/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719588524.jpg)
Heavy Rainfall
ବେଦମ ବର୍ଷାରେ ନାକେଦମ୍ ଦିଲ୍ଲୀ। ଦୀର୍ଘ ୮୮ ବର୍ଷ ତଳର ରେକର୍ଡ ଭାଙ୍ଗିଛି ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଥମ ଛୁଆଁରେ ବେହାଲ ହୋଇପଡ଼ିଛି ଦିଲ୍ଲୀ ମହାନଗରୀ। ଗୋଟିଏ ଦିନରେ ୨୨୮ ମିଲିମିଟର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି। ବର୍ଷାରେ IGI ଏୟାରପୋର୍ଟର ଗୋଟିଏ ଟର୍ମିନାଲ ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସେପେଟ ବର୍ଷା ଜଳରେ ଏନସିଆର ଅଞ୍ଚଳ ବି ଉବୁଟୁବୁ ହୋଇଥିବା ଦେଖିବାକୁ ମିଳିଛି।
ବୁଡ଼ିଲା, ଭାସିଲା, ଭାଙ୍ଗିଲା। ରାଜଧାନୀବାସୀଙ୍କୁ ନାକେଦମ୍ ସାଙ୍ଗକୁ ଜୀବନ ବି ନେଲା। ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା ଭାଙ୍ଗିଦେଲା ୮୮ ବର୍ଷର ପୁରୁଣା ରେକର୍ଡ। ନଦୀ, ନାଳ ଓ ହ୍ରଦର ଦୃଶ୍ୟଠୁ ବି ବଳେଇଗଲା ଦିଲ୍ଲୀ ମହାନଗରୀର ଦୟନୀୟ ଚିତ୍ର। ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀର ପ୍ରଥମ ଛୁଆଁରେ ବେହାଲ ହୋଇଛି ଜାତୀୟ ରାଜଧାନୀ। ଭୟଙ୍କର ବାଦଲ ଫଟା ବର୍ଷାରେ ଜଳମଗ୍ନ ହୋଇ ପଡ଼ିଛି ଦେଶର ହୃତପିଣ୍ଡ ଦିଲ୍ଲୀ ଦରବାର।
ବଙ୍ଗଳାରୁ ବସ୍ତି, ଗଳିରୁ ଗୁରୁତ୍ୱପୂର୍ଣ୍ଣ ଠିକଣା, କେଉଁ ସ୍ଥାନକୁ ବି ଛାଡ଼ିନି ଜଳପ୍ରଳୟ। ସବୁଠି ପାଣି ଆଉ ପାଣି। ୮ ଦଶନ୍ଧି ଭିତରେ ଏମିତି କେବେ ହୋଇନଥିବା ଦିଲ୍ଲୀରେ ବର୍ଷା ଆରମ୍ଭ ହୋଇଥିଲା ଗୁରୁବାର ସକାଳ ସାଢ଼େ ୮ଟାରୁ। ଆଉ ବନ୍ଦ ହୋଇଥିଲା ଶୁକ୍ରବାର ସକାଳ ସାଢେ ୮ଟାରେ। ଆଉ ୨୪ ଘଣ୍ଟା ଭିତରେ ପାଣିର କବଜା ଭିତରକୁ ଚାଲି ଆସିଥିଲା ଦିଲ୍ଲୀର ଅନେକ ଭିଭିଆଇପି ଅଞ୍ଚଳ।
ସଂମ୍ଭ୍ରାନ୍ତ ରାଜରାସ୍ତା ସବୁ ପାଲଟି ଯାଇଥିଲା ଉଛୁଳା ନଦୀ। ଆଉ ଖୋଲାସ୍ଥାନ ସବୁ ପରିବର୍ତ୍ତିତ ହୋଇଥିଲେ ବିଶାଳ ହ୍ରଦରେ। କେଉଁଠି ଅଣ୍ଡର ପାସ୍ ତଳେ ଅଟକି ଯାଇଥିଲା ଚଳନ୍ତା ଯାତ୍ରୀବାହୀ ବସ୍, ତ କେଉଁଠି କାଗଜ ଡଙ୍ଗା ଭଳି ଭାସୁଥିଲେ ଦାମୀ କାର। ଏଭଳି ଆକସ୍ମିକ ଜଳ ପ୍ରଳୟ ଭିତରେ ଫସି ଯାଇଥିଲେ ବ୍ୟସ୍ତତମ ମହାନଗରୀର ଶହ ଶହ ଯାତ୍ରୀ ଓ ପଥଚାରୀ। ସେମାନଙ୍କ ଜୀବନ ରକ୍ଷା ପାଇଁ ନାକେଦମ୍ ହୋଇଥିଲେ ସୁରକ୍ଷା ବାହୀନ ଓ ଉଦ୍ଧାରକାରୀ ଦଳ।
ବର୍ଷା ଓ ଜଳବନ୍ଦୀ ସ୍ଥିତି ଭିତରେ ଦିଲ୍ଲୀର ସାଧାରଣ ଲୋକେ ଯେ, ତ୍ରାହି ତ୍ରାହି ଡାକୁଥିଲେ ତା ନୁହେଁ, ବହୁ ନେତା, ମନ୍ତ୍ରୀ, ଅଫିସର ଓ ଅନ୍ୟ ଭିଭିଆଇପି ବି ନିରୂପାୟ ହୋଇପଡ଼ିଥିଲେ। ଦିଲ୍ଲୀର ଜଳ ମନ୍ତ୍ରୀ ଆତିଶିଙ୍କ ଘରକୁ ଘେରାବନ୍ଦୀ କରି ରଖିଥିଲା ବର୍ଷା ଜଳ। କଂଗ୍ରେସ ନେତା ତାରିକ୍ ଅନୱରଙ୍କ ଘର ଭିତରେ ଲହଡ଼ି ଭାଙ୍ଗୁଥିଲା ଗୋଳିଆ ପାଣି। ଆଉ ସମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବ, ସଂସଦ ଯିବାକୁ ଘରୁ ବାହାରି ନପାରିବାରୁ ତାଙ୍କୁ ପାଣି ଭିତରେ ଟେକି ଟେକି ନେଇଥିଲେ ଲୋକେ।
ସେପଟେ ସାରା ମହାନଗରୀରେ ବର୍ଷା ବିତ୍ପାତ ଭିତରେ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆସିଥିଲା ବଡ଼ ଦୁର୍ଘଟଣାର ଖବର। ଏ ବ୍ୟସ୍ତବହୁଳ ଏୟାରପୋର୍ଟର ଟର୍ମିନାଲ-୧ର ଛାତ ଭଶୁଡି ପଡ଼ିବାରୁ ଜଣେ ବ୍ୟକ୍ତି ଘଟଣାସ୍ଥଳରେ ଆଖି ବୁଜିଥିଲେ। ଆହତ ହୋଇଥିଲେ ୬ରୁ ଅଧିକ। ଟର୍ମିନାଲର ଭୁଶୁଡ଼ା ଛାତ ତଳେ ଦିଆସିଲି ଖୋଳ ଭଳି ଚାପି ହୋଇ ରହିଥିଲେ ଅନେକ କାର ଓ ଗାଡ଼ି ମୋଟର। ଭୟାତୁର ହୋଇପଡ଼ିଥିଲେ ଯାତ୍ରୀ, ଆଉ ବାଧାପ୍ରାପ୍ତ ହୋଇଥିଲା ବିମାନ ସେବା। ପରେ ୧ ନମ୍ବର ଟର୍ମିନାଲକୁ ସାମୟିକ ପାଇଁ ବନ୍ଦ ରଖିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ। ଘଟଣାସ୍ଥଳକୁ ତୁରନ୍ତ ଯାଇ ନିଜେ ଘଟଣାର ଅନୁଧ୍ୟାନ କରିଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ।
କାଲିର ବର୍ଷା ଦିଲ୍ଲୀ ସାଙ୍ଗକୁ ସମଗ୍ର ଏନସିଆରର ଅଞ୍ଚଳକୁ ବି ଘଣ୍ଟା ଘଣ୍ଟା ଧରି ଅଚଳ କରି ଦେଇଥିଲା। ଏନସିଆରର ବଟନିକାଲ ଗାର୍ଡେନ, ଦଲିତ ପ୍ରେରଣାସ୍ଥଳ, ଗ୍ରେଟ୍ ଇଣ୍ଡିଆ ପ୍ଲେସ, ବାର୍ଡ ଫିଡିଂ ପଏଣ୍ଟ ସମେତ ଅନେକ ଅଞ୍ଚଳରେ ଲହଡ଼ି ମାରୁଥିଲା ବର୍ଷା ଜଳ। ଫଳରେ ଦୀର୍ଘ ସମୟ ଧରି ଜାତୀୟ ରାଜପଥରେ ସୃଷ୍ଟି ହୋଇଥିଲା ଗୁରୁତର ଟ୍ରାଫିକ୍ ସମସ୍ୟା।
ପାଣିପାଗ ବିଭାଗ କହିଛି, ଦିଲ୍ଲୀରେ ଜୁନ ମାସରେ ସ୍ବଭାବିକ ବର୍ଷାର ପରିମାଣ ସାଧାରଣତଃ ୮୦. ୬ ମିଲିମିଟର ରେକର୍ଡ ହୋଇଥାଏ। କିନ୍ତୁ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ରେକର୍ଡ ହୋଇଛି ୨୨୮ ମିଲିମିଟର ବର୍ଷା। ମହାନଗରୀରରେ ଏ ପ୍ରଳୟଙ୍କାରୀ ଓ ଅସ୍ୱାଭାବିକ ବର୍ଷା ପରେ ଦିଲ୍ଲୀବାସୀଙ୍କୁ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରୁ ନିସ୍ତାର ଦେଇଥିଲେ ବି ସାଧାରଣ ଜୀବନ ଯାତ୍ରାକୁ ସମ୍ପୂର୍ଣ୍ଣ ବେହାଲ କରିଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)