ଭାରତର ମିଶନ ମୁନ୍ ସଫଳତା ପଛରେ ରହିଛି ଇସ୍ରୋର ବୈଜ୍ଞାନିକଙ୍କ ପ୍ରମୁଖ ଭୂମିକା । ସେମାନଙ୍କ ଉପରେ ନିର୍ଭର କରୁଥିଲା ଦେଶର ଗର୍ବ ଓ ଗୌରବର ମିଶନ, ଚନ୍ଦ୍ରୟାନ-୩ର ସଫଳତା । ପ୍ରଥମେ ନାଁ ଆସିବ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥଙ୍କର । ଚନ୍ଦ୍ରୟାନ-୨ର ବିଫଳତା ପରେ ଚନ୍ଦ୍ରୟାନ-୩ କିଭଳି ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିବ, ତାର ପୁରା ଦାୟିତ୍ୱ ନ୍ୟସ୍ତ ଥିଲା ସୋମନାଥଙ୍କ ଉପରେ । ବିକ୍ରମ ସରାଭାଇ ସ୍ପେଶ୍ ସେଣ୍ଟର ଏବଂ ଲିକ୍ବିଡ୍ ପ୍ରପଲସନ୍ ସିଷ୍ଟମସ ସେଣ୍ଟରର ନିର୍ଦ୍ଦେଶକ ରହିବା ପରେ ଇସ୍ରୋର ଅଧ୍ୟକ୍ଷ ସାଜିଥିବା ସୋମନାଥ, ହେଉଛନ୍ତି ବ୍ରେନ୍ ବିହାଇଣ୍ଡ ଚନ୍ଦ୍ରୟାନ-୩ ।
ମିଶନର ଆଉ ଜଣେ ସାରଥୀ ସାଜିଥିଲେ ଚନ୍ଦ୍ରୟାନ-୩ର ପ୍ରୋଜେକ୍ଟ ଡିରେକ୍ଟର ପି, ଭିରାମୁଥୁଭେଲ୍ । ଜଣେ ରେଲୱେ କର୍ମଚାରୀଙ୍କ ପୁଅ ତଥା ମେକାନିକାଲ ଇଂଜିନିୟର ଭିରାମୁଥୁଭେଲ୍, ୨୦୧୯ରେ ମିଶନ ଚନ୍ଦ୍ରୟାନର ମଙ୍ଗ ସମ୍ଭାଳିଥିଲେ । ଚନ୍ଦ୍ରୟାନ-୩ର ମିଶନ ଡିରେକ୍ଟର ମୋହନ କୁମାରଙ୍କ ବିନା ଯେମିତି ଏହି ଅଭିଯାନ ଅସଂପୂର୍ଣ୍ଣ ଥିଲା ସାଟେଲାଇଟ୍ ଲଂଚ୍ ପାଇଁ ବ୍ୟବହାର ହୋଇଥିବା ହେଭି ରକେଟ୍ର ଦାୟିତ୍ୱ ଥିଲା ତାଙ୍କ ଉପରେ।
ଅଧିକ ପଢ଼ନ୍ତୁ: ଚନ୍ଦ୍ରପୃଷ୍ଠରେ ପାଦ ଥାପିଲା ଭାରତ; ସଫଳତା ପଛରେ ରହିଛି କେଉଁ ମହିଳାଙ୍କ ହାତ, ଜାଣନ୍ତୁ..
ବିକ୍ରମ ସରାଭାଇ ସ୍ପେଶ୍ ସେଣ୍ଟର ଡିରେକ୍ଟର ଏସ୍. ଉନ୍ନିକିଷ୍ଣନ୍ ନାୟର ଭାରତର ଏହି ଜଟିଳ ମିଶନର ପରିଚାଳନା ଭାର ସମ୍ଭାଳିଥିଲେ । ବିଶେଷ କରି ଚନ୍ଦ୍ରୟାନକୁ ମହାକାଶକୁ ନେଇଥିବା ଜିଏସଏଲଭି ରକେଟ୍ ପ୍ରସ୍ତୁତ କରିଥିଲେ ଉନ୍ନିକ୍ରିଷ୍ଣନ ଏବଂ ତାଙ୍କ ଟିମ୍ । ଏହି ଚାରି ଜଣଙ୍କ ସହ ଚନ୍ଦ୍ରୟାନ-୩ର ଡେପୁଟି ପ୍ରୋଜେକ୍ଟ ଡିରେକ୍ଟର କେ. କଳ୍ପନା, ୟୁ. ଆର ରାଓ ସାଟେଲାଇଟ୍ ସେଣ୍ଟର ଡିରେକ୍ଟର ଏମ୍, ଶଙ୍କରନ୍ ଏବଂ ଲଂଚ୍ ଅଥୋରାଇଜେସନ୍ ବୋର୍ଡ ମୁଖ୍ୟ ଏ. ରାଜରାଜନ୍ଙ୍କ ମଧ୍ୟ ମିଶନ ଚନ୍ଦ୍ରୟାନର ସଫଳତାରେ ପ୍ରମୁଖ ଭୂମିକା ରହିଛି ।
Also Read
