• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଲିରୁ ମୁକ୍ତ ହେବ ଐତିହାସିକ ବ୍ଲାକ୍ ପାଗୋଡ଼ା । ଦଶନ୍ଧି ଦଶନ୍ଧି ଧରି ଆପଣ ଦେଖି ଆସୁଥିବା କୋଣାର୍କ ସୂର୍ଯ୍ୟମନ୍ଦିରର ବଦଳିବ ରୂପରେଖ । ଦୀର୍ଘ ୧୧୯ ବର୍ଷ ପରେ ଏହି ବିଶ୍ୱ କୀର୍ତ୍ତିରାଜିରୁ କଢ଼ାଯିବ ବାଲି । ସେଥିପାଇଁ ଏ ଆୟୋଜନ । ଧୂପ, ଦୀପ ସହ ଭୂମିପୂଜନ କରି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍‌ଆଇ ଆରମ୍ଭ କରିଛି ବାଲି ନିଷ୍କାସନ ପ୍ରକ୍ରିୟା ।

ଏଏସ୍‌ଆଇର ଐତିହାସିକ ନିଷ୍ପତ୍ତି କ୍ରମେ, ସୂର୍ଯ୍ୟ ମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏକ ଘରୋଇ କମ୍ପାନୀ BDR ନିର୍ମାଣ ସଂସ୍ଥା ନିର୍ମାଣ କରିବ ମେକାନିକାଲ ଓ୍ୱାର୍କିଂ ପ୍ଲାଟଫର୍ମ । ଏହି ପ୍ଲାଟଫର୍ମରେ ଲିଫ୍ଟ, ଟ୍ରଲି ଭଳି ମେକାନିକାଲ ସିଷ୍ଟମ ଦ୍ୱାରା ଗର୍ଭଗୃହରୁ ବାଲି ଓ ପଥର କଢ଼ାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମ ଦ୍ୱାରର ଦ୍ୱିତୀୟ ପୀଢ଼ ନିକଟରେ ୪ ଫୁଟ ଓସାର ଏବଂ ୫ ଫୁଟ୍‌ ଉଚ୍ଚର ଏକ ରାସ୍ତା ଖୋଳି ଗର୍ଭଗୃହରୁ ବାଲି କାଢ଼ିବ ଏଏସ୍‌ଆଇ । BDR କମ୍ପାନୀର ବୈଷୟିକ ସହାୟତାରେ ଆସନ୍ତା ୩ ବର୍ଷ ମଧ୍ୟରେ ବାଲି କାଢ଼ିବାକୁ ଯୋଜନା ରହିଥିବା ଏଏସ୍‌ଆଇ କର୍ତ୍ତୃପକ୍ଷ କହିଛନ୍ତି ।

୧୯୦୩ ମସିହା । ସୂର୍ଯ୍ୟମନ୍ଦିରର ମୁଖଶାଳାର ସ୍ଥିତିକୁ ଦେଖି ଏବଂ ଉପରଭାଗରୁ ପଥର ଖସୁଥିବା ଦେଖି ତତ୍କାଳୀନ ବ୍ରିଟିଶ ସରକାର ଗର୍ଭଗୃହରେ ବାଲି ଭର୍ତ୍ତି କରିବା ସହ ସମସ୍ତ ଦ୍ୱାର ବନ୍ଦ କରିଦେଇଥିଲେ । ଇତିମଧ୍ୟରେ ବିତିଯାଇଛି ୧୧୯ ବର୍ଷ । ମନ୍ଦିରର ଗର୍ଭଗୃହ ସୁରକ୍ଷା ପାଇଁ ୨୦୧୦ରେ କୋଣାର୍କରେ ଆୟୋଜିତ ଏକ ଅନ୍ତର୍ଜାତୀୟ କର୍ମଶାଳାରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସ୍ଥପତି, ଇଞ୍ଜିନିୟର ବାଲି କାଢ଼ିବା ପାଇଁ ପରାମର୍ଶ ଦେଇଥିଲେ ।

ସେହିପରି ୨୦୧୫ରେ ଗର୍ଭଗୃହର ଆଭ୍ୟନ୍ତରୀଣ ସ୍ଥିତିରେ କଣ ପରିବର୍ତ୍ତନ ଆସିଛି ଜାଣିବା ପାଇଁ ରୁର୍କି ସ୍ଥିତ ସେଣ୍ଟର ଫର ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ-ସିବିଆର୍‌ଆଇ ପ୍ରଥମ ପର୍ଯ୍ୟାୟରେ ଜିପିଆରଏସ, ଲେଜର ସ୍କାନିଂ ଓ ଏଣ୍ଡୋସ୍କୋପି କରି ଏଏସଆଇକୁ ରିପୋର୍ଟ ଦେଇଥିଲା । ଏଥିରେ ମୁଖଶାଳା ଗର୍ଭଗୃହ ମଧ୍ୟରେ ଥିବା ବାଲି ୧୭ ଫୁଟ ଦବିବା ସହ ପଥର ଖସିଥିବା କୁହାଯାଇଥିଲା । ସୂର୍ଯ୍ୟମନ୍ଦିରର ସୁରକ୍ଷା ଉପରେ ଏଏସ୍‌ଆଇର ଭୂମିକାକୁ ନେଇ ହାଇକୋର୍ଟ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଏସବୁ ଭିତରେ ଆଜି ଏଏସଆଇ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଏହି କାମ ବହୁ ଆଗରୁ ହେବାର ଥିଲା ବୋଲି ମତ ରଖିଛନ୍ତି ଐତିହ୍ୟ ବିଶେଷଜ୍ଞ ।

ସେପଟେ ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବା ନିଷ୍ପତ୍ତିକୁ କୋଣାର୍କ ସୁରକ୍ଷା ସମିତି ସମେତ ସ୍ଥାନୀୟ ଲୋକେ ସ୍ୱାଗତ କରିବା ସହ ବାଲି ନିଷ୍କାସନର ସମସ୍ତ ପ୍ରକ୍ରିୟାକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି । ଏବେ ଅପେକ୍ଷା, ବାଲି ନିଷ୍କାସନ କରି ଏହି ବିଶ୍ୱ ଐତିହ୍ୟସ୍ଥଳୀକୁ କେମିତି ସୁରକ୍ଷା ଦିଆଯାଇପାରୁଛି ।