• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଏଥର ମଣ୍ଡିରୁ ଧାନ କିଣିପାରିବେନି ମିଲର । କେନ୍ଦ୍ରୀୟ ଏଜେନ୍ସି ବା ସମବାୟ ଏଜେନ୍ସି ମଣ୍ଡିରୁ ଧାନ କିଣିବେ । ଧାନ କ୍ରୟ ବ୍ୟବସ୍ଥାକୁ ସ୍ୱଚ୍ଛ କରିବାକୁ ଏଥର ବିଶେଷ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି, ପ୍ରତି ମଣ୍ଡି ଦାୟିତ୍ୱରେ ଜଣେ ଜଣେ ଅଫିସର ରହିବେ । ୪/୫ଟି ମଣ୍ଡି ଦାୟିତ୍ୱରେ ରହିବେ ଜଣେ ଜଣେ ସୁପରଭାଇଜର ।

ଜିଲ୍ଲା ଦାୟିତ୍ୱରେ ଜିଲ୍ଲାପାଳ ଏବଂ ଜଣେ ଜଣେ ମନ୍ତ୍ରୀ ୨ଟି ଜିଲ୍ଲା ଦାୟିତ୍ୱ ନେବେ । ଏଥିସହ ମିଲରମାନଙ୍କୁ ଟାର୍ଗେଟ ଦିଆଯିବ, ସେମାନେ କେବଳ ମିଲିଂ କରିବେ ବୋଲି ସ୍ପଷ୍ଟ କରିଛନ୍ତି ଯୋଗାଣ ମନ୍ତ୍ରୀ । ଗତ କିଛିଦିନ ତଳେ ଧାନ ମଣ୍ତିକୁ ନେଇ ମୋହନ ସରକାର ବଡ଼ ନିଷ୍ପତ୍ତି ନେଇଥିଲେ । ଧାନକିଣା ବେଳେ ସିଲ୍ ହେବ ପଡ଼ୋଶୀ ରାଜ୍ୟ ସୀମା । ଜିଲ୍ଲା ଦାୟିତ୍ୱରେ ରହିବେ ମନ୍ତ୍ରୀ ।

କଟନୀଛଟନୀ ବନ୍ଦ କରିବାକୁ ଧାନର ମାନ ଥରେ ମାତ୍ର ଯାଞ୍ଚ କରିବାକୁ ହୋଇଛି ନିଷ୍ପତ୍ତି । ସେହିପରି ଟୋକନ୍ ସମୟ ସୀମା ଜିଲ୍ଲାପାଳମାନେ ଚାହିଁଲେ ବଢ଼ାଇ ପାରିବେ । ରହିବନି କଟନୀଛଟନୀ । ବନ୍ଦ ହେବ ମିଲରଙ୍କ ମନମାନୀ । ମଣ୍ଡି ଜଗିବେ ମନ୍ତ୍ରୀ । ମଣ୍ଡିରେ କେବଳ ଥରେ ହିଁ ଯାଞ୍ଚ ହେବ ଧାନର ମାନ । ସେହି ମାନ ଅନୁସାରେ ଧାନ କିଣିବେ ମିଲର ।

ସବୁଠୁ ବଡ଼ ନିଷ୍ପତ୍ତି ହେଲା, ଧାନ ବିକ୍ରି ବେଳେ ସିଲ୍ ହେବ ପଡ଼ୋଶୀ ରାଜ୍ୟ ସୀମା । ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାରେ ଚେକିଂ କଡାକଡି ହେବ । ପ୍ରଥମ ଥର ପାଇଁ ଓଡ଼ିଶାର ଚାଷୀ ଧାନ କ୍ୱିଣ୍ଟାଲ ବାବଦକୁ ୩୧୦୦ ଟଙ୍କା ପାଇବେ । ସେ ଦୃଷ୍ଟିରୁ ବାହାର ଚାଷୀ ଓଡ଼ିଶାରେ ଧାନ ବିକିବା ଆଶଙ୍କା କରି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ଠୁ ଜିଲ୍ଲାପାଳ ବଢାଇ ପାରିବେ ଚାଷୀଙ୍କ ଟୋକନ ସୀମା । ସେଥିପାଇଁ ଜିଲ୍ଲାପାଳଙ୍କୁ ଅଧିକୃତ କ୍ଷମତା ଦିଆଯିବ । ଆଉ ରାଜ୍ୟ ସରକାର ପାଖକୁ ପଠାଇବେନି ପ୍ରସ୍ତାବ । ଅନ୍ୟପକ୍ଷରେ ବର୍ଷା ଦାଉରୁ ବଂଚିବାକୁ ମଣ୍ଡିଗୁଡିକରେ ନିର୍ମାଣ ହେବ ଗୋଦାମ ।

ମଣ୍ଡିଗୁଡିକର ଆଧୁନିକୀକରଣ ପାଇଁ ୫୫୦ କୋଟି ଖର୍ଚ୍ଚ କରିବେ ସରକାର । ପୁଣି ମଣ୍ଡି ଜଗିବାକୁ ଧାନ କିଣା ବେଳେ ଜିଲ୍ଲା ଦାୟିତ୍ୱରେ ରହିବେ ମନ୍ତ୍ରୀ । ପ୍ରତି ମଣ୍ଡିରେ ରହିବେ ଜଣେ ଅଧିକୃତ ଅଧିକାରୀ । ଦୀର୍ଘଦିନର ଦାବି ପରେ ପ୍ରଥମ ଥର ପାଇଁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବାକୁ ନେଇ ବେଶ୍ ଉତ୍ସାହିତ ଚାଷୀ ।

OTV is now on Whatsapp

Join and get latest news update delivered to you via whatsapp

Join Now