Advertisment

ହୋମଗାର୍ଡଙ୍କୁ ନିର୍ଯାତନା ମାମଲା; ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ

DIG ବ୍ରିଜେଶ ରାୟଙ୍କ ଘରେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ମାମଲା ପରେ ଏବେ ଘନଉଛି ବିବାଦ। କାହିଁକି ଏବଂ କେଉଁ ପରିସ୍ଥିତିରେ ଦିଆଗଲା ନିର୍ଯାତନା, ନିଜ ଆଡୁ ମାମଲା ରୁଜୁ କରି ମହିଳା ଅପରାଧ ନିରୋଧି ସେଲ୍ ADGଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମହିଳା କମିଶନ।

author-image
Manoranjan Behera
Home Guard

Home Guard

ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ବଢ଼ିବ କି DIG ବ୍ରିଜେଶ ରାୟଙ୍କ ଅଡୁଆ ? ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ମାମଲା ପହଞ୍ଚି ଥିବାରୁ ହେବ କି ବଡ଼ କାର୍ଯ୍ୟାନୁଷ୍ଠାନ ? ଏଭଳି ନାନା ଆଶା ଆଉ ଆଶଙ୍କା ଭିତରେ ରାଜ୍ୟ ପୋଲିସ ବିଭାଗରେ ଏବେ କମ୍ପନ । ଅନୁଗୁଳ ଏସ.ପି.ଙ୍କୁ ପ୍ରାରମ୍ଭିକ ରିପୋର୍ଟ ମାଗିଛନ୍ତି ହୋମଗାର୍ଡ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।

Advertisment

ହୋମଗାର୍ଡ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁସ୍ଥ ହେବା ପରେ ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁଙ୍କୁ ପଚରାଉଚରା କରାଯିବ । ସଂପୂର୍ଣ୍ଣ ଚିକିତ୍ସା ରାଜ୍ୟ  ସରକାର ବହନ କରିବେ । ଆବଶ୍ୟକ ହେଲେ ତାଙ୍କ ଝିଅକୁ ହୋମଗାର୍ଡରେ ଥଇଥାନ କରାଯିବ । ଅପରପକ୍ଷେ ନିଜ ଆଡୁ ମାମଲା ରୁଜୁ କରି ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମହିଳା କମିଶନ । ୧୫ ଦିନ ଭିତରେ ତଦନ୍ତ କରି ମହିଳା ଅପରାଧ ନିରୋଧି ସେଲ୍ ADGଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣା ପରେ ଏବେ ପୁଣି ତାଜା ହୋଇଛି ରାଜ୍ୟର IPS ଅଫିସର ମାନଙ୍କ ଘରେ ନିଯୁକ୍ତ ହୋମଗାର୍ଡଙ୍କୁ ନିର୍ଯାତନାର ପୁରୁଣା ମାମଲା । ଏ ହେଉଛନ୍ତି, ଭୁବନେଶ୍ୱର କମିଶନରେଟ ପୋଲିସରେ କାର୍ଯ୍ୟରତ ହୋମଗାର୍ଡ ସ୍ୱପ୍ନା ସେନ୍ । ତାଙ୍କ ଅଭିଯୋଗ, ମହିଳା ଥାନାର ଜଣେ ତତ୍କାଳୀନ ଆଇଆଇସିଙ୍କ ଦ୍ୱାରା ନିର୍ଯାତନାର ଶୀକାର ହୋଇଥିଲେ । ବ୍ୟକ୍ତିଗତ କାମ କରିବାକୁ କହିଥିଲେ, ନଶୁଣିବାରୁ ଚାକିରୀରୁ ବହିଷ୍କାର କରିଦେଇଥିଲେ । ଅବଶ୍ୟ ବିଭିନ୍ନ ଫୋରମର ଦ୍ୱାରସ୍ଥ ହେବା ପରେ ପରବର୍ତ୍ତୀ ସମୟରେ ଫେରିପାଇଥିଲେ ଚାକିରୀ ।

