• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିନେ ଯିଏ ବନ୍ଧା ହୋଇ ଜେଲ୍ ଯାଇଥିଲା, ସେହି ନକଲି ଡାକ୍ତର ଜେଲରୁ ବାହାରି ପୁଣି ଚଳାଇଲା ରୋଗୀ ସେବା । ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇ କାହା ପାଇଁ ଔଷଧ ଲେଖୁଥିଲା ତ ଆଉ କାହାର ଡାଏଲିସିସ୍ କଲା । ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ଗିରଫ ହୋଇଛି ସତ, କିନ୍ତୁ ଏହି ଭଣ୍ଡ ଡାକ୍ତରକୁ କେମିତି ଚିହ୍ନି ପାରିଲେନି ମେଡ଼ିକାଲ୍ କର୍ତ୍ତୃପକ୍ଷ, ସେନେଇ ନାନା ପ୍ରଶ୍ନ ଉଠୁଛି ।

ଅପରପକ୍ଷେ ଏଭଳି ନକଲି ଡାକ୍ତରଙ୍କୁ ଚିହ୍ନଟ ପାଇଁ SOP ତିଆରି ସହ କଡ଼ା ଆକ୍ସନ ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ବେକରେ ଷ୍ଟେଥୋ ପକାଇ ଡାକ୍ତର ମୁଦ୍ରାରେ ରହୁଥିଲେ ବାବୁ । ନା ସେ କୌଣସି ଡାକ୍ତର ଥିଲେ ନା କୌଣସି ରୋଗୀ ସେବା ସହ ଜଡ଼ିତ ବ୍ୟକ୍ତି । କିନ୍ତୁ ବାବୁ ମାପନ୍ତି ରୋଗୀଙ୍କ ବିପି, କରନ୍ତି ଡାଏଲିସିସି, ଲେଖନ୍ତି ଔଷଧ ।

ଯାହା ନାଁ ପଦ୍ମନାଭ ମୁଖୀ କାରୁଆ ଓରଫ୍ ରମେଶ ଚନ୍ଦ୍ର ଝା । ନାଁ ଆଗରେ ଡାକ୍ତର ଲେଖି ଆଛା ଆଛାଙ୍କୁ ଭଣ୍ଡାଇ ଏବେ ପଡ଼ିଛି ହରଡ଼ଘଣାରେ । ରାଉରକେଲା ସରକାରୀ ହସ୍ପିଟାଲରେ ରୋଗୀସେବା କରୁଥିବା ଘଟଣା ଧରାପଡ଼ିବା ପରେ ତାକୁ ଗିରଫ କରିଛି ପୋଲିସ ।

ଗତ ୭ ମାସ ହେଲା ଅର୍ଥାତ ୨୦୨୩ ଡିସେମ୍ବରରୁ ପଦ୍ମନାଭ ରାଉରକେଲା ସରକାରୀ ହସପିଟାଲର ଡାଇଲିସିସ୍ ବିଭାଗରେ କାମ କରୁଥିଲା ଡାକ୍ତର ଭାବେ । ୭ ମାସ ଭିତରେ ପ୍ରାୟ ୨୮ ଶହ ରୋଗୀ ଡାଇଲିସିସ୍ ପାଇଁ ଆସିଥିବା ବେଳେ ଏମାନଙ୍କ ମଧ୍ୟରୁ ପଦ୍ମନାଭ ଅନେକଙ୍କ ଡାଏଲିସିସ୍ କରିଥିବା କୁହାଯାଉଛି ।

ଏପରିକି କିଛି ଲୋକଙ୍କ ଚିକିତ୍ସା ମଧ୍ୟ ସେ କରିଥିବା ଲୋକେ ଅଭିଯୋଗ କରିଛନ୍ତି । ପଦ୍ମନାଭ ମୁଖୀ କାରୁଆ ଓରଫ୍ ରମେଶ ଚନ୍ଦ୍ର ଝା । ତା’ର ଠକଭଣ୍ଡର ଏହି କ୍ୟାରିୟର ଆରମ୍ଭ ହୁଏ ୨୦୧୦ରୁ । ନକଲି ସାଟିଫିକେଟ୍ ଦେଇ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ କାମ ଆରମ୍ଭ କରେ ପଦ୍ମନାଭ ।

