• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦେଶର ସବୁ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧ ମାମଲାର ତୁରନ୍ତ ବିଚାର ହେଉ । ଏଥିପାଇଁ ହାଇକୋର୍ଟ ଓ ଜିଲ୍ଲା କୋର୍ଟରେ ଗଠନ ହେଉ ସ୍ୱତନ୍ତ୍ର ବେଞ୍ଚ । ସାଂସଦ ଓ ବିଧାୟକଙ୍କ ବିରୋଧରେ ଚାଲିଥିବା ଅପରାଧ ମାମଲାର ଶୀଘ୍ର ଶୁଣାଣି ସାରି ଉଚିତ ଦଣ୍ଡବିଧାନ ପାଇଁ ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା କୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

୨୦୧୬ରେ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ମୃତ୍ୟୁଦଣ୍ଡ, ଆଜୀବନ ସଜ୍ଜା କିମ୍ବା ୫ ବର୍ଷରୁ ଅଧିକ ସମୟ ଧରି ଗଡ଼ୁଥିବା ମାମଲାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ବିଚାର କରାଯାଉ । ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏଥିପାଇଁ କୌଣସି ସ୍ୱତନ୍ତ୍ର ସମୟସୀମା ଧାର୍ଯ୍ୟ କରି ନାହାନ୍ତି । ଟ୍ରାଏଲ କୋର୍ଟ ଗୁଡ଼ିକ ପାଇଁ ଏନେଇ ୟୁନିଫର୍ମ ଗାଇଡଲାଇନ ପ୍ରସ୍ତୁତ କରିବା କଷ୍ଟ ବୋଲି କହିଛନ୍ତି ଖଣ୍ଡପୀଠ ।

ତେବେ ସମସ୍ତ ହାଇକୋର୍ଟ ନିଜ ଆଡ଼ୁ ପଦକ୍ଷେପ ନେଇ ଏଭଳି ମାମଲାଗୁୁଡିକୁ ତାଲିକାଙୁକ୍ତ କରିବା କିଭଳି ତ୍ୱରିତ ଫଇସଲା ହୋଇପାରିବ ସେ ଦିଗରେ ଯଥା ସମ୍ଭବ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଟ୍ରାଏଲ କୋର୍ଟଗୁଡ଼ିକ ଏଥିପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ସୁବିଧା ନିଶ୍ଚିତ କରିବା ସହ ହାଇକୋର୍ଟଗୁଡ଼ିକ ସେମାନଙ୍କ ୱେବସାଇଟରେ ଏଭଳି ମାମଲା କେବେ ଦାଏର ହୋଇଥିଲା, ତାକୁ ସ୍ୱତନ୍ତ୍ର ଭାବେ ଦର୍ଶାଇବାକୁ କୋର୍ଟ କହିଛନ୍ତି ।

ଜାଣି ନିଅନ୍ତୁ ଓଡ଼ିଶାର ଅପରାଧ ମାମଲା ଥିବା ନେତାଙ୍କ ସଂଖ୍ୟା କେତେ । ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ଜୁଲାଇ ମାସରେ  ପ୍ରକାଶ କରିଥିବା ତଥ୍ୟ ଅନୁସାରେ ୬୪ ଜଣ ବିଧାୟକଙ୍କ ବିରୋଧରେ ରହିଛି ଅପରାଧ ମାମଲା । ଏଗୁଡିକ ମଧ୍ୟରୁ ୨ଟି ହତ୍ୟା ମାମଲା ହୋଇଥିବା ବେଳେ ଅନ୍ୟ ୪୬ଟି ଗୁରୁତର ମାମଲା । ସେହିପରି ଏହି ୬୪ ବିଧାୟକଙ୍କ ମଧ୍ୟରେ ଶାସକ ବିଜେଡିର ଅଛନ୍ତି ୪୫ । ଏପଟେ ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ଦଳ ।

ସାରା ଦେଶରେ ସାଂସଦ ଓ ବିଧାୟକ ବିରୁଦ୍ଧରେ ଏବେ ୫ ହଜାର ୧୭୫ ଅପରାଧ ମାମଲା ରହିଛି । ତା’ଭିତରୁ ୨ ହଜାର ୧୧୬ଟି ମାମଲା ୫ ବର୍ଷରୁ ଅଧିକ ସମୟ ଧରି କୋର୍ଟରେ ଗଡୁଛି । ଉତ୍ତରପ୍ରଦେଶର ସର୍ବାଧିକ ୧ହଜାର ୩୭୭ ମାମଲା ଥିବା ବେଳେ ବିହାରରେ ୫୪୬ ଓ ମହାରାଷ୍ଟ୍ରରେ ନେତାଙ୍କ ବିରୁଦ୍ଧରେ ୪୮୨ଟି ମାମଲା ବିଚାରାଧୀନ ରହିଛି ।