• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରଥମ ସୂର୍ଯ୍ୟ ଅଭିଯାନ ପାଇଁ ପ୍ରସ୍ତୁତ ଭାରତ । ମଝିରେ ଆଉ ଦୁଇ ଦିନ । ଆସନ୍ତା ଶନିବାର ଉତକ୍ଷେପଣ ହେବ ଆଦିତ୍ୟ-L1 । ଏଥିପାଇଁ ଲଞ୍ଚପ୍ୟାଡରେ PSLV-C57 ରକେଟ୍ ପ୍ରସ୍ତୁତ ଥିବା ବେଳେ, ସାରା ଦେଶର ଉତ୍କଣ୍ଠା ବଢ଼ିଚାଲିଛି । ୪ଶହ କୋଟି ଟଙ୍କା ବ୍ୟୟରେ ଏହି ମିଶନ ଆଦିତ୍ୟ କେଉଁ ଲକ୍ଷ୍ୟ ପୂରଣ କରିବ ଏବଂ ସୂର୍ଯ୍ୟ ସଂପର୍କିତ କିଭଳି ତଥ୍ୟ ସଂଗ୍ରହ କରି ମାନବଜାତିର ହିତ ସାଧନ କରିବ, ତାକୁ ନେଇ ଦେଖାଦେଇଛି ଉତ୍ସୁକତା । ତେଣେ ଅଧା ଆୟୁଷରେ ପହଞ୍ଚିଥିବା ମିଶନ ଚନ୍ଦ୍ରୟାନରେ ବି ସାମ୍ନାକୁ ଆସିଛି ବହୁ ପ୍ରତିକ୍ଷୀତ ଲ୍ୟାଣ୍ଡର ବିକ୍ରମର ଫଟୋ ।

ସୂର୍ଯ୍ୟ ଅଭିଯାନ ପାଇଁ ସରିଲା ସଜବାଜ । ମିଶନ୍ ଆଦିତ୍ୟ ପାଇଁ ଚୂଡ଼ାନ୍ତ ମହାପ୍ରସ୍ତୁତି । ଲଞ୍ଚପ୍ୟାଡରେ ତୟାର୍ PSLV-C57 । ଆଦିତ୍ୟ-L1 ଆସନ୍ତା ଶନିବାର ଦିନ ୧୧ଟା ୫୦ ରେ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ ହେବାକୁ ଥିବା ବେଳେ, ଗତରାତିରେ ୨ ନମ୍ବର ଲଞ୍ଚପ୍ୟାଡକୁ ନିଆଯାଇଛି ଏହି ବିଶାଳ ରକେଟ୍ । ଏବେ ସେଠାରେ ସବୁ ବ୍ୟବସ୍ଥାର ଆମୂଳଚୁଳ ଯାଞ୍ଚ ହେବ ଏବଂ ଇନ୍ଧନ ଭର୍ତ୍ତି କରାଯିବ ।

ପୋଲାର୍ ସାଟେଲାଇଟ ଲଞ୍ଚ ଭେହିକିଲ୍ ବା ପିଏସ୍ଏଲଭି ହେଉଛି, ଇସ୍ରୋର ୱାର୍କହର୍ସ ବା ସବୁଠୁ ଭରସାଯୋଗ୍ୟ ରକେଟ୍ । ପ୍ରାୟ ୪୪ ମିଟର ଉଚ୍ଚ ଓ ୩୨୦ ଟନ୍ ଓଜନ । ସଫଳତା ହାର ୯୪ ପ୍ରତିଶତ । ପୂର୍ବରୁ ଚନ୍ଦ୍ରୟାନ-1 ଓ ମଙ୍ଗଳୟାନ ପ୍ରେରଣ ପାଇଁ ବ୍ୟବହାର କରିଥିବା ଏହି PSLVକୁ ଏଥର ବି ଭରସା କରିଛି ଇସ୍ରୋ । ଏହି PSLV-XL କ୍ଲାସ୍ ରକେଟ୍ ଆସନ୍ତା ଶନିବାର ଦେଢ଼ ଟନ୍ ଓଜନର ଆଦିତ୍ୟ L1କୁ ନିର୍ଦ୍ଧାରିତ ଲୋ-ଆର୍ଥ ଅର୍ବିଟ ବା ଭୂପୃଷ୍ଠ ଠାରୁ ଅପେକ୍ଷାକୃତ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ କକ୍ଷପଥରେ ଅବସ୍ଥାପିତ କରିବ । ଏହାପରେ 'ଆଦିତ୍ୟ' ପୃଥିବୀକୁ ପ୍ରାୟ ୪ ଥର ପରିକ୍ରମା କରି, ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲାଗରାଞ୍ଜିଆନ୍ ପଏଣ୍ଟ ବା L1 ଅଭିମୁଖେ ଆଗେଇଯିବ। ଲଞ୍ଚିଂଠୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଯାଏଁ ସମୟ ଲାଗିବ ପ୍ରାୟ ୪ ମାସ ।