ସେଇଠି ଜଣାପଡ଼ିବା ପରେ ମାରିଥିଲା ଫେରାର । ଏହାପରେ ୨୦୧୪ରେ ବନ୍ଧମୁଣ୍ଡା ରେଲୱେ ହସପିଟାଲରେ ବି ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିଲା । ସେଇଠୁ ବି ତଡ଼ା ଖାଇଥିଲା । ଆଉ ଗତ ୨୦୧୯ ନଭେମ୍ବର ୧ରେ ରାଉରକେଲା ନୂଆଗାଁ ସିଏଚସିରେ ରୋଗୀ ସେବା ବେଳେ ଧରାପଡ଼ି ସୁନ୍ଦରଗଡ ଜେଲ ଯାଇଥିଲା ପଦ୍ମନାଭ ।

ଜେଲରୁ ବାହାରିବା ପରେ ୨୦୨୩ରେ ରମେଶ ଚନ୍ଦ୍ର ଝା’ନାଁରେ RGHରେ ବନିଥିଲା ନକଲି ଡାକ୍ତର । ଥାର୍ଡ ପାର୍ଟି ରାହି କେୟାର ପ୍ରାଇଭେଟ୍ ଲିମିଟେଡ ନାମକ ଏକ ଘରୋଇ ସଂସ୍ଥା ଜରିଆରେ RGHର ଡାଏଲିସିସି ବିଭାଗରେ ନିଯୁକ୍ତି ପାଇଥିଲା ସେ । କିନ୍ତୁ ଏକ ଘରୋଇ ସଂସ୍ଥାରୁ ଲୋନ ପାଇଁ ଆବେଦନ କରି ଫସିଗଲା ନିଜ ଜାଲରେ ।

ଏହି ଘଟଣାକୁ ନେଇ ପୋଲିସ ଖୋଳତାଡ଼ କରିବା ସହ ରାହି ସଂସ୍ଥାକୁ ଲିଖିତ ଉତ୍ତର ମଗାଯାଇଛି । ରାଜ୍ୟରେ ଏଭଳି ନକଲି ଡାକ୍ତର ନୂଆ ନୁହଁନ୍ତି । ୨୦୨୨ ଫେବୃୟାରୀରେ ରମେଶ ସ୍ୱାଇଁ ନାମକ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଥିଲା ପୋଲିସ । ଯିଏ ମିଛ କହି ଏକାଧିକ ମହିଳାଙ୍କୁ ଫସାଇଥିଲା ନିଜ ଜାଲରେ ।

୨୦୨୩ ଜୁଲାଇରେ ମଧ୍ୟ ଅନ୍ୟ ଜଣେ ନକଲି ଡାକ୍ତରଙ୍କୁ ପୋଲିସ ଗିରଫ କରିଥିଲା ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରୁ । ନିଜକୁ ଏମ୍ସର ଅଭିଜ୍ଞ ଡାକ୍ତର ବୋଲି ପରିଚୟ ଦେଇ କିଭଳି ଚିକିତ୍ସା କରୁଥିଲା ଢେଙ୍କାନାଳର ଶୁଭ୍ରଜିତ ପଣ୍ଡା, ତାହା ସମସ୍ତେ ଜାଣିଛନ୍ତି ।

ଏଭଳି ଏକାଧିକ ଘଟଣା ପରେ ତତ୍ପର ହେବା ସହ ନକଲି ଡାକ୍ତରଙ୍କୁ ଚିହ୍ନଟ ପାଇଁ SOP ପ୍ରସ୍ତୁତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

  • Reported by:
  • SANJAY JENA , PAWAN TIWARI

OTV is now on Whatsapp

Join and get latest news update delivered to you via whatsapp

Join Now