ଶଗଡ଼ ଗାଡ଼ିରେ ସାଟେଲାଇଟ୍, ସାଇକେଲ ପଛରେ ରକେଟ୍ । ଏକଦା କିଛି ଏମିତି ଥିଲା ଇସ୍ରୋର ମିଶନ୍ ଅପରେସନ୍ କଂପ୍ଲେକ୍ସ । ୬୦-୭୦ ଦଶକରେ ଭାରତୀୟ ମହାକାଶ ଅଭିଯାନର ଜନକ ବିକ୍ରମ ସାରାଭାଇ ଦେଖିଥିବା ସ୍ୱପ୍ନ, ଆଜି ଜହ୍ନ ରାଇଜରେ ବି ଉଡ଼ାଇ ପାରିଛି ଭାରତର ବିଜୟ ଧ୍ୱଜା ।
ତେବେ ଭାରତର ମୁନ୍ ମିଶନ ଆରମ୍ଭ ହୋଇଥିଲା ୨୦୦୮ ମସିହାରେ । ୨୦୦୮ ଅଗଷ୍ଟ ୨୮ରେ ଜହ୍ନକୁ ଯାଇଥିଲା ଚନ୍ଦ୍ରୟାନ-୧। ଖର୍ଚ୍ଚ ହୋଇଥିଲା ୩୮୬ କୋଟି ଟଙ୍କା । ଅଗଷ୍ଟ ୨୦୦୯ ଯାଏଁ ଚନ୍ଦ୍ର ଚାରିପଟେ ବୁଲିଥିଲା ଅର୍ବିଟର୍ । ଚନ୍ଦ୍ରର ମେରୁ ଅଞ୍ଚଳରେ ଜଳର ସନ୍ଧାନ କରି ସାରା ଦୁନିଆକୁ ଚମକାଇ ଦେଇଥିଲା ପ୍ରଥମ ଚନ୍ଦ୍ରୟାନ । ପ୍ରଥମ ଥର ପାଇଁ ଜହ୍ନରେ ଜଳ ଥିବା ନେଇ ଏଭଳି ସ୍ପଷ୍ଟ ତଥ୍ୟ ଦେଇଥିଲା ଯେ, ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା ଭାରତର ସ୍ପେଶ୍ ମିଶନ୍ ।
Also Read
ପ୍ରଥମ ମୁନ୍ ମିଶନର ସଫଳତା ଭାରତକୁ ବାଟ କଢ଼ାଇ ନେଇଥିଲା ଦ୍ୱିତୀୟ ଚନ୍ଦ୍ର ଅଭିଯାନ 'ଚନ୍ଦ୍ରୟାନ-୨' ଆଡ଼କୁ । ୯୭୮ କୋଟି ଟଙ୍କା ବଜେଟର ଏହି ମିଶନର ଲକ୍ଷ୍ୟ ଥିଲା ଚନ୍ଦ୍ର ଚାରିପଟେ ଅର୍ବିଟର ବୁଲାଇବା, ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମକୁ ସଫ୍ଟଲ୍ୟାଣ୍ଡିଂ କରିବା ଏବଂ ରୋଭର ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ଗଡ଼ାଇବା ।
୨୦୧୯ ମସିହା ଜୁଲାଇ ୨୨ରେ ଇସ୍ରୋର ବାହୁବଳୀ ରକେଟ୍ ଜିଏସ୍ଏଲ୍ଭି ମାର୍କ-ଥ୍ରୀ ସହାୟତାରେ ଉତକ୍ଷେପଣ ହୋଇଥିଲା ଦ୍ୱିତୀୟ ଚନ୍ଦ୍ରୟାନ । ସେପ୍ଟେମ୍ବର ୨ରେ ଯୋଜନା ମୁତାବକ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ ହୋଇଥିଲା, ଚନ୍ଦ୍ରୟାନ-୨ର ଅର୍ବିଟର । ଯାହାକି ଏବେବି କାର୍ଯ୍ୟକ୍ଷମ ଅଛି ଏବଂ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ସହିତ ଇସ୍ରୋର ଯୋଗାଯୋଗ ମାଧ୍ୟମ ସାଜିଛି ।
ତେବେ ସେପ୍ଟେମ୍ବର ୬ରେ ଅଧୁରା ରହିଯାଇଥିଲା ଭାରତର ସଫ୍ଟଲ୍ୟାଣ୍ଡିଂ ସ୍ୱପ୍ନ । ଅବତରଣର ଶେଷ ମୁହୂର୍ତ୍ତରେ ଠିକ୍ ଚନ୍ଦ୍ରପୃଷ୍ଠକୁ ଛୁଇଁବାର ୨ କିଲୋମିଟର ପୂର୍ବରୁ ନିର୍ଦ୍ଧାରିତ ଗତିପଥରୁ ବିଚ୍ୟୁତ ହୋଇ କ୍ରାଶ୍ ଲ୍ୟାଣ୍ଡ୍ କରିଥିଲା ଲ୍ୟାଣ୍ଡର ବିକ୍ରମ । ସଫଳତା ହାତରେ ଲାଗିଲାନି ସିନା, ହେଲେ ଇସ୍ରୋକୁ ଦ୍ୱିତୀୟ ମୁନ୍ ମିଶନରୁ ମିଳିଲା ବଡ଼ ଉପଲବ୍ଧି । ବିଫଳତାରୁ ଶିଖି ପୁଣି ଅଣ୍ଟା ସଳଖି ଛିଡ଼ା ହେଲେ ଭାରତୀୟ ମହାକାଶ ବିଜ୍ଞାନୀମାନେ ।
୪ ବର୍ଷର କଠିନ ପରିଶ୍ରମ, ଆମୂଳଚୂଳ ତ୍ରୁଟି ସମୀକ୍ଷା ଏବଂ ସେଥିରେ ସୁଧାର ଆଣିବା ସହ ଅନେକ ଉନ୍ନତ ଜ୍ଞାନ କୌଶଳକୁ ସାମିଲ କରାଗଲା ଚନ୍ଦ୍ରୟାନ-୩ରେ । ସଫ୍ଟଲ୍ୟାଣ୍ଡିଂ ବେଳେ ଯେକୌଣସି ତ୍ରୁଟିର ଯେପରି ଆପେଆପେ ତତ୍କାଳ ସମାଧାନ କରିପାରିବ ଲ୍ୟାଣ୍ଡର୍, ସେଦିଗରେ ଶହ ଶହ ଥର ସବୁ ପ୍ରକାର ପୂର୍ବାଭ୍ୟାସ କରାଯାଇଥିଲା ଲଞ୍ଚିଂ ପୂର୍ବରୁ । ଯାହାର ପରିଣାମ ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ସଫ୍ଟ ଲ୍ୟାଣ୍ଡିଂ କରିପାରିଛି ଭାରତ । ଚନ୍ଦ୍ରୟାନ ୩ର ସଫଳତା ପାଇଁ ଖଚ୍ଚ ହୋଇଛି ୬୧୫ କୋଟି ଟଙ୍କା ।