Advertisment

କେବଳ ସୈରିନ୍ଦ୍ରୀ କି ସ୍ୱପ୍ନା ନୁହଁନ୍ତି । ରାଜ୍ୟର ଆଇପିଏସ୍ ଅଧିକାରୀ ମାନଙ୍କ ଘରେ ନିଯୁକ୍ତ ଏକାଧିକ ହୋମଗାର୍ଡ ନିର୍ଯାତନାର ଅଭିଯୋଗ ଆଣି ଗୃହ ବିଭାଗକୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଅଛନ୍ତି ୧୫,୭୦୮ ଜଣ ହୋମଗାର୍ଡ । ରାଜ୍ୟ ହୋମଗାର୍ଡ ସର୍ଭିସ୍ ରୁଲ୍ ଅନୁସାରେ ଏମାନେ ଆଇନଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ସହ ଆପାତକାଳୀନ ସମୟରେ ନିଯୁକ୍ତି ପାଇଥାନ୍ତି । ଏପରିକି ଡିଜି, ଡିଆଇଜି ଏବଂ ଏସପିଙ୍କ ମାନଙ୍କ ସରକାରୀ ବାସଭବନରେ ସରକାରୀ କାମ ପାଇଁ ବି ଏମାନଙ୍କୁ ନିଯୁକ୍ତ କରାଯାଇଥାଏ । ଯଥା, ଫାଇଲ୍ ନେବା ଆଣିବା, ପିଇବା ପାଣି ଦେବା, ସରକାରୀ ବାସଭବନ ଓ ଅଧିକାରୀଙ୍କ ସୁରକ୍ଷା ସହ ବଗିଚା ଆଦିରେ କାମ କରିବା । କିନ୍ତୁ ଘରୋଇ କିମ୍ବା ବ୍ୟକ୍ତିଗତ କାମ କରାଇବା ଆଇନ ବିରୋଧୀ ।

ତେବେ ସ୍ୱାଧୀନତାର ୭୭ ବର୍ଷ ପରେ ବି କାହିଁକି ବ୍ରିଟିଶ୍ ଅମଳର କୁତ୍ସିତ ପ୍ରଥା ଜାରି ରହିଛି ? ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା ବାରମ୍ବାର ସାମ୍ନାକୁ ଆସୁଥିଲେ ବି କାହିଁକି ଚୁପ୍ ଗୃହ ବିଭାଗ ? କାହିଁକି ଏ ସଂକାନ୍ତରେ କୌଣସି ନିର୍ଦ୍ଦେଶନାମା ଜାରି କରାଯାଉନି କି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉନି ? ଏବେ DIG ବ୍ରିଜେଶ ରାୟଙ୍କ ଘରେ ଯେଉଁ ଘଟଣା ଘଟିଥିବା ଅଭିଯୋଗ ଆସିଛି, କାହିଁକି ଏଯାଏଁ ହୋଇନି ଆଇନଗତ କାର୍ଯ୍ୟାନୁଷ୍ଠାନ ? ତାକୁ ନେଇ ନାନା ପ୍ରଶ୍ନ ଉଠୁଥିବାବେଳେ ଗତକାଲି ନିର୍ଯାତନା ଅଭିଯୋଗ ଖଣ୍ଡନ କରିଥିଲେ ଡିଆଇଜି ବ୍ରିଜେଶ ରାୟ ।

ସେପଟେ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ରାଜ୍ୟ ଗୃହ ସଚିବ ଓ ପୋଲିସ ଡିଜି ପ୍ରମୁଖଙ୍କୁ ରିପୋର୍ଟ ତଲବ କରିଛନ୍ତି । ହୋମଗାର୍ଡ ସୌରିନ୍ଦି ସାହୁଙ୍କ ମାମଲାରେ କି ପଦକ୍ଷେପ ନିଆଯାଇଛି, ସେନେଇ ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି । ଆସନ୍ତା ୪ ସପ୍ତାହ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ଏହି ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ ।

ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି । ରାଜ୍ୟପାଳଙ୍କୁ ଭେଟି ଡିଆଇଜି ଓ ତାଙ୍କ ପତ୍ନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ହୋମଗାର୍ଡଙ୍କ ଦୁଇ ଝିଅଙ୍କୁ ଚାକିରି ଓ ପରିବାର ଥଇଥାନ କରାଯାଉ । DIGଙ୍କୁ ବଦଳି କରି ଘଟଣା ଚାପି ଦେବାକୁ ସରକାର ଚେଷ୍ଟା କରିଥିବା ଅଭିଯୋଗ କରିଛନ୍ତି । ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ ଖସେଇ ଦେବାକୁ ପ୍ରଶାସନ ଲାଗିଛି । ତେଣୁ ଉଭୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉ ଏବଂ ପରିବାରକୁ ନ୍ୟାୟ ମିଳୁ ବୋଲି କହିଛି ବିଜେପି ।

ସେହିପରି କଂଗ୍ରେସ ବି ଏନେଇ ରାଜ୍ୟ ସରକାରଙ୍କୁ ଘେରିଛି । ଡିଆଇଜିଙ୍କୁ ନିଲମ୍ବିତ କରାଯାଇ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଉ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି । ସେପଟେ ଘଟଣାରେ ପ୍ରତିକ୍ରିୟା ରଖିଛି ବିଜେଡି । 

Odisha Police Home Guard NHRC
Advertisment
Advertisment