• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନିଶାର୍ଦ୍ଧରେ ସିଂହ ଗର୍ଜନ, ବାଘର ହେଣ୍ଟାଳ, ଶିକାରୀ ହେଟାର ଚାଲ୍ । ପେଚାର ଚିତ୍କାର ସାଙ୍ଗକୁ ବାଦୁଡ଼ିର ଫଡ୍ ଫଡ୍ ଶବ୍ଦ । ଆଗକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏସବୁ ଅନୁଭୂତି ନେଇପାରିବେ ପର୍ଯ୍ୟଟକ । କାରଣ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଲଟିବ ନାଇଟ୍ ଆଉଟେଡ୍ ଜୁ’ । ରାତିରେ ବି ପର୍ଯ୍ୟଟକଙ୍କ ଲାଗି ଖୋଲା ରହିବ ରାଜ୍ୟର ଏ ସର୍ବବୃହତ୍ ଚିଡ଼ିଆଖାନା । ଏଥିପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟିକୁ ମାଷ୍ଟର ପ୍ଲାନ୍ ଦାଖଲ କରିଛି ବନ ବିଭାଗ ।

ଏ ସମ୍ପର୍କରେ ସୂଚନା ଦେଇ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଅନେକ ଜୀବଜନ୍ତୁ ରାତ୍ରିଚର । ଏସବୁ ଜୀବଜନ୍ତୁଙ୍କ ଚାଲିଚଳନ ସମ୍ପର୍କରେ ଲୋକଙ୍କୁ ଜାଣିବାର ସୁଯୋଗ ଦେବାକୁ ନାଇଟ୍ ଆଉଟ୍ ଆଟ୍ ଜୁ’ ଆରମ୍ଭ ଲାଗି ପ୍ରସ୍ତାବ ଦିଆଯାଇଛି । ଯଦି ସେଣ୍ଟ୍ରାଲ ଜୁ’ ଅଥରିଟି ଏ ପ୍ରସ୍ତାବକୁ ଗ୍ରହଣ କରିବ, ସନ୍ଧ୍ୟା ପରେ ନନ୍ଦନକାନନ ଚିଡ଼ିଆଖାନା ଖୋଲାରହିବ । ଏଥିରେ ପର୍ଯ୍ୟଟକଙ୍କୁ ଚିଡ଼ିଆଖାନା ସମ୍ପର୍କିତ ଫିଲ୍ମ ସୋ’ ଦେଖାଇବା ସହ ରାତ୍ରୀଚର ଜୀବଜନ୍ତୁଙ୍କ ଏନକ୍ଲୋଜର ବୁଲିବା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନ କେବଳ ନାଇଟ୍ ଆଉଟେଡ୍ ଜୁ’ ପାଲଟିବ ତାହା ନୁହେଁ, ବନ ବିଭାଗର ୨୦ ବର୍ଷିଆ ମାଷ୍ଟର ପ୍ଲାନ୍ କହୁଛି, ବଢ଼ିବ ନନ୍ଦନକାନନ ଚିଡ଼ିଆଖାନା କଳେବର । ବଦଳିବ ଚେହେରା । ବର୍ତ୍ତମାନ ବଟାନିକଲ ଗାର୍ଡେନକୁ ମିଶାଇ ନନ୍ଦନ କାନନ ପ୍ରାଣୀ ଉଦ୍ୟାନ ୪୩୭ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ । ହେଲେ ମାଷ୍ଟର ପ୍ଲାନ୍ ଅନୁସାରେ, ଅଢ଼େଇ ଗୁଣା ହୋଇଯିବ ଅର୍ଥାତ୍ ୧ ହଜାର ୪୩ ହେକ୍ଟରକୁ ବଢ଼ିଯିବ ନନ୍ଦନ କାନନ ପ୍ରାଣୀ ଉଦ୍ୟାନର ପରିସୀମା ।

ବନ୍ୟପ୍ରାଣୀ ପିସିସିଏଫ୍ ସୁଶୀଲ କୁମାର ପୋପଲି କହିଛନ୍ତି, ସେଣ୍ଟାଲ ଜୁ’ ଅଥରିଟି ମୋହର ଲାଗିଲେ, ନନ୍ଦନକାନନ ସହ ମିଶିଯିବ କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ସଂରକ୍ଷିତ ଜଙ୍ଗଲ । ଏବେ ନନ୍ଦନକାନନରେ ୧୬୭ ପ୍ରଜାତିର ଜୀବଜନ୍ତୁ ଥିବା ବେଳେ ଏ ସଂଖ୍ୟାକୁ ୨୫୦କୁ ବଢ଼ାଯିବ । ପ୍ରସ୍ତାବିତ ସଂସାରିତ ନନ୍ଦନ କାନନରେ ରହିବ ଅନେକ ନୂଆ ବିଶ୍ୱସ୍ତରୀୟ ସଫାରୀ। ପୁରୁଣା ଏନକ୍ଲୋଜରର ଆଧୁନିକୀକରଣ ବି ହେବ । ଏବେ ଅପେକ୍ଷା, ସେଣ୍ଟ୍ରାଲ ଜୁ’ ଅଥରିଟିର ଗ୍ରୀନ୍ ସିଗ୍ନାଲକୁ ।

  • Reported by:
  • KAPILENDRA PRADHAN