• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବୟସର ଅପରାହ୍ନରେ ପାଦ ଥାପିଥିବା ଦୁଇ ବରିଷ୍ଠ ନାଗରିକ ଅମୂଲ୍ୟ ପାଢ଼ୀ ଓ କୃଷ୍ଣ ପାଢ଼ୀ । ଆଉ ଦିନ କେଇଟା ପରେ ଉଭୟଙ୍କୁ ୮୦ ବର୍ଷ ଛୁଇଁଯିବ । ଅଧିକାଂଶ ସମୟରେ ଶରୀର ସୁସ୍ଥ ରହୁନି, ଚିକିତ୍ସା ପାଇଁ ଅର୍ଥ ଘୋର ବାଧକ ସାଜୁଛି । ରାୟଗଡ଼ା ସହରର ଅମୂଲ୍ୟ ବ୍ଲଡ ପ୍ରେସର ଓ ଅନ୍ୟ କିଛି ରୋଗ ପାଇଁ ମାସକୁ ୨ହଜାରରୁ ଅଧିକ ଟଙ୍କାର ମେଡିସିନ୍ କିଣି ଖାଉଛନ୍ତି, ହେଲେ ଆଗକୁ ଆଉ କିଣିବା ସ୍ଥିତିରେ ନାହାନ୍ତି ।

ସେମିତି ରାମନାଗୁଡ଼ା ଅଞ୍ଚଳର କୃଷ୍ଣ ପାଢ଼ୀ କିଛି ଦିନ ତଳେ ଜ୍ୱରରେ ପୀଡ଼ିତ ହୋଇ ପ୍ରଥମେ ଗୁଣୁପୁର, ତାପରେ ବ୍ରହ୍ମପୁର ଓ ଶେଷରେ ଆନ୍ଧ୍ର ପ୍ରଦେଶରେ ଚିକିତ୍ସିତ ହୋଇ ୫୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରି ଫେରିଛନ୍ତି । ଆଗକୁ ପୁଣି ଡାକ୍ତର ଦେଖାଇବାକୁ ପଡ଼ିବ, ହେଲେ ପରିବାରର ଆର୍ଥିକ ସ୍ଥିତି ଯାହା, ଆଉ ଯାଇପାରିବେ କି ନାହିଁ ସନ୍ଦେହ ।

ତେବେ ଏଭଳି ସ୍ଥିତିରେ ୭୦ବର୍ଷରୁ ଉର୍ଦ୍ଧ୍ୱ ସବୁ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସୁବିଧା ମିଳିବ ବୋଲି ଶୁଣି ଖୁସି ହୋଇଛନ୍ତି କୃଷ୍ଣ । ସେମିତି ଠିକରେ ଚାଲବୁଲ କରିପାରୁଥିଲେ ବି ତାଙ୍କ ଭଳି ସବୁ ବରିଷ୍ଠ ନାଗରିକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ମିଳିବା ନିହାତି ଦରକାର ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲା ଏମଭି-୪୨ ଗାଁର ସୁରଜିତ ପ୍ରଧାନ ।

ଦେଶର ସମସ୍ତ ନାଗରିକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରୁତି ଅନୁସାରେ ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଛି । ହେଲେ ଏହି ଯୋଜନାରେ ୭୦ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇବାକୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆସିଛି ।

ଏମିତିକି ଏଥିପାଇଁ ଗତ ସେପଟେମ୍ବର ୧୧ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ରେ ବି ମଞ୍ଜୁରି ମିଳିସାରିଛି । ହେଲେ ଏଯାଏଁ ହିତାଧିକାରୀଙ୍କୁ ମିଳିନି ସେ ସ୍ୱାସ୍ଥ୍ୟ ବୀମା କାର୍ଡ । କେବେ ମିଳିବ ଚିକିତ୍ସା ସୁବିଧା ? କାହିଁକି ହେଉଛି ବିଳମ୍ବ ? ଏଭଳି ନାନାଦି ପ୍ରଶ୍ନ ଭିତରେ ଓଟିଭିକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି- ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ହେବ । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ଜାରି ହେବ ।

ଆକଳନ ଅନୁସାରେ ରାଜ୍ୟରେ ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ । ଯେହେତୁ ରାସନ କାର୍ଡ ପାଇଁ ଇ-କେୱାଇସି ଚାଲିଛି, ତେଣୁ ତାହା ସରିବା ପରେ ହିତାଧିକାରୀଙ୍କ ସଂଖ୍ୟା ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ତାସହ ଅନ୍ୟ ଏକ ବଡ଼ ସୂଚନା ଦେଇ କହିଛନ୍ତି, ପୂର୍ବରୁ BSKY ଯୋଜନାରେ ୯୫୭ ହସ୍ପିଟାଲ୍‌ରେ ଲୋକଙ୍କୁ ଚିକିତ୍ସା ସୁବିଧା ମିଳୁଥିଲା, ହେଲେ ଆୟୁଷ୍ମାନ ଯୋଜନାରେ ଦେଶର ୨୭ ହଜାରରୁ ଊର୍ଦ୍ଧ୍ୱ ଅନୁବନ୍ଧିତ ହସ୍ପିଟାଲ୍‌ରେ କାର୍ଡ ଧାରୀ ଚିକିତ୍ସିତ ହୋଇପାରିବେ ।

ରାଜ୍ୟରେ ପୂର୍ବ ସରକାର ଅମଳରେ ବିଏସକେୱାଇ କାର୍ଡ ପ୍ରଚଳନ ହେଉଥିଲା ଓ ସେଥିରେ କେବଳ ଯୋଜନାରେ ଅନ୍ତର୍ଭୁକ୍ତ ପରିବାର ସଦସ୍ୟଙ୍କୁ ହିଁ ଚିକିତ୍ସା ସୁବିଧା ମିଳୁଥିଲା । କିନ୍ତୁ ମୋଦି ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୭୦ବର୍ଷରୁ ସବୁ ଆୟବର୍ଗର ବରିଷ୍ଠ ନାଗରିକଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା ।

OTV is now on Whatsapp

Join and get latest news update delivered to you via whatsapp

Join Now