ଜହ୍ନରେ ଭାରତ ଲେଖିଲା ନାଁ । ଇତିହାସ ରଚିଲା ଚନ୍ଦ୍ରୟାନ-୩ । ସାରା ଦେଶର ନଜର ଥିଲା ଇସ୍ରୋର ତୃତୀୟ ମୁନ୍ ମିଶନ ଉପରେ । ଆଉ ସମସ୍ତଙ୍କ ଆଶା, ଅପେକ୍ଷା ଓ ଉତ୍କଣ୍ଠାକୁ ଚରିତାର୍ଥ କରି ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର୍ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ପ୍ରଥମ ଦେଶ ଭାବେ ଗୌରବ ଅର୍ଜନ କରିଛି ଭାରତ । ଇସ୍ରୋ ପକ୍ଷରୁ ପୂର୍ବରୁ ଯେଉଁ ଯୋଜନା କରାଯାଇଥିଲା, ଠିକ୍ ସେହି ଅନୁସାରେ ସ୍ୱୟଂକ୍ରିୟ ଭାବେ ଅବତରଣ କରିଥିଲା ଲ୍ୟାଣ୍ଡର୍ । ଠିକ୍ ୫ଟା ୪୫ରେ ପ୍ରାୟ ୩୦ କିଲୋମିଟର ଉଚ୍ଚତାରୁ ନିଜ ବେଗ କମ୍ କରି ତଳକୁ ଖସିବା ଆରମ୍ଭ କରିଥିଲା । ଆରମ୍ଭ ହୋଇଥିଲା ଆହ୍ୱାନପୂର୍ଣ୍ଣ ୧୭ ମିନିଟ ।
ଅଧିକ ପଢ଼ନ୍ତୁ: ଚନ୍ଦ୍ରୟାନ ୧-୨-୩ ପାଇଁ ହୋଇଛି କେତେ ଖର୍ଚ୍ଚ, ଜାଣନ୍ତୁ ପୁରା କାହାଣୀ
ତେବେ ଚନ୍ଦ୍ରୟାନ-୨ ତୁଳନାରେ ଚନ୍ଦ୍ରୟାନ-୩ର ସବୁଠୁ ବଡ଼ ଫରକ ଏୟା ଥିଲା ଯେ, ଏଥର ସଫ୍ଟଲ୍ୟାଣ୍ଡିଂ ଆରମ୍ଭରୁ ଶେଷ ଯାଏଁ ସବୁକିଛି ଲ୍ୟାଣ୍ଡର୍ ନିଜେ ଅଟୋମେଟିକ୍ କରିଥିଲା । ଇସ୍ରୋର ମିଶନ ଅପରେସନ୍ କଂପ୍ଲେକ୍ସରେ ବୈଜ୍ଞାନିକ ମାନେ କେବଳ ପୂରା ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିଥିଲେ । ଅବତରଣ ବେଳେ ଚନ୍ଦ୍ରପୃଷ୍ଠର ଭିଡିଓ ପଠାଇବା ଆରମ୍ଭ କରିଦେଇଥିଲା ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା, ଯାହାକୁ ମିଶନ୍ ଅପରେସନ କଂପ୍ଲେକ୍ସର ମନିଟରରେ ଦେଖି ଉତ୍ସାହିତ ହୋଇଥିଲା ସାରା ଦେଶ ।
ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଏହାର ସିଧାପ୍ରସାରଣ ଦେଖୁଥିଲେ ସୁଦୁର ଜୋହାନସବର୍ଗରୁ । ସଫ୍ଟଲ୍ୟାଣ୍ଡିଂର ପ୍ରଥମ ପର୍ଯ୍ୟାୟ ରଫ୍ ବ୍ରେକିଂ ଫେଜ୍ ଚାଲିଥିଲା ୬୯୦ ସେକେଣ୍ଡ ଧରି । ଏହାପରେ ଅଲ୍ଟିଚ୍ୟୁଡ୍ ହୋଲ୍ଡ ଫେଜ୍ ଓ ଫାଇନ୍ ବ୍ରେକିଂ ଫେଜ୍ ପରେ ପ୍ରାୟ ୮ଶହ ମିଟର ଉଚ୍ଚତାରୁ ଅବତରଣ ସ୍ଥଳରେ ସିଧା ତଳକୁ ଖସିବା ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟା ଚାଲିଥିଲା ପ୍ରାୟ ୪ ମିନିଟ୍ ଧରି । ଆଉ ଯେତେବେଳେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠକୁ ଛୁଇଁଲା, କରତାଳିରେ ଫାଟି ପଡ଼ିଥିଲା କଣ୍ଟ୍ରୋଲ ରୁମ୍ । ଅସୀମ ଉତ୍ସାହରେ ଉଛୁଳି ଉଠିଥିଲା ପରିବେଶ । ଖୁସିରେ ଝୁମି ଉଠିଥିଲେ ଏହି ଅଭିଯାନରେ ସାମିଲ ହୋଇଥିଲା ବୈଜ୍ଞାନିକ । ସାରା ଦେଶର ଛାତି ସେତେବେଳେ କୁଣ୍ଢେମୋଟ ।