ପୃଥିବୀଠୁ ୧୫ କୋଟି କିଲୋମିଟର ଦୂରରେ ଥିବା ସୂର୍ଯ୍ୟ ସକଳ ଶକ୍ତିର ଆଧାର ଓ ସୌର ଜଗତର କେନ୍ଦ୍ରବିନ୍ଦୁ । ସୂର୍ଯ୍ୟ ନଥିଲେ ପୃଥିବୀ କି ଜୀବସତ୍ତା ବି ନଥାନ୍ତା । ହେଲେ ଏବେବି ଆମକୁ ଅଗୋଚର ତାର ଅନେକ ରହସ୍ୟ । ଆକାରରେ ପୃଥିବୀଠୁ ୧୩ ଲକ୍ଷ ଗୁଣ ବିଶାଳ ଏହି ଅଗ୍ନିପିଣ୍ଡରେ, ୪୫୦ କୋଟି ବର୍ଷ ହେଲା ଅହରହ ହାଇଡ୍ରୋଜେନ୍ ହିଲିୟମରେ ପରିଣତ ହେଉଛି । ନିର୍ଗତ ହେଉଛି ଅମାପ ଉତ୍ତାପ ଓ ଆଲୋକ, ଅଜସ୍ର ଶକ୍ତି ଓ ଚାର୍ଜ କଣିକା ।

ହେଲେ ସୂର୍ଯ୍ୟପୃଷ୍ଠଠୁ ବାହ୍ୟ କରୋନା ସ୍ତରର ତାପମାତ୍ରା କାହିଁକି ହଜାରେ ଗୁଣ ଅଧିକ, ତାହା ଏବେବି ଅଜଣା । ଆଦିତ୍ୟ-L1ରେ ଲାଗିଥିବା ୭ଟି ଯନ୍ତ୍ର ସୂର୍ଯ୍ୟର ବିଭିନ୍ନ ସ୍ତର ଫଟୋସ୍ଫିୟର, କ୍ରମୋସ୍ଫିୟର ଓ କରୋନା ସଂପର୍କରେ ଅତି ପାଖରୁ ଗବେଷଣା କରିବ । ସୂର୍ଯ୍ୟର ଗଠନ ଏବଂ ସେଠାରେ ଅହରହ ଚାଲିଥିବା ପ୍ରକ୍ରିୟା ସଂପର୍କିରେ ଯେତେ ଅଧିକ ତଥ୍ୟ ମିଳିବ, ବିଶ୍ୱବ୍ରହ୍ମାଣ୍ଡର ଅଗଣିତ ତାରକା ଉପରେ ବି ଆମର ଧାରଣା ସେତିକି ସ୍ପଷ୍ଟ ହେବ । ତା’ଛଡ଼ା ସୂର୍ଯ୍ୟରୁ ବାହାରୁଥିବା ବିପଜ୍ଜନକ ସୌରଝଡ଼ ସଂପର୍କରେ ବି ଏହି ମିଶନରୁ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ସୌରଝଡ଼ ପୃଥିବୀ ଯାଏଁ ମାଡ଼ିଆସିଲେ ସାଟେଲାଇଟ ଖସିପଡ଼ିବାର ଏବଂ ଯୋଗାଯୋଗ ଓ ବିଜୁଳି ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି । ତେଣୁ ସୌରଝଡ଼ର ମୁକାବିଲା ଦିଗରେ ବି ହୁଏତ ଯୁଗାନ୍ତକାରୀ ସାବ୍ୟସ୍ତ ହେବ ମିଶନ୍ ଆଦିତ୍ୟ ।

ସେପଟେ ଚନ୍ଦ୍ରୟାନ-3 ମିଶନକୁ ଆଜି ସପ୍ତାହେ ପୂରିଥିବା ବେଳେ, ଜହ୍ନରାଇଜରୁ ଆସିଛି ବହୁ ପ୍ରତୀକ୍ଷିତ ଫଟୋ । ପଏଣ୍ଟ ଶିବଶକ୍ତିରେ ଲ୍ୟାଣ୍ଡର୍ ବିକ୍ରମର ଫଟୋ ଉଠାଇଛି ପ୍ରଜ୍ଞାନ । ଭାରତୀୟ ସମୟ ସକାଳ ୭ଟା ୩୫ ବେଳେ ରୋଭର୍ ପ୍ରଜ୍ଞାନ ନିଜର ନାଭିଗେସନ୍ କ୍ୟାମେରାରେ ଏହାକୁ ଅତି ସୁନ୍ଦର ଭାବେ କଏଦ  କରିଛି । ଚନ୍ଦ୍ରପୃଷ୍ଠର ତାପମାତ୍ରା ଓ କଂପନ ମାପିବା ପାଇଁ ଲ୍ୟାଣ୍ଡରରେ ଲାଗିଥିବା ୨ଟି ଯନ୍ତ୍ର 'ଚାସ୍ତେ' ଓ 'ଇଲସା'କୁ ଏଥିରେ ଖୁବ୍ ସ୍ପଷ୍ଟ ଦେଖାଯାଉଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ନୂଆ ନୂଆ ତଥ୍ୟ ସଂଗ୍ରହ ପାଇଁ ବିକ୍ରମ ଓ ପ୍ରଜ୍ଞାନ ହାତରେ ଆଉ ପ୍ରାୟ ୭ ଦିନ ବାକି ଅଛି । ଏଭିତରେ ଚନ୍ଦ୍ରପୃଷ୍ଠର ୧୦ ସେଣ୍ଟିମିଟର ତଳର ଉତ୍ତାପ ଏବଂ ସେଠାକାର ମୃତ୍ତିକା ସଂରଚନା ଭାରତ ହାତରେ ଲାଗିସାରିଛି ।