• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନୂଆଦିଲ୍ଲୀର ଇତିହାସରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ରାଜପଥର ନୂଆ ନାଁ ହେଲା କର୍ତ୍ତବ୍ୟପଥ । ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାସ୍ତା ଏବେ କର୍ତ୍ତବ୍ୟ ପଥ ନାଁରେ ନାମିତ ହୋଇଥିବା ବେଳେ ସେସବୁ ଅଞ୍ଚଳକୁ ନୂଆ ରୂପ ଦିଆଯାଇଛି । ପୁରା ଅଞ୍ଚଳକୁ ସବୁଜ ବଳୟରେ ରଖାଯାଇଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ନାନା ସୁବିଧା ବି ରହିଛି ।

ନୂଆ ଭାରତର ନୂଆ ପରିଚୟ । ହଟିଲା ବ୍ରିଟିସ୍ ରାଜ୍‌ର ଆଉ ଏକ ଛାପ । ନୂଆଦିଲ୍ଲୀ ରାଜପଥର ନାଁ ହେଲା କର୍ତ୍ତବ୍ୟ ପଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି । ରାଷ୍ଟ୍ରପତି ଭବନଠୁ ନେଇ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ସମସ୍ତ ରାସ୍ତା ଏବେ କର୍ତ୍ତବ୍ୟ ପଥ ନାଁରେ ନାମିତ ହୋଇଛି ।

ଏଥିସହ ସେଣ୍ଟ୍ରାଲ ଭିଷ୍ଟା ଏଭେନ୍ୟୁ ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉଦ୍‌ଘାଟନ ପରେ ନୂଆ ରୂପରେ ଝଲସୁଛି କର୍ତ୍ତବ୍ୟ ପଥ । ଇଣ୍ଡିଆ ଗେଟ୍‌ରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଅଞ୍ଚଳକୁ ସେଣ୍ଟ୍ରାଲ ଭିଷ୍ଟା ଏଭେନ୍ୟୁ କୁହାଯାଉଛି । ସେସବୁ ଅଞ୍ଚଳର ଆଧୁନିକୀକରଣ କରାଯାଇଛି । ଚାରିଆଡ଼େ ସବୁଜିମା ଭରା ପରିବେଶ । ଲାଲ୍ ଗ୍ରାନାଇଟ୍ ପଥରରେ ହୋଇଛି ସୌନ୍ଦର୍ଯ୍ୟକରଣ କାମ । ଭେଣ୍ଡିଂ ଜୋନ୍ ସହ ପାର୍କିଂ ବ୍ୟବସ୍ଥା ଓ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ ବି ରହିଛି ।

 

ଖାଲି ସେତିକି ନୁହେଁ ପର୍ଯ୍ୟଟକଙ୍କ ସୁବିଧା ଲାଗି, ୧୬ଟି ରାଜ୍ୟର ଫୁଡ୍ ଷ୍ଟଲ୍ ମଧ୍ୟ ରହିଛି ଏହି ଅଞ୍ଚଳରେ । ପ୍ରାୟ ୩ କିଲୋମିଟର ବ୍ୟାପୀ ଏହି ରାସ୍ତାରେ ପୂର୍ବ ତୁଳନାରେ ଅନେକ ବୃକ୍ଷରୋପଣ କରାଯାଇଛି । ଫଳରେ ପୁରା ଅଞ୍ଚଳ ଏବେ ସବୁଜ ବଳୟରେ ରହିଛି । ଇଣ୍ଡିଆ ଗେଟ୍ ଆଖପାଖ ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ନୂଆ ରୂପ ଦିଆଯାଇଛି ।

କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଏହା ପ୍ରଥମ ପର୍ଯ୍ୟାୟ । ୨୦୧୯ରେ ଏହି ପ୍ରକଳ୍ପର ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୦ ଡିସେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ । ଗତ ବର୍ଷ ଫେବ୍ରୁଆରି ୧ରୁ ଆରମ୍ଭ ହୋଇଥିଲା ଏହାର ସୌନ୍ଦର୍ଯ୍ୟକରଣ କାମ ।

ପ୍ରାୟ ୨୦ ମାସ ପରେ ଏହି ଅଞ୍ଚଳ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ସେଣ୍ଟ୍ରାଲ୍ ଭିଷ୍ଟା ଅଞ୍ଚଳରେ ଏବେ ପ୍ରାୟ ୨ ମାସ ପାଇଁ ପାର୍କିଂ ଫି ଛାଡ଼ ରହିବ ବୋଲି ସୂଚନା ମିଳିଛି । ଏଠାରେ ହଜାରେରୁ ଅଧିକ କାର୍ ଏବଂ ପ୍ରାୟ ୪୦ଟି ବସ୍ ପାର୍କିଂ ପାଇଁ ରହିଛି ବ୍ୟବସ୍ଥା । ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପ ଅଧିନରେ ନୂଆ ସଂସଦ ଭବନ, କେନ୍ଦ୍ରୀୟ ସଚିବାଳୟ ଏବଂ ଅନ୍ୟ କେତେକ ସରକାରୀ କାର୍ଯ୍ୟାଳୟ ମଧ୍ୟ ନିର୍ମାଣ କରାଯିବା ପାଇଁ ଯୋଜନା ରହିଛି ।

ଶହେ ବର୍ଷର ଇତିହାସରେ ତୃତୀୟ ଥର ପାଇଁ ରାଜପଥର ନାଁ ପରିବର୍ତ୍ତନ କରାଯାଇଛି । ପ୍ରଥମେ ଏହି ରାସ୍ତାକୁ କିଙ୍ଗ୍ସ ୱେ ବୋଲି କୁହାଯାଉଥିଲା । ଦେଶ ସ୍ୱାଧୀନ ହେବା ପରେ ୧୯୫୫ରେ ଏହାର ନାଁ ବଦଳାଯାଇ ରାଜପଥ ରଖାଯାଇଥିଲା । ଆଉ ଏବେ ସେପ୍ଟେମ୍ବର ୭ରେ ଏହାର ନାଁ ପରିବର୍ତ୍ତନ କରାଯାଇ କର୍ତ୍ତବ୍ୟ ପଥ ରଖାଯାଇଛି ।

ଏହି ପଥକୁ କର୍ତ୍ତବ୍ୟ ପଥ ନାଁରେ ନାମିତ କରିବା ପଛରେ ଅନେକ କାରଣ ରହିଛି । ଉପନିବେଶବାଦ୍ ସମୟରେ ଥିବା ସମସ୍ତ ନାମକୁ କେନ୍ଦ୍ର ସରକାର ପର୍ଯ୍ୟାୟ କ୍ରମେ ପରିବର୍ତ୍ତନ କରୁଛନ୍ତି । କର୍ତ୍ତବ୍ୟ ପଥ ବାସ୍ତବରେ ଏବେ ସାଧାରଣ ଲୋକଙ୍କ ପାଇଁ ଏକ ରାସ୍ତା ପାଲଟି ଯାଇଥିବା ବେଳେ ଏହା ଅନେକ ଐତିହାସିକ ଘଟଣାର ମୁକସାକ୍ଷୀ ରହିଛି ।

ସ୍ୱାଧୀନତା ପରେ ମଧ୍ୟ ଅନେକ ବଡ଼ ଆନ୍ଦୋଳନ ଦେଖିଛି ଏହି କର୍ତ୍ତବ୍ୟ ପଥ । ୧୯୮୮ରେ ଏଠାରେ କୃଷକଙ୍କ ବିଶାଳ ସମାବେଶ ହୋଇଥିଲା । ସେହିପରି ୨୦୧୨ରେ ଦିଲ୍ଲୀ ଗଣଦୁଷ୍କର୍ମ ପୀଡ଼ିତା ନିର୍ଭୟାକୁ ନ୍ୟାୟ ଦାବିରେ ଏଠାରେ ଜୋରଦାର ଆନ୍ଦୋଳନ ହୋଇଥିଲା ।