୍ଷିତଭାବେ ରଖାଯାଇଥାଏ ।

ତେବେ ଅନ୍ୟ ସୁନା ରୂପା ସହ ମୂଲ୍ୟବାନ ପଥର ସାମଗ୍ରୀଗୁଡିକ ଭିତର ରତ୍ନଭଣ୍ଡାରରେ ରଖାଯାଇଥାଏ । ଶ୍ରୀମନ୍ଦିର ଆଇନ୍‍ ଅନୁଯାୟୀ ନିର୍ଦ୍ଧାରିତ ପନ୍ଥାରେ ରତ୍ନଭଣ୍ଡାରର ସମ୍ପତ୍ତି ସବୁର ଗଣତି, ମଣତି ଓ ରକ୍ଷଣା ବେକ୍ଷଣ ହେବାକଥା । ତେବେ ବିଭିନ୍ନ କାରଣରୁ ୪୬ ବର୍ଷ ଧରି ଭିତର ରତ୍ନଭଣ୍ଡାରର ସାମଗ୍ରୀର ଆଉ ହିସାବ ନିକାଶ ହୋଇପାରିନାହିଁ । ଭିତର ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଏକଦା ଉଦ୍ୟମ ହୋଇଥିଲେ ମଧ୍ୟ ଚାବି ହଜିଯିବା ଘଟଣା ଯୋଗୁଁ ଭିତରକୁ କେହି ଯାଇପାରିନଥିଲେ । ଏ ପ୍ରସଙ୍ଗରେ ରାଜ୍ୟ ସରକାର ମଧ୍ୟ ଏକ କମିଶନ ବସାଇଥିଲେ । ଏବେ ସୁପ୍ରିମ୍‍କୋର୍ଟର ଅସରପ୍ରାପ୍ତ ବିଚାରପତି ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ରତ୍ନଭଣ୍ଡାର ସାମଗ୍ରୀ ସୁମାରି ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିବାବେଳେ ଲେଜର ସ୍କାନିଂରୁ ରତ୍ନଭଣ୍ଡାରରେ ଫାଟ ହୋଇଥିବା ଜଣାପଡିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now