• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମନୋଜ ଆହୁଜା ହେଲେ ରାଜ୍ୟର ନୂଆ ଶାସନ ସଚିବ । ମୂଳତଃ ପଞ୍ଜାବ ନିବାସୀ ତଥା ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚର ଏହି ବରିଷ୍ଠ ଆଇଏଏସ୍‌ଙ୍କୁ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା କ୍ୟାଡରକୁ ଫେରାଯାଇଥିଲା । ଏବେ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ ଜେନାଙ୍କୁ ଆସନ୍ତା ୩୦ ତାରିଖରେ ଅବସର ଲାଗି ସରକାର ଅନୁମତି ଦେଇଛନ୍ତି ।

ତା ପୂର୍ବରୁ ରାଜ୍ୟର ନୂଆ ସରକାରରେ ନୂଆ ମୁଖ୍ୟ ଶାସନ ସଚିବ କିଏ ହେବେ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଶେଷରେ ମନୋଜଙ୍କ ନାଁରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଆଉ ମନୋଜ ଆହୁଜା ହେବାକୁ ଯାଉଛନ୍ତି ରାଜ୍ୟର ୪୫ତମ ମୁଖ୍ୟ ଶାସନ ସଚିବ ।

ଚର୍ଚ୍ଚାରେ ପୂର୍ଣ୍ଣଛେଦ, କଳ୍ପନାଜଳ୍ପନାରେ ଅବସାନ । କେନ୍ଦ୍ରୀୟ ଡେପୁଟେସନରୁ ନିକଟରେ ଓଡ଼ିଶା ଫେରିଥିବା ବରିଷ୍ଠ ଆଇଏଏସ ମନୋଜ ଆହୁଜା ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ୧୯୯୦ ବ୍ୟାଚର ଏହି ଆଇଏଏସ୍ ଅଧିକାରୀଙ୍କ ନାଁ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର ।

ପ୍ରଦୀପ ଜେନାଙ୍କ ପରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ, କିଏ ହେବେ ତାକୁ ନେଇ ଲାଗି ରହିଥିଲା ଚର୍ଚ୍ଚା ଆଲୋଚନା । ତେବେ ଆଜି ମନୋଜ ଆହୁଜାଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିବା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହାସହିତ ତାଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ମିଳିଛି । ଓଡ଼ିଶା ଆସିବା ପୂର୍ବରୁ ଆହୁଜା କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ନିର୍ଦ୍ଦେଶକ ତଥା ସଚିବ ଭାବେ କାର୍ଯ୍ୟ କରୁଥିଲେ । ଗତ ୨୫ ତାରିଖରେ କେନ୍ଦ୍ର କ୍ୟାବିନଟର ନିଯୁକ୍ତି କମିଟି ତାଙ୍କ ହୋମ୍ କ୍ୟାଡର ଓଡ଼ିଶାକୁ ଫେରି ଆସିବାକୁ ଅନୁମତି ଦେଇଥିଲେ ।

ଏହାପରେ ତାଙ୍କୁ ମୁଖ୍ୟ ଶାସନ ସଚିବ ପଦ ମିଳିବା ନେଇ ପାୱାର କରିଡରରେ ଚର୍ଚ୍ଚା ବଢ଼ିଥିଲା । ଏକାଧିକ ଡିଗ୍ରୀଧାରୀ, ବିଦେଶରେ ଉଚ୍ଚ ଶିକ୍ଷିତ, ଶୃଙ୍ଖଳିତ କାର୍ଯ୍ୟଶୈଳୀ, କଠୋର ପରିସ୍ଥିତିରେ କାମ କରିବା କୌଶଳ ଏବଂ କେନ୍ଦ୍ର ଓ ରାଜ୍ୟ ପ୍ରଶାସନିକ ସେବାରେ ଦୀର୍ଘ ଅନୁଭୂତି ପାଇଁ ତାଙ୍କ ଭଳି ଜଣେ ଦକ୍ଷ ଓ ଅଭିଜ୍ଞ ଆଇଏଏସଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିବା କୁହାଯାଉଛି ।

ମନୋଜ ଆହୁଜା ୨୦୧୭ରେ ଓଡ଼ିଶାରୁ କେନ୍ଦ୍ରକୁ ଡେପୁଟେସନରେ ଯିବା ପୂର୍ବରୁ ରାଜ୍ୟ ପ୍ରଶାସନିକ ସେବାରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିଲେ । ସମବାୟ ବିଭାଗର ପ୍ରମୁଖ ସଚିବ, ବାଣିଜ୍ୟ କର କମିଶନର, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ, ଖଣି ଓ ଇସ୍ପାତ ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ରହିଥିଲେ ମନୋଜ ।

ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ମଧ୍ୟ ସେ ନିଯୁକ୍ତି ପାଇଥିଲେ । ରାଜ୍ୟରେ ୨୪ ବର୍ଷ ପରେ ସରକାର ପରିବର୍ତ୍ତନ ହୋଇଥିବାରୁ ପ୍ରଦୀପ ଜେନାଙ୍କ ପରେ ନୂଆ ମୁଖ୍ୟ ଶାସନ ସଚିବଙ୍କ ରେସରେ ଏକାଧିକ ଆଇଏଏସଙ୍କ ନାଁ ରହିଥିଲା । ସେ ଭିତରୁ ଆଗରେ ଥିଲେ ୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ତଥା ବର୍ତ୍ତମାନର SRC ସତ୍ୟବ୍ରତ ସାହୁ ଓ ଉନ୍ନୟନ କମିଶନର ଅନୁ ଗର୍ଗ ।

ସେହିଭଳି ୧୯୯୩ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜବିହାରୀ ଧଳଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଥିଲା । ଏଇ ମାସ ୩୦ ତାରିଖରେ ସରୁଛି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ । ଏବେ ରାଜ୍ୟ ସରକାର ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ପ୍ରକ୍ରିୟା ଶେଷ କରିଥିବା ବେଳେ ନୂଆ ସରକାରରେ ଆଗକୁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ପଦ ପଦବୀରେ ମଧ୍ୟ ବଡ଼ ଧରଣର ଅଦଳ ବଦଳ ଓ ନୂଆ ନିଯୁକ୍ତି ପ୍ରକ୍ରିୟା ହେବାର ସମ୍ଭାବନା